ଭାରତର ଅର୍ଥନୈତିକ ସମସ୍ୟା

 

 

 

 

 

 

 

 

 

 

 

ଭାରତର ଆର୍ଥନୀତିକ ସମସ୍ୟା

ବୈଦ୍ୟନାଥ ମିଶ୍ର

 

ସୁଚୀପତ୍ର

 

୧.

ସାମାଜିକ ଅବସ୍ଥା ଓ ଆର୍ଥନୀତିକ ପ୍ରଗତି

୨.

ଆମର ଅର୍ଥନୀତିରେ କୃଷିର ସ୍ଥାନ

୩.

କୃଷି ସଂଗଠନ

୪.

ଆମ ଭୂମି ସମସ୍ୟା

୫.

ଚାଷୀ ଚାଷ

୬.

ଜନ-ନିୟନ୍ତ୍ରଣ

୭.

କୁଟୀର ଶିଳ୍ପ ଓ ଗ୍ରାମ୍ୟ ଶିଳ୍ପ

୮.

ଭାରତରେ ଶିଳ୍ପ ବିକାଶ

୯.

ଶିଳ୍ପ ଶ୍ରମିକ

୧୦.

ଶିଳ୍ପ ବିବାଦ

୧୧.

ଭାରତରେ ଶ୍ରମିକ ଆନ୍ଦୋଳନ

୧୨.

କର୍ମ-ସଂସ୍ଥାନ

୧୩.

ଅନୁନ୍ନତ ଅର୍ଥନୀତି ଓ ଶିଳ୍ପ ବିକାଶ

୧୪.

ଆର୍ଥନୀତିକ ପ୍ରଗତି

୧୫.

ବିଦେଶ ପୁଞ୍ଜି

୧୬.

ଆମର ଯୋଜନା

☆☆☆

 

ନିବେଦନ

 

ଏଥିରୁ କେତେଗୁଡ଼ିଏ ପ୍ରବନ୍ଧ ଝଙ୍କାର ଓ ନବଜୀବନ ମାସିକ ପତ୍ରିକାରେ ଆଗରୁ ପ୍ରକାଶିତ ହୋଇଯାଇଛି । ନବଜୀବନ ଓ ଝଙ୍କାରର ସମ୍ପାଦକ ଦ୍ଵୟ ଏ ପ୍ରବନ୍ଧଗୁଡ଼ିକୁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ଅନୁମତି ଦେଇଥିବାରୁ ଲେଖକ ସେମାନଙ୍କଠାରେ କୃତଜ୍ଞ ।

 

ଲେଖକ

☆☆☆

 

ସାମାଜିକ ଅବସ୍ଥା ଓ ଆର୍ଥନୀତିକ ପ୍ରଗତି

 

ଆର୍ଥନୀତିକ ପ୍ରଣାଳୀଦ୍ଵାରା ସାମାଜିକ ବ୍ୟବସ୍ଥା ନିୟନ୍ତ୍ରିତ ହୁଏ ବୋଲି କାର୍ଲମାର୍କସ ପ୍ରାୟ୧୦୦ବର୍ଷ ତଳେ କମ୍ୟୁନିଷ୍ଟ ମାନିଫେଷ୍ଟେରେ ପ୍ରତିପାଦନ କରିଥିଲେ । ଇତିହାସର ସେ ଯେଉଁ ନୂଆ ଅର୍ଥ କରିଥିଲେ, ଯାହାକୁ କି ଆମେ ଐତିହାସିକ ବସ୍ତୁବାଦ ବୋଲି କହୁ, ସେଥିରେ ସେ କହିଥିଲେ ଯେ ଉତ୍ପାଦନ ପ୍ରଣାଳୀଦ୍ଵାରା ସମାଜର ଶିକ୍ଷା, ସଭ୍ୟତା, ସଂସ୍କୃତି ଓ ଏପରି କି ଧର୍ମ ମଧ୍ୟ ନିୟନ୍ତ୍ରିତ ହୁଏ । ଏଇ ମତବାଦରେ ଯେ ଅନେକ ସତ୍ୟତା ଅଛି,ଏଥିରେ କୌଣସି ସନ୍ଦେହ ନାହିଁ । ଯେଉଁମାନେ ଉତ୍ପାଦନ ପ୍ରଣାଳୀକୁ ପରିଚାଳନା କରନ୍ତି, ଯେଉଁମାନଙ୍କ ହାତରେ ଉତ୍ପାଦନ ପ୍ରଣାଳୀର କର୍ତ୍ତୃତ୍ଵ ରହେ, ସେଇମାନେ ଶିକ୍ଷା ଓ ସଭ୍ୟତାର କର୍ଣ୍ଣଧାର ହୋଇଉଠନ୍ତି । ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ମାନଦଣ୍ଡ ଅନେକ ସମୟରେ ସେମାନଙ୍କ ମତ ଅନୁଯାୟୀ ପ୍ରତିଷ୍ଠିତ ହୁଏ । ଅନ୍ତତଃ ସେମାନଙ୍କ ମତ ଅନୁଯାୟୀ ସାମାଜିକ ବ୍ୟବସ୍ଥା ଯେ ଅନେକାଂଶରେ ପ୍ରଭାବିତ ହୁଏ, ଏକଥା ସମସ୍ତେ ମାନିବେ । କିନ୍ତୁ ସମାଜର ଶିକ୍ଷା, ସଂସ୍କୃତି ବା ସଭ୍ୟତା କେବଳ ଉତ୍ପାଦନ ପ୍ରଣାଳୀ ଉପରେ ନିର୍ଭର କରେ ନାହିଁ ସମାଜ ମଧ୍ୟ ଉତ୍ପାଦନ ପ୍ରଣାଳୀ ଓ ଅର୍ଥନୈତିକ ଅବସ୍ଥାକୁ ନିୟନ୍ତ୍ରଣ କରେ । କାର୍ଲମାର୍କସ ବୋଧହୁଏ ନିଜର ମତକୁ ପ୍ରତିଷ୍ଠା କରିବା ପାଇଁ ଉତ୍ପାଦନ ପ୍ରଣାଳୀକୁ ଅତିବେଶୀ ଗୁରୁତ୍ଵ ଦେଇଛନ୍ତି । ଗୋଟିଏ ମତକୁ ଅତିରଞ୍ଜିତ କରି ଲୋକମାନଙ୍କ ଆଗରେ ନ ଥୋଇଲେ, ଲୋକମାନେ ତାହା ସହଜରେ ଧରି ପାରନ୍ତି ନାହିଁ । ପ୍ରଚାର ପାଇଁ ଅତିରଞ୍ଜିତ କରିବା ଏକ ବଡ଼ ଧରଣର କୌଶଳ । ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ଅନେକ ବଡ଼ବଡ଼ ଲେଖକ ଏହି ପନ୍ଥାର ଆଶ୍ରୟ ନେଇଛନ୍ତି । ତେଣୁ ମାର୍କସଙ୍କ ମତବାଦକୁ ଅକ୍ଷରେ ଅକ୍ଷରେ ସତ ବୋଲି ମାନିନେବା ବୁଦ୍ଧିମତ୍ତାର ପରିଚୟ ନୁହେଁ । ଉତ୍ପାଦନ ପ୍ରଣାଳୀ ସମାଜକୁ କିପରି ପ୍ରଭାବିତ କରେ, ତାର ଏକ ଆଲୋଚନା ଅନେକ ଜାଗାରେ ହୋଇଯାଇଛି । ତେଣୁ ସାମାଜିକ ବ୍ୟବସ୍ଥା ଅର୍ଥନୈତିକ ପ୍ରଣାଳୀକୁ କିପରି ଭାବରେ ପ୍ରଭାବିତ କରେ, ତାର ଏକ ଆଲୋଚନା ଆମ୍ଭେମାନେ ଏଠାରେ ବାଢ଼ିବାକୁ ଚେଷ୍ଟା କରିବୁ ।

 

ଆମର ସମାଜ ଏକ ଅତି ପୁରୁଣାକାଳିଆ ସମାଜ । ବୁଦ୍ଧଦେବ ଓ ଅଶୋକଙ୍କ ଅମଳରେ ଲୋକମାନେ ଯେପରି ରହୁଥିଲେ, ଆଜିକାଲି ମଧ୍ୟ ଗାଁଗଣ୍ଡାରେ ତାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିବ । କିନ୍ତୁ ଏହି ପୁରୁଣା କାଳିଆ ସମାଜରେ ମୁସଲମାନ, ମୋଗଲ ଓ ଇଂରେଜଙ୍କ ପ୍ରଭାବ ପଡ଼ିଯାଇଛି । ଶାସକଙ୍କର ଦୀକ୍ଷା ଗ୍ରହଣ କରି ସେମାନଙ୍କୁ ଅନୁକରଣ କରିଚଳିବା ପାଇଁ ଶାସିତମାନେ ସବୁବେଳେ ଚେଷ୍ଟା କରନ୍ତି । ଆମଦେଶରେ ଇଂରେଜୀ ଶିକ୍ଷିତ ଯୁବକମାନେ ପାଶ୍ଚାତ୍ୟ ସଭ୍ୟତାଦ୍ଵାରା ପ୍ରଭାବିତ ହୋଇ ଆମର ପୁରୁଣାକାଳିଆ ରକ୍ଷଣଶୀଳ ସମାଜକୁ ଆଘାତ କରିବାକୁ ଲାଗିଛନ୍ତି । କିନ୍ତୁ ଏହା ସତ୍ତ୍ୱେ, ଆମର ସମାଜ କାହାକୁ ପୂରାପୂରି ଗ୍ରହଣ କରି ପାରିନାହିଁ-। ସବୁ ସଭ୍ୟତାର ଛାପ ଏହା ଉପରେ ପଡ଼ିଛି । ପୁରାତନ ଲିଭିଯାଇ ନାହିଁ ନୂତନ ପୂରା ଆସି ନାହିଁ-। ତେଣୁ ଆମେମାନେ ମଝି ନଈରେ ଚାଳକ ବିହୀନ ବୋଇତରେ ଭାସିଲା ପରି ଏଣେ ତେଣେ ଭାସୁଛେ । ତେଣୁ ଆଜି ଭାରତୀୟ ସଭ୍ୟତା କହିହେବ ନାହିଁ । ଜାପାନ ଓ ସିଲେନ ପ୍ରଭୃତି ଦେଶମାନେ ପ୍ରାଚ୍ୟ ଭୂଖଣ୍ଡର ଅଂଶହେଲେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାକୁ ପୂରାପୂରି ଆଦରି ନେଉଛନ୍ତି-। ଅନ୍ୟ କେତେକ ଦେଶ ପ୍ରାଚ୍ୟ ସଭ୍ୟତାକୁ ଧରି ରଖିଛନ୍ତି । କିନ୍ତୁ ଆମେ ଏ ଭିତରୁ କେଉଁ ଶ୍ରେଣୀରେ ଯାଉ ନାହୁଁ । ଭିନ୍ନ ଭିନ୍ନ ସଭ୍ୟତାର ସମନ୍ଵୟ ହୋଇଗଲେ ମଧ୍ୟ କିଛି ଅସୁବିଧା ହୁଅନ୍ତା ନାହିଁ । କିନ୍ତୁ ଆମର ସଭ୍ୟତା ଏପରି ଏକ ମିଶ୍ରିତ ସଭ୍ୟତା ଯେ ସେଥିରେ ସମନ୍ଵୟ (Adjustment and compromise) ନାହିଁ । ଏଥିରେ ପାଗଳା ବାବା ଓ ରନ୍ତଳେଇ ବାବା ରହୁଛନ୍ତି– ଏବଂ ଆହୁରି ଆଶ୍ଚର୍ଯ୍ୟର କଥା ଯେ ସେମାନଙ୍କୁ ଶିକ୍ଷିତ, ବୈଜ୍ଞାନିକ ଓ ଅଧ୍ୟାପକମାନେ ମଧ୍ୟ ପୂଜା କରୁଛନ୍ତି।

 

ଠିକ୍‍ ସେହିପରି ଆମର ସାମାଜିକ ବ୍ୟବସ୍ଥା କଥା ଦେଖାଯାଉ । ଆମ ସମାଜର ଜାତିଭେଦ, ପାରିବାରିକ ବ୍ୟବସ୍ଥା ଓ ଗ୍ରାମ୍ୟ ଜୀବନ ଦିନେ ଯେ ସମାଜର ଅତି ଦରକାର ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । ଏସବୁ ଅନୁଷ୍ଠାନ ସମାଜର ସହଯୋଗୀ ଓ ସହାୟକ ଅନୁଷ୍ଠାନ-। ଭାରତୀୟମାନେ ଏକାଠି ପରସ୍ପରର ସାହାଯ୍ୟ ନେଇ ବଞ୍ଚି ରହିବା ପାଇଁ ଜାତିଭେଦ, ପାରିବାରିକ ବ୍ୟବସ୍ଥା ଓ ଗ୍ରାମ୍ୟ ଜୀବନର ପନ୍ଥା ଅନୁସରଣ କରିଥିଲେ । ଆଜିର ପାଶ୍ଚାତ୍ୟ ସଭ୍ୟତା ପରି ଆମର ପ୍ରାଚୀନ ସଭ୍ୟତାରେ ବ୍ୟକ୍ତି ସର୍ବଶ୍ଵର ପୂଜା ହେଉ ନଥିଲା । ଗୋଟିଏ ପରିବାର ଭିତରେ ୧୫/୨୦ଜଣ ଲୋକ ରହୁଥିଲେ–ସମସ୍ତେ ମିଳିମିଶି ଚଳିବାକୁ ଚେଷ୍ଟା କରୁଥିଲେ । ସେଇପରି ଏକ ଏକ ଜାତି ନେଇ ମଧ୍ୟ ସମାଜରେ ସଂହତି ଓ ପରସ୍ପର ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରାଯାଉଥିଲା । ଗ୍ରାମ୍ୟଜୀବନ ସହ ଯୋଗମୂଳ (group life) ଜୀବନର ଏକ ଚୂଡ଼ାନ୍ତ ନିଦର୍ଶନ । କିନ୍ତୁ ପାଶ୍ଚାତ୍ୟ ଦେଶରେ ବ୍ୟକ୍ତିବାଦ (individualism) ହିଁ ସର୍ବସ୍ଵ । ବାହା ହୋଇଗଲେ ବାପ ପାଖରେ ପୁଅ ରହେ ନାହିଁ । ଗୋଟିଏ ଘରେ ଦୁଇଟି ଭାଇ ବାହାହୋଇ ରହନ୍ତି ନାହିଁ । ହୋଟେଲକୁ ଦୁଇଟି ଭାଇ ଖାଇବାକୁ ଗଲେ, ପ୍ରତ୍ୟେକ ନିଜର ଖାଦ୍ୟପାଇଁ ଦାମ୍ ଦିଅନ୍ତି । ସେଠି ପାରିବାରିକ ଜୀବନ ବା ଗ୍ରାମ୍ୟ ଜୀବନ କିଛି ନାହିଁ ବୋଲି କହିଲେ ଚଳେ । ଯେଉଁଠି ପୁଅର ବାପ ସହିତ ସମ୍ବନ୍ଧ ନାହିଁ ଓ ବାପର ପୁଅ ସହିତ କିଛି ସମ୍ପର୍କ ନାହିଁ, ସେଠି ସହଯୋଗ ମୂଳକ ଜୀବନ ଗଢ଼ି ଉଠିବ କିପରି ? ଆମର ସମାଜର ଆଦର୍ଶ ହେଲା ପର ପାଇଁ ବଞ୍ଚିବା । କାର୍ଯ୍ୟ କଥା ଆମେ କହୁନାହୁଁ–ଆଦର୍ଶ କଥା । ପୁଅ ବାହାହୁଏ, ବାପା ଓ ମାଙ୍କୁ କଷ୍ଟରୁ ରକ୍ଷା କରିବା ପାଇଁ-। ବୋହୂ, ମଧ୍ୟ ଶାଶୁ ଓ ଶ୍ଵଶୁରଙ୍କ ସେବାପାଇଁ ଆସିଛି ବୋଲି ଭାବେ । ପୁଅ ବଡ଼ ହେଲେ ବାପା କାର୍ଯ୍ୟରୁ ବିଶ୍ରାମ ନିଅନ୍ତି–ପୁଅ ସେମାନଙ୍କୁ ପୋଷେ । କିନ୍ତୁ ଆଜି ଆମ ସମାଜର ସେ ପୁରୁଣା ଆଦର୍ଶ ନାହିଁ । ପୁଅ ପାଠପଢି ବାହାରେ ଚାକିରି କଲେ, ନିଜର ସ୍ତ୍ରୀକୁ ନିଜ ପାଖକୁ ନେଇ ଆସୁଛି–ଏ ହେଲା ପାଶ୍ଚାତ୍ୟ କଥା । ଏହାକୁ ପୂରାପୂରି ଗ୍ରହଣ କରି ନେଲେ ବି ଚଳନ୍ତା-। କିନ୍ତୁ ତା ହେଉନାହିଁ । ପୁଅ ଯେତେବେଳେ ଚାକିରି ନ ପାଇ ବେକାର ହୋଇ ବସୁଛି, ସେତେବେଳେ ଘରକୁ ଦୌଡ଼ୁଛି– ଘରୁ ଭାଗ ଖୋଜୁଛି–ବାପା, ମା ଓ ଅନ୍ୟ ଭାଇମାନଙ୍କ ସହିତ କଳି କରୁଛି-। ଏ କିନ୍ତୁ ପାଶ୍ଚାତ୍ୟ କଥା ନୁହେଁ । ଯେ ବାହାରକୁ ଗଲା, ସେ ବାହାରକୁ ଗଲା । ନିଜର ଧନ୍ଦା ଖୋଜି ଚଳିଲା-। ବାପା ଓ ମାଙ୍କ ସମ୍ପତ୍ତିର ଭାଗ ବିଚାର କଲା ନାହିଁ । ସେହିପରି ମଧ୍ୟ ଗ୍ରାମ୍ୟ ଜୀବନରେ ଦ୍ଵନ୍ଦ୍ଵ ଉପସ୍ଥିତ ହୋଇଛି । ଗାଁର ଯେଉଁ ଲୋକଟି ପାଠପଢ଼ି ଉପଯୁକ୍ତ ହୋଇ ବାହାରିଲା, ବିଦେଶରେ ରୋଜଗାରର ପନ୍ଥା ପାଇଲା, ସେ ଗାଁକୁ ଛାଡ଼ି ସହରରେ ରହିଲା । କିନ୍ତୁ ସେ ଟିକିଏ ଶିକ୍ଷା ପାଇ କୁଆଡ଼ର ନ ହେଲା, ସେ ଗାଁରେ ଯାଇ ଟାଉଟରି କଲା ଗାଁ ବାଲା କହିଲେ ସେ ପିଲାମାନେ ପାଶ୍ଚାତ୍ୟ ଶିକ୍ଷା ପାଇ ଖରାପ ହୋଇଗଲେ । ପାଶ୍ଚାତ୍ୟ ଦେଶରେ ଯେଉଁମାନେ ପାଠ ପଢ଼ନ୍ତି, ସେମାନେ ଚାଷ କରନ୍ତି, ଲୁଗା ସଫା କରନ୍ତି, ହୋଟେଲରେ ନୌକର କାମ କରନ୍ତି, ସାଲୁନରେ ବାଳ ମଧ୍ୟ କାଟନ୍ତି । କିନ୍ତୁ ଆମେ ତାଙ୍କ ଶିକ୍ଷା ପାଇ ଶିକ୍ଷାର ଗୋଟିଏ ଦିଗ ଶିଖିଲେ–ବାବୁ ହେବାକଥା । ସେଠି ସବୁକାମର ମର୍ଯ୍ୟାଦା ଅଛି–ଶିକ୍ଷିତ ଲୋକମାନେ ସବୁ ପ୍ରକାର କାମ କରୁଛନ୍ତି-। କିନ୍ତୁ ଆମର ଶିକ୍ଷିତମାନେ ତାଙ୍କର ଶିକ୍ଷାପାଇ ମଧ୍ୟ ଶିକ୍ଷାର ମର୍ଯ୍ୟାଦା ରଖି ପାରୁନାହାନ୍ତି-। ନିଜର ବ୍ୟାଗ ସୁଟକେଶ୍‍ଟି ଧରି ଟ୍ରେନ୍ ଉପରକୁ ଯିବାକୁ ଲାଜ କରୁଛନ୍ତି । ତେଣୁ ଆମର ସଭ୍ୟତା ଏକ କିମ୍ଭୂତକିମାକାର ହୋଇପଡ଼ିଛି । ଆମେ ପାଶ୍ଚାତ୍ୟ ସଭ୍ୟତାରେ ନାହୁଁ– କି ଆମର ସଭ୍ୟତାରେ ନାହୁଁ–କି କାହାର ସମନ୍ଵୟ କରି ପାରିନାହୁଁ । ଏହା ଭିତରୁ ଯେ କୌଣସିଟି ଧରି ନେଲେ ଚଳନ୍ତା-। କିନ୍ତୁ ଦୁଃଖର କଥା ଯେ ଆମର ସମାଜ ସଂସ୍କାରକମାନେ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣଟାକୁ ଦେଖି ଖାଲି ପାଶ୍ଚାତ୍ୟ ସଭ୍ୟତାକୁ ସମାଲୋଚନା କରିବାରେ ଲାଗିଛନ୍ତି-

 

ସେ ଯାହାହେଉ, ସମାଜ ଭିତରେ ଏହି ଯେଉଁ ସଂଘର୍ଷ ଲାଗିଛି, ତା’ ଫଳରେ ଆମର ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇ ପାରୁନାହିଁ । ପ୍ରଥମେ ଜାତିଭେଦ କଥା ଦେଖାଯାଉ । ଆମେ କେବଳ ଅର୍ଥନୀତି ଦିଗଟି ବିଚାର କରିବା । ପ୍ରଥମେ ଯେତେବେଳେ ଜାତିଭେଦ ସୃଷ୍ଟି ହୋଇଥିଲା, ସେତେବେଳେ କାର୍ଯ୍ୟର ବଣ୍ଟନ ପାଇଁ (Division of Labour) ଏହା କରାଯାଇ ଥିଲା । ନିଜର ରୁଚି ଓ ଶକ୍ତି ନେଇ ସେ ଯେଉଁ କାର୍ଯ୍ୟ କରି ପାରିଲା, ସେ ସେଇ କାର୍ଯ୍ୟରେ ରହିଲା । କେବଳ ସେତିକି ନୁହେଁ । ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ପିଲାଦିନରୁ ବିନା ଖର୍ଚ୍ଚରେ ଟ୍ରେନିଂ ବି ମିଳିବାର ସୁବିଧା ହୋଇପାରିଲା । ତେଣୁ ଭାତ ଓ ରୁଟିର ଯୋଗାଡ଼ ପିଲାଦିନଠାରୁ ହୋଇ ରହିଲା । ବଢେଇ ଘରେ ଯେଉଁ ପିଲାଟି ଜନ୍ମ ହେଲା, ସେ ପିଲାଦିନରୁ ବାପ ପାଖରେ ବସି ବଢ଼େଇ କାମ ଶିଖିଲା ଏବଂ ବଡ଼ ହୋଇ ବଢ଼େଇ କାମ କରି ନିଜର ଜୀବିକା ଅର୍ଜନ କରିବାରେ ଲାଗିଲା । ବେକାର ସମସ୍ୟା ଉଠିଲା ନାହିଁ । ଟ୍ରେନିଂ ପାଇଁ ଅର୍ଥର ଦରକାର ପଡ଼ିଲା ନାହିଁ । କିନ୍ତୁ ଆଜି ଠିକ୍ ଓଲଟା ହୋଇଛି । ଆମେ ତ କହିବୁ ଯେ ଜାତିଭେଦ ଯୋଗୁଁ ଆମ ଦେଶରେ ଆଜି ବେକାର ସମସ୍ୟା ବଢ଼ି ଚାଲିଛି । ଜାତିଭେଦ ଫଳରେ ଶ୍ରମର ମର୍ଯ୍ୟାଦା ରହୁ ନାହିଁ । ଯେଉଁକାମକୁ ଉଚ୍ଚଜାତିର ଲୋକମାନେ କରୁଛନ୍ତି, ତାକୁ ସମସ୍ତେ ପସନ୍ଦ କରୁଛନ୍ତି । ତେଣୁ ସେଥିପାଇଁ ପ୍ରତିଯୋଗିତା ଲାଗୁଛି । ସମାଜରେ ଯେଉଁମାନେ ଆଜି ଉଚ୍ଚଜାତି ବୋଲି ବୋଲାଉଛନ୍ତି ସେମାନେ ଡେପୁଟି, ସବଡେପୁଟି, ଅଧ୍ୟାପକ, ଓକିଲଠାରୁ ଆରମ୍ଭ କରି କିରାଣୀ ଓ ପିଅନ ପଛେ ହେବାକୁ ଇଚ୍ଛା କରୁଛନ୍ତି, କିନ୍ତୁ ଚାଷକାମ, ଧୋବାକାମ, ବାରିକକାମ ବା ବଢ଼େଇ କାମ ପ୍ରଭୃତି ଅନ୍ୟାନ୍ୟ କାମକୁ ଆଦୌ ପସନ୍ଦ କରୁନାହାନ୍ତି । ଫଳରେ ଯେଉଁମାନେ ଆମ ସମାଜରେ ନୀଚଜାତି ବୋଲି ବୋଲାଉଛନ୍ତି, ସେମାନେ ଉଚ୍ଚଜାତିର କାମ ପାଇବାକୁ ବ୍ୟଗ୍ର ହୋଇ ଧାଇଁଛନ୍ତି । ତେଣୁ ଡେପୁଟି, ସବୁଡେପୁଟି ବା କିରାଣୀ ପ୍ରଭୃତି ଚାକିରି ପାଇଁ ପ୍ରତିଯୋଗିତା ବଢ଼ୁଛି । ସମସ୍ତେ ତ ଆଉ ଡେପୁଟି, ସବ୍‍ଡେପୁଟି ବା କିରାଣୀ ହୋଇପାରିବେ ନାହିଁ । ତେଣୁ ବେକାର ସଂଖ୍ୟା ବଢ଼ୁଛି । ଅଥଚ ଏଣେ ଗାଁରେ ଧୋବା ଓ ଭଣ୍ଡାରିଙ୍କର ଅଭାବ ବଢ଼ିବାରେ ଲାଗିଛି । କଟକ ସହରରେ ଲୁଗାଖଣ୍ଡିଏ ସଫାକରିବା ପାଇଁ ଯେତିକି ଦାମ, ମଫସଲରେ ମଧ୍ୟ ଆଜି ସେତିକି ଦାମ । ତଥାପି କେହି ଧୋବାକାମ କରିବାକୁ ମଙ୍ଗୁ ନାହାନ୍ତି । ଯଦି ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଦ୍ଵାହି ଦେଇ କହିବା ଯେ ଜାତିଭେଦଟା ଅନ୍ୟାୟ ଓ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ସମାଜରେ ସମାନ ଅଧିକାର ପାଇବା ଉଚିତ, ସେଇ ଅନୁସାରେ ସବୁକାମକୁ ମଧ୍ୟ ସମାନ ମର୍ଯ୍ୟାଦା ଦେବା ଉଚିତ ପାଶ୍ଚାତ୍ୟ ଦେଶରେ ଅନ୍ତତଃ ସମସ୍ତେ ଏ କଥା କରନ୍ତି । କିନ୍ତୁ ଆମର ଯେଉଁ ଶିକ୍ଷିତ ଯୁବକମାନେ ଜାତିଭେଦକୁ ସମାଲୋଚନା କରନ୍ତି, ସେମାନେ ବାରିକ କାମ, ବଢ଼େଇ-କାମ ଓ ଧୋବାକାମକୁ ମଧ୍ୟ ଅତ୍ୟନ୍ତ ଜଘନ୍ୟ ବୋଲି ମନେକରନ୍ତି । ତେଣୁ ଆମଦେଶରେ ଜାତିଭେଦ ଭାଙ୍ଗି ବି ଭାଙ୍ଗି ନାହିଁ–ଥାଇ ବି ବେକାର ସମସ୍ୟା ସମାଧାନ କରିପାରି ନାହିଁ । ବରଂ ଜାତିଭେଦ ଯୋଗୁଁ ବେକାର ସମସ୍ୟା ବଢ଼ିଛି–ଅସମାନତା ବଢ଼ିଛି ।

 

ସେଇପରି ପାରିବାରିକ ଓ ଗ୍ରାମ୍ୟ ଜୀବନ କଥା ମଧ୍ୟ ଦେଖାଯାଉ । ଆମର ସବୁ ଏକାନ୍ନବର୍ତ୍ତୀ ପରିବାର । ଏକାଠି ଅନେକ ଲୋକ ରହୁଥିଲେ–ଫଳରେ ଖାଇବା ଖର୍ଚ୍ଚ କମୁଥିଲା । ବଡ଼କଥା ଯେ ବଡ଼ଧରଣର ଚାଷ ବି ସମ୍ଭବ ହୋଇପାରୁଥିଲା । ହିନ୍ଦୁ ଆଇନ୍‍ ଅନୁସାରେ ବାପର ସମ୍ପତ୍ତିରେ ସବୁ ପୁଅଙ୍କର ଭାଗ । କିନ୍ତୁ ସବୁପୁଅ ଏକାଠି ରହିବା ଫଳରେ ଜମି ଭାଗ ଭାଗ ହେଉ ନଥିଲା । ବାପର ସମ୍ପତ୍ତି ସବୁ ପୁଅ ଏକାଠି ମିଶି ଚାଷ କରୁଥିଲେ– ଏକରକମ ସମବାୟ ଚାଷ । ତେଣୁ ଜମି ଖଣ୍ଡ ବିଖଣ୍ଡ ହେଉ ନ ଥିଲା । ପୁଣି ଏକାନ୍ନବର୍ତ୍ତୀ ପରିବାର ଫଳରେ ଆମ ଦେଶର ଅନେକ ବୀମା କମ୍ପାନୀ ଖୋଲିଥିଲା ବୋଲି କହିଲେ ଚଳେ । ପରିବାରର କିଏ ଦେହ ଖରାପରେ ପଡ଼ିଲେ, କିଏ ବା ବେକାର ହେଲେ, ପରିବାର ତତ୍ତ୍ଵ ନେଉଥିଲେ । ବୁଢ଼ାବୁଢ଼ୀମାନେ ଏହି ପରିବାର ଭିତରେ ପୁଅବୋହୂମାନଙ୍କ ପାଖରେ ରହି ନିଜର ଶେଷ ଜୀବନ ଟିକିଏ ଅୟସରେ କଟାଉଥିଲେ । କିନ୍ତୁ ଏବେ ପରିବାର ଥାଇ ମଧ୍ୟ ପାରିବାରିକ ଜୀବନ ନାହିଁ । ସହନଶୀଳତା, ଦୟା ବା ସହଯୋଗ ତ ଆମେ ଏଠି ବିଚାର କରୁନୁ । ସେସବୁ ପାରିବାରିକ ଜୀବନର ବଡ଼ ଜିନିଷ । ଆମେ ଅର୍ଥନୀତି କଥା କେବଳ ଆଲୋଚନା କରୁଛୁ । ପରିବାର ଥାଇ ମଧ୍ୟ ସେସବୁ ବୀମା କମ୍ପାନୀ କାମ କରୁନାହାନ୍ତି । ରୋଗ ବା ବେକାର ସମୟରେ ପରିବାର ସେମାନଙ୍କର ତତ୍ତ୍ଵ ନେଇପାରୁ ନାହିଁ । ବାପମା’ମାନେ ବୁଢ଼ା ହୋଇଗଲେ ପୁଅମାନେ ସେମାନଙ୍କୁ ଘରୁ ବାହାର କରି ଦେଉଛନ୍ତି–ସେମାନେ ବାରଦ୍ଵାର ଶୁଣ୍ଡିପିଣ୍ଡା ହେଉଛନ୍ତି । ଅଥଚ ଏ ପର୍ଯ୍ୟନ୍ତ ଆମ ଦେଶରେ ବୟସ୍କମାନଙ୍କ ଲୋକମାନଙ୍କ ପାଇଁ ପେନସ୍‍ନର ପ୍ରଥା ହୋଇନାହିଁ । ଇଆଡ଼େ ପରିବାର ଭାଙ୍ଗୁଛି– ଅଥଚ ପରିବାର ଘର ଓ ଗାଁ ମାଟି ନାଁରେ ଆମେ ଏଠି ମାଟି କାମୁଡ଼ି ପଡ଼ି ରହିଛୁ । ବିଦେଶକୁ ଯାଇ ଉପାର୍ଜନ କରିବାର ପ୍ରୟାସ ନାହିଁ । ବାହାରେ ଚାକିରି ମିଳିଲେ କେତେ ଜଣ ଓଡ଼ିଆ ଲୋକ ବାହାରକୁ ଯିବାକୁ ପ୍ରସ୍ତୁତ ? ଏପରିକି କୋରାପୁଟରେ ତ ଚାକିରି ମିଳିଲେ କଟକ ଲୋକ ଯିବାକୁ ପ୍ରସ୍ତୁତ ନୁହନ୍ତି । ଏହି ଘରେ ମୁହଁମାଡ଼ି ରହିବା ପ୍ରବୃତ୍ତି ଯୋଗୁଁ ଆମର ଶିଳ୍ପ ଓ ବ୍ୟବସାୟର ମଧ୍ୟ ପ୍ରସାର ହୋଇନାହିଁ । ଶିଳ୍ପ ବ୍ୟବସାୟର ପ୍ରସାର ପାଇଁ ସାହସ ଓ ଉତ୍ସାହ ଦରକାର । ଏଥିପାଇଁ ଘର ଛାଡ଼ିବାକୁ ପଡ଼ିବ–ଦେଶ ବିଦେଶ ଘୂରିବାକୁ ପଡ଼ିବ । ଯେଉଁ ଦେଶ ଲୋକମାନଙ୍କର ଚଳନ ଶକ୍ତି (mobility)ନାହିଁ, ସେ ଦେଶର ଲୋକମାନେ ଶିଳ୍ପରେ ଉନ୍ନତି କରିବେ କିପରି ? ଏଣେ ଆମର ଏକାନ୍ନ ପରିବାର ଭାଙ୍ଗୁଛି–ଅଥଚ ତେଣେ ହିନ୍ଦୁ ହସ୍ତାନ୍ତର ଆଇନ୍‍ର ପରିସର ପାର୍ଲିଆମେଣ୍ଟରେ ବଢ଼ୁଛି । ଆଗରୁ ବାପର ସମ୍ପତ୍ତିରେ ପୁଅମାନଙ୍କର ଅଧିକାର ଥିଲା । ଏବେ ଝିଅମାନେ ବି ବାପ ସମ୍ପତ୍ତିରେ ଅଧିକାର ପାଇଲେଣି । ପାଶ୍ଚାତ୍ୟ ଦେଶରୁ ଝିଅମାନଙ୍କ ଅଧିକାର ଆମେ ଗ୍ରହଣ କଲେ ସତ । କିନ୍ତୁ ପାଶ୍ଚାତ୍ୟଦେଶର ସମ୍ପତ୍ତି ହସ୍ତାନ୍ତର ଆଇନ ଗ୍ରହଣ କଲେନାହିଁ କି ଆମ ଦେଶର ଏକାନ୍ନବର୍ତ୍ତୀ ପରିବାର ଆଉ ରହି ପାରିଲା ନାହିଁ । ଫଳରେ ଆମର ଅର୍ଥନୈତିକ ପ୍ରଗତିରେ ଯେ ବାଧା ପଡ଼ିବ, ଏଥିରେ ସନ୍ଦେହ ନାହିଁ । ଆମର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ଏହା ଚାଷ ଉପରେ ଏଣିକି ଅଧିକା ମାଡ଼ ପଡ଼ିବ । ଭାଇ ଭଉଣୀ ବଣ୍ଟୁରା ଫଳରେ ଚାଷଜମି ଖଣ୍ଡ ବିଖଣ୍ଡ ହେବ । ତେଣୁ ଚାଷର ବି ଉନ୍ନତି ହୋଇପାରିବ ନାହିଁ ।

 

ମୋଟ ଉପରେ ଆମର ଏତିକି କହିବାର କଥା ଯେ ସାମାଜିକ ଅନୁଷ୍ଠାନ ଅର୍ଥନୈତିକ ପ୍ରଗତିକୁ ଅନେକାଂଶରେ ନିୟନ୍ତ୍ରଣ କରେ । ଆମର ସାମାଜିକ ଅନୁଷ୍ଠାନ ଲକ୍ଷ୍ୟହୀନ ଭାବରେ ପରିବର୍ତ୍ତିତ ହୋଇ ଚାଲିଛି । ଯାହାପୂର୍ବେ ଥିଲା, ତା ନାହିଁ–କି ଆଜିକାଲି ଯାହା ହେବାର କଥା ତାହା ହେଉନାହିଁ । ଫଳରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ଏକ ବିଭ୍ରାଟ ସୃଷ୍ଟି ହୋଇଛି । ଆରନୋଲଡ୍‍ଙ୍କ ଭାଷାରେ–

 

‘Hung between two worlds,

The one dead and the other

Powerless to be born

With no where yet to rest my head.

☆☆☆

 

ଆମର ଅର୍ଥନୀତିରେ କୃଷିର ସ୍ଥାନ

 

୧୯୫୧ ମସିହା ଜନଗଣନା ଅନୁସାରେ ଆମ ଦେଶର ଲୋକସଂଖ୍ୟା ୩୫.୬ କୋଟି-। ଏବେ ବୋଧହୁଏ ୩୬ କୋଟିରୁ ଅଧିକା ହେବେଣି । ଏହି ୩୫.୬ କୋଟିରୁ ୨୯.୫ କୋଟି ଲୋକ ଗାଁ ଗହଳରେ ରହନ୍ତି । ଅର୍ଥାତ ଶତକରା ୮୩ ଜଣ ଆମ ଦେଶରେ ଗାଁ ଗହଳରେ ରହୁଛନ୍ତି । ବାକି ୧୭ ଜଣ ସହରରେ ରହନ୍ତି । ତେଣୁ ମଫସଲ ଲୋକସଂଖ୍ୟା ସହରର ଲୋକସଂଖ୍ୟାର ପ୍ରାୟ ପାଞ୍ଚଗୁଣ । ଆଉ ଟିକିଏ ବିଶ୍ଳେଷଣ କଲେ ଦେଖାଯିବ ଯେ ପ୍ରତ୍ୟେକ ୬ଜଣ ଭାରତୀୟ ଭିତରୁ ୫ଜଣ ଗାଁ ଗହଳରେ ରହନ୍ତି । ଯେଉଁ ଦେଶରେ ଏତେଲୋକ ଗାଁଗହଳରେ ରହନ୍ତି, ସେ ଦେଶର ଅର୍ଥନୀତି ଅନୁନ୍ନତ ହେବା ସ୍ଵାଭାବିକ ।

 

ଆମ ଦେଶରେ ଯେତେଲୋକ ଅଛନ୍ତି, ତା ଭିତରୁ ୧୦.୪୪କୋଟି ଲୋକ ଆତ୍ମନିର୍ଭରଶୀଳ (self-supporting) । ଅର୍ଥାତ୍ ଏମାନେ ନିଜ ରୋଜଗାରରେ ଚଳି ପାରନ୍ତି-। ଅନ୍ୟମାନଙ୍କୁ ଏମାନଙ୍କ ଉପରେ ନିର୍ଭର କରି ଚଳନ୍ତି । ଅର୍ଥାତ ଶତକରା ୨୯ଜଣଲୋକ ନିଜ ରୋଜଗାରରେ ଚଳି ପାରନ୍ତି । ଅନ୍ୟମାନଙ୍କୁ ଏହି ୨୯ଜଣଙ୍କ ଉପରେ ନିର୍ଭର କରିବାକୁ ପଡ଼େ-। ଆହୁରି ଆଶ୍ଚର୍ଯ୍ୟର କଥା ଏହି ଯେ ଏହି୧୦.୪୪କୋଟି ଲୋକଙ୍କ ଭିତରୁ ୮.୫୭କୋଟି ଅର୍ଥାତ ଶତକଡ଼ା ୮୨ଜଣ ଗାଁଗହଳରେ ରହନ୍ତି । ତେଣୁ ଭାରତର ସବୁ ଲୋକଙ୍କ କଥା ବିଚାର ନ କରି, ଆମେ ଯଦି କେବଳ ଆତ୍ମନିର୍ଭରଶୀଳ ଲୋକମାନଙ୍କ କଥା ବିଚାର କରିବା, ତାହାହେଲେ ଦେଖିବା ସେ ପ୍ରତ୍ୟେକ ୬ ଜଣରେ ୫ ଜଣଲୋକ ଗାଁ ଗହଳରେ ରହନ୍ତି । ଏଥିରୁ ଜଣାଯିବ ଯେ ଆମେ ଆମ ଗାଁ ଗହଳରୁ ବେଶୀ ରୋଜଗାର ପାଉ ।

 

ମଫସଲର ଲୋକମାନଙ୍କ ଭିତରୁ ଶତକଡ଼ା ୨୯ ଜଣ ଆତ୍ମନିର୍ଭରଶୀଳ । ଅନ୍ୟ ୫୯ଜଣ କିଛି ରୋଜଗାର କରନ୍ତି ନାହିଁ । ସେମାନେ ଏହି ୨୯ଜଣ ଉପରେ ପୂରାପୂରି ନିର୍ଭର କରନ୍ତି । ବାକି ୧୨ଜଣ କିଛିକିଛି ରୋଜଗାର କରନ୍ତି–କିନ୍ତୁ ଆତ୍ମନିର୍ଭରଶୀଳ ନୁହନ୍ତି । ମଫସଲ ଗାଁ ଗଣ୍ଡାରେ ଯେଉଁମାନେ ଆତ୍ମନିର୍ଭରଶୀଳ, ସେମାନଙ୍କ ଭିତରୁ ଶତକଡ଼ା ୮୦ ଭାଗକୃଷି ଉପରେ ନିର୍ଭର କରନ୍ତି । ଅର୍ଥାତ୍ ଆମେ ଯଦି କେବଳ ମଫସଲ କଥା ବିଚାର କରିବା, ତାହାହେଲେ ଦେଖିବା ଯେ ପ୍ରତ୍ୟେକ ୫ଜଣ ଆତ୍ମନିର୍ଭରଶୀଳ ଲୋକଙ୍କ ଭିତରୁ ୪ଜଣ ଚାଷୀ । ଯେଉଁମାନେ ସହରରେ ରହନ୍ତି, ସେମାନଙ୍କ ଭିତରୁ ମଧ୍ୟ କେତେକ ଲୋକ ଚାଷ ଉପରେ ନିର୍ଭର କରନ୍ତି । ସହରରେ ଯେତେ ଆତ୍ମନିର୍ଭରଶୀଳ ଲୋକ ରହନ୍ତି, ସେମାନଙ୍କ ଭିତରୁ ଶତକରା ୧୨ ଜଣ କୃଷିଉପରେ ନିର୍ଭର କରନ୍ତି ବୋଲି ହିସାବ କରାଯାଇଛି । ତେଣୁ କୃଷି ଆମ ଦେଶର ପ୍ରଧାନ ଜୀବିକା । ଏକଥା ଅବଶ୍ୟ ସମସ୍ତେ ଜାଣନ୍ତି । ହିସାବ କିତାବ ଦେଇ କୃଷିର ପ୍ରାଧାନ୍ୟ ପ୍ରତିଷ୍ଠା କରିବା ଅନାବଶ୍ୟକ । ତଥାପି ଏ ହିସାବକିତାବରୁ ଆମ ଦେଶର ଆର୍ଥନୀତିକ ସମସ୍ୟାର ଏକ ନିଖୁଣ ଚିତ୍ର ମିଳିପାରିବ । ତେଣୁ ହିସାବ-କିତାବ ପ୍ରତି ଆମର ଯଥେଷ୍ଟ ଆଗ୍ରହ ନ ଥିଲେ ମଧ୍ୟ, ଏ ପ୍ରବନ୍ଧରେ ସେଥିରୁ କିଛି ଉଦ୍ଧାର କରିବା ଦରକାର ପଡ଼ୁଛି ।

 

ପ୍ରଥମେ କୃଷି କଥା ଦେଖାଯାଉ । ଆଗରୁ ଆମେ କହିଛୁ ଯେ, ସହରରେ ଯେଉଁମାନେ ବାସ କରନ୍ତି, ସେମାନଙ୍କ ଭିତରୁ ମଧ୍ୟ କେତେକ ଚାଷ ଉପରେ ନିର୍ଭର କରନ୍ତି । ମୋଟଉପରେ ଶତକରା ୭୦ ଭାଗ କୃଷି ଉପରେ ନିର୍ଭର କରି ଚଳନ୍ତି । ଅର୍ଥାତ୍ ଆମ ଦେଶର ପ୍ରତ୍ୟେକ ୧୦ଜଣରେ ୭ ଜଣ ଲୋକ କୃଷି ଉପରେ ନିର୍ଭର କରନ୍ତି । ତେଣୁ ଆମ ଦେଶ ଏତେ ଅନୁନ୍ନତ ଅବସ୍ଥାରେ ଅଛି । ଆମ ଦେଶକୁ ଉନ୍ନତ କରିବାକୁ ହେଲେ, ଆମ ଦେଶର ଶିଳ୍ପ ଓ ବ୍ୟବସାୟର ପ୍ରସାର ବିଶେଷ ଆବଶ୍ୟକ । ଇଂଲଣ୍ଡ ଓ ଆମେରିକା ପ୍ରଭୃତି ଯେଉଁ ଦେଶମାନେ ଆଜି ପୃଥିବୀରେ ଧନୀ ବୋଲାଉଛନ୍ତି, ସେମାନେ ଶିଳ୍ପ ଓ ବ୍ୟବସାୟରୁ ବେଶୀ ରୋଜଗାର କରନ୍ତି । କିନ୍ତୁ ଆମେ ସେଇ ପୁରୁଣା ଅବସ୍ଥାରେ ଅଛେ । ୧୯୫୦-୫୧ ମସିହାରେ ଆମ ଦେଶର ଆୟ ୯୫୫୦କୋଟି ଟଙ୍କା ବୋଲି ହିସାବ କରାଯାଇ ଥିଲା । ଏଥିରୁ ପ୍ରାୟ ଅଧା କୃଷିରୁ ଆଦାୟ ହେଉଛି ।

 

ମୋଟ ଉପରେ ଆମର ଅର୍ଥନୀତିରେ କୃଷିପ୍ରଧାନ ଜୀବିକା ଓ ଭାରତର ଅଧିକାଂଶ ଲୋକ ଏହି କୃଷି ଉପରେ ନିର୍ଭର କରି ଚଳନ୍ତି । କିନ୍ତୁ କୃଷି ଆମର ପ୍ରଧାନ ଜୀବିକା ହେଲେ ମଧ୍ୟ, ଆମର ଯଥେଷ୍ଟ ଚାଷ ଜମି ନାହିଁ । ଆମର ମୋଟ ଜମି ୮୧କୋଟି ଏକର । ଏଥିରେ ଚାଷ, ଅଚାଷ, ବଣ, ଜଙ୍ଗଲ, ସବୁପ୍ରକାର ଜମି କଥା କୁହାଯାଇଛି । ଏହି ୮୧କୋଟିଏ କର ଜମିକୁ ୩୬କୋଟି ଲୋକଙ୍କ ଭିତରେ ବିଭକ୍ତ କଲେ ଜଣ ପିଛା ଜମିହାର ପଡ଼ିଲା ୨.୨୫ଏକର । ସମୁଦାୟ ପୃଥିବୀର ଜଣ ପିଛା ହାରାହାରି ହିସାବ ନେଲେ ଜଣପିଛା ଜମି ପଡ଼ୁଛି ୧୩.୫୪ ଏକର-। ତେଣୁ ଆମ ଦେଶରେ ଜଣପିଛା ଜମିର ପରିମାଣ ଖୁବ୍‍ କମ୍ । ଏ ତ ଗଲା ସବୁ ପ୍ରକାର ଜମି କଥା । କିନ୍ତୁ ସବୁ ଜମିଚାଷ ପାଇଁ ଉପଯୁକ୍ତ ନୁହେଁ । ଆମର ସେନ୍‍ସସ୍‍ ହିସାବରେ ଜଣ ପିଛା ଚାଷଜମି ଏକରଠାରୁ କମ୍ (୯୭ଏକର) । ଅଥଚ ସବୁଦେଶର ଜଣ ପିଛା ହାରାହାରି ଚାଷଜମିର ପରିମାଣ ସାଢ଼େ ତିନି ଏକର (୩.୫୧ଏକର) । ଆମେରିକାରେ ଜଣ ପିଛା ଚାଷଜମିର ପରିମାଣ ସାଢ଼େ ସାତ ଏକର (୭. ୪୧ଏକର) । ଚାଷ ଆମର ପ୍ରଧାନ ସମ୍ବଳ ହେଲେ ମଧ୍ୟ ଚାଷଜମିରେ ମଧ୍ୟ ଆମର ଦାରିଦ୍ର୍ୟ ପରି ରହିଛି ।

 

ଆଉ ଗୋଟିଏ କଥା । ଯେତେ ଚାଷଜମି ଅଛି, ସେତେ ବି ଚାଷ ନ ହୋଇପାରେ । ତେଣୁ ଚାଷପାଇଁ ଉପଯୁକ୍ତ ଜମି ଓ ଚାଷ ଜମି ଭିତରେ ଏକ ପ୍ରଭେଦ ଅଛି । ୧୯୨୧ମସିହା ଠାରୁ ଆମ ଦେଶର ଚାଷଜମି କମିବାରେ ଲାଗିଛି । ଦାରିଦ୍ର୍ୟ ଯୋଗୁଁ ମଫସଲର ଲୋକେ ମଫସଲ ଛାଡ଼ି ସହରକୁ ବୁଲି କାମ କରିବାକୁ ଧାଉଁଛନ୍ତି । ଜମି ପଡ଼ିଆ ହୋଇପଡ଼ୁଛି । ଡିହ ମେଲା ହୋଇରହୁଛି । ଜମି ଥାଇ ଚାଷ ନ କରିପାରିବା ଅଭାବର ଆଉ ଏକ ଲକ୍ଷଣ । ୧୯୨୧ ଠାରୁ ୧୯୫୧ ଭିତରେ ଜଣ ପିଛା ଚାଷଜମିର ପରିମାଣ ଶତକରା ପ୍ରାୟ ୨୫ ଭାଗ କମିଛି ।

 

ଗଣନା ବର୍ଷ

ଜଣପିଛା ଚାଷଜମିର ପରିମାଣ

୧୯୨୧

୧.୧୧ଏକର

୧୯୩୧

୧.୦୪ଏକର

୧୯୪୧

.୯୪ଏକର

୧୯୫୧

.୮୪ଏକର

 

ଏ ତ ଗଲା ଜଣ ପିଛା ଚାଷ ଜମିର ପରିମାଣ । ଯେଉଁମାନେ ଜମି ଚାଷ କରନ୍ତି, ସେମାନଙ୍କ ଭିତର ସମ୍ପର୍କ କଣ ଦେଖାଯାଉ । ଆମଦେଶରେ ଯେତେ ଚାଷୀ ଅଛନ୍ତି, ସେମାନଙ୍କୁ ଯଦି ସେମାନଙ୍କ ଜମିର ପରିମାଣ ଅନୁସାରେ ୧୦ ଭାଗରେ ବିଭକ୍ତ କରାଯାଏ, ତାହାହେଲେ ପ୍ରଥମ ତିନିଭାଗଙ୍କୁ ବଡ଼ଚାଷୀ, ମଧ୍ୟମ ୪ଭାଗକୁ ମଧ୍ୟମ ଚାଷୀ ଓ ଶେଷ ୩ଭାଗକୁ ଛୋଟଚାଷୀ ବୋଲି କୁହାଯିବ । ଅର୍ଥାତ୍ ଆମ ଦେଶରେ ଯେତେ ଚାଷୀ ଅଛନ୍ତି, ସେମାନଙ୍କ ଭିତରୁ ଶତକରା ୩୦ଭାଗ ବଡ଼ଚାଷୀ, ଶତକରା ୪୦ଭାଗ ମଧ୍ୟମ ଚାଷୀ ଓ ୩୦ଛୋଟ ଚାଷୀ । ଆମ ଅର୍ଥନୀତିରେ ମଧ୍ୟମ ଚାଷୀ କୃଷି ଉତ୍ପାଦନର କେନ୍ଦ୍ର । ବଡ଼ ଚାଷୀମାନେ ସମୁଦାୟ ଚାଷଜମିର ଶତକରା ୫୮ଭାଗ ଚାଷ କରନ୍ତି । ମଧ୍ୟମ ଚାଷୀମାନେ ପ୍ରାୟ ଏକ ତୃତୀୟାଂଶ ଜମି ଚାଷ କରନ୍ତି-। ବାକିତକ ଛୋଟଚାଷୀ । ଛୋଟ ଚାଷୀମାନଙ୍କର ଚାଷ ବ୍ୟତୀତ ଅନ୍ୟ ରୋଜଗାର ମଧ୍ୟ ଅଛି-। ସେମାନେ ଏଣେ ଜମି ଚାଷ କରନ୍ତି, ତେଣେ ଶ୍ରମିକ ହିସାବରେ ବିଲରେ ଖଟି ମଜୁରୀ ପା’ନ୍ତି-। ମଧ୍ୟମ ଚାଷୀମାନେ କେବଳ ଜମିକୁ ଆଶ୍ରା କରି ରହନ୍ତି । ଏମାନେ ନିଜର ମର୍ଯ୍ୟାଦା ଜଗିବାକୁ ଚେଷ୍ଟା କରୁକରୁ ପେଟକୁ ଦାନା ମିଳେନାହିଁ । ତେଣୁ ଏମାନେ କୃଷି ଉତ୍ପାଦନର କର୍ଣ୍ଣଧାର ହେଲେ ମଧ୍ୟ, ଏମାନଙ୍କର ଅବସ୍ଥା ଅତି ଖରାପ । ଏଥିରୁ କେହି ବୁଝିବା ଉଚିତ ନୁହେ ଯେ ଅନ୍ୟ ଚାଷୀମାନେ ଭଲରେ ଅଛନ୍ତି । ଛୋଟ ଚାଷୀମାନଙ୍କ କଥା ସମସ୍ତେ ଜାଣନ୍ତି । ଏମାନେ ଦିନେ କାମ ବନ୍ଦ କରିଦେଲେ, ଅନ୍ୟଦିନକୁ ପେଟରେ ଓଦାକନା ଦେବାକୁ ପଡ଼େ । ଏପରିକି ବଡ଼ ଚାଷୀମାନଙ୍କ ଅବସ୍ଥା ମଧ୍ୟ ଭଲ ନୁହେଁ । ଚାଷ ଆମ ଦେଶରେ ଏକ ଜୁଆଖେଳ ପରି । ଚାଷର ସଫଳତା କେବଳ ଚାଷୀର ମେହନତ ଉପରେ ନିର୍ଭର କରେ ନାହିଁ । ଏଥିପାଇଁ ଇନ୍ଦ୍ରଦେବତା, ସୂର୍ଯ୍ୟଦେବତା, ବାୟୁ ଦେବତା ପ୍ରଭୃତି ଅନେକ ଦେବ ଓ ଦେବୀଙ୍କ ବର ଉପରେ ନିର୍ଭର କରିବାକୁ ପଡ଼େ-। କେତେବେଳେ ଏମାନଙ୍କର କ୍ରୋଧ ହେଲା ତ ଚାଷ ଉଜୁଡ଼ି ଗଲା । ତାପରେ ତ ପୁଣି ଦରଦାମ କଥା ଅଛି । କୃଷିଜାତ ଦ୍ରବ୍ୟର ଦରଦାମ ଖସିଲେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସନ୍ତି-। ଏଥିରୁ ଦେଖାଯିବ ଯେ କୃଷି ଆମର ପ୍ରଧାନ ଜୀବିକା ହେଲେ ମଧ୍ୟ, ଏହା ବ୍ୟବସାୟ ରୀତିରେ ଚଳୁନାହିଁ । ଚାଷୀର ଅବସ୍ଥା ଉନ୍ନତ କରିବାକୁ ହେଲେ, ଚାଷକୁ ବ୍ୟବସାୟ ରୀତିରେ ପରିଚାଳିତ କରିବାକୁ ହେବ ।

 

ଖାଲି ସେତିକି ନୁହେଁ । ଆଜି ଯେ ଏତେ ଲୋକ ଚାଷ ଉପରେ ନିର୍ଭର କରି ରହିଛନ୍ତି, ତାହା କମେଇବାକୁ ପଡ଼ିବ । ଆମର ଲୋକ ସଂଖ୍ୟା ବଢ଼ୁଛି । ସେଇ ଅନୁପାତରେ ଅନ୍ୟାନ୍ୟ ଶିଳ୍ପ ବ୍ୟବସାୟ ଓ ବାଣିଜ୍ୟ ବଢ଼ୁନାହିଁ । ତେଣୁ ବେକାର ଲୋକେ ସେଇ ଚାଷକୁ ଧାଉଁଛନ୍ତି–ଚାଷ ନ କରି ଚାଷୀ ଉପରେ ନିର୍ଭର କରି ରହୁଛନ୍ତି । ଆମଦେଶର ଆର୍ଥନୀତିକ ଅବସ୍ଥାର ଉନ୍ନତି କରିବାକୁ ହେଲେ, କୃଷିର ଉନ୍ନତି କରିବାକୁ ହେବ, କୃଷିରୁ ଲୋକ କାଢ଼ି ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ନିଯୁକ୍ତ କରିବାକୁ ହେବ । ଏବେ ଆଉ ଗାଁଗହଳକୁ ଫେରିଯିବା କଥା ଉଠୁନାହିଁ । ଗାଁ ଗହଳରୁ ଲୋକ କାଢ଼ି ସହରର ଶିଳ୍ପ ବ୍ୟବସାୟ ଓ ବାଣିଜ୍ୟରେ ଖଟେଇବା ଦରକାର ପଡ଼ୁଛି । ଯେଉଁମାନେ ଗାଁ ଗହଳର ମଙ୍ଗଳ କାମନା କରୁଛନ୍ତି, ସେମାନଙ୍କ ପକ୍ଷରେ ଗାଁକୁ ଫେରବୋଲି (Back to the village) କହିବା ଠିକ୍ ହେଉନାହିଁ । ଗାଁ ଆଡ଼କୁ ମନ ଫେରାଯାଉ । ସେମାନଙ୍କର କିପରି ଉପକାର ହେବ, ସେକଥା ଚିନ୍ତ। କରାଯାଉ । କାରଣ ଗାଁଗହଳରେ ଆମ ଦେଶର ବେଶୀ ଲୋକ ଅଛନ୍ତି । ସେମାନେ ବି ଖରାପ ଅବସ୍ଥାରେ ଅଛନ୍ତି । ସେମାନଙ୍କର ଆର୍ଥିକ ଉନ୍ନତି ହେବା ସର୍ବାଦୌ ଆବଶ୍ୟକ । କିନ୍ତୁ ଅନ୍ୟମାନେ ଯଦି ଗାଁଗହଳକୁ ଯିବେ, ଗାଁରେ ପ୍ରତିଯୋଗିତା ବଢ଼ିବ, କୃଷିର ଆୟ କମିବ, ଲୋକେ ହଇରାଣ ହେବ । ସେମାନେ ଗାଁରେ ରହିବେ, ସେମାନେ ନିଶ୍ଚୟ କୃଷିକୁ ଜୀବିକା କରି ଧରିବେ । ସେମାନଙ୍କୁ କୃଷି ପୂରାପୂରି ଭାବରେ ଛାଡ଼ିଦେବା ଉଚିତ । ତା’ ସଙ୍ଗେ କ୍ଷୁଦ୍ରକ୍ଷୁଦ୍ର ଶିଳ୍ପର ବ୍ୟବସ୍ଥାକରି, ସେମାନଙ୍କର ଆୟର ପନ୍ଥା ବଢ଼ାଇବା ଉଚିତ । କିନ୍ତୁ ଅନ୍ୟମାନେ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଧରନ୍ତୁ । ଗାଁର ଲୋକଙ୍କ ସହିତ ପ୍ରତିଯୋଗିତା କରି ସେମାନଙ୍କ ଆୟରୁ ଭାଗ ନେବା ଉଚିତ ନୁହେଁ । ତେଣୁ ଗାଁରୁ କିପରି ବେଶୀ ଲୋକ ସହରକୁ ଆସିବେ, ସେଥିପାଇଁ ଚେଷ୍ଟା କରିବା ଉଚିତ । ଅର୍ଥାତ ବେଶୀ ଗାଁ କିପରି ସହର ହେଉ, ବେଶୀ ନୂଆ ସହର କିପରି ବସୁ, ସେଥିପାଇଁ ଉଦ୍ୟମ ହେବା ଉଚିତ । ନୂଆନୂଆ ଶିଳ୍ପ ଖୋଲିଲେ, ନୂଆ ନିଆ ସହର ବସିବ । ଲୋକଙ୍କର ଆୟର ପନ୍ଥା ବଢ଼ିବ । ତା’ ହେଲେ ଗାଁ ଗହଳରେ ଲୋକଙ୍କର ଯେଉଁ ଚାପା ପଡ଼ୁଛି, ତା ଆସ୍ତେ ଆସ୍ତେ କମିଯିବ । ଯେଉଁମାନେ ଗାଁରେ ରହିବେ, ସେମାନେ ଟିକିଏ ଭଲରେ ରହିବେ । ଯେଉଁମାନେ ସହରରେ ରହିବେ, ସେମାନେ ସହରରେ ଜୀବିକା ଖୋଜିବେ । ଗାଁ ଜମିରୁ ଭାଗନେବାକୁ ଚେଷ୍ଟା କରିବେ ନାହିଁ । ତାହା ହେଲେ ଗାଁରେ ଥିବା ଲୋକଙ୍କର ଆୟର ପରିମାଣ ବଢ଼ିବ ।

 

ଏବେ ଗୋଟେ ଦୁଆ ଉଠିଛି ଯେ, ସମସ୍ତେ କୃଷିରେ କାମ କରିବା ଉଚିତ । ଆମ ଦେଶର କେତେକ ଲୋକ ପ୍ରଚାର କରୁଛନ୍ତି, ଯିଏ ବିଲରେ କାମ ନ କରିବ, ସେ ବିଲ ଫସଲ ଖାଇବ ନାହିଁ । ଯେ ସୂତା ନ କାଟିବ ସେ ଲୁଗା ପିନ୍ଧିବ ନାହିଁ । ଏହା ଯଦି ଆମର ଆଦର୍ଶ ହୁଏ, ତା’ ହେଲେ ଆମ ଦେଶର ସବୁଲୋକେ ଖାଲିଧାନ ଗହମ, ଆଳୁ ଓ ପନିପରିବା ଚାଷ କରିବାରେ ଲାଗିବେ । ଆମର ସଂସ୍କୃତି ଏହି କୃଷି ରହିବ । ଅନ୍ୟଦେଶର ଲୋକେ ଉଡ଼ାଜାହାଜ, ହେଲିକୋପ୍‍ଟରରେ ଉଡ଼ିଲାବେଳକୁ, ଆମେ ବଳଦ ଗାଡ଼ିରେ ଚାଲିଥିବା । ଆଧ୍ୟାତ୍ମିକ ନାଁ ଧରି, ଏପରି ଭୁଲ୍‍ ପ୍ରଚାର ଯେଉଁମାନେ କରୁଛନ୍ତି, ସେମାନେ ଦେଶର କେତେ ଅମଙ୍ଗଳ କରୁଛନ୍ତି, ବୁଝି ପାରୁନାହାନ୍ତି । ଯେଉଁମାନଙ୍କର ସମାଜରେ ଖ୍ୟାତି ଅଛି, ସେମାନେ ଅନ୍ତତଃ ଏଥିରୁ ନିବୃତ୍ତ ହେବା ଉଚିତ । ପ୍ରଚାର ହେଉଛି ଯେ ଓକିଲ ଖରାପ, ଡାକ୍ତର ଖରାପ, ଶିକ୍ଷକ ଖରାପ, ଚାକିରିଆ ଖରାପ, ବ୍ୟବସାୟୀ ଖରାପ–ଏମାନେ ସମସ୍ତେ ଶୋଷକ । ଚାଷୀ କେବଳ ଭଲ–କାରଣ ସେ ଏମାନଙ୍କ ପାଇଁ ରୁଟି ଭାତ ଯୋଗାଡ଼ କରୁଛି । ଚାଷୀ ଉପରେ ଏତେ ଦିନଧରି ଯେଉଁ ଅନ୍ୟାୟ ହେଇଛି, ତାକୁ ସମସ୍ତଙ୍କ ଦୃଷ୍ଟିକୁ ଆଣିବାକୁ ଯଦି ଏକଥା କୁହାଯାଉ ଥାଏ, ତାହାହେଲେ ଆମର ଏଥିରେ କିଛି ଆପତ୍ତି ନାହିଁ । କାରଣ ଚାଷୀ ଖରାପ ଅବସ୍ଥାରେ ଅଛି । ତାର ଉନ୍ନତି ହେବା ନିତାନ୍ତ ଦରକାର । ସେ ଦିଗରେ ସମସ୍ତଙ୍କର ସହଯୋଗ ଆବଶ୍ୟକ । କିନ୍ତୁ ଏପରି ପ୍ରଚାର ଫଳରେ କେବଳ ସଂଘର୍ଷ ସୃଷ୍ଟି ହେବ । ମାର୍କସ୍‍ ଶ୍ରେଣୀ ସଂଘର୍ଷ କଥା କହି ଇତିହାସରେ ଶ୍ରେଣୀ ସଂଘର୍ଷ ରଖି ଦେଇଗଲେ-। ଯେଉଁମାନେ ଏବେ ଅହିଂସା ଓ ଶ୍ରେଣୀ ସମନ୍ଵୟ କଥା କହୁଛନ୍ତି, ସେମାନେ ମଧ୍ୟ ସମାଜରେ ଶ୍ରେଣୀ ସଂଘର୍ଷ ରଖି ଦେଇ ଯାଉଛନ୍ତି । ସେମାନଙ୍କର ଏତିକି ବୁଝିବା ଉଚିତ ଯେ ସମାଜରେ ସମସ୍ତଙ୍କର ଦରକାର ଅଛି । ଡାକ୍ତରର ଯେତିକି ଆବଶ୍ୟକ, ଚାଷୀର ସେତିକି ଆବଶ୍ୟକ-। ଖାଲି ଚାଷୀ ରହିଲେ ଏ ଦେଶ ଚଳିବ ନାହିଁ କି ଖାଲି ଶିକ୍ଷକ ରହିଲେ ଏ ଦେଶର ଉନ୍ନତି ହେବ ନାହିଁ । ସମସ୍ତେ ରହିବେ । ସମସ୍ତେ ସମାନ ଅଧିକାର ପାଇବେ । ତାହାହେଲେ ଯାଇଁ ଦେଶର ଉନ୍ନତି ହେବ । କର୍ମବଣ୍ଟନ (Division of Labour)ଏ ଯୁଗର ଧାରା । ତାକୁ କେହି ରୋକି ପାରିବେ ନାହିଁ-। ତେଣୁ କର୍ମ ବଣ୍ଟନକୁ ବନ୍ଦ କରିବାକୁ ଚେଷ୍ଟା ନ କରି ପ୍ରତ୍ୟେକ କର୍ମର ମହତ୍ତ୍ଵ (Dignity of labour) ବୃଦ୍ଧି କରିବାକୁ ଉଦ୍ୟମ କଲେ ସମାଜ ସଂସ୍କାର କରିବାକୁ ସହଜ ହୁଅନ୍ତା ବୋଲି ଆମର ଧାରଣା ।

☆☆☆

 

କୃଷି ସଂଗଠନ

 

କୃଷି ଯେ ଆମର ବ୍ୟବସାୟ, ଏକଥା ଆଗରୁ ପ୍ରତିପାଦନ କରାଯାଇଛି । ତଥାପି ଆମର ଯଥେଷ୍ଟ ଖାଦ୍ୟନାହିଁ, ଆମର ଲୋକେ ପେଟ ପୂରେଇ ଖାଇବାକୁ ପାଉନାହାନ୍ତି । ଆମର ୧୦୦୦ଲୋକ ପିଛା ୭୦୬ ଜଣ ଲୋକ ଖାଦ୍ୟ ଉତ୍ପାଦନ କରିବାରେ ଲାଗିଥାନ୍ତି । କିନ୍ତୁ ଯେତିକି ଉତ୍ପାଦନ କରନ୍ତି, ତାହା ବାକି ୨୯୪ ଜଣଙ୍କର ଚଳିବା ପାଇଁ ଯଥେଷ୍ଟ ହୁଏ ନାହିଁ । ଆମେରିକାରେ ପ୍ରତି ୧୦୦୦ ପିଛା ମୋଟେ ୧୨୮ ଜଣ ଖାଦ୍ୟ ଉତ୍ପାଦନ କରିବାରେ ଲାଗିଛନ୍ତି । କିନ୍ତୁ ସେମାନେ ଯେତିକି ଉତ୍ପାଦନ କରନ୍ତି, ସେଥିରେ ବାକି ୮୭୨ ଜଣ ଚଳି ଏତେବଳେ ଯେ, ତାଙ୍କର ପ୍ରତିବର୍ଷ ଅନେକ ଖାଦ୍ୟ ବିଦେଶକୁ ରପ୍ତାନି କରାଯାଏ । ଆମେ ତ ଖାଦ୍ୟ ବୋଇଲେ ଭାତ ଓ ରୁଟି ବୁଝୁ । କାରଣ ଭାତ ଓ ରୁଟି ଆମର ଯଥେଷ୍ଟ ନାହିଁ । କିନ୍ତୁ ଭାତ ଓ ରୁଟିରେ ସବୁ ପ୍ରକାର ସାର ନାହିଁ । ଆମ ଦେଶର ଲୋକମାନଙ୍କର ଶରୀର ସୁସ୍ଥ ରଖିବାକୁ ହେଲେ, ସେମାନଙ୍କୁ ମାଛ, ମାଂସ, ଅଣ୍ଡା, ଦହି,ଦୁଧ, ଛେନା ଓ ପନିପରିବା ଯଥେଷ୍ଟ ଖାଇବାକୁ ଦେବାକୁ ପଡ଼ିବ । ଯେଉଁଠି ଭାତ ଓ ରୁଟିର ଅଭାବ, ସେଠି ସୁଷମ ଖାଦ୍ୟ ମିଳିବ କୁଆଡ଼ୁ ? ସୁଷମଖାଦ୍ୟ ଅଭାବରୁ ଆମ ଦେଶରେ ରୋଗ ଭରି ହୋଇରହିଛି । ହଜାର ହଜାର ଲୋକ ମେଲେରିଆ, ଫାଇଲେରିଆ, ଯକ୍ଷ୍ମା ପ୍ରଭୃତି, ବିଷମ ରୋଗରେ ପଡ଼ି ପ୍ରତ୍ୟେକ ବର୍ଷ ପୋକମାଛି ପରି ମରୁଛନ୍ତି । ଆମର ଆୟ ଏତେ କମ୍ ଯେ, ରୋଗ ପାଇଁ ଆମେ ଔଷଧ କରିପାରୁ ନାହୁଁ । ଆମର ଜଣ ପିଛା ବାର୍ଷିକ ଆୟ ମୋଟେ ୨୮୫ଟଙ୍କା । ମାସକୁ ପଡ଼ିଲା ପ୍ରାୟ ୨୪ ଟଙ୍କା । ଦିନକୁ ପଡ଼ିଲା ୧୨ଅଣାରୁ କିଛି ଅଧିକ । ଏଥିରେ ଆଜିକାଲିକା ମହରଗ ଯୁଗରେ ଜଣେ ଲୋକ ଚଳିବ କିପରି ? ଏ ବାରଅଣାରେ ତ ଖାଲି ଖାଇବା ଜିନଷି କିଣା ଯିବନାହିଁ । ଏହି ବାରଣା ଭିତରେ ଲୁଗାକିଣା ହେବ, ଘର ଛପର ହେବ, କିରାସିନ ଆସିବ, ବିଭାଘର ଓ ବ୍ରତଘର ହେବ । ଏହା ବାଦ ଯାହା ବଳିଲା, ସେଥିରେ ଖାଇବା ଜିନିଷ କଥା ବୁଝାଯିବ । ସେଥିରେ ପେଟପୂରିବ କୁଆଡ଼ୁ ? ଯେଉଁଠି ପେଟକୁ ଦାନା ଓ ପିଠିକୁ କନାର ଅଭାବ, ସେଠି ଅଣ୍ଡା, ଦୁଧ ଓ ମାଛମାଂସ କଥା କାହିଁକି ବିଚାର କରିବା । ତେଣୁ ଆମ ଦେଶରେ ଏହି ସୁଷମ ଖାଦ୍ୟ ଅଭାବରୁ ଲୋକେ ଅଳ୍ପାୟୁ ହେଉଛନ୍ତି । ଏଥିପାଇଁ ଆମର ଆର୍ଥନୀତିକ ସଂଗଠନ ପୂରାପୂରି ଦାୟୀ । କୃଷି ହେଉଛି ଆମର ପ୍ରଧାନ ଆର୍ଥନୀତିକ ସଂଗଠନ । ଏଥିରେ କ’ଣ ଦୋଷ ଅଛି ଦେଖାଯାଉ । କାରଣ କୃଷିକୁ ଦୁର୍ବଳ ତା ଯୋଗୁଁ ଆମର ଅର୍ଥନୀତି ଆଜି ଏତେ ଦୁର୍ବଳ ।

 

କୃଷିର ଦୋଷ କଥା କହି ବସିଲେ ଏକ ପୁରାଣ ହେବ । ଆମେ ମୋଟାମୋଟି ଭାବରେ କେତୋଟି ବଡ଼ ଦୋଷ ଏଠି ଉତ୍‍ଥାପନ କରିବା । ପ୍ରଥମରେ ଭଲଧରଣର ଚାଷ କରିବାକୁ ହେଲେ ଚାଷ ଜମିର ଆକାର (unit of cultivation) ଟିକିଏ ବଡ଼ ହେବା ଉଚିତ । ଚାଷ ଜମିର ଆକାର କେତେ ବଡ଼ ହେବା ଉଚିତ୍, ତାହା ଚାଷପ୍ରଣାଳୀ, ଭୂମିର ଉତ୍ପାଦିକା ଶକ୍ତି, କୃଷି ସଂଗଠନ ପ୍ରଭୃତି ବିଭିନ୍ନ ଜିନିଷ ଉପରେ ନିର୍ଭର କରେ । ଯଦି ଜମି ଟ୍ରାକ୍ଟର ଦ୍ଵାରା ଚାଷ କରାଯାଏ, ତାହା ହେଲେ ଜମିଆକାର ୨୦୦,୩୦୦ଏକର ହେବା ଉଚିତ୍ । ସେଇ ପରି ଯଦି ସମବାୟ ସୂତ୍ରରେ ଚାଷ କରାଯାଏ, ତାହେଲେ ଜମିର ଆକାର ମଧ୍ୟ ବଡ଼ ହେବା ଉଚିତ । କିନ୍ତୁ ଆମ ଦେଶରେ ଏବେ ବ୍ୟକ୍ତିଗତ ଭାବରେ ଯେପରି ହଳ ଓ ଲଙ୍ଗଳ ସାହାଯ୍ୟରେ ଚାଷ କରାଯାଉଛି, ସେପରି ଅବସ୍ଥାରେ ଜମିର ଆକାର ଅନ୍ତତଃ ୧୫ । ୧୬ ଏକର ହେବା ଉଚିତ୍ । କିନ୍ତୁ ଭାରତର ଚାଷ ଜମିର ଆକାର ଖୁବ୍ ଛୋଟ । ଆମ ଓଡ଼ିଶା ଓ ବିହାରରେ ଚାଷୀ ପିଛା ଚାଷଜମିର ଆକାର ମୋଟେ ୩.୧ଏକର । ଏ ତ ହାରାହାରି କଥା । ଓଡ଼ିଶା ଓ ବିହାରର ଜନଗହଳି ଅଞ୍ଚଳରେ ଚାଷଜମିର ଆକାର ହାରାହାରି ଅଧ ଏକରରୁ କମ୍ । କିନ୍ତୁ ଆମେରିକାରେ ଚାଷଜମିର ଆକାର ୧୪୮ ଏକର, ଇଂଲଣ୍ଡରେ ୬୨ଏକର । କେବଳ ସେତିକି ନୁହେଁ । ଆମର ଚାଷଜମିର ଆକାର ଯେ ଛୋଟ (subdivision) ତା ନୁହେଁ, ପ୍ରତ୍ୟେକ ଚାଷୀର ଚାଷଜମି ମଧ୍ୟ ବିକ୍ଷିପ୍ତ ହୋଇ (Fragmentation) ଗାଁ ସାରା ପଡ଼ିଥାଏ । ଗୋଟିଏ ଜମିରୁ ଆଉ ଗୋଟିଏ ଜମିକୁ ଯିବାପାଇଁ ଘଣ୍ଟା ଘଣ୍ଟା ଲାଗେ । ଏଥିପାଇଁ ଚାଷର ଉନ୍ନତି ହୋଇପାରେ ନାହିଁ । ଏଥିରେ ଚାଷୀର ସମୟ କ୍ଷତି ହୁଏ । ଗୋଟିଏ କ୍ଷେତରୁ ଆଉ ଗୋଟିଏ କ୍ଷେତକୁ ଗଲାବେଳକୁ ବେଳ ଗଡ଼ିଯାଏ, ବଳଦ ହାଲିଆ ହୋଇପଡ଼ନ୍ତି, ହଳିଆ ଠକିବାକୁ ସୁବିଧା ପା’ନ୍ତି । ପୁଣି କ୍ଷେତ ଜମିଛୋଟ ଛୋଟ ହୋଇଥିବାରୁ ବୈଜ୍ଞାନିକ ଉପାୟରେ ଚାଷ କରି ହୁଏ ନାହିଁ । ବିଲ ଚାରିପଟେ ବି ବାଡ଼ ଘେରାଯାଇପାରେ ନାହିଁ, ତେଣୁ ଗାଈଗୋରୁ ପଶି କ୍ଷେତ ଫସଲ ନଷ୍ଟ କରି ପକାନ୍ତି । ଏହା ସତ୍ତ୍ୱେ ଆମର ଜମିର ଆକାର କମିବାରେ ଲାଗିଛି–ବର୍ଷକୁ ବର୍ଷ ଜମି ବିକ୍ଷିପ୍ତ ହେବାରେ ଲାଗିଛି । ଯେପର୍ଯ୍ୟନ୍ତ ଜନସଂଖ୍ୟା ବଢ଼ୁଥିବ ଓ କୃଷି ବ୍ୟତୀତ ଅନ୍ୟ ଧନ୍ଦାଲୋକମାନଙ୍କ ଆଗରେ ନ ଥିବ, ସେପର୍ଯ୍ୟନ୍ତ ଏ subdivision ଓ fragmentation କମିବ ନାହିଁ । ତେଣୁ ଚାଷର ଉନ୍ନତି ହୋଇ ପାରିବନାହଁ । ଏ ହେଲା ଆମର କୃଷିର ପ୍ରଥମ ଦୋଷ ।

 

ଦ୍ଵିତୀୟରେ ପ୍ରତ୍ୟେକ ବ୍ୟବସାୟ ପାଇଁ ଧନ ଦରକାର । ଧନ ନ ହେଲେ ବ୍ୟବସାୟର ଉନ୍ନତି ହୋଇ ପାରିବ ନାହିଁ । ଆମେ ଗୋଟିଏ କାରଖାନା ଖୋଲିଲେ, ସେଥିରେ ଆଣି ଟଙ୍କା ଖଟାଉଛେ । ନୂଆ ନୂଆ ଯନ୍ତ୍ରପାତି ଆଣି ଉତ୍ପାଦନ ଅଧିକା କରୁଛେ । ପୁରୁଣା ଯନ୍ତ୍ରପାତି ଅଚଳ ହୋଇଗଲେ, ତାକୁ ମରାମତି କରୁଛେ । କୃଷି ସେଇପରି ଗୋଟିଏ ବ୍ୟବସାୟ । ଯେଉଁମାନେ କୃଷିରେ କାମ କରିବେ, ସେମାନେ କୃଷିର ଉନ୍ନତି ପାଇଁ ସେଥିରେ ସେ ଖାଲି ମେହନତ କରିବେ ତା ନୁହେଁ, ଅଧିକ ଟଙ୍କାଖର୍ଚ୍ଚ କରି ଜମିର ମଧ୍ୟ ଉନ୍ନତି କରିବେ । ଜମିର ଉତ୍ପାଦିକା ଶକ୍ତି ନ ବଢ଼େଇଲେ, ଜମିରୁ ବେଶୀ ଫସଲ ଆଦାୟ ହେବ କିପରି? ଏହି ଉତ୍ପାଦିକା ଶକ୍ତି ବଢ଼ାଇବା ପାଇଁ ଜମିରେ ଖତ ଦେବା ଦରକାର । ପ୍ରତ୍ୟେକ ବର୍ଷ ଜମିକୁ ଚାଷକରି ଜମିର ଫସଲ ଉଠାଇବାରେ, ଜମିର ସାର ନଷ୍ଟ ହେଉଛି ; କିନ୍ତୁ ସେଇ ଅନୁସାରେ ଜମିରେ ଆଉ ସାର ଦିଆଯାଉ ନାହିଁ । ଆମ ଦେଶର ଖତର ଅଭାବ ନାହିଁ । କିନ୍ତୁ ଦାରିଦ୍ର୍ୟ ଓ ବଦ୍‍ଭ୍ୟାସ ଯୋଗୁଁ ଏଇ ଖତର ଉପଯୁକ୍ତ ପ୍ରୟୋଗ କରାଯାଇ ପାରୁନାହିଁ । ଆମ ଦେଶରେ ପ୍ରାୟ ୨୦କୋଟି ଗାଈଗୋରୁ । ଏମାନଙ୍କ ମୁତ୍ରରୁ ପ୍ରାୟ ୩୦ଲକ୍ଷ ଟନ୍ ନାଇଟ୍ରୋଜେନ ମିଳିବ । ଏଇ ନାଇଟ୍ରୋଜେନ କ୍ଷେତରେ ପଡ଼ିଲେ, ଜମିର ଉତ୍ପାଦିକା ଶକ୍ତି ଖୁବ ବଢ଼ିପାରିବ । କିନ୍ତୁ ଏହାର କେହି ହିସାବ ନେଉ ନାହାନ୍ତି । ଏସବୁ ଅକାରଣରେ ନଷ୍ଟ ହୋଇଯାଉଛି । ପୁଣି ଗୋବର ମଧ୍ୟ ଘସିକରି ଲୋକମାନେ ଜାଳୁଛନ୍ତି । ଗାଁ ଗଣ୍ଡାରେ ଯଦି ପାଇଖାନା ତିଆରି ହୋଇ ଲୋକମାନଙ୍କର ମଳମୁତ୍ର ସଞ୍ଚୟ କରାଯାନ୍ତା, ତା'ହେଲେ ଗାଁଗଣ୍ଡା ସଫାସୁତୁରା ହୁଅନ୍ତା ଓ କ୍ଷେତ କମିପାଇଁ ଯଥେଷ୍ଟ ସାର ମିଳନ୍ତା । ଜାପାନରେ ଚାଷୀମାନେ ମଇଳା ଜିନିଷ ଏକାଠି କରି କମ୍ପୋଷ୍ଟ ଖତ ତିଆରି କରି ଜମିର ସାର ବଢ଼ାନ୍ତି । ଏଥିପାଇଁ ଧନଠାରୁ ମନ ବେଶୀ ଦରକାର । କିନ୍ତୁ ସେଇ ମନତିଆରି କରିବା ପାଇଁ ଧନର ପ୍ରୟୋଜନ । ଏହା ବ୍ୟତୀତ ଗାଈଗୋରୁଙ୍କ ହାଡ଼ ଓ ତୈଳବୀଜରୁ ମଧ୍ୟ ଅନେକ ସାର ସଂଗ୍ରହ କରାଯାଇପାରିବ । ଅଭାବରୁ ଏ ଦିଗରେ ମଧ୍ୟ କିଛି ଉଦ୍ୟମ ହୋଇ ପାରୁନାହିଁ । ତେଣୁ ଆମ ଜମିର ଉତ୍ପାଦିକା ଶକ୍ତି କମିବାରେ ଲାଗିଛି ।

 

ତୃତୀୟରେ ଆମ ଦେଶର ଚାଷପ୍ରଣାଳୀ ପୂର୍ବପରି ରହିଛି । ଅଶୋକ ଓ ବୁଦ୍ଧଦେବଙ୍କ ସମୟରେ ଲୋକମାନେ ଯେପରି ହଳ ଓ ଲଙ୍ଗଳଧରି ଚାଷ କରୁଥିଲେ, ଏବେ ମଧ୍ୟ ସେହିପରି ଚାଷ ହେଉଛି । ତେବେ ଅଶୋକଙ୍କ ସମୟରେ ହୁଏତ ଆମର ବଳଦସବୁ ଟାଣୁଆ ଥିଲେ, ଲଙ୍ଗଳସବୁ ମୁନିଆ ଥିଲା, ଜମିର ଉର୍ବରତା ପ୍ରଚୁର ଥିଲା । ଏବେ ସବୁ ଓଲଟ ପାଲଟ ହୋଇଯାଇଛି । ଚାଷୀ ତା ଜମିର ଉନ୍ନତି କରିପାରୁନାହିଁ । ତା’ପାଖରେ ଧନ ନାହିଁ । ଯେତେବେଳେ ତାର ବଳଦଟିଏ ମରିଯାଉଛି କି ଲଙ୍ଗଳଟିଏ ଭାଙ୍ଗି ଯାଉଛି, ସେତେବେଳେ ସେ ମହାଜନପାଖକୁ କରଜ ପାଇଁ ଧାଉଁଛି । ମହାଜନ ଚଢ଼ା ଦରରେ କରଜ ଦେଉଛି । କରଜଭାରରେ ବୁଡ଼ି ରହି ଚାଷୀ ଚାଷର ଉନ୍ନତି କରି ପାରୁନାହିଁ । ଅନେକ ସମୟରେ କରଜ ନ ସୁଝିପାରି ଚାଷୀକୁ ଜମି ବିକିବାକୁ ପଡ଼ୁଛି । ଫଳରେ ଚାଷୀ ହାତରୁ ଜମିଯାଇ ଅଚାଷୀ ହାତରେ ପଡ଼ୁଛି । ଅଚାଷୀ ଭାଗ ଲଗାଇ ଜମି ଚାଷ କରୁଛି । ତେଣୁ ଜମିର ଉନ୍ନତି ପାଇଁ କାହାର ଆଗ୍ରହ ରହୁ ନାହିଁ । ସେ ଚାଷ କରୁଛି, ସେ ମେହନତ କରି ଜମିର ବା ଉନ୍ନତି କାହିଁକି କରିବ ! ଆଜି ତା ହାତରେ ଜମି ଅଛି, କାଲି ହୁଏତ ଆଉ କାହା ହାତକୁ ଯିବ । ତେଣୁ ଜମିର କୌଣସି ଚିରସ୍ଥାୟୀ ଉନ୍ନତି ହେଉ ନାହିଁ । ସେଇ ପୁରୁଣାକାଳିଆ ହଳ, ଲଙ୍ଗଳ ଓ ଦୁର୍ବଳିଆ ବଳଦ ସାହାଯ୍ୟରେ ଜମିଚାଷ କରାଯାଉଛି । ଆମ ଦେଶରେ ଚାଷୀର ଏତେ ବିଭବ ନାହିଁ ଯେ ସେ କ୍ଷେତ ଭିତରେ କୁଅ ଖୋଳିବା ପମ୍ପ ବସାଇ ଚାଷଜମିରେ ପାଣି ମଡ଼ାଇବ ବା ଭଲ ବିହନ ସଂଗ୍ରହକରି ଚାଷ ଜମିରେ ବୁଣିବ । ଆମ ଦେଶର ଚାଷକୁ ଅନେକ Subsistence Farming ବୋଲି କହନ୍ତି । ତା’ ଅର୍ଥ ଯେଉଁମାନେ ଜମିଚାଷ କରନ୍ତି, ସେମାନେ ବ୍ୟବସାୟ ଦୃଷ୍ଟିରୁ ଜମିକୁ ଚାଷ କରନ୍ତି ନାହିଁ । ନିଜର ପରିବାରର ଭରଣ ପୋଷଣ ପାଇଁ ଚାଷ କରାଯାଏ । ଚାଷରୁ ଯାହା ଆଦାୟ ହୁଏ, ସେଥିରେ ନିଜେ ଚଳି, କିଛି ବିହନ ପାଇଁ ରଖି ବାକିତକ ମହାଜନ ଦେଣା ସୁଝିବା ପାଇଁ ବା ଖଜଣା ଦେବାପାଇଁ ବିକ୍ରି କରାଯାଏ । ଏହି ଫସଲରୁ ମଧ୍ୟ ତେଲ, ଲୁଣ, ଲୁଗାପଟା ଖର୍ଚ୍ଚ ଉଠେ । ଚାଷୀର କୃଷି ବ୍ୟତୀତ ଆଉକିଛି ଧନ୍ଦା ନାହିଁ । ତେଣୁ ଅନ୍ୟପ୍ରକାର ରୋଜଗାରରେ କିଛିଦିନ ଚଳିଯିବା କଥା ଉଠୁନାହିଁ । ବଳକା ଫସଲତକ ବାହାରେ ବିକି ଅନ୍ୟଖର୍ଚ୍ଚ ଉଠାଇବାକୁ ହେବ । ମଧ୍ୟସ୍ଥ ଲୋକମାନେ ଗାଁ ଗାଁ ବୁଲି ଫସଲ ଆମଦାନୀ ସମୟରେ ବଳକା ଫସଲ ଶସ୍ତାଦରରେ କିଣି ଦିଅନ୍ତି । ଏଥିରେ ଚାଷୀ ବହୁତ କ୍ଷତିଗ୍ରସ୍ତ ହୁଏ । ତା ହାତରେ ଧନ ଥିଲେ କିମ୍ବା ଫସଲ ବିକିବା ପାଇଁ କୌଣସି ସମବାୟ ସଂଗଠନ ଥିଲେ, ସେ କିଛିଦିନ ଅପେକ୍ଷା କରି ରହି ଚଢ଼ାଦରରେ ନିଜ ଫସଲତିକ ବିକି କିଛି ଲାଭ ଉଠାଇ ପାରୁଥାନ୍ତା । କିନ୍ତୁ ତାର ଦାରିଦ୍ର୍ୟ ହେତୁ ସେ ଫସଲକୁ ଆମଦାନୀ ସମୟରେ ଶସ୍ତାଦରରେ ବିକିବାକୁ ବାଧ୍ୟ ହେଉଛି । କିଣାବିକା ପାଇଁ ସମବାୟ ଅନୁଷ୍ଠାନ ନଥିବାରୁ ଅନେକ ସମୟରେ ମଧ୍ୟସ୍ଥ ଲୋକମାନେ ତାକୁ ଠକି ଦେଉଛନ୍ତି । ତେଣୁ ଚାଷ ବ୍ୟବସାୟ ଲାଭଜନକ ହେଉନାହିଁ । ପୁଣି କୃଷିଜାତ ଦ୍ରବ୍ୟର ଦର ନିୟନ୍ତ୍ରଣ କରି ଚାଷୀକୁ କିଛି ଲାଭଦେବା ମଧ୍ୟ ସବୁ ସମୟରେ ସହଜ ନୁହେଁ । ଚାଷୀମାନେ ନିଜ ନିଜ ଜାଗାରେ ଚାଷ କରୁଥାନ୍ତି । ଏମାନେ ଏତେ ବିକ୍ଷିପ୍ତ ହୋଇଥାନ୍ତି ଯେ ଏମାନଙ୍କୁ ସଂଗଠିତ କରି କୃଷିଜାତ ଦ୍ରବ୍ୟର ଏକ ଦର ଠିକ କରିବା ସହଜ ହୁଏ ନାହିଁ । ବିଶେଷତଃ ଅର୍ଥନୈତିକ ସଂକଟ ବେଳେ କୃଷିଜାତ ଦ୍ରବ୍ୟର ଦର ବହୁତ ଖସିଯାଏ । ଗତ ୧୯୨୯-୩୩ ଅର୍ଥସଙ୍କଟ ବେଳେ କୃଷିଜାତ ଦ୍ରବ୍ୟର ଦର ଏତେ କମିଗଲା ଯେ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଗଲା । ନିଜର ଅବସ୍ଥା ସୁଧାରିବାକୁ ଚାଷୀ ମେହନତ କରି ଯେତେ ଅଧିକା ଉତ୍ପନ୍ନ କଲା, ଦର ସେତେକ କମିଲା । ତେଣୁ ଚାଷ ଆମଦେଶରେ ଏକ ଜୀବନରଧାରା ହିସାବରେ ଚାଲିଛି । ଚାଷ ଲାଭଜନକ ନ ହେଲେ ବି ଲୋକେ ମାଟିକାମୁଡ଼ି ପଡ଼ି ରହିଛନ୍ତି । Pearl Buckଙ୍କର Good Earth ଚାଇନା ପାଇଁ ଯେତିକି ପ୍ରଯୁଜ୍ୟ, ଆମଦେଶ ପାଇଁ ତା’ ଠାରୁ କୌଣସି ଗୁଣରେ କମ୍‍ ନୁହେଁ । ଲାଭପାଇଁ ଦୋ ବିଘା ଜମିନ୍‍ କଥା ଆମେ ଭାବୁ ନାହୁଁ–ଗତାନୁଗତିକ ପନ୍ଥା ଅନୁସାରେ ଦୋ ବିଘା ଜମିନ୍ ଆମକୁ ପବିତ୍ର ଲାଗୁଛି । କିନ୍ତୁ ଏହା ଫଳରେ ଚାଷର କୌଣସି ଉନ୍ନତି ହୋଇପାରୁ ନାହିଁ ।

 

ଚତୁର୍ଥରେ ଚାଷ ଆମଦେଶରେ ଏକ ଦ୍ୟୁତକ୍ରୀଡ଼ା ପରି । କେତେବେଳେ ଭଲ ଫସଲ ହେବକି କେତେବେଳେ ମନ୍ଦ ଫସଲ ହେବ, ତାହା ଆମ ହାତରେ ନାହିଁ । ଇନ୍ଦ୍ରଦେବତା, ସୂର୍ଯ୍ୟଦେବତା, ବାୟୁଦେବତା ପ୍ରତି କେତେ ଦେବଦେବୀଙ୍କ ବର ଉପରେ ଚାଷର ସଫଳତା ନିର୍ଭର କରେ । ବେଶୀ ବର୍ଷାହେଲା ତ ଫସଲ ହାନି, ବର୍ଷା ନ ହେଲା ତ ଫସଲହାନି । ପୁଣି ଠିକ ସମୟରେ ବର୍ଷା ନ ହେଲାତ ଫସଲହାନି । ଅନ୍ୟ ଦେଶମାନଙ୍କରେ ଦେବଦେବୀମାନେ ମନୁଷ୍ୟ କଥାଅନୁସାରେ ଚାଲିଲେଣି । ଆମେ କିନ୍ତୁ ଏବେ ସୁଦ୍ଧା ଏହି ଦେବଦେବୀମାନଙ୍କ ବରକୁ ଚାହିଁ ରହିଛୁ । ଆଦିମ ଯୁଗରୁ ମନୁଷ୍ୟର ପ୍ରକୃତି ବିରୁଦ୍ଧରେ ସଂଗ୍ରାମ ଲାଗି ଆସିଛି । ମନୁଷ୍ୟ ଯେତିକି ଜିଣୁଛି, ପ୍ରକୃତି ସେତିକି ହାରୁଛି । ପ୍ରକୃତିର ପରାଜୟରେ ସଭ୍ୟତାର ଅଗ୍ରଗତି ହେଉଛି । ଆମେ କିନ୍ତୁ ଏ ପର୍ଯ୍ୟନ୍ତ ପ୍ରକୃତିକୁ ହରାଇ ପାରୁ ନାହୁଁ । ଏକଥା ସମସ୍ତେ ଜାଣନ୍ତି ସେ ବିନାଜଳ ସେଚନରେ କୃଷିର ଉନ୍ନତି ହୋଇପାରିବ ନାହିଁ । କିନ୍ତୁ ଆମ ଦେଶରେ ଜଳସେଚନ ପାଇଁ ଯଥେଷ୍ଟ ବ୍ୟବସ୍ଥା ନାହିଁ । ଭାରତ ଯେତେବେଳେ ବିଭକ୍ତ ନ ଥିଲା, ସେତେବେଳେ ଚାଷଜମିର ଶତକଡ଼ା ୨୪ଭାଗ ଜମିରେ ଜଳସେଚନର ବ୍ୟବସ୍ଥା କରାଯାଇଥିଲା । ୧୯୫୧ ହିସାବ ଅନୁସାରେ ଭାରତର ଚାଷଜମିର ଶତକଡ଼ା ୧୮ ଭାଗ ଜମିରେ ଜଳସେଚନର ବ୍ୟବସ୍ଥା ଅଛି । କିନ୍ତୁ ଆମ ଓଡ଼ିଶାରେ ଚାଷଜମିର ଶତକଡ଼ା ମୋଟେ ୪.୪ଭାଗ ଜମିରେ ଜଳସେଚନ କରାଯାଉଛି । ତେଣୁ ଆମର ଅଧିକାଂଶ ଜମିରେ ଗୋଟିଏ ଫସଲ ଉତ୍ପନ୍ନ କରାଯାଉଛି । ସେ ଗୋଟିଏ ଫସଲ ପାଇଁ ବି ଆମେ ପ୍ରକୃତି ଉପରେ ନିର୍ଭର କରି ରହୁଛୁ ।

 

ପଞ୍ଚମରେ ଆମେ ଚାଷୀ କଥା ବିଚାର କରିବା । ଆମ ଦେଶର ଲୋକସଂଖ୍ୟା ଯେପରି ବଢ଼ୁଛି, ଚାଷ ଉପରେ ନିର୍ଭରତା ସେହିପରି ବଢ଼ୁଛି । ତେଣୁ ପ୍ରତ୍ୟେକ ବର୍ଷ ବେଶୀଲୋକ ଚାଷ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ସମସ୍ତେତ ଚାଷୀ ହୋଇ ପାରୁନାହାନ୍ତି । ଅନେକ ଜମିହୀନ ଶ୍ରମିକ ହିସାବରେ ଜମି ଉପରେ ନିର୍ଭର କରି ରହୁଛନ୍ତି । ଏବେ ହିସାବରୁ ଦେଖାଯାଉଛି ଯେ ଚାଷୀ ଅନୁପାତରେ ଏହି ଜମିହୀନ ଶ୍ରମିକ ସଂଖ୍ୟା ବଢ଼ିବାରେ ଲାଗିଛି । ଚାଷୀ ହୁଅନ୍ତୁ ଅଚାଷୀ ହୁଅନ୍ତୁ, ଯେଉଁମାନେ ଚାଷ ଉପରେ ନିର୍ଭର କରି ରହୁଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟ ନାହିଁ କି ଧନ ନାହିଁ । ଗାଁ ଗଣ୍ଡାର ଅସ୍ୱାସ୍ଥ୍ୟକର ଅବସ୍ଥାରେ ରହି ସେମାନେ ନାନାପ୍ରକାର ରୋଗରେ ସଢ଼ୁଛନ୍ତି । ପୁଣି ଏମାନଙ୍କ ଭିତରୁ ଅଧିକାଂଶ ଅଶିକ୍ଷିତ ହୋଇଥିବାରୁ ନୂଆପ୍ରକାର ଚିନ୍ତାଧାରା ଦ୍ଵାରା ଏମାନେ ପ୍ରଭାବିତ ହୋଇପାରୁ ନାହାନ୍ତି । ସେଇ ପୁରୁଣା ଢଙ୍ଗରେ ଚାଷ ଚାଲିଛି । ଏଥର କିଛି ପରିବର୍ତ୍ତନ ହୋଇପାରେ ବୋଲି ଏମାନେ ଭାବି ପାରୁନାହାନ୍ତି । ଶିକ୍ଷାରୁ ଜ୍ଞାନ ବଢ଼େ । ଜ୍ଞାନରୁ ଅଭିଳାଷ ଜନ୍ମେ । ଯେଉଁଠି ଶିକ୍ଷା ନାହିଁ, ସେଠି ଅଭିଳାଷ ଆସିବ କୁଆଡ଼ୁ । ଯେନତେନ ପ୍ରକାରେଣ ଚଳିଯିବା ମନୋବୃତ୍ତି ଫଳରେ ନିଜର ଅବସ୍ଥାର ଉନ୍ନତି ପାଇଁ ଉଦ୍ୟମ ହେଉ ନାହିଁ । ଆମ ଦେଶର ଲୋକମାନେ ସବୁକଥାକୁ ଭାଗ୍ୟ ଉପରେ ଛାଡ଼ି ଦିଅନ୍ତି । କୃଷିହେଲା ପ୍ରଧାନ ବ୍ୟବସାୟ । ସେତ ଭାଗ୍ୟ ଉପରେ ନିର୍ଭର କରୁଛି । ଅନ୍ୟକଥା କାହିଁକି ଭାଗ୍ୟ ଉପରେ ନିର୍ଭର କରିବ ନାହିଁ ? କିନ୍ତୁ ଏହି ଅତ୍ୟଧିକ ଭାଗ୍ୟ ନିର୍ଭରଶୀଳ ତାଫଳରେ ଚାଷୀର ଅର୍ଥନୈତିକ ଅବସ୍ଥାର କୌଣସି ଉନ୍ନତି ହୋଇପାରୁ ନାହିଁ । ଯେଉଁମାନେ ଆମର ଶିକ୍ଷିତ ଲୋକ, ସେମାନେ ଚାଷକୁ ଯାଉନାହାନ୍ତି । ଏପରି କି ଯେଉଁମାନେ କୃଷିରେ ବି.ଏ ବା ଏମ୍.ଏ. ପାଶ କରୁଛନ୍ତି, ସେମାନେ ମଧ୍ୟ ସହରରେ ଚାକିରି ଖୋଜୁଛନ୍ତି । ତେଣୁ ଯେଉଁମାନେ ଗାଁ ଗହଳରେ ଚାଷ କାମରେ ରତ ରହୁଛନ୍ତି, ସେମାନେ ବାହାର ଦୁନିଆ କଥା ଜାଣିପାରୁ ନାହାନ୍ତି । ବିଦେଶରେ ଚାଷ ପାଇଁ କ’ଣ କ’ଣ କରାଯାଉଛି, ସେକଥା ଏମାନେ ଶୁଣି ପାରୁନାହାନ୍ତି । ଚାଷର ଉନ୍ନତି ପାଇଁ ସରକାର ଯେଉଁ ଗବେଷଣା କରୁଛନ୍ତି, ତା’ ଚାଷୀ କାନରେ ପଡ଼ୁନାହିଁ । ପଡ଼ିଲେ ବା ସେ ବିଶ୍ଵାସ କରିବ କିପରି ? ସେଥିପାଇଁ ଶିକ୍ଷାଥିଲେ ତ ହେବ ? ପୁଣି ଯେଉଁ ଗବେଷଣା, ଗବେଷଣା-କେନ୍ଦ୍ରରେ କରାଯାଉଛି, ତାକୁ ଚାଷ କ୍ଷେତ୍ରରେ ପ୍ରୟୋଗ ପାଇଁ ଯେଉଁଧନ ଓ ଜନ ଦରକାର, ତା’ ତ ଆମର ଥିଲେ ହେବ । ଏସବୁ କାରଣରୁ ଚାଷୀ ଅନୁନ୍ନତ ଅବସ୍ଥାରେ ଅଛି । ତେଣୁ ଆମର କୃଷି ଅର୍ଥନୀତିରେ କିଛି ଉନ୍ନତି ହୋଇପାରୁ ନାହଁ-

 

କୃଷି ଅର୍ଥନୀତିରେ ମୋଟ କଥା ଏହି ଯେ, ଆମ ଦେଶର ଚାଷୀଜମିର କିଛି ଉନ୍ନତି କରିପାରୁ ନାହିଁ । କାରଣ ଜମିରେ ସେ ଖତ ଲଗାଉ ନାହିଁ, ପୁରୁଣା କାଳିଆ ପ୍ରଥା ଅନୁସାରେ ଚାଷ କରୁଛି, ଶିକ୍ଷା ଅଭାବରୁ ନୂଆକଥା ଚିନ୍ତାକରି ପାରୁନାହିଁ । ପୁଣି କରଜ ଭାରରେ ବୁଡ଼ି ରହିବା ଫଳରେ ଚାଷୀ ହାତରୁ ଅଚାଷୀ ହାତକୁ ଜମି ଚାଲିଯାଉଛି । ତେଣୁ ଜମିରେ ଯେ ଚାଷ କରୁଛି, ତା'ର ଜମି ପ୍ରତି ଆଗ୍ରହ ଜନ୍ମୁ ନାହିଁ । ବର୍ଷା ଉପରେ ନିର୍ଭର କରି କୃଷି ଚାଲିଥିବାରୁ, କୃଷକମାନେ ଭାଗ୍ୟ ନର୍ଭରଶୀଳ ହୋଇ ପଡ଼ୁଛନ୍ତି । ତେଣୁ ଚାଷର ଉନ୍ନତି ପାଇଁ ଚାଷୀମାନଙ୍କ ମଧ୍ୟରେ ସଂଗଠନ ଗଢ଼ି ଉଠିପାରୁ ନାହିଁ । ଦାରିଦ୍ର ଏମାନଙ୍କୁ ଖାଇ ଯାଉଛି । ତାପରେ ପୁଣି ଜନସଂଖ୍ୟା ବୃଦ୍ଧି ଫଳରେ ଚାଷଜମି ଖଣ୍ଡବିଖଣ୍ଡ ହୋଇ ବୈଜ୍ଞାନିକ ଉପାୟରେ ଚାଷ କରିବାରେ ସୁବିଧା ହେଉନାହିଁ । ତେଣୁ ଏହିସବୁ କାରଣ ଯୋଗୁଁ ଚାଷ ଏବେ ଏକ କ୍ଷତିଗ୍ରସ୍ତ ବ୍ୟବସାୟ ରୂପେ ପରିଚାଳିତ ହେଉଛି ।

☆☆☆

 

ଆମ ଭୂମି ସମସ୍ୟା

 

ଭାରତରେ ଭୂମି ସଂସ୍କାର ପାଇଁ ପ୍ରବଳ ଉଦ୍ୟମ ହେଉଛି । ପ୍ରତ୍ୟେକ ରାଜ୍ୟରେ ଏଥିପାଇଁ ନୂଆନୂଆ ଆଇନ ହେଉଛି । ଏହା ଫଳରେ ଆମ ଗ୍ରାମ୍ୟ ଜୀବନରେ ମଧ୍ୟ ଏକ ବିରାଟ ପରିବର୍ତ୍ତନ ଦେଖାଯାଉଛି । ଭୂମି ଭାରତୀୟ ଅର୍ଥନୀତିର ପ୍ରଧାନ ସମ୍ବଳ । ତେଣୁ ଭୂମିର ପରିବର୍ତ୍ତନ ସମୁଦାୟ ଅର୍ଥନୀତି ଉପରେ ପ୍ରଭାବ ପକାଇବା ସ୍ଵଭାବିକ । ସେଥିପାଇଁ ଯୋଜନା କମିଶନ କହିଛନ୍ତି ଯେ–

 

"The future of land ownership and cultivation constitutes perhaps the most fundamental issue in national development. To a large extent the pattern of economic and social organisation will depend on the manner in which the land problem is resolved. Sooner or later the principle and objectives of the policy for land cannot but influence policies in other sectors as well."

 

ଜମି କିପରି ଚାଷ ହେବ ଓ ଜମିର କିଏ ମାଲିକ ହେବ, ତା’ଉପରେ ଆମର ଭବିଷ୍ୟତ ଅନେକ ପରିମାଣରେ ନିର୍ଭର କରୁଛି । କାରଣ ଆମ ଦେଶର ଅର୍ଥନୈତିକ ଓ ସମାଜିକ ଅବସ୍ଥା ଭୂମି ସମସ୍ୟାର ସମାଧାନ ଉପରେ ଅନେକ ପରିମାଣରେ ନିର୍ଭର କରେ । ତେଣୁ ଏହି ଭୂମି ସମସ୍ୟାର ତୁରନ୍ତ ସମାଧାନ ଏକାନ୍ତ ବିଧେୟ ।

 

ଭୂମି ସହିତ ସମ୍ପର୍କ

 

ଆମକୁ ଭୂମି-ସମସ୍ୟା ସମାଧାନ କରିବାକୁ ହେଲେ ଭୂମି ସମସ୍ୟାର ଭିନ୍ନ ଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ପ୍ରଥମ କଥା ଭୂମି ଉପରେ ଅନେକ ଲୋକ ନିର୍ଭର କରି ରହୁଛନ୍ତି । ଯେଉଁମାନେ ଭୂମି ଉପରେ ନିର୍ଭର କରୁଛନ୍ତି, ସେମାନଙ୍କର ଭୂମି ସହିତ ସମ୍ପର୍କ ରହିବା ଉଚିତ, ତା ପ୍ରଥମେ ସ୍ଥିର କରିବାକୁ ହେବ ଭୂମି ଉପରେ ମାଲିକ ହୋଇ ଅନେକ ମଧ୍ୟ ସ୍ଵତ୍ଵାଧିକାରୀ ଅଛନ୍ତି । ଏମାନେ ଜମି ଚାଷ କରନ୍ତି ନାହିଁ, କିନ୍ତୁ ଜମିରୁ ଲାଭ ଉଠାନ୍ତି । ଦ୍ଵିତୀୟରେ ଆମ ସମାଜରେ ଏପରି କେତେଲୋକ ଅଛନ୍ତି, ଯେଉଁମାନଙ୍କର କି ହଜାର ହଜାର ଏକର ଜମି ଅଛି । ଏମାନଙ୍କର ଏତେ ଜମି ଦରକାର ନାହିଁ । ସବୁ ଜମିଚାଷ ନ କରିବାର ଶକ୍ତି ମଧ୍ୟ ନାହିଁ । ତେଣୁ ସବୁ ଜମି ନିଜେ ଚାଷ ନ କରି ଭାଗଚାଷର ସାହାଯ୍ୟ ନିଅନ୍ତି । ତୃତୀୟରେ ଅନେକ ଛୋଟକାଟିଆ, ଚାଷୀ ଅଛନ୍ତି । ଏ ଭିତରେ ଆମେ ମଧ୍ୟମ ଧରଣର ଚାଷୀଙ୍କୁ ମଧ୍ୟ ରଖିବା । ଏମାନଙ୍କର ଯେତିକି ଜମିଅଛି, ତାକୁ ଭଲରକମ ଚାଷକଲେ, କୃଷିର ଉନ୍ନତି ହୁଅନ୍ତା; ଏମାନଙ୍କର ଅଭାବ ମଧ୍ୟ ଦୂର ହୋଇପାରନ୍ତା । କିନ୍ତୁ ଉନ୍ନତ ଧରଣର ଚାଷ କରିବା ପାଇଁ ଏମାନଙ୍କ ପାଖରେ ଯଥେଷ୍ଟ ଧନ ନାହିଁ । ଚତୁର୍ଥରେ ଜମି ଉପରେ ନିର୍ଭର କରି ଆଉ ମଧ୍ୟ କେତେ ଲୋକ ଅଛନ୍ତି ଯେଉଁମାନେ କି ବାହାରେ ଚାକିରି ବାକିରି କରନ୍ତି । ନିଜେ ଜମି ଚାଷ କରନ୍ତି ନାହିଁ । କିନ୍ତୁ ଚାଷ ଉତ୍ପନ୍ନ ଧାନ, ମୁଗରୁ ଭାଗ ନିଅନ୍ତି । ଏମାନଙ୍କ ଭିତରୁ ହୁଏତ ଅନେକଙ୍କର ଚାକିରି ଟଙ୍କାରେ ଗୁଜରାଣ ମେଣ୍ଟେ ନାହିଁ । ଖାଲି ଜମି ଚାଷକରି ମଧ୍ୟ ଏମାନେ ଚଳିପାରିବେ ନାହିଁ । କାରଣ ସେଥିପାଇଁ ଯଥେଷ୍ଟ ଜମିନାହିଁ । ଜମି ଛାଡ଼ିଦେଲେ ବି ପେଟ ପୂରିବ ନାହିଁ । କାରଣ ଚାକିରି ଟଙ୍କା ଯଥେଷ୍ଟ ନୁହେଁ । ସମସ୍ତଙ୍କ କଥା ସମାନ ନୁହେଁ । କେତେକ ବଡ଼ ବଡ଼ ଚାକିରିରେ ଥାଇ ବି ଜମି ମୋହ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ସେହିପରି ଅନ୍ୟ କେତେକଙ୍କର ଯଥେଷ୍ଟ ଜମିଥାଇ ବି ଜମିଆଡ଼କୁ ମନ ଯାଉନାହିଁ–ଜମି ଛାଡ଼ି ଚାକିରିକୁ ଆଶ୍ରା କରୁଛନ୍ତି । କିନ୍ତୁ ଜମିରୁ ଭାଗ ନେଉଛନ୍ତି । ଏମାନେ ନିଜକୁ ମଧ୍ୟବିତ୍ତ ଶ୍ରେଣୀ ବୋଲାଉଛନ୍ତି–ଏମାନେ ଆମ ସମାଜରେ କଥକ ଶ୍ରେଣୀ । ପଞ୍ଚମରେ ଆସିଲେ ଭାଗଚାଷୀ । ଏମାନେ ଅନ୍ୟର ଜମି ଚାଷକରି ଭାଗ ଦିଅନ୍ତି । ଅନେକ ଜାଗାରେ ଭାଗଚାଷୀମାନଙ୍କର ମଧ୍ୟ ନିଜର କିଛି କିଛି ଜମି ଥାଏ । କିନ୍ତୁ ନିଜଜମି ଗୁଜୁରାଣ ମେଣ୍ଟାଇବା ପାଇଁ ଯଥେଷ୍ଟ ହୁଏ ନାହିଁ–ତେଣୁ ଭାଗଚାଷର ଦରକାର ପଡ଼େ । ଶେଷରେ ଆମେ ଜମିହୀନ କୃଷି ଶ୍ରମିକ କଥା ବିଚାର କରିବା । ଏମାନଙ୍କର ଜମି ନାହିଁ କିନ୍ତୁ ଏମାନେ ମୂଲିଆଗିରି କରି ଜମିଚାଷ କରୁଛନ୍ତି । ଭୂମି ସଂସ୍କାର କଲାବେଳେ ଏହି ଭିନ୍ନଭିନ୍ନ ଗୋଷ୍ଠୀମାନଙ୍କର ଜମି ସହିତ ସମ୍ପର୍କ ରହିବ, ତା ବିଚାର କରିବା ଦରକାର ।

ଅଧିକ ଉତ୍ପାଦନ

ଏଇଟି ହେଲା ଭୂମି ସଂସ୍କାରର ପ୍ରଥମ ଦିଗ । ଦ୍ଵିତୀୟ ଦିଗ ହେଉଛି କିପରି ଭୂମିରୁ ଅଧିକ ଫସଲ ଉତ୍ପାଦନ କରିବା । ଏକଥା ସମସ୍ତେ ଜାଣନ୍ତି ଯେ, କୃଷି ଆମର ପ୍ରଧାନ ବ୍ୟବସାୟ-। ଅଧିକାଂଶ ଲୋକ ଏହା ଉପରେ ନିର୍ଭର କରନ୍ତି । ତଥାପି ଆମକୁ ଖାଦ୍ୟ ସଙ୍କଟରୁ ଉଦ୍ଧାର ମିଳେ ନାହିଁ–ଆମେ ବାହାରୁ ଖାଦ୍ୟ ଆମଦାନୀ କରୁ । ତେଣୁ ଭୂମି ସଂସ୍କାର ସହଜ ଉତ୍ପାଦନ ବୃଦ୍ଧି ଓତଃପ୍ରୋତ ଭାବରେ ଜଡ଼ିତ । ସମାଜର ଆର୍ଥିକ ସମତା ପ୍ରତିଷ୍ଠା କରିବା ପାଇଁ ଜମିକୁ ଟୁକୁଡ଼ା ଟୁକୁଡ଼ା କରି ବାଣ୍ଟିଦେଲେ ଆମର ଭୂମିସମସ୍ୟା ସମାଧାନ ହୋଇପାରିବ ନାହିଁ । ଏହା ଫଳରେ ଦାରିଦ୍ର୍ୟ ବଢ଼ିବ । ଆମ ଦେଶରେ ଯେତେ ଚାଷଜମି ଅଛି, ତାକୁ ଯଦି ଟିକ ଟିକ କରି ସମସ୍ତଙ୍କ ଭିତରେ ବାଣ୍ଟି ଦିଆଯାଏ, ତାହାହେଲେ ଜଣ ପିଛା ଭାଗ ଅଧ ଏକରରୁ ଟିକିଏ ଅଧିକ ପଡ଼ିବ-। ଏଥିରେ କଣ ଆମ ବଞ୍ଚିବା ମାନଦଣ୍ଡ ବୃଦ୍ଧି ହୋଇପାରିବ? ପୁଣି ଜମିକୁ ଟୁକୁରା ଟୁକୁରା କରି ଭାଗକଲେ ଉତ୍ପାଦନ ପ୍ରଣାଳୀର ଉନ୍ନତି ହୋଇପାରିବ ନାହିଁ । ଯେ ଜମିର ମାଲିକ ହେବ, ତାର ତ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହୋଇପାରିବ ନାହିଁ । ତେଣୁ ତା ତରଫରୁ ଜମିର ଉନ୍ନତି ପାଇଁ କୌଣସି ଉଦ୍ୟମ ହୋଇପାରିବ ନାହିଁ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସାହାଯ୍ୟ ମିଳିଲେ ବି ଟୁକୁରାଟୁକୁରା ଜମିରେ ବୈଜ୍ଞାନିକ ପ୍ରଣାଳୀରେ ଚାଷ ହୋଇପାରିବ ନାହିଁ–କି ଜମିର ଉତ୍ପାଦିକା ଶକ୍ତି ବୃଦ୍ଧି ହୋଇ ପାରିବନାହିଁ । ତେଣୁ ସମାଜ ସଂସ୍କାର ସହିତ ଜମିର ଉତ୍ପାଦିକା ଶକ୍ତି କିପରି ବୃଦ୍ଧି ହେବ, ତାକୁ ବିଚାର କରିବା ଉଚିତ । ଜମିକୁ ସମାନ ଭାବରେ ବାଣ୍ଟିଦେଲେ, ସମାଜରେ ସମାନତା ଆସିବ ନାହିଁ । ସମ୍ପୂର୍ଣ୍ଣ ସାମାଜିକ ସମାନତା ପାଇଁ ଉଦ୍ୟମ କରିବା ମଧ୍ୟ ଏକ ପ୍ରହସନ-। ଜର୍ଜ ଅରୱେଲ ତାଙ୍କର Animal Farmରେ ଏହାର ଏକ ନିଖୁଣ ଚିତ୍ର ଦେଇଛନ୍ତି । ଜୋନ୍‍ସଙ୍କର ଫାର୍ମରେ ପଶୁମାନେ ବିପ୍ଲବ କରି ମନୁଷ୍ୟର କର୍ତ୍ତୃତ୍ୱ ହଟାଇଲେ । ସେଥିରେ ଘୁଷୁରିମାନେ ବେଶି ବୁଦ୍ଧିଆ ହିସାବରେ ନେତୃତ୍ଵ ନେଇ ବିପ୍ଳବ ସଫଳ କଲେ । ସ୍ଲୋଗାନ ହେଲା two legs bad, four legs good ଓ All animals are equal. କିନ୍ତୁ ଶେଷରେ ଯେତେବେଳେ ଘୁଷୁରିମାନେ ଫାର୍ମର ପରିଚାଳନା କଲେ, ସେତେବେଳେ ଘୁଷରୁମାନେ ଅନ୍ୟମାନଙ୍କଠାରୁ ବେଶ ସୁବିଧା ଓ ସୁଯୋଗ ଉଦ୍‍ଭାବ କରିବାକୁ ଲାଗିଲେ । ସ୍ଲୋଗାନ ବି ବଦଳିଗଲା ।

All animals are equal, but some animals are more equal than others ।

କେବଳ ସେତିକି ନୁହେଁ । ଘୁଷୁରିମାନେ ଅନ୍ୟ ପଶୁମାନଙ୍କଠାରୁ ନିଜର ସ୍ଵତନ୍ତ୍ରତା ପ୍ରମାଣ କରିବା ପାଇଁ ମନୁଷ୍ୟମାନଙ୍କୁ ଅନୁକରଣ କରି ଦୁଇ ଗୋଡ଼ରେ ଚାଲିବାକୁ ଆରମ୍ଭ କଲେ । ସେଥିପାଇଁ ପୁରୁଣା ସ୍ଲୋଗାନ ପରିବର୍ତ୍ତରେ ନୂଆ ସ୍ଲୋଗାନ ହେଲା ।

‘‘Four legs good, Two legs better".

ଅରୱେଲଙ୍କର ଲେଖାର ରହସ୍ୟ ଯାହା ହେଉ ପଛକେ ଏକଥା ସତ ଯେ, ସମାଜରେ ପୁରା ସମାନତା ଆସି ପାରିବ ନାହିଁ । ସମସ୍ତଙ୍କର ପ୍ରତିଭା ସମାନ ନୁହେଁ । ତଥାପି ସମାଜରୁ ବୈଷମ୍ୟ ଯଥାସାଧ୍ୟ ଆମକୁ ଦୂର କରିବାକୁ ହେବ ଏବଂ ତତ୍‍ସଙ୍ଗେ ସଙ୍ଗେ ଉତ୍ପାଦନ ପ୍ରଣାଳୀର ଉତ୍ପାଦିକା ଶକ୍ତି ବଢ଼ାଇ ସମସ୍ତଙ୍କର ବଞ୍ଚିବା ମାନଦଣ୍ଡ ବଢ଼ାଇବାକୁ ହେବ । ଏଥିପାଇଁ ଜମିକୁ ସମାନ ଭାବରେ ନ ବାଣ୍ଟି, ଜମିରେ ନିର୍ଭର କରୁଥିବା କେତେକଙ୍କୁ ଜମିରୁ ବାହାର କରିନେଇ ଅନ୍ୟ ଧନ୍ଦାରେ ନିୟୋଗ କରିବା ଉଚିତ । ଯେଉଁମାନେ ଅନ୍ୟଧନ୍ଦାରେ ରହି ଯଥେଷ୍ଟ ରୋଜଗାର କରୁଛନ୍ତି, ସେମାନଙ୍କୁ ଜମି ଅଧିକାରରୁ ବଞ୍ଚିତ କରି, ଯେଉଁମାନେ ଜମିରେ ଚାଷ କରୁଛନ୍ତି ସେମାନଙ୍କୁ ଦେଇ ଦେବା ଉଚିତ । ତାହେଲେ ଜମିକୁ ବଡ଼ବଡ଼ ଖଣ୍ଡରେ ବିଭକ୍ତ କରି ସହଯୋଗ ଚାଷ ପ୍ରତିଷ୍ଠା କରିହେବ । କି ଉପାୟରେ ଏହା ସମ୍ଭବ, ତା ବର୍ତ୍ତମାନ ବିଚାର କରିବା ।

ମଧ୍ୟସ୍ଵତ୍ଵାଧିକାରୀ

ପ୍ରଥମେ ମଧ୍ୟସ୍ଵତ୍ଵାଧିକାରୀମାନଙ୍କ କଥା ଦେଖାଯାଉ । ସରକାର ଜମିଦାରୀ ପ୍ରଥା ଲୋପକରି ମଧ୍ୟସ୍ଵତ୍ଵାଧିକାରୀମାନଙ୍କୁ ଲୋପ କରିବାକୁ ଚେଷ୍ଟା କରୁଛନ୍ତି । ଅନେକ ରାଜ୍ୟରେ ଏଥିପାଇଁ ଆଇନ ପାସ୍ ହୋଇ କାର୍ଯ୍ୟକାରି ହୋଇଗଲାଣି । ଏଇ ଆଇନ୍‍ ପାସ୍‍ ହେବାପରେ ଜମିଦାରମାନେ ଅନେକ ବାଧାବିଘ୍ନ ସୃଷ୍ଟିକରି ଆଇନକୁ ଅକାମୀ କରିବାକୁ ଉଦ୍ୟମ କଲେ । ସେମାନେ ଯୁକ୍ତି କଲେଯେ, ଏଇ ଆଇନ୍‍ ପାସ କରିବାପାଇଁ ବ୍ୟବସ୍ଥାପକ ସଭାର କୌଣସି କ୍ଷମତା ନାହିଁ । ଆଇନରେ କ୍ଷତିପୂରଣର ଯେଉଁ ବ୍ୟବସ୍ଥା ଅଛି, ତାହା ଯଥେଷ୍ଟ ନୁହେଁ । ଏହି ଆଇନ ଫଳରେ ସଂବିଧାନର ମୌଳିକ ଅଧିକାରରେ ଆଞ୍ଚ ଆସୁଛି ଓ ଏହା ଫଳରେ ସମାଜର କିଛି ମଙ୍ଗଳ ହୋଇପାରିବ ନାହିଁ । ଏଥିପାଇଁ ମଧ୍ୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମକଦ୍ଦମା ହେଲା । ଆଇନର କେତେକ ଦଫାକୁ ସୁପ୍ରିମକୋର୍ଟ ସଂବିଧାନ ବିରୋଧୀ ବୋଲି କହିଲେ । ଫଳରେ ସଂବିଧାନର ୩୧ଦଫାକୁ ପରିବର୍ତ୍ତନ କରି ୩୧ (କ) ଓ (ଖ) ଦୁଇଟି ନୂଆ ଉପଧାରା ସଂଯୋଗ କରାଗଲା । ସେ ଯାହା ହେଉ ଆଇନଗତ ବାଧା ଆଉ ନାହିଁ । କିନ୍ତୁ ଶାସନଗତ ବାଧା ଯୋଗୁଁ ଏ ପର୍ଯ୍ୟନ୍ତ ଜମିଦାରୀ ଉଚ୍ଛେଦ ଆଇନସବୁ ରାଜ୍ୟରେ ପୂରାପୂରି କାର୍ଯ୍ୟକାରୀ ହୋଇପାରି ନାହଁ । ତଥାପି ଏ ଦିଗରେ ସରକାରଙ୍କର ନିଶ୍ଚିତ ନୀତି ଅଛି । ଜମିଦାରୀ ଯେ ଉଠିବ ଏ ବିଷୟରେ କାହାର ମତଦ୍ଵୈଧ ନାହିଁ । ଏଣିକି ଜମିଦାରମାନେ ହୁଏତ ଚାଷୀ ହୋଇ ରହିବେ । କିମ୍ବା କ୍ଷତିପୂରଣ ଟଙ୍କାରେ ବ୍ୟବସାୟ ବାଣିଜ୍ୟ କରି ଆର୍ଥନୀତିକ କ୍ଷେତ୍ରରେ ନିଜର ସ୍ଥାନ ଠିକଣା କରିନେବେ । କିନ୍ତୁ ଆଉ ମଧ୍ୟ ସ୍ଵତ୍ଵାଧିକାରୀ ରୂପେ ରହି ପାରିବେ ନାହିଁ । ଜମିରୁ ମଧ୍ୟସ୍ଵତ୍ଵାଧିକାରୀ ଲୋପ କରିବାରେ ସମସ୍ତେ ଏକମତ ।

ବଡ଼ ବଡ଼ ଚାଷୀମାନଙ୍କର ଜମି ପରିମାଣ

କିନ୍ତୁ ମଧ୍ୟସ୍ଵତ୍ଵାଧିକାରୀ ଲୋପ ହେଲେ ମଧ୍ୟ ଜମିଦାରମାନେ ବଡ଼ ବଡ଼ ଚାଷୀ ହୋଇ ରହିବାରେ କିଛି ବାଧାନାହିଁ । ଜମିଦାରୀ ଉଚ୍ଛେଦ ପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ଯେଉଁ ଆଇନ ହୋଇଛି, ସେଥିରେ କୌଣସି ସମାନତା ନାହିଁ । ଅନେକ ରାଜ୍ୟରେ ଜମିଦାରୀ ଉଚ୍ଛେଦ ପାଇଁ ଯେଉଁ ଆଇନ ହୋଇଛି, ସେଥିରେ ଜମିଦାରମାନଙ୍କର ଚାଷଜମିର କୌଣସି ନିୟନ୍ତ୍ରଣ ନାହିଁ । ଆମ ଓଡ଼ିଶା ରାଜ୍ୟରେ ଜମିଦାରୀ ଉଚ୍ଛେଦ ପାଇଁ ଯେଉଁ ଆଇନ ହୋଇଛି, ସେଥିରେ ଲେଖାଅଛି ଯେ ଜମିଦାରୀ ଚାଲିଗଲା ପରେ ଜମିଦାର ନିଜର ଯେତେ ଜମିଅଛି, ତାକୁ ନିଜହାତରେ ରଖି ଚାଷ କରିପାରିବେ । କେବଳ ଭାଗଚାଷ ଜମି ୩୩ଏକରରୁ ଅଧିକ ରଖିପାରିବେ ନାହିଁ । ଏଥିରୁ ଦେଖାଯିବ ଯେ ଜମିଦାରୀ ଚାଲିଗଲା ପରେ ଜମିଦାରମାନେ ବଡ଼ବଡ଼ ଚାଷୀ ରୂପେ ରହିବେ । ଏହା ବଡ଼ ବଡ଼ ଚାଷୀମାନଙ୍କର ଚାଷଜମିର ନିୟନ୍ତ୍ରଣ ହେବା ଆବଶ୍ୟକ । କେତେ ଜମି ଚାଷୀମାନେ ନିଜ ହାତରେ ରଖି ନିଜେ ଚାଷ କରିପାରିବେ, ଏ ବିଷୟରେ ଅନେକ ମତ ଦ୍ଵେଧ ଅଛି । ଏଥିପାଇଁ ଗୋଟିଏ ମତ ହୋଇପାରେ ଯେ ଯେଉଁଲୋକ ଯେତେ ଜମି ନିଜେ ଚାଷ କରିପାରିବ, ତାକୁ ସେତିକି ଜମି ମିଳିବା ଉଚିତ । ତା ହେଲେ ସେ ଜମିର ଉନ୍ନତି କରିବାକୁ ଚେଷ୍ଟା କରିବ । ସେ ନିଜେ ଚାଷ କରୁ ବା ଲୋକ ଲଗାଇ ଚାଷ କରୁ, ସେଥିରେ କିଛି ଯାଏ ଆସେ ନାହିଁ । ଅର୍ଥନୀତି ଦୃଷ୍ଟିରୁ ବିଚାର କଲେ ଏ ସିଦ୍ଧାନ୍ତରେ କୌଣସି ଦୋଷ ନାହିଁ । ଏହା ଫଳରେ ହୁଏତ ଜମିର ଉତ୍ପାଦିକା ଶକ୍ତି ବଢ଼ିବ । କିନ୍ତୁ ଆମକୁ ଖାଲି ଅର୍ଥନୀତି ଦିଗଟା ବିଚାର ନ କରି, ସାମାଜିକ ନ୍ୟାୟଆଡ଼କୁ ଦୃଷ୍ଟି ଦେବାକୁ ପଡ଼ିବ । ଆମ ଦେଶରେ ଅନେକଲୋକ ଚାଷ ଉପରେ ନିର୍ଭର କରି ରହୁଛନ୍ତି । ତେଣୁ ଜଣଜଣଙ୍କ ହାତରେ ଶହଶହ ଏକର ଜମି ରହିଗଲେ, ଅନ୍ୟ ଭୂମିହୀନ ଲୋକମାନଙ୍କୁ ଜମି ମିଳିବ କୁଆଡ଼ୁ ? ଆମ ଦେଶରେ ଯଦି ଅନ୍ୟାନ୍ୟ ଅର୍ଥନୈତିକ ଧନ୍ଦା ଯଥେଷ୍ଟ ପରିମାଣରେ ଥାନ୍ତା, ତାହେଲେ ଜମିର ନିୟନ୍ତ୍ରଣ କରିବା ଦରକାର ପଡ଼ନ୍ତା ନାହିଁ । କିନ୍ତୁ ଆମର ଯଥେଷ୍ଟ ଜମି ନାହିଁ କି ଅନ୍ୟାନ୍ୟ ଅର୍ଥନୈତିକ ଧନ୍ଦା ନାହିଁ । ତେଣୁ ବଡ଼ ବଡ଼ ଚାଷୀମାନଙ୍କର ଜମି ପରିମାଣ ନିର୍ଦ୍ଧାରିତ କରିବା ଦରକାର ପଡ଼ିଛି । କେତେକ ହୁଏତ କହିବେ ଯେ ଏହା ଫଳରେ ପାତର ଅନ୍ତର କରାଯିବ । ଶିଳ୍ପପତିମାନଙ୍କର ସମ୍ପତ୍ତିର ଯେତେବେଳେ ନିୟନ୍ତ୍ରଣ କରାଯାଉ ନାହିଁ, ସେତେବେଳେ ଚାଷୀର ଚାଷ ଜମି କାହିଁକି ନିୟନ୍ତ୍ରଣ କରାଯିବ ? କିନ୍ତୁ ଏ ଯୁକ୍ତିରେ କୌଣସି ଯଥାର୍ଥତା ନାହିଁ । ଗୋଟିଏ ଭୁଲର ଦ୍ଵାହିଦେଇ ଆଉ ଗୋଟିଏ ଭୁଲକୁ ଗ୍ରହଣ କରାଯାଇପାରେ ନାହିଁ । ଜଣେ ଦୋଷ କରି ଧରାଯାଇ ପାରୁନାହିଁ ବୋଲି ଆଉ ଜଣେ ଦୋଷୀକୁ ଧରିଲା ବେଳେ, ଛାଡ଼ିଦେବାକୁ ଆନ୍ଦୋଳନ କରିବା କେତେଦୂର ନ୍ୟାୟସଙ୍ଗତ ତାହା ସମସ୍ତେ ସହଜରେ ବିଚାର କରି ପାରିବେ । ଏକଥା ବୁଝିବା ଉଚିତ ନୁହେଁ ଯେ ଆମେ ଶିଳ୍ପପତିମାନଙ୍କର ସମ୍ପତ୍ତି ନିୟନ୍ତ୍ରଣ କରିବା ସପକ୍ଷରେ ନୋହୁଁ । ସେ ଦିଗରେ ବ୍ୟବସ୍ଥା ହେବା ଉଚିତ । ବିଶେଷତଃ ସମାଜବାଦୀ ସଂସ୍ଥାରେ ଆୟ ନିୟନ୍ତ୍ରଣ ଏକାନ୍ତ ବିଧେୟ । କିନ୍ତୁ ଏହା ବୋଲି ପୁଞ୍ଜିପତିମାନଙ୍କର ସମ୍ପତିର ନଜିର ଦେଖାଇ ଜମି ସଂସ୍କାରର ବିରୋଧ କରିବା ଉଚିତ ନୁହେଁ । ତାହେଲେ ତ ଆମ ଦେଶର ଜମିଦାରୀ ବି ଆଦୌ ଉଚ୍ଛେଦ ହୋଇ ପାରି ନଥାନ୍ତା । ପୁଞ୍ଜିବାଦ ଲୋପ ହେଲା ପର୍ଯ୍ୟନ୍ତ ଯଦି ଆମ ଭୂସଂସ୍କାରକୁ ରୋକି ଧରିବା, ତା’ହେଲେ ସମାଜର ଅଗ୍ରଗତି କେବେହେଲେ ସମ୍ଭବ ହୋଇପାରିବ ନାହିଁ ।

ଭାଗଚାଷୀମାନଙ୍କର ଜମିରେ ଅଧିକାର

ଏ ତ ଗଲା ଜମି ପରିମାଣର ନିୟନ୍ତ୍ରଣ । ତା’ ପରେ ଆମେ ଭାଗଚାଷୀମାନଙ୍କ କଥା ବିଚାର କରିବା । ବର୍ତ୍ତମାନ ଯେଉଁମାନେ ବିଲରେ ଖଟୁଛନ୍ତି, ସେମାନଙ୍କ ଭିତରୁ ଅନେକ ଭାଗଚାଷୀ ବା ମୂଲିଆ । ସେମାନେ ବିଲରେ ଫସଲ ଉତ୍ପାଦନ କରୁଛନ୍ତି, କିନ୍ତୁ ସେ ଫସଲ ସେମାନଙ୍କର ନୁହେଁ । ଏମାନଙ୍କର ଜମି ଓ ଫସଲ ଉପରେ କି ଅଧିକାର ରହିବ, ତା’ ଉପରେ ଭୂମି ସଂସ୍କାର ଅନେକ ପରିମାଣରେ ନିର୍ଭର କରୁଛି । କୁମାରପା କମିଟିଙ୍କ ମତରେ ସେ ଜମିଚାଷ କରିବ ସେ ଜମିର ମାଲିକ ହେବ । ଯେଉଁ ଚାଷୀ କ୍ରମାଗତ ଭାବରେ ୬ବର୍ଷ ଧରି ଭାଗଜମି ଚାଷ କରି ଆସୁଛି, ତାର ଜମିଉପରେ ଦଖଲସ୍ଵତ୍ଵ ମାନିନେବାକୁ ହେବ । କେବଳ ବିଧବା, ନାବାଳକ ଓ ଅକାମୀ ଲୋକମାନେ ଜମି ଭାଗ ଲଗାଇ ଚାଷ କରିପାରିବେ । ଅନ୍ୟମାନଙ୍କର ସେ ଅଧିକାର ରହିବ ନାହିଁ । ଅନ୍ୟମାନେ ହୁଏତ ନିଜେ ଜମି ଚାଷକରିବେ କିମ୍ବା ଭାଗ ଚାଷୀମାନଙ୍କୁ ନିଜର ଜମିବିକ୍ରି କରିଦେବେ । ଏଥିପାଇଁ ଭିନ୍ନ ଭିନ୍ନ ଅଞ୍ଚଳମାନଙ୍କରେ ଏକ ଏକ ଜମି ଟ୍ରାଇବୁନାଲ ରହିବ-। ଏହି ଟ୍ରାଇବୁନାଲ ଜମିର ଦର ଠିକ୍‍ କରିବେ । ସରକାର ଭାଗ ଚାଷୀମାନଙ୍କୁ ଜମି କିଣିବା ପାଇଁ ଟଙ୍କା ସାହାଯ୍ୟ ଦେବେ । ଜମି ମାଲିକମାନେ କେତେ ଜମି ଚାଷ କରିପାରିବେ, ତା ମଧ୍ୟ ନିର୍ଦ୍ଧିଷ୍ଟ କରି ଦିଆଯିବ । ଯୋଜନା କମିଶନ ମଧ୍ୟ ମତ ଦେଇଛନ୍ତି ଯେ ଭାଗ ଚାଷୀମାନେ ଜମିର ମାଲିକ ହେବେ । ବଡ଼ବଡ଼ ଚାଷୀମାନଙ୍କ ପାଖରେ ଯେଉଁ ଅଧିକା ଜମି ରହିବ, ଭାଗଚାଷୀମାନେ କ୍ଷତିପୂରଣ ଦେଇ ତାକୁ କିଣିନେବେ । ଏଥିରୁ ଜଣାପଡ଼ୁଛି ସେ ଚାଷୀ ବ୍ୟତୀତ ଅନ୍ୟକେହି ଜମିର ମାଲିକ ହେବାକୁ ଅନେକ ପସନ୍ଦ କରୁ ନାହାନ୍ତି । ଜମିମାଲିକ ସହରରେ ଓକିଲାତି କରୁଥିବେ କି ଅଧ୍ୟାପକ ହୋଇଥିବା ବା ଅନ୍ୟ ରୋଜଗାର କରୁଥିବେ, ଅଥଚ ଗାଁରେ ତାଙ୍କର ଜମି ଥିବ ଓ ଜମିର ଫସଲରୁ ସେ ଭାଗ ନେଉଥିବେ, ଏଇଟା ନ୍ୟାୟ କଥା ନୁହେଁ । ତାହେଲେ ଗାଁରେ ଥିବା ଚାଷୀମାନଙ୍କର ଅବସ୍ଥାରେ ଉନ୍ନତି ଆସିବ କିପରି ? ଏଠାରେ ହୁଏତ କୁହାଯାଇପାରେ ଯେ ଶିଳ୍ପପତିମାନେ ଯେପରି ଶିଳ୍ପ, ବ୍ୟବସାୟ ଓ କୋଠାବାଡ଼ିରେ ଟଙ୍କା ଖଟାଉଛନ୍ତି, ସେପରି ସହରର ଚାକିରିଆମାନେ ଜମିରେ ଟଙ୍କା ଖଟାଇଛନ୍ତି । ତେଣୁ ଏମାନଙ୍କୁ ଯଦି ଜମିରୁ ବେଦଖଲ କରାଯିବ, ଶିଳ୍ପପତିମାନଙ୍କୁ ସେମାନଙ୍କ ଧନରୁ ବେଦଖଲ କରାଯିବନି କାହିଁକି ? ତେଣୁ ଭାଗଚାଷୀ ଆଇନ କରି ଭାଗଚାଷୀକୁ ଫସଲର ୬ ଭାଗରୁ ୫ଭାଗ ଦେଲେ, ଏମାନଙ୍କ ପ୍ରତି ଅନ୍ୟାୟ ହେଉ ନାହିଁ କି,-? କଥାରେ ଅନେକ ସତ୍ୟତା ଅଛି । ପୁଣି ଏମାନେ ଜମି ମାଲିକ ହିସାବରେ ମଧ୍ୟ ଖଜଣା ଦେବେ-। ଏମାନେ ସେତକ ପାଇବେ, ଖଜଣା ତା ଠାରୁ ମଧ୍ୟ ଅଧିକା ହୋଇପାରେ । ଏହାର ଉତ୍ତରରେ କେତେକ କହିଛନ୍ତି ଯେ ଜମିମାଲିକ ଜମିରୁ ଅନେକ ଲାଭ ଉଠାଇ ସାରିଲେଣି-। ଜମିମାଲିକ ପକ୍ଷରେ ଏହା ଯେତିକି ପ୍ରଯୁଜ୍ୟ ପୁଞ୍ଜିପତି ପକ୍ଷରେ ତାହା ଅଧିକ ପ୍ରଯୁଜ୍ୟ-। ଏକଥା ମଧ୍ୟ କୁହାଯାଇଛି ଯେ ଜଣେ ମଣିଷର ଜୀବିକା ଅର୍ଜନ କରିବାର ସାଧନ ଗୋଟିଏ ପ୍ରକାରର ହେବା ଉଚିତ । ଏକଥା ମତଦୃଷ୍ଟିରୁ ଗ୍ରହଣୀୟ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସମ୍ଭବ ନୁହେଁ । ଯେଉଁ କିରାଣି ଓ ଚପରାସିମାନେ ସହରରେ କାମ କରୁଛନ୍ତି, ସେମାନେ ମାସକୁ ୫୦/୬୦ ଟଙ୍କା ଦରମା ପାଉଛନ୍ତି-। ଏଣେ ଗାଁରେ ପରିବାର ଅଛନ୍ତି–ନିଜକୁ ପୋଷିବାକୁ ହେବ ଓ ପରିବାରକୁ ପୋଷିବାକୁ ହେବ-। ଗାଁରେ ଯେଉଁ ୩/୪ ମାଣ ଜମିଅଛି, ତାକୁ ଭାଗ ଲଗାଇ ସେଥିରୁ ଆୟ ଓ ଚାକିରି ଆୟରେ ଗୁଜରାଣ ମେଣ୍ଟାଉଛନ୍ତି । ଏମାନଙ୍କର କଣ ହେବ ? ତେଣୁ ଆମେ କହିବୁ ଯେ ସମାଜରେ ଏକ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ, ଚାଷୀକୁ ଜମିର ମାଲିକ ବୋଲି ସ୍ୱୀକାର କରି ଦିଆଯାଉ । ଯେ ଚାଷ କରିବ, ସେ ଜମିର ମାଲିକ ହେବ । କିନ୍ତୁ ଯେଉଁମାନେ ଆଜି ଜମିର ମାଲିକ ହୋଇ ରହିଛନ୍ତି ଅଥଚ ଚାଷ କରୁ ନାହାନ୍ତି, ସେମାନଙ୍କୁ ଜମିରୁ କ୍ଷତିପୂରଣ ଦେଇ ବେଦଖଲ କରାଯାଉ । ଜମିଦାରୀ ଉଚ୍ଛେଦରେ ଯଦି କ୍ଷତିପୂରଣ ଦିଆଗଲା ଓ ରାଜାମାନଙ୍କୁ ଯଦି ଭତ୍ତା ମିଳିଲା, ଛୋଟ ବଡ଼ ଚାଷୀଙ୍କୁ କାହିଁକି ସେ ସୁବିଧା ମିଳିବ ନାହିଁ ? ଏଥିପାଇଁ ବଡ଼ଚାଷୀ ଓ ଛୋଟ ଚାଷୀ ଭିତରେ ମଧ୍ୟ ପାତର ଅନ୍ତର ହୋଇପାରେ । ସଂବିଧାନର ୩୧ ଦଫାରେ ଯେଉଁ ପରିବର୍ତ୍ତନ ହୋଇଛି, ତା’ ଫଳରେ କ୍ଷତିପୂରଣ ହାର ପାର୍ଲିଆମେଣ୍ଟ ଠିକ୍‍ କରିବେ-। ତେଣୁ ବଡ଼ଚାଷୀଙ୍କୁ ଅଳ୍ପ ଓ ଛୋଟଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ସେମାନଙ୍କୁ ଜମି ଅଧିକାରରୁ ବଞ୍ଚିତ କଲେ, ମଧ୍ୟବିତ୍ତ ବା ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ଭିତରେ ଏତେ ଆନ୍ଦୋଳନ ହେବନାହିଁ-। ତା’ହେଲେ ଯେଉଁମାନେ ଜମି ଚାଷ କରିବା କଥା, ସେମାନେ ଜମିଚାଷ କରିବେ-। ଅନ୍ୟ ଯେଉଁମାନେ ଜମିଚାଷ ଛାଡ଼ି ଚାକିରି ବା ବ୍ୟବସାୟ କରିବେ, ସେମାନେ ଜମିରୁ ବେଦଖଲ ହେବେ କିନ୍ତୁ ଏ ବାବଦରୁ ଯେଉଁ ଟଙ୍କା ପାଇବେ, ସେଥିରେ ଅନ୍ୟାନ୍ୟ କିଛି ବ୍ୟବସାୟ ଧରି ନେବେ-। କୁମାରପା କମିଟି ଓ ଯୋଜନା କମିଶନ ମଧ୍ୟ ଏଇ ମତ ଦେଇଛନ୍ତି ।

ଭାଗଚାଷୀ ଆଇନ–

ମଧ୍ୟବର୍ତ୍ତୀ ଅବସ୍ଥାରେ ଖାତକମାନଙ୍କୁ ରକ୍ଷା କରିବା ପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାର ଆଇନ ହୋଇଯାଇଛି। ସରକାର ଭାଗଚାଷୀକୁ ଜମିର ମାଲିକ କରିବାକୁ ଚାହାନ୍ତି–କିନ୍ତୁ ଏହି ଭୂମି ସଂସ୍କାର ପ୍ରଚଳନ ହେବା ପର୍ଯ୍ୟନ୍ତ ଯେପରି ଭାଗଚାଷୀମାନେ ଜମିରୁ ଜମି ମାଲିକମାନଙ୍କ ଦ୍ଵାରା ବେଦଖଲ ନ ହୁଅନ୍ତି ଓ ଚାଷଜମିରୁ ଉପଯୁକ୍ତ ଭାଗ ପାନ୍ତି, ସେଥିପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନପ୍ରକାର ଆଇନ କରାଯାଇଛି । ଆମ ଓଡ଼ିଶାରେ ୧୯୪୮ ମସିହାରେ ଏଥିପାଇଁ ଏକ ଆଇନ ମଧ୍ୟ ପାସ୍ ହୋଇଥିଲା । କିନ୍ତୁ ଏ ଆଇନ ସବୁ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଡାନିଏଲ ଆର୍ନର ଭାରତର ଭୂମି ସଂସ୍କାର ନାମକ ଏକ ପ୍ରବନ୍ଧରେ କହିଛନ୍ତି ଯେ, "The realities of life at the village level are one thing and the putting up of legislation on the statute books in the state capitals another ?" ଆମ ଗାଁ ଗହଳର ଅବସ୍ଥା ଯାହା, ତା ସହିତ ଆଇନ ସିନା ଖାପ ଖାଇଲେ ଆଇନ କାର୍ଯ୍ୟକାରୀ ହେବ । ନ ହେଲେ ଆଇନ ଖାଲି ଆଇନ ବହିରେ ରହିବ । ଆମ ଦେଶରେ ଭୂସଂସ୍କାର ପାଇଁ ଯେଉଁ ଆଇନ ହୋଇଛି, ତାର ଅବସ୍ଥା ସେଇଆ । ନିଖିଳଭାରତ କଂଗ୍ରେସ କମିଟି ତରଫରୁ ଭାରତର ଭୂମି ସଂସ୍କାର ବିଷୟରେ ଯେଉଁ ପୁସ୍ତକ ପ୍ରକାଶ ପାଇଛି, ସେଥିରେ ମଧ୍ୟ ଏହା ସ୍ୱୀକାର କରାଯାଇଛି । ଜମି ମାଲିକମାନେ ଭାଗଚାଷୀମାନଙ୍କୁ ଜମିରୁ ବେଦଖଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଭାଗଚାଷୀ ବଦଳାଉଛନ୍ତି । ଜଣେ ସିନା ଏକକାଳୀନ ୪|୫ବର୍ଷ ଜମିଚାଷ କଲେ, ଜମିର ଦଖଲସ୍ଵତ୍ଵ ପାଇଁ ହକଦାର ହେବ–ପ୍ରତ୍ୟେକ ବର୍ଷ ଭାଗଚାଷୀ ପରିବର୍ତ୍ତନ ହେଲେ, ସେ ଅଧିକାର ମିଳିବ କୁଆଡ଼ୁ ? ଦ୍ଵିତୀୟରେ ଅନେକ ଜାଗାରେ ଜମି ମାଲିକମାନେ ଭାଗଚାଷୀମାନଙ୍କଠାରୁ ଲେଖି ନେଉଛନ୍ତି ଯେ ସେମାନେ ଭାଗଚାଷୀ କିନ୍ତୁ ମୂଲିଆ । ଭାଗଚାଷୀମାନେ ଭାଗ ଚାଷଜମିରୁ ବଞ୍ଚିତ ହେବେ ବୋଲି ଭୟରେ ଏକଥା ମଧ୍ୟ ଲେଖି ଦେଉଛନ୍ତି-। ତେଣୁ ସେମାନଙ୍କର ଭବିଷ୍ୟତ ଦାବି ଅକାମୀ କରି ଦିଆଯାଉଛି । ପୁଣି ଜମିର ପରିମାଣ ନିର୍ଦ୍ଧାରିତ କରାଗଲାରୁ, ଜମି ମାଲିକମାନେ ନିଜ ପରିବାରର ଭିନ୍ନଭିନ୍ନ ଲୋକମାନଙ୍କୁ ଭିତରେ ଜମିବାଣ୍ଟି ଦେଉଛନ୍ତି । ଯେ କୌଣସି ଆଇନ ହେଲେ, ତାକୁ ଭାଙ୍ଗିବା କଷ୍ଟକର କଥା ନୁହେଁ-। ଓଡ଼ିଶାର ୧୯୪୮ ମସିହା ଆଇନ ଅନୁସାରେ ଭାଗଚାଷୀକୁ ଜମିର ଆଦାୟର ୫ଭାଗରୁ ୩ ଭାଗ ମିଳିବ ବୋଲି ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ କାର୍ଯ୍ୟରେ ଭାଗଚାଷୀମାନେ ଅଧିକାଂଶ ଜାଗାରେ ପୂର୍ବପରି ସେଇ ଅଧେ ପାଇଲେ । ୧୯୫୫ରେ ଯେଉଁ ଆଇନ ହେଲା, ସେଥିରେ ଭାଗଚାଷୀମାନଙ୍କୁ ୪ଭାଗରୁ ୩ଭାଗ ମିଳିବ ବୋଲି ନିର୍ଦ୍ଧାରିତ ହୋଇଛି । କିନ୍ତୁ ଏହା କାର୍ଯ୍ୟକାରୀ ହେବ ବୋଲି କିଏ କହିବ ? ତେଣୁ ଜମିର ଏକ ବ୍ୟାପକ ସଂସ୍କାର ପାଇଁ ଚେଷ୍ଟା କରିବା ଉଚିତ-। ଯେ ପର୍ଯ୍ୟନ୍ତ ଏହା ସମ୍ଭବ ନ ହୋଇଛି, ସେ ପର୍ଯ୍ୟନ୍ତ ପ୍ରଚଳିତର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିବା ଉଚିତ । ଗୋଟିଏ ଆଇନ କୃତକାର୍ଯ୍ୟ ହେଲେ ଆଉ ଗୋଟିଏ ଆଇନ ପାଇଁ ଚିନ୍ତା କରିବା ଉଚିତ । ପ୍ରତ୍ୟେକ ବର୍ଷ ନୂଆନୂଆ ଆଇନ କଲେ, ଆଇନର ମର୍ଯ୍ୟଦା କମିବ-। ଲୋକମାନେ ଆଇନକୁ ଗୁରୁତ୍ଵ ଦେବେ ନାହିଁ । ତେଣୁ ଆମ ମତରେ ସେଇ ପୁରୁଣା ଆଇନକୁ କାର୍ଯ୍ୟକାରୀ କରି, ବ୍ୟାପକ ସଂସ୍କାର ପାଇଁ ଜନମତ ସୃଷ୍ଟି କରିବା ଉଚିତ୍ । ଜନମତ ତିଆରି ନ ହେଲେ ସଂସ୍କାର ସମ୍ଭବ ନୁହେଁ । ବିନୋବାଜୀ ଥରେ କହିଥିଲେ ଯେ ଆଇନ ହେଉଛି ଏକ ପୁସ୍ତକର ସମାପ୍ତ ଚିହ୍ନ । ପୁସ୍ତକଟି ଲେଖା ସରିବା ପରେ ସମାପ୍ତ ଚିହ୍ନ ଦିଆଯାଏ । ତା ଆଗରୁ ନୁହେଁ ।

 

ସହଯୋଗୀ ଚାଷ

 

ଏ ପର୍ଯ୍ୟନ୍ତ ଆମେ ଭାଗଚାଷୀମାନଙ୍କ କଥା ଆଲୋଚନା କରୁଥିଲେ । ବର୍ତ୍ତମାନ ଛୋଟ ଛୋଟ ଚାଷୀମାନଙ୍କ କଥା ଦେଖାଯାଉ । ଛୋଟ ଛୋଟ ଚାଷୀମାନଙ୍କୁ ଏକାଠି କରି ସହଯୋଗୀ ଚାଷ ପ୍ରଚଳନ କରିବା ଯୋଜନା କମିଶନଙ୍କର ମତ । ଆମ ଦେଶର ଚାଷର ଉନ୍ନତି ପାଇଁ ସହଯୋଗୀ ପନ୍ଥା ଏକାନ୍ତ ପ୍ରୟୋଜନ । ଜମିର ପରିଚାଳନା ପାଇଁ ସରକାରଙ୍କୁ କ୍ଷମତା ଦେଲେ ଜମି ସମସ୍ୟାରେ ଏକ ବିରାଟ ବିଭ୍ରାଟ ସୃଷ୍ଟି ହେବ । ସରକାର ଅଫିସରମାନଙ୍କ ଉପରେ ଏହାର ପରିଚାଳନା ଭାର ଛାଡ଼ି ଦେବେ । ଅଫିସରମାନେ ଫାଇଲ ଭିତରେ ନିଜକୁ ଡୁବେଇ ରଖିବେ । କୃଷିର ଯେତେବେଳେ ଯାହା ଦରକାର ହେବ, ତାହା ଠିକ୍‍ କରିପାରିବେ ନାହିଁ । ଫଳରେ ଉତ୍ପାଦନରେ କ୍ଷତି ହେବ । ତେଣୁ ଚାଷୀମାନଙ୍କୁ ଚାଷର ପରିଚାଳନା ଭାର ଛାଡ଼ି ଦେବା ଉଚିତ । ପ୍ରତି ଗାଁର ଲୋକେ, ସେଇ ଗାଁର ଜମିକଥା ବୁଝିବେ । ଆଜି ଯେପରି ୫/୬ ଜଣ ମିଶି ନିଜର ଜମିକୁ ଏକାଠି କରି ଆଖୁଚାଷ କରୁଛନ୍ତି, ସେହିପରି ଗାଁର ଚାଷୀମାନେ ଏକାଠି ମିଶି ସହଯୋଗୀ ଚାଷୀ କରିବେ । ଜମି ବ୍ୟକ୍ତିଗତ ସମ୍ପତ୍ତି ହୋଇରହିବ–କିନ୍ତୁ ପଞ୍ଚାୟତ ଏହାର ପରିଚାଳନା କରିବ-। ତା’ ହେଲେ ଚାଷର ଉନ୍ନତି ହୋଇପାରିବ–ଚାଷୀମାନଙ୍କର ଅବସ୍ଥା ସ୍ଵଚ୍ଛଳ ହୋଇପାରିବ । ଯେଉଁ ଜମିହୀନ କୃଷି ଶ୍ରମିକମାନେ ଗାଁରେ ରହି କୃଷିରେ ଶ୍ରମ କରି ମଜୁରୀ ପାଇ ଚଳୁଛନ୍ତି, ସେମାନଙ୍କ ପାଇଁ ପଞ୍ଚାୟତ ଅନ୍ୟାନ୍ୟ କାର୍ଯ୍ୟର ବ୍ୟବସ୍ଥା କରିବ । ଆମର ଏତେ ଜମିନାହିଁ ଯେ ଜମି ବଣ୍ଟନରେ ସମସ୍ତଙ୍କୁ ଭାଗ ମିଳିପାରିବ-। ଯଦି ବା କିଛି ମିଳେ ତାହା ଯଥେଷ୍ଟ ହେବନାହିଁ । ତେଣୁ ଏମାନଙ୍କ ପାଇଁ କୁଟୀର ଶିଳ୍ପ ବ୍ୟବସ୍ଥା କରିବା ଉଚିତ । ଗ୍ରାମ୍ୟ ଓ କୁଟୀରଶିଳ୍ପର ଉନ୍ନତି ହେଲେ, ଶ୍ରମିକମାନଙ୍କୁ ଯଥେଷ୍ଟ କାମ ମିଳିପାରିବ । ପୂର୍ବକାଳରେ ଏହି ଶ୍ରମିକମାନେ ମନ୍ଦୁରା ବୁଣି, ଦଉଡ଼ିବଳି, ଅଧିକ ରୋଜଗାରର ପନ୍ଥା ବାହାର କରୁଥିଲେ । ଆଜିକାଲି ଯୁଗରେ ଏହା ପୋଷେଇବ ନାହିଁ । ତେଣୁ ବୈଜ୍ଞାନିକ ଉପାୟରେ ଗ୍ରାମ୍ୟ ଶିଳ୍ପର ଉନ୍ନତି ହେବା ଉଚିତ-। ଏ ଦିଗରେ ଜାପାନଠାରୁ ଆମର ଅନେକ ଶିଖିବାର ଅଛି । ଏବେ ମଧ୍ୟ ଅନେକ କହୁଛନ୍ତି ଯେ ଆମର ଆମେରିକା ଓ ଇଂଲଣ୍ଡ ପରି ବଡ଼ ବଡ଼ ଶିଳ୍ପ ହେଉ–କୁଟୀର ଶିଳ୍ପ ବା ଗ୍ରାମ୍ୟଶିଳ୍ପ ବାଜେ କଥା-। କିନ୍ତୁ ସେମାନେ ବୁଝି ନାହାନ୍ତି ଯେ ଇଂଲଣ୍ଡ ଓ ଆମେରିକାଠାରୁ ଆମ ଦେଶ ଅଲଗା । ଇଂଲଣ୍ଡ ଓ ଆମେରିକା ଅପେକ୍ଷା ଆମ ଦେଶର ଲୋକସଂଖ୍ୟା ଅଧିକା । ଏତେ ଲୋକଙ୍କୁ କାମ ଯୋଗାଇବାକୁ ହେଲେ, ଆମକୁ ଛୋଟ ବଡ଼ ସବୁ ଧରଣର ଶିଳ୍ପର ସାହାଯ୍ୟ ନେବାକୁ ପଡ଼ିବ-। ହୀରାକୁଦ ହେଉ କିନ୍ତୁ ହୀରାକୁଦରୁ ଯେଉଁ ବିଜୁଳି ବାହାରୁଛି, ତାର ସୁବିଧା ଗ୍ରାମବାସୀମାନେ ପାଆନ୍ତୁ । ଏହି ବିଜୁଳି ଶକ୍ତିରେ ଘଣା ଚାଲୁ , ପମ୍ପ ଦ୍ଵାରା ବିଲକୁ ପାଣି ଉଠୁ, ଆଖୁ ପେଡ଼ା ହେଉ-। ତାହାହେଲେ ଲୋକମାନେ କାମ ପାଇବେ–ଶ୍ରମ ମଧ୍ୟ ସହଜ ହେବ । ଲୁହା କାରଖାନା, ମଟର କାରଖାନା, ଜାହାଜ କାରଖାନା, ରେଲଇଞ୍ଜିନ କାରଖାନା ବଡ଼ଧରଣର ହେଉ ବଡ଼ବଡ଼ ଶିଳ୍ପ,ଏଥିପାଇଁ ମୁଣ୍ଡଟେକି ଉଠୁ । କିନ୍ତୁ ସାବୁନ, ପେନସିଲ୍, ଖେଳନା ଲୋକେ ତିଆରି କରନ୍ତୁ–ବୈଜ୍ଞାନିକ ଉପାୟରେ ଆଧୁନିକ ଧରଣର ଛୋଟ ଛୋଟ କଳକାରଖାନାରେ ତିଆରି ହେଉ-। ଖାଲି ବଡ଼ଧରଣର ଶିଳ୍ପ ଉପରେ ନିର୍ଭର କଲେ, ଆମେ ଆମର ଆର୍ଥନୀତିକ ସମସ୍ୟା ସମାଧାନ କରି ପାରିବା ନାହିଁ । ପୁଣି ଆମର ଏତେ ପୁଞ୍ଜି ନାହିଁ ଯେ ଇଂଲଣ୍ଡ ଓ ଆମେରିକା ପରି ବଡ଼ ବଡ଼ ଧରଣର ଶିଳ୍ପ ଚାରିଆଡ଼େ ବସାଇ ଦେଇପାରିବା । କେବଳ ସେତିକି ନୁହେଁ । ଆମର ମଧ୍ୟ ଯଥେଷ୍ଟ ଇଞ୍ଜିନିଅର, ମେକାନିକ, ଓଭର୍ସିଅର ନାହାନ୍ତି । ଏଥିପାଇଁ ଆମେ ବାହାର ଉପରେ ନିର୍ଭର କରୁଛେ । ସେଥିପାଇଁ ବଡ଼ ବଡ଼ ଧରଣର ଶିଳ୍ପ ସହିତ ଛୋଟ ଛୋଟ ଶିଳ୍ପର ସମନ୍ୱୟ କରିବା ଏକାନ୍ତ ଆବଶ୍ୟକ । ତା ହେଲେ ବେକାର ସମସ୍ୟା ସମାଧାନ ହେବ ଓ ତା ସଙ୍ଗେସଙ୍ଗେ ଲୋକମାନଙ୍କର ଆର୍ଥିକ ଅବସ୍ଥାର ମଧ୍ୟ ଉନ୍ନତି ହେବ । ଗାଁ ଗାଁରେ ଯଦି ପଞ୍ଚାୟତ ଗଢ଼ାଯାଇ ସହଯୋଗୀ ଚାଷ ପ୍ରତିଷ୍ଠା କରାଯାଏ ଓ ପଞ୍ଚାୟତ ଜରିଆରେ ଗ୍ରାମ୍ୟଶିଳ୍ପ ଓ କୁଟୀରଶିଳ୍ପର ପ୍ରସାର ହୁଏ, ତାହା ହେଲେ ଛୋଟ ଛୋଟ ଓ ଜମିହୀନ ମୂଲିଆଙ୍କର ଅବସ୍ଥାରେ ଏକ ପରିବର୍ତ୍ତନ ଆସିବ ଓ ଭୂମି ସମସ୍ୟାର ମଧ୍ୟ ଏକ ସମାଧାନ ହେବ ।

☆☆☆

 

ଚାଷୀ ଓ ଚାଷ

 

ଆର୍ଥନୀତିକ ପ୍ରଗତି ଆମର ପ୍ରଧାନ ସମସ୍ୟା । ଏଥିପାଇଁ ପ୍ରତ୍ୟେକ ବିଭାଗରେ ଉଦ୍ୟମ କରିବାକୁ ହେବ । ପ୍ରତ୍ୟେକ ବିଭାଗର ଉନ୍ନତି ହେଲେ, ସମୂହ ଅର୍ଥନୀତିର ଉନ୍ନତି ସମ୍ଭବ ହୋଇପାରିବ । ଆମର କୃଷି, ପ୍ରଧାନ ଶିଳ୍ପ ବା ବ୍ୟବସାୟ । ୧୯୫୧ ମସିହା ହିସାବ ଅନୁସାରେ ଆମ ଦେଶର ଲୋକସଂଖ୍ୟା ୩୬ କୋଟି ବୋଲି ଗଣନା କରାଯାଇଥିଲା । ସେଥିରୁ ପ୍ରାୟ ୨୫କୋଟି ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ । ବାକି ୧୧କୋଟି ଲୋକ ଅନ୍ୟାନ୍ୟ ଶିଳ୍ପ ଓ ବ୍ୟବସାୟରେ ଖଟୁଥିଲେ । କିନ୍ତୁ ଏଥିରୁ ପ୍ରାୟ ୫କୋଟି ଲୋକ ମଫସଲ ଅଞ୍ଚଳରେ ବାସ କରୁଥିଲେ । ତେଣୁ ୧୯୧୫ ହିସାବ ଅନୁସାରେ ଆମ ଦେଶରେ ପ୍ରାୟ ୩୦ କୋଟି ଲୋକ ମଫସଲରେ ରହି କାମ କରୁଥିଲେ । ଯେଉଁ ଦେଶରେ ବେଶୀ ଲୋକ ମଫସଲରେ ରହି ଜୀବିକା ନିର୍ବାହ କରନ୍ତି, ସେ ଦେଶର ଅର୍ଥନୀତିକୁ ଅନୁନ୍ନତ ଅର୍ଥନୀତି ବୋଲି କୁହାଯାଏ । ଯେଉଁ ଦେଶ ଯେତିକି ପ୍ରଗତିଶୀଳ ସେ ଦେଶର ସେତିକି ଅଧିକା ଲୋକ ସହରରେ ରହିବାର ଦେଖାଯାଏ । ଆର୍ଥନୀତିକ ପ୍ରଗତି ଫଳରେ ସହର ସଂଖ୍ୟା ବଢ଼େ, ସହରର ଲୋକସଂଖ୍ୟା ବୃଦ୍ଧି ହୁଏ ଓ ମଫସଲ ଅଞ୍ଚଳର ଗୁରୁତ୍ଵ କମେ । କିନ୍ତୁ ଆମ ଦେଶର ଅର୍ଥନୀତିରେ ମଫସଲ ଅଞ୍ଚଳର ଗୁରୁତ୍ଵ ବେଶୀ ଓ କୃଷିର ପ୍ରାଧାନ୍ୟ ଅଧିକ । ତେଣୁ ମଫସଲ ଅଞ୍ଚଳ ଓ କୃଷିର ଉନ୍ନତି ପାଇଁ ଆମକୁ ଯଥେଷ୍ଟ ଦୃଷ୍ଟି ଦେବାକୁ ପଡ଼ିବ ।

 

କୃଷିର ପ୍ରଗତି ବିଚାର କଲାବେଳେ, ଆମ ଆଗରେ ଦୁଇଟି ସମସ୍ୟା ମୁଣ୍ଡଟେକି ଉଠେ-। ପ୍ରଥମରେ କୃଷିର ଉତ୍ପାଦିକା ଶକ୍ତି ବଢ଼ାଇବା । ଦ୍ଵିତୀୟରେ କୃଷି ଉପରେ ନିର୍ଭର କରୁଥିବା ଲୋକ ସଂଖ୍ୟା କମାଇବା । କୃଷିରେ ଯେଉଁମାନେ କାମ କରୁଛନ୍ତି, ସେମାନଙ୍କ ଉତ୍ପାଦିକା ଶକ୍ତି ଅନ୍ୟମାନଙ୍କଠାରୁ କମ୍ । ବିଭାଗରେ କାମ କରୁଥିବା ଜଣେ ଲୋକର ଉତ୍ପାଦିକା ଶକ୍ତି ୫ଭାଗ ହେଲେ, କୃଷିରେ କାମ କରୁଥିବା ଜଣେ ଲୋକର ଉତ୍ପାଦିକା ଶକ୍ତି ମୋଟେ ୨ଭାଗ । ଅଥଚ କୃଷିରେ ଶତକରା ୭୦ ଭାଗଲୋକ କାମ କରନ୍ତି ଓ ଆମ ଜାତୀୟ ଆୟର ଶତକରା ୫୦ଭାଗ ଏହି କୃଷିରୁ ଆଦାୟ କରାଯାଏ । ତେଣୁ କୃଷିର ଉତ୍ପାଦିକା ଶକ୍ତିବୃଦ୍ଧି କରିବା ପାଇଁ ପ୍ରଥମେ ଉଦ୍ୟମ ହେବା ଉଚିତ । ଏହି ଉତ୍ପାଦିକା ଶକ୍ତି ବଢ଼ାଇବାକୁ ହେଲେ ଆମକୁ ଭିନ୍ନ ଭିନ୍ନ ଦିଗରୁ ଉଦ୍ୟମ କରିବାକୁ ହେବ । ପ୍ରଥମେ ଜଳସେଚନ, ବିଦ୍ୟୁତଶକ୍ତି, ଉପଯୁକ୍ତ ସାର ଓ ବିଭିନ୍ନ ବିହନ ପ୍ରଭୃତିର ପ୍ରୟୋଗରେ ଜମିର ଉତ୍ପାଦିକା ଶକ୍ତି ବଢ଼ାଇବାକୁ ହେବ । ଏ ଦିଗରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଥିଲା । କୃଷି, ଗ୍ରାମ ଉନ୍ନୟନ, ଜଳସେଚନ ଓ ବିଦ୍ୟୁତଶକ୍ତି ପ୍ରଭୁ ତିନିଭାଗରେ ମୋଟ ଖର୍ଚ୍ଚର ଶତକରା ପ୍ରାୟ ୪୫ଭାଗ ଖର୍ଚ୍ଚହେବ ବୋଲି ଠିକ୍‍ କରାଯାଇଥିଲା । ଏହି ସବୁ ଖର୍ଚ୍ଚ ଫଳରେ କୃଷିରୁ ଉତ୍ପାଦନ ସେ ବଢ଼ିଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆମର ଅଭାବକୁ ଚାହିଁ, ତା ଯଥେଷ୍ଟ ନୁହେଁ ବୋଲି କୁହାଯିବ । ଅଧିକା ଜମି ସଂଗ୍ରହ କରି କୃଷି ଉତ୍ପାଦନ ବଢ଼ାଇବା ବୋଧହୁଏ ଆମ ଦେଶରେ ସମ୍ଭବ ହେବ ନାହିଁ । କାରଣ ସେତେ ପଡ଼ିଆ ଜମି ନାହିଁ । ତେଣୁ ଚାଷ ପ୍ରଣାଳୀର ଉନ୍ନତି କରି, ଜମିର ଉତ୍ପାଦିକା ଶକ୍ତି ବଢ଼ାଇବାକୁ ହେବ । ଦ୍ଵିତୀୟରେ ଜମି ଜମା ସମସ୍ୟାରେ ଏକ ଆମୁଳଚୂଳ ପରିବର୍ତ୍ତନ ଆଣି, ଜମିର ଉତ୍ପାଦିକା ଶକ୍ତି ମଧ୍ୟ ବଢ଼ା ଯାଇପାରେ । ଚାଷୀ ଚାଷରୁ ଯାହା ଉତ୍ପନ୍ନ କରେ, ସେଥିରେ ଅନେକ ଲୋକ ଭାଗୀଦାର ହୁଅନ୍ତୁ । ଫଳରେ ଚାଷୀର ମଙ୍ଗଳ ହୁଏ ନାହିଁ କି ଚାଷୀର ପ୍ରଗତି ହୁଏ ନାହିଁ । ପ୍ରଥମରେ ଚାଷୀ ପାଖରେ ଚାଷ ପାଇଁ ଯଥେଷ୍ଟ ସରଞ୍ଜାମ ନାହିଁ । ଦ୍ଵିତୀୟରେ ତା’ର ଚାଷ ଜମିର ଆୟତନ ଏତେ ଛୋଟ ଯେ ସେଥିରେ ଉନ୍ନତ ଧରଣର ଚାଷ ପ୍ରଚଳନ କରିବା ପାଇଁ କୌଣସି ସୁବିଧା ନାହିଁ । ତୃତୀୟରେ ସେ ଯାହା ଉତ୍ପାଦନ କରେ, ସେଥିରେ ମାଲିକ ବି ଭାଗୀଦାର ହୁଏ । କାରଣ ଜମି ମାଲିକର ଚାଷୀ ଭାଗନେଇ ଜମିଚାଷ କରେ । ଚତୁର୍ଥରେ ଚାଷରେ ଖଟାଇବା ପାଇଁ ଚାଷ ଯେଉଁ କରଜ ଆଣେ, ସେଥିପାଇଁ ମାହାଜନ ଚଢ଼ା ସୁଧଦାବି କରେ । ଏସବୁ ଫଳରେ, ଚାଷର ଉନ୍ନତି କରିବା ପାଇଁ ଚାଷକୁ ସୁବିଧା ମିଳେ ନାହିଁ । ଚାଷକୁ ସଜାଡ଼ିବାକୁ ହେଲେ,ଏସବୁ ଅଭାବ ଓ ଅସୁବିଧା ଦୂର କରିବାକୁ ହେବ ।

 

ଚାଷର ଉନ୍ନତି ପାଇଁ ସମବାୟ ସୂତ୍ରରେ କରଜ ଦେବା ସକାଶେ ଯେଉଁସବୁ ବ୍ୟବସ୍ଥା ଆମ ଦେଶରେ ପ୍ରଚଳନ କରାଯାଇଛି, ତା’ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ । ଚାଷୀମାନେ ମୋଟରେ ଯେତେ କରଜ କରନ୍ତି, ତା’ର ପ୍ରାୟ ଶତକରା ୯୩ ଭାଗ ବେସରକାରୀ ଅନୁଷ୍ଠାନମାନଙ୍କଠାରୁ ପାଆନ୍ତି । ଏହି ବେସରକାରୀ ଅନୁଷ୍ଠାନମାନେ ଶହେକେ ୨୫ଟଙ୍କା ସୁଧ ଆକାରରେ ଆଦାୟ କରୁଛନ୍ତି । କେତେକ ଜାଗାରେ ଶହେକେ ୫୦ ଟଙ୍କା ସୁଧ ଆଦାୟ କରାଯିବାର ମଧ୍ୟ ଶୁଣାଯାଇଛି । ମାହାଜନ ଓ ବେସରକାରୀ କରଜର ସୁଧକୁ ନିୟନ୍ତ୍ରଣ କରିବା ପାଇଁ ଏପର୍ଯ୍ୟନ୍ତ ଯେତେ ଆଇନ ହୋଇଛି, ତାହା ସଫଳ ହୋଇନାହିଁ । ସମବାୟ ଅନୁଷ୍ଠାନ ଜରିଆରେ ମୋଟ କରଜର ଶତକରା ମୋଟେ ୩ ଭାଗ ଯୋଗାଇ ଦିଆଯାଉଛି । ତେଣୁ ସମବାୟ ଋଣ ଅନୁଷ୍ଠାନ ଯେ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ, ଏକଥା ସମସ୍ତେ ମାନିବେ କିନ୍ତୁ ଏହାକୁ ସଫଳ କରିବାକୁ ହେବ । ସମବାୟ ଅନୁଷ୍ଠାନର ପରିସର ବୃଦ୍ଧି କରିବାକୁ ହେବ । ସମବାୟ ଅନୁଷ୍ଠାନ ଜରିଆରେ ସମୁଦାୟ ମଫସଲ ଅର୍ଥନୀତିକୁ ନିୟନ୍ତ୍ରଣ କରିବାକୁ ହେବ । ଏ ଦିଗରେ ସରକାର, ରିଜର୍ଭ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ଓ ଜନସାଧାରଣଙ୍କର ଗୁରୁତର ଦାୟିତ୍ଵ ଅଛି । ମଫସଲ ଋଣ ତଦନ୍ତ କମିଟିଙ୍କ ଭାଷାରେ ଏଥିପାଇଁ ନୂତନ ବାୟୁମଙ୍ଗଳ ସୃଷ୍ଟି କରିବା ଦରକାର । କୃଷି ଅର୍ଥନୀତିର ବିକାଶ ପାଇଁ ସହଯୋଗୀ ଆର୍ଥନୀତିକ ବ୍ୟବସ୍ଥା ଆମର ଏକମାତ୍ର ସାହା ଭରସା-

 

ଦ୍ଵିତୀୟରେ କୃଷି ଅର୍ଥନୀତିର ପୁନର୍ଗଠନ ପାଇଁ ଜମିନୀତିକୁ ସହଜ ଓ ସରଳ କରିବାକୁ ହେବ । ଏ ଦିଗରେ ଏବେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଜମି ନୀତିର ତିନୋଟି ଦିଗ ଉପରେ ଆମେ ଆମର ମତ ବାଢ଼ିବୁ । ସେଥିଭିତରୁ ମଧ୍ୟସ୍ଵତ୍ଵାଧିକାରୀ ପନ୍ଥା ଉପରେ ଅନେକ କାର୍ଯ୍ୟ କରାଯାଇଛି ବୋଲି କହିଲେ ଚଳେ । ଜମିଦାରୀ ଓ ଅନ୍ୟାନ୍ୟ ମଧ୍ୟସ୍ଵତ୍ଵାଧିକାରୀ ପ୍ରଥା ଲୋପ ପାଇଛି । କିନ୍ତୁ ଏଥିଯୋଗୁଁ ଜମିର ଉତ୍ପାଦିକା ଶକ୍ତି ନିକଟ ଭବିଷ୍ୟତରେ ବଢ଼ିବାର ସମ୍ଭାବନା ନାହିଁକି ଚାଷୀର ଆର୍ଥିନୀତିକ ଅବସ୍ଥା ସ୍ଵଚ୍ଛଳ ହେବାର ସମ୍ଭାବନା ନାହିଁ । ଜମିଦାର କ୍ଷତିପୂରଣ ପାଉଛି । ଚାଷୀ ଯେତିକି ଖଜଣା ଦେଉଥିଲା, ପ୍ରାୟ ସେତିକି ଦେଉଛି । ତେବେ ଭବିଷ୍ୟତରେ ଏହା ଫଳରେ ଚାଷୀର ଯେ ଉପକାର ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।

ଦ୍ଵିତୀୟ ସମସ୍ୟା ହେଉଛି ରୟତ ସମସ୍ୟା (Tenancy reform) । ଜମି ଯେ ଚାଷ କରିବ, ସେ ଜମିର ମାଲିକ ହେବା ଉଚିତ । ଏକଥା ସମସ୍ତେ ମାନିବେ । କିନ୍ତୁ ଏ ଦିଗରେ ଆଇନ କରି କାର୍ଯ୍ୟକାରୀ କରିବା ସହଜ ନୁହେଁ । କାରଣ ଅନେକ ଲୋକ ଜମିର ଆୟରେ ଚଳି ନ ପାରି, ଜମିକୁ ଭାଗ ଲଗାଇ, ଅନ୍ୟାନ୍ୟ ବ୍ୟବସାୟ ଧରି ରୋଜଗାର କରୁଛନ୍ତି । ଏମାନଙ୍କର ଅନ୍ୟାନ୍ୟ ରୋଜଗାର ଯଥେଷ୍ଟ ନୁହେଁ । ତେଣୁ ରୟତ ସମସ୍ୟା ସମାଧାନ ପାଇଁ ଯେଉଁସବୁ ଆଇନ ହେଉଛି, ତା ଉପରେ ଆପତ୍ତି ଉଠୁଛି । ସରକାର ଆସ୍ତେ ଆସ୍ତେ ଅବସ୍ଥାକୁ ଚାହିଁ ଏ ବାବଦରେ ଆଇନ କରିବା ଉଚିତ । ଗତ ୫/୬ବର୍ଷ ଭିତରେ ରୟତର ଉପକାର ପାଇଁ ଯେଉଁସବୁ ଆଇନ ହୋଇଛି, ତା ସଫଳ ହୋଇନାହିଁ । ଭାଗ ଜମିରେ ରୟତକୁ ୪ ଭାଗରୁ ୩ ଭାଗ ବା ୫ଭାଗରୁ ୪ ଭାଗ ଦେବା ଉଚିତ ବୋଲି ଯୋଜନା କମିଶନ ମତ ଦେଇଛନ୍ତି । ସେଇନୀତି ଅନୁସାରେ ଅନେକ ରାଜ୍ୟରେ ଆଇନ ହୋଇଛି । କିନ୍ତୁ ରୟତ ନିଜର ଦାବି ଆଦାୟ କରିବାକୁ ସାହସ କରିନାହିଁ କି ମାଲିକ ରୟତର ଦାବିପୂରଣ କରିବା ପାଇଁ ଇଚ୍ଛାପ୍ରକାଶ କରିନାହିଁ । ଭାଗ ଜମିରେ ରୟତର ଅଧିକାର ମାନିବା ପାଇଁ ଆଇନ ହୋଇଛି । କିନ୍ତୁ ଫଳରେ ବେଶୀ ରୟତର ଜମିରୁ ବେଦଖଲ ହୋଇଛନ୍ତି । ତେଣୁ ଆଇନ କରିବା ପୂର୍ବରୁ । ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ଉଚିତ ଏବଂ ଯେଉଁ ଆଇନ କାର୍ଯ୍ୟକାରୀ ହୋଇପାରିବ, ସେହିପରି ଆଇନ ପ୍ରଚଳନ କରିବା ଉଚିତ୍ । ତା ନହେଲେ ଆଇନର ମର୍ଯ୍ୟଦା ରହିବ ନାହିଁ । କେବଳ ମାଲିମକଦମା ବଢ଼ିବ ଓ ଗରିବ ଚାଷୀକୁଳ ସର୍ବସ୍ୱାନ୍ତ ହେବେ।

ତୃତୀୟ ସମସ୍ୟା ହେଉଛି ବ୍ୟକ୍ତିପିଛା ଜମିର ପରିମାଣ ଠିକ୍ କରିବା । ସମାଜବାଦୀ ରାଷ୍ଟ୍ରନୀତି ଦୃଷ୍ଟିରୁ ଏହା ଜରୁରୀ ଆବଶ୍ୟକ । ବ୍ୟକ୍ତିପିଛା ଜମିର ପରିମାଣ ନିୟନ୍ତ୍ରଣ କଲେ, ପ୍ରତ୍ୟେକ ଚାଷୀ ଯେ ଯଥେଷ୍ଟ ଜମି ପାଇବେ, ତା ନୁହେଁ । କାରଣ ଆମର ଯଥେଷ୍ଟ ଜମି ନାହିଁ । କିନ୍ତୁ ସାମାଜିକ ସମତା ପାଇଁ ଏହାର ଆବଶ୍ୟକତା ଯଥେଷ୍ଟ ବେଶୀ । ବ୍ୟକ୍ତିପିଛା ଜମିର ପରିମାଣ ନିୟନ୍ତ୍ରଣ କଲେ ଜମିର ଉତ୍ପାଦିକା ଶକ୍ତି କମିବାର ସମ୍ଭାବନା ବୋଲି ଅନେକ ସମୟରେ ଯୁକ୍ତି ହୁଏ-। ଏକଥାରେ ଅନେକ ସତ୍ୟତା ଅଛି । କିନ୍ତୁ ଆମେ ଯଦି ଏତିକିରେ ରହନ୍ତୁ, ତାହେଲେ ଜମିର ଉତ୍ପାଦିକା ଶକ୍ତି କମନ୍ତା । ବ୍ୟକ୍ତିପିଛା ଜମିର ପରିମାଣ ଠିକ କଲାପରେ ଆମକୁ ସହଯୋଗୀ ଚାଷ ପ୍ରଣାଳୀ ପ୍ରଚଳନ କରିବାକୁ ହେବ । ସହଯୋଗୀ ଚାଷ ପ୍ରଣାଳୀ ଆମର ପ୍ରଧାନ ଲକ୍ଷ୍ୟ-। କୃଷି ଅର୍ଥନୀତିର ସଂଗଠନ ପାଇଁ ଏହା ଏକମାତ୍ର ପନ୍ଥା । ତେଣୁ ବ୍ୟକ୍ତିପିଛା ଜମିର ପରିମାଣ ନିୟନ୍ତ୍ରଣ କଲେ, ଉତ୍ପାଦିକା ଶକ୍ତି କମିବ ବୋଲି ଭାବିବା ଉଚିତ୍‍ ନୁହେଁ ।

ଜମିର ଉତ୍ପାଦିକା ଶକ୍ତି ବଢ଼ିବା ପାଇଁ କି କି ଉଦ୍ୟମ କରାଯାଇପାରେ, ତା ଆମେ ଏ ପର୍ଯ୍ୟନ୍ତ ଆଲୋଚନା କରୁଥିଲେ । ଏଇଟି ହେଲା କୃଷି ଅର୍ଥନୀତିର ପ୍ରଥମ ଦିଗ । ଦ୍ଵିତୀୟ ଦିଗ ହେଉଛି ଜମିରୁ ଲୋକସଂଖ୍ୟା କମାଇବା । ଏ ଏକ ଗୁରୁତର ପ୍ରଶ୍ନ । ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଶିଳ୍ପ ଉତ୍ପାଦନ ଅନେକ ବଢ଼ିଛି । ନୂଆ ନୂଆ ଶିଳ୍ପପ୍ରତିଷ୍ଠା କରାଯାଇଛି । କିନ୍ତୁ ଶିଳ୍ପ-କର୍ମ୍ମ ସସ୍ଥାନ ବଢ଼ିନାହିଁ । ଗତ ପାଞ୍ଚବର୍ଷ ଭିତରେ କୃଷିର ଉତ୍ପାଦନ ବଢ଼ିଛି । କିନ୍ତୁ ଚାଷୀର ଅବସ୍ଥାରେ କିଛି ଉନ୍ନତି ହୋଇନାହିଁ । ତେଣୁ ଚାଷରୁ ଲୋକକାଢ଼ି, ଅନ୍ୟାନ୍ୟ ଧନ୍ଦାରେ ନିଯୁକ୍ତ ନ କଲେ, ଚାଷର ଉନ୍ନତି ହୋଇପାରିବ ନାହିଁ । ଆମର ଯୋଜନାରେ କୃଷିର ଉତ୍ପାଦିକା ଶକ୍ତି ବଢ଼ାଇବା ପାଇଁ ଉଦ୍ୟମ ହେବା ଉଚିତ । କିନ୍ତୁ ଉତ୍ପାଦିକା ଶକ୍ତି ଯେତେ ବଢ଼ିଲେ ବି, ଚାଷରୁ ଲୋକ ଚାପା ନ କମିଲେ ଚାଷୀର ଆର୍ଥନୀତିକ ଅବସ୍ଥା ସ୍ଵଚ୍ଛଳ ହେବାର କୌଣସି ସମ୍ଭାବନା ନାହିଁ । ଚାଷରେ ମଧ୍ୟ ନୂତନ କର୍ମସଂସ୍ଥାନ ସୃଷ୍ଟି କରାଯାଇ ପାରିବ ନାହିଁ । ତେଣୁ ଅନ୍ୟାନ୍ୟ ଶିଳ୍ପ ଓ ବ୍ୟବସାୟର ଉନ୍ନତି ପାଇଁ ଯେଉଁ ଯୋଜନା ହେବ, ସେଥିରେ ଉତ୍ପାଦିକା ଶକ୍ତି ଓ କର୍ମସଂସ୍ଥାନ–ଉଭୟର ବୃଦ୍ଧିପାଇଁ ଯୋଗାଡ଼ ହେବା ଉଚିତ ।

ତେଣୁ ଆମର ଆର୍ଥନୀତିକ ଯୋଜନାରେ ଶିଳ୍ପ ଓ ବ୍ୟବସାୟର ବିକାଶ ପାଇଁ ଯଥେଷ୍ଟ ଗୁରୁତ୍ଵ ଦିଆଯିବା ଉଚିତ । କିନ୍ତୁ ଖାଲି ଶିଳ୍ପ ଓ ବ୍ୟବସାୟର ଉନ୍ନତି କରିଦେଲେ ଯେ କୃଷିରେ ଥିବା ଶ୍ରମିକମାନେ ଶିଳ୍ପ ଓ ବ୍ୟବସାୟକୁ ଚାଲିଯିବେ, ତା ନୁହେଁ । କାରଣ ଆମର ମଫସଲର ଶ୍ରମିକମାନେ ଗତିହୀନ (Immobile) । ମଫସଲର କୃଷି ଶ୍ରମିକମାନେ ସାଧାରଣତଃ ଯେତିକି ମଜୁରୀ ପା’ନ୍ତି, ସହରର କଳକାରଖାନାରେ କାମ କରୁଥିବା ଶ୍ରମିକମାନେ ତା’ର ପ୍ରାୟ ଅଢ଼େଇ ଗୁଣ ମଜୁରୀ ପାନ୍ତି । ତଥାପି କୃଷି ଶ୍ରମିକମାନେ କୃଷି ଛାଡ଼ି ସହରରେ କାମ କରିବା ପାଇଁ ଆକୃଷ୍ଟ ହୁଅନ୍ତିନାହିଁ । ତେଣୁ ମଫସଲର ଶ୍ରମିକମାନଙ୍କୁ ସହରକୁ ଟାଣିବାକୁ ହେଲେ, ଅଧିକ ପ୍ରଲୋଭନ ଦେଖାଇବାକୁ ପଡ଼ିବ, ଯାହାକି ଆମ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଆମର ଶିଳ୍ପ ଓ ବ୍ୟବସାୟକୁ ଏପରି ଭାବରେ ପ୍ରତିଷ୍ଠା କରିବାକୁ ହେବ ଯେ ଗାଁର ଶ୍ରମିକମାନେ ଗାଁ ପାଖରେ ଥାଇ ଅନ୍ୟାନ୍ୟ ଶିଳ୍ପ ଓ ବ୍ୟବସାୟରେ କାମକରି ରୋଜଗାର କରି ପାରିବେ । ତା ଅର୍ଥ ଆମର ଶିଳ୍ପ ଓ ବ୍ୟବସାୟର ବିକେନ୍ଦ୍ରୀକରଣ ହେବା ଉଚିତ । ଆର୍ଥନୀତିକ ବିକେନ୍ଦ୍ରୀ କରଣ ପାଇଁ ଅନେକ ଯୁକ୍ତି ଅଛି । ସେସବୁ ଏଠି ବାଢ଼ିବା ଅନାବଶ୍ୟକ । ତେବେ କର୍ମସଂସ୍ଥାନ ବୃଦ୍ଧିପାଇଁ ବିକେନ୍ଦ୍ରୀକରଣ ଅର୍ଥନୀତି ଯେ ନିତାନ୍ତ ଦରକାର ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ବିକେନ୍ଦ୍ରୀକରଣ ଅର୍ଥନୀତି ଅନୁପଯୁକ୍ତ ଉତ୍ପାଦନ ପ୍ରଣାଳୀ ନୁହେଁ । ଉପଯୁକ୍ତ ଉତ୍ପାଦନ ପ୍ରଣାଳୀ ସାହାଯ୍ୟରେ ମଧ୍ୟ ଉତ୍ପାଦନ ପ୍ରଣାଳୀକୁ ବିକେନ୍ଦ୍ରୀକରଣ କରା ଯାଇପାରେ ।

ପୁଣି ଜନସଂଖ୍ୟା ଯେପରି ଭାବରେ ବଢ଼ିଚାଲିଛି, ସେଥିରେ କୃଷିରୁ ଲୋକ ଚାପା ନ କମାଇଲେ, କୃଷି ଚିରଦିନ ଏକ ପତିତ ଶିଳ୍ପ ହୋଇ ରହିବ । ଚାଷୀର ଆର୍ଥନୀତିକ ଅବସ୍ଥାରେ କୌଣସି ଉନ୍ନତି ହୋଇ ପାରିବନାହିଁ । ୧୯୫୧ ଜନଗଣନା ରିପୋର୍ଟରେ ଭାରତର ରେଜିଷ୍ଟ୍ରାର ଜେନେରାଲ ଜନଗଣନା ବୃଦ୍ଧି ଓ କୃଷି ଉତ୍ପାଦିକା ଶକ୍ତି ବିଷୟରେ ଆଲୋଚନା କରି କହିଛନ୍ତି ଯେ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଅଭାବ ମେଣ୍ଟାଇବା ପାଇଁ କୃଷିର ଉତ୍ପାଦିକା ଶକ୍ତି ୧୯୬୧ ବେଳକୁ ଶତକରା ୨୧ ଭାଗ ଓ ୧୯୭୧ ବେଳକୁ ଶତକରା ୩୭ ଭାଗ ଓ ୧୯୮୧ ବେଳକୁ ଶତକରା ୫୪ ଭାଗ ବଢ଼ିବା ଉଚିତ । ଆମର ଜନସଂଖ୍ୟା ୪୫କୋଟିରେ ରୋକିବା ପାଇଁ ସେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଏବେ ଆମର ଜନସଂଖ୍ୟା ପ୍ରାୟ ୩୮କୋଟି ହେଲାଣି । ତେଣୁ ୪୫କୋଟିରେ ରୋକିବା ସହଜ ନୁହେଁ । ତେବେ ଆର୍ଥନୀତିକ ପ୍ରଗତି ଦୃଷ୍ଟିରୁ ଜନସଂଖ୍ୟା ବୃଦ୍ଧି ରୋକିବା ନିତାନ୍ତ ଦରକାର । କୃଷି, ଶିଳ୍ପ ଓ ବ୍ୟବସାୟ ବୃଦ୍ଧିପାଇଁ ଯେତେବେଳେ ଯୋଜନା ହେଉଛି ସେତେବେଳେ ଜନସଖ୍ୟା ନିୟନ୍ତ୍ରଣ ପାଇଁ ଯୋଜନା ହେବା ମଧ୍ୟ ଆବଶ୍ୟକ । କିନ୍ତୁ ଏ ଦିଗରେ ଆମ ଦେଶରେ ବିଶେଷ ଅଗ୍ରଗତିର ସମ୍ଭାବନା ନିକଟ ଭବିଷ୍ୟତରେ ନାହିଁ । ତେଣୁ କୃଷିର ଉତ୍ପାଦିକା ଶକ୍ତି, ଶିଳ୍ପ ଓ ବ୍ୟବସାୟର ଉତ୍ପାଦିକା ଶକ୍ତି ଓ କର୍ମସଂସ୍ଥାନ ବୃଦ୍ଧିପାଇଁ ଯୋଜନା ଅନୁଯାୟୀ କାର୍ଯ୍ୟ କରାଯିବା ଉଚିତ ।

☆☆☆

 

ଜନ-ନିୟନ୍ତ୍ରଣ

 

ଜନ ନିୟନ୍ତ୍ରଣର ଗୁରୁତ୍ଵ ଆମଦେଶରେ ଏ ପର୍ଯ୍ୟନ୍ତ ଉପଲବଧି କରାଯାଇ ନାହିଁ । ତେଣୁ ଜନ-ନିୟନ୍ତ୍ରଣ ବିରୁଦ୍ଧରେ ନାନାପ୍ରକାର ଅଭିଯୋଗ ଶୁଣିବାକୁ ମିଳୁଛି । ଜନ-ସମସ୍ୟାକୁ ଯଦି ଆର୍ଥନୀତିକ ଦୃଷ୍ଟିକୋଣରୁ ବିଚାର କରାଯାନ୍ତା, ତାହେଲେ ଜନ-ନିୟନ୍ତ୍ରଣ ବିରୁଦ୍ଧରେ ଉଠୁଥିବା ଆପତ୍ତି, ଅଭିଯୋଗ ଓ ସମାଲୋଚନା ଶୁଣିବାକୁ ମିଳନ୍ତା ନାହିଁ । ଯୌନ ଏକ ସାମାଜିକ ପ୍ରକ୍ରିୟା । କିନ୍ତୁ ଜନ-ଉତ୍ପାଦନ ଏକ ଆର୍ଥନୀତିକ ସମସ୍ୟା । ଜନସଂଖ୍ୟା ବୃଦ୍ଧି ହେବା ଫଳରେ ଯଦି ଅଭାବ ଓ ଅନଟନ ପଡ଼ନ୍ତା ନାହିଁ, ବଞ୍ଚିବାର ମାନଦଣ୍ଡରେ ଅବନତି ଘଟନ୍ତା ନାହିଁ ଓ ରୋଗ ଓ ମୃତ୍ୟୁର ହାର ବୃଦ୍ଧି ପାଆନ୍ତା ନାହିଁ, ତାହେଲେ ଜନ୍ମ-ନିରୋଧ ବା ଜନ-ନିୟନ୍ତ୍ରଣ ପ୍ରଶ୍ନ ଆମେ ଏଠାରେ ଆଲୋଚନା କରନ୍ତେ ନାହିଁ । କିନ୍ତୁ ଦୁଃଖର କଥା ଯେ ଜନସମସ୍ୟା ଆମ ଦେଶରେ ଏକ ବିରାଟ ଆର୍ଥନୀତିକ ସଂକଟ ସୃଷ୍ଟି କରିଛି । ବିଚାର ବୁଦ୍ଧି ଖଟାଇ ବୈଜ୍ଞାନିକ ଉପାୟରେ ଏହି ଜନ-ସମସ୍ୟାର ସମାଧାନ ନ କଲେ, ପ୍ରାକୃତିକ ନିୟମ ଅନୁସାରେ ରୋଗ, ଦୁର୍ଭିକ୍ଷ ଓ ମରୁଡ଼ିରେ ଜନସଂଖ୍ୟା ଯେ କମିବାକୁ ଲାଗିବ, ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ଆମର ବିଶ୍ୱାସ ଯେ ପ୍ରତ୍ୟେକ ବୁଦ୍ଧିମାନ ଲୋକ ଜନସଂଖ୍ୟାର ନିୟନ୍ତ୍ରଣ ପାଇଁ ପ୍ରାକୃତିକ ନିୟମ ଉପରେ ନିର୍ଭର ନ କରି ବୈଜ୍ଞାନିକ ପନ୍ଥାର ଆଶ୍ରୟ ନେବାକୁ ଇଚ୍ଛା ପ୍ରକାଶ କରିବେ । ତେବେ ପ୍ରଥମେ ଅବସ୍ଥାର ଗୁରୁତ୍ଵ ପ୍ରତି ଦୃଷ୍ଟି ଦିଆଯାଉ ।

 

ପ୍ରତ୍ୟେକ ବର୍ଷ ଆମଦେଶରେ ଲୋକସଂଖ୍ୟା ପ୍ରାୟ ୪୦ଲକ୍ଷ ହିସାବରେ ବଢ଼ୁଛି । ଜନ-ବୃଦ୍ଧି-ହାର ଦୃଷ୍ଟିରୁ ବିଚାର କଲେ ଆମର ବୃଦ୍ଧିହାର ସେତେ ଅଧିକା ନୁହେଁ । ୧୮୭୨ ଠାରୁ୧୯୪୧ମସିହା ଭିତରେ ଆମର ଜନସଂଖ୍ୟା ଶତକରା ୫୪ ଭାଗ ବଢ଼ିଥିଲା । ଅଥଚ ସେଇ ସମୟ ଭିତରେ ଇଂଲଣ୍ଡରେ ଶତକରା ୫୬ଭାଗ ଓ ଜାପାନରେ ଶତକରା ୧୩୬ ଭାଗ ଜନବୃଦ୍ଧି ହୋଇଛି । କିନ୍ତୁ ଆମର ଜନସଂଖ୍ୟା ଅତି ଅଧିକ ଥିବାରୁ ବୃଦ୍ଧି-ହାର କମ ହେଲେ ମଧ୍ୟ ଜନ ବୃଦ୍ଧି ଏକ ବିରାଟ ସମସ୍ୟା ରୂପେ ପରିଗଣିତ ହେଉଛି । ପ୍ରତ୍ୟେକ ବର୍ଷ ଶତକରା ଭାଗେ ବା ଦେଢ଼ ଭାଗେ ଜନବୃଦ୍ଧି ହେଲେ ମଧ୍ୟ ଦଶବର୍ଷ ଭିତରେ ଆମର ଜନସଂଖ୍ୟା ୩୪କୋଟି ବଢ଼ି ଯାଉଛି । ୧୯୦୧ ମସିହାରେ ଆମର ଜନସଂଖ୍ୟା ସାଢ଼େ ତେଇଶି କୋଟି ଥିଲା । ୧୯୫୧କୁ ଏହା ବଢ଼ି ୩୬କୋଟି ହେଲା । ଏତେ ଲୋକଙ୍କ ପାଇଁ ଆମ ଦେଶରେ ଯେ ବିଭବ ନାହିଁ–ଏକଥା ବୋଧହୁଏ ସମସ୍ତେ ମାନିବେ ।

 

ପୁଣି ବିଂଶ ଶତାବ୍ଦୀର ଆରମ୍ଭରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଥିଲା, ବର୍ତ୍ତମାନ ହାର ତାଠାରୁ ଅଧିକ । ନିମ୍ନରେ ବୃଦ୍ଧିହାରର ଏକ ହିସାବ ପ୍ରଦତ୍ତ ହେଲା ।

 

ଜନସଂଖ୍ୟା ବୃଦ୍ଧିହାର

 

୧୯୦୧

--

୧୯୧୧

+୫.୮

୧୯୨୧

–୦.୩୫

୧୯୩୧

+୧୧ .୦

୧୯୪୧

+୧୦.୩

୧୯୫୧

+୧୩.୪

 

ଜନ୍ମ, ମୃତ୍ୟୁ ଓ ଜନଗଣନା ହିସାବରେ ଅନେକ ଭୁଲ୍‍ ଥିଲେ ମଧ୍ୟ ହାରାହାରି ଭାବର ଏ ହିସାବଗୁଡ଼ିକୁ ସତ୍ୟ ବୋଲିଧରି ନିଆ ଯାଇପାରେ ।

 

ଗତ୨୫।୩୦ ବର୍ଷ ଭିତରେ ଜନସଂଖ୍ୟା ଯେ ଅଧିକ ପରିମାଣରେ ବୃଦ୍ଧି ହୋଇଛି, ତାହା ଏହି ହିସାବରୁ ପରିଷ୍କାର ଜଣା ପଡ଼ୁଛି । ଏହାର ପ୍ରଧାନ କାରଣ ଏହି ଯେ ଆମ ଦେଶରେ ଗତ ୨୦।୨୫ ବର୍ଷ ଭିତରେ ଜନ୍ମ-ହାର ଠାରୁ ମୃତ୍ୟୁହାର ଅଧିକ ପରିମାଣରେ କମିଛି । ଆମ ଦେଶର ଜନ୍ମହାର ହଜାରକେ ୩୫ କି ୪୦ ହେବ । ଇଜିପ୍‍ଟ ଓ ପାଲେଷ୍ଟାଇନ ପ୍ରଭୃତି ଦେଶମାନଙ୍କରେ ମଧ୍ୟ ଜନ୍ମହାର ଆମ ଦେଶପରି ଖୁବ୍‍ ଅଧିକ । କିନ୍ତୁ ସେ ଦେଶମାନଙ୍କରେ ଜନ୍ମହାର କମୁଛି । କିନ୍ତୁ ଆମଦେଶରେ ଗତ ପଚାଶ ବର୍ଷ ଭିତରେ ଜନ୍ମ-ହାରରେ ବେଶି କିଛି ପରିବର୍ତ୍ତନ ହୋଇନାହିଁ । ଆମଦେଶର ମୃତ୍ୟୁ ହାର ହଜାରକେ ପ୍ରାୟ ୩୦ହେବ । ପ୍ରତ୍ୟେକ ବର୍ଷ ପ୍ରାୟ କୋଟିଏ ଲୋକ ଭାରତରେ ମୃତ୍ୟୁ ମୁଖରେ ପଡ଼ନ୍ତି । ଶିଶୁ ମୃତ୍ୟୁ ତ ଖୁବ୍ ଅଧିକା । ଆମ ଦେଶରେ ଯେତେ ଶିଶୁଜନ୍ମ ଗ୍ରହଣ କରନ୍ତି, ସେମାନଙ୍କ ଭିତରୁ ପ୍ରାୟଚାରି ଭାଗରୁ ଭାଗେ ପ୍ରଥମ ବର୍ଷ ଇହଧାମ ତ୍ୟାଗ କରନ୍ତି । ତେବେ ଗତ କେତେବର୍ଷ ଭିତରେ ଆସ୍ତେ ଆସ୍ତେ ମୃତ୍ୟୁହାର କମିବାରେ ଲାଗିଛି । ଏହାର କାରଣ ଅନୁସନ୍ଧାନ କରିବା ବେଶୀ କିଛି କଷ୍ଟ ନୁହେଁ । ଗତ୧୫।୨୦ବର୍ଷରେ ଆମ ଦେଶର ଚିକିତ୍ସା ବିଜ୍ଞାନର ଅନେକ ଉନ୍ନତି ହୋଇଛି । ନାନାପ୍ରକାର ଔଷଧର ଉଦ୍ଭାବନ, ଚିକିତ୍ସା ପାଇବାର ସୁବିଧା, ଚିକିତ୍ସା କରିବାର ଇଚ୍ଛାର ବୃଦ୍ଧି ପ୍ରଭୃତି ନାନାକାରଣରୁ ମୃତ୍ୟୁହାର କମିଛି ବୋଲି ସ୍ଵଚ୍ଛନ୍ଦରେ କୁହାଯାଇପାରେ । ଏହିପରି ଭାବରେ ମୃତ୍ୟୁହାର ଯଦି କମେ ଓ ଜନ୍ମ ନିୟନ୍ତ୍ରଣ କରିବାର କୌଣସି ଚେଷ୍ଟା ନ କରାଯାଏ, ତାହାହେଲେ ହୁଏତ ଭବିଷ୍ୟତରେ ଜନସଂଖ୍ୟା ଅଧିକ ପରିମାଣରେ ବଢ଼ିବାର ସମ୍ଭାବନା । ପୂର୍ବରେ ହୁଏତ ଜନ୍ମ ଓ ମୃତ୍ୟୁହାରରେ ଏକ ସାମଞ୍ଜସ୍ୟ ଥିଲା ବୋଲି ସାମାଜିକ ଓ ଆର୍ଥନୀତିକ ଭିତ୍ତି କୌଣସି ମତେ ସମ୍ଭାଳି ରହି ଯାଉଥିଲା । କିନ୍ତୁ ବର୍ତ୍ତମାନ ଯେପରି ଅବସ୍ଥା, ତାକୁ ଯଦି ସେହିପରି ଛାଡ଼ି ଦିଆଯାଏ, ତାହେଲେ ସାମାଜିକ ଓ ଆର୍ଥନୀତିକ ଭିତ୍ତି ଏକାବେଳେବେ ଦୋହଲି ଯିବ ।

 

ଏକ ଆଡ଼େ ଆମର ଜନସଂଖ୍ୟା ବଢ଼ି ଚାଲିଛି କିନ୍ତୁ ଅନ୍ୟ ଆଡ଼େ ଆର୍ଥନୀତିକ ଉନ୍ନତି ସମ୍ଭବ ହୋଇପାରୁ ନାହିଁ । ଏବେ ମଧ୍ୟ ଆମଦେଶର ଅଧିକାଂଶ ଜମି ଉପରେ ନିର୍ଭର କରି ରହିଛନ୍ତି । ଅଧିକ କୃଷିଉପରେ ନିର୍ଭର କରୁଥିବା ଫଳରେ ଜଣପିଛା ଜମିହାର କମିବାରେ ଲାଗିଛି-। ୧୯୧୧ରେ ଆମର ଜଣପିଛା ଜମିର ପରିମାଣ ଥିଲା ୦.୯ଏକର-। ୧୯୨୧ରେ ଏହା କମି ୦.୮୮ହେଲା । ଏବେ ବୋଧହୁଏ ଜଣପିଛା ଜମିର ପରିମାଣ ୦.୭ ଏକର ହେବ । ଜମିର ପରିମାଣ ବଢ଼ାଇବାର କୌଣସି ସମ୍ଭାବନା ନାହିଁ । ଜମିର ପରିମାଣ କମୁଥିବାବେଳେ, ଜମିର ଉତ୍ପାଦିକା ଶକ୍ତି ବଢ଼ୁଥିଲେ ବେଶି କିଛିକ୍ଷତି ହୁଅନ୍ତା ନାହିଁ । କିନ୍ତୁ ଦୁଃଖର କଥା ଯେ ଗତ ୩୦/୪୦ ବର୍ଷ ଭିତରେ ଜମିର ଉତ୍ପାଦିକା ଶକ୍ତି କମିଥିବାର ହିସାବ ମିଳୁଛି । ନିକଟ ଭବିଷ୍ୟତରେ ଏହି ଉତ୍ପାଦିକା ଶକ୍ତି ବିଶେଷ ବଢ଼ି ପାରିବାର ସମ୍ଭାବନା ନାହିଁ । ଆମର ଅଧିକାଂଶ ଲୋକ ଜମିରେ ନିର୍ଭର କରି ମଧ୍ୟ ଜମିରୁ ଯାହା ମିଳୁଛି, ସେଥିରେ ଖାଦ୍ୟ ଅଭାବ ମେଣ୍ଟୁନାହିଁ । ଯୋଜନା କମିଶନଙ୍କ ମତ ଅନୁସାରେ ଆମ ଦେଶରେ କେବଳ ଖାଦ୍ୟର ଅଭାବ ୭୮ଲକ୍ଷ ଟନ-। କୃଷି ଯା’ର ପ୍ରଧାନ ବ୍ୟବସାୟ, ତା’ର ଯଦି ଖାଦ୍ୟର ଅଭାବ ପଡ଼େ, ତାହେଲେ ସେଠାକାର ଆର୍ଥିନୀତିକ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ବୋଲି ମାନିବାକୁ ହେବ । ଯଥେଷ୍ଟ ପରିମାଣରେ ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟର ପ୍ରଗତି ହେଲେ, ଆମର ଆର୍ଥନୀତିକ ଅବସ୍ଥା ବଦଳିଯାନ୍ତା । କିନ୍ତୁ ଶିଳ୍ପର ଅଗ୍ରଗତି ପାଇଁ ଆମର ଯଥେଷ୍ଟ ବିଭବ ଓ ଉଦ୍ୟମ ନାହିଁ । ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟର ଉନ୍ନତି ପାଇଁ ପୁଞ୍ଜି, ଯାନ୍ତ୍ରିକ ଜ୍ଞାନ ଓ ଉଦ୍ୟମ ଯଥେଷ୍ଟ ପରିମାଣରେ ଥିବା ଦରକାର । ସେସବୁର ଅଭାବ ଯୋଗୁ ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ଅଗ୍ରଗତି ହୋଇ ପାରୁନାହିଁ । ଏବେ ମଧ୍ୟ ଶତକରା ୮୨ଭାଗ ଲୋକ ଆମର ଗାଁ ଗଣ୍ଡାରେ ଅବହେଳିତ ଅବସ୍ଥାରେ ପଡ଼ିଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଆଂଶିକ ବେକାର । ଅନେକଙ୍କୁ ପେଟ ପୂରେଇ ଖାଇବାକୁ ଦିଓଳି ମିଳୁନାହିଁ-। ରହିବାକୁ ଘର ନାହିଁ–ଏକା ଘରେ ଗାଈ ଓ ମଣିଷ ରହୁଛନ୍ତି । ରୋଗତ ଭରପୂର ହୋଇରହିଛି-। ପ୍ରତ୍ୟେକ ବର୍ଷ ଆମ ଦେଶରେ ୩୦ଲକ୍ଷ ଲୋକ ଖାଲି ମେଲେରିଆରୋଗ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି–ପ୍ରାୟ କୋଟିଏ ଲୋକ ମେଲେରିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟ ରୋଗର ହିସାବ ଦେବାର ପ୍ରୟୋଜନ ନାହିଁ । ସମାଜ ଯଦି ସେଇ ପୁରୁଣାକାଳିଆ ମରହଟ୍ଟି ଢଙ୍ଗରେ ଚାଲିଥାନ୍ତା, ଲୋକମାନେ ନିଜର ଅଭାବ ଓ ଅସୁବିଧାକୁ ଆନନ୍ଦରେ ସହି ନେଉଥାନ୍ତେ, ତା’ ହେଲେ ଆମକୁ ବେଶୀମୁଣ୍ଡ ଖେଳେଇବାକୁ ପଡ଼ନ୍ତା ନାହିଁ । କିନ୍ତୁ ଲକ୍ଷ୍ୟ ଆଜି ବଦଳି ଯାଇଛି-। ଲୋକମାନେ ନିଜର ଅବସ୍ଥାକୁ ଉନ୍ନତ କରିବାକୁ ଚାହୁଁଛନ୍ତି । ଦେଶ ଓ ବିଦେଶର ଖବର ସେମାନଙ୍କ ପାଖରେ ପହଞ୍ଚୁଛି । ସେପରି ଅବସ୍ଥାରେ ଗତାନୁଗତିକ ଭାବରେ ଚାଲିବାକୁ ସମାଜକୁ ଛାଡ଼ିଦେଇ ହେବ ନାହିଁ । ସମାଜର ପରିବର୍ତ୍ତନ ପାଇଁ ଉଦ୍ୟମ କରିବାକୁ ହେବ । ଆର୍ଥନୀତିକ ପ୍ରଗତିପାଇଁ କୃଷି ଓ ଶିଳ୍ପର ଉନ୍ନତି କରିବା ଦରକାର ପଡ଼ିବ । ସେ ଦିଗରେ ଉଦ୍ୟମ ହେଉଛି । ସେ ଉଦ୍ୟମ ହୁଏତ ଆହୁରି ଅଧିକା ହେବ । କିନ୍ତୁ ତତ୍‍ସଙ୍ଗେ ସଙ୍ଗେ ଜନ-ନିୟନ୍ତ୍ରଣ ପାଇଁ ମଧ୍ୟ ଚେଷ୍ଟା କରିବା ଦରକାର । ତା ନହେଲେ କୃଷି ଓ ଶିଳ୍ପର ଯେତେ ଅଗ୍ରଗତି ହେଲେ ମଧ୍ୟ, ଜନବୃଦ୍ଧି ଯୋଗୁ ଜନସାଧାରଣଙ୍କର ଆର୍ଥନୀତିକ ଅବସ୍ଥାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ।

 

କିନ୍ତୁ ଅନେକ ଭାବନ୍ତି ଯେ, ଜନ-ନିୟନ୍ତ୍ରଣ ଆମର ଦରକାର ନାହିଁ । କେବଳ ଆର୍ଥିନୀତିକ ପ୍ରଗତି ପାଇଁ ଉଦ୍ୟମ କଲେ ଆମର ଅବସ୍ଥା ବଦଳିଯିବ । ଏ ବିଷୟରେ ଖାଲି ମତଦେଲେ ଚଳିବ ନାହଁ ଆର୍ଥନୀତିକ ପ୍ରଗତି ସହିତ ଜନବୃଦ୍ଧି ତୁଳନା କରି ବିଚାର କରିବାକୁ ହେବ-। ଯୋଜନା କମିଶନ ଓ ଅନ୍ୟାନ୍ୟ ଅନେକ ଅର୍ଥନୀତିଜ୍ଞ ଏ ବିଷୟରେ ହିସାବ କିତାବ ଦେଇ ପ୍ରମାଣ କରିଛନ୍ତି ଯେ ଜନ୍ମ-ନିରୋଧ ଦ୍ଵାରା ଯଦି ଆମର ଜନ-ବୃଦ୍ଧି କମା ନ ଯାଏ, ତାହେଲେ ପଞ୍ଚବାର୍ଷିକ ଯୋଜନା ପକ୍ଷରେ ମଧ୍ୟ ବର୍ତ୍ତମାନର ବଞ୍ଚିବା ହାରକୁ କାଏମ କରି ରଖିବା କଷ୍ଟହେବ-। ତେଣୁ ପ୍ରାକୃତିକ ସଂପଦର ଆଳ ଦେଖାଇ ଜନ-ନିୟନ୍ତ୍ରଣର ଆପତ୍ତି କରିବା ନିରର୍ଥକ-। ଏକଥା ମଧ୍ୟ କୁହାଯାଏ ଯେ ଆମର ଅନେକ ଜାଗାରେ ଲୋକ ବସତି କମ । ତେଣୁ ଯେଉଁ ଅଞ୍ଚଳରେ ଲୋକବସତି ଅଧିକ, ସେଇ ଅଞ୍ଚଳରୁ ଲୋକକାଢ଼ି, କମ୍‍ଥିବା ଅଞ୍ଚଳକୁ ପଠାଇ ସମଭାବରେ ଲୋକ-ବଣ୍ଟନ କରିଦେଲେ, ଜନ୍ମ-ନିରୋଧର ପ୍ରଶ୍ନ ଉଠିବ ନାହିଁ । କିନ୍ତୁ ଏ ଯୁକ୍ତିରେ କୌଣସି ସତ୍ୟତା ନାହିଁ । ପ୍ରଥମ କଥା ଆମର ଜନବସତି ଖୁବ୍‍ ଗହଳ । ପ୍ରତ୍ୟେକ ବର୍ଗମାଇଲ ପିଛା ଆମର ହାରାହାରି ଜନବସତି ୨୮୧ । ହାରାହାରି ଜନବସତିରୁ ଜନସମସ୍ୟାର ପ୍ରକୃତ ସ୍ଵରୂପ ମଧ୍ୟ ଜଣାଯାଏ ନାହିଁ । କାରଣ ଭାରତର ହାରାହାରି ଜନବସତି ବର୍ଗମାଇଲ ପିଛା ୨୮୧ଜଣ ହେଲେ ମଧ୍ୟ ଦିଲ୍ଲୀରେ ଜନବସତି ୩୦୦୦ ଟ୍ରଭାଙ୍କୋର କୋଚିନରେ ୯୦୦ ଓ ପଶ୍ଚିମବଙ୍ଗଳାରେ ୭୯୯ । ଏପରିକି ହାରାହାରି ଜନବସତିରୁ ବିଚାର କଲେ ମଧ୍ୟ ଭାରତ ପୃଥିବୀରେ ତୃତୀୟ ସ୍ଥାନ ଅଧିକାର କରେ । ଜାପାନ ଓ ଗ୍ରେଟ୍‍ ବ୍ରିଟେନ୍‍ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଭାରତର ଜନସଂଖ୍ୟା ସମୁଦାୟ ପୃଥିବୀର ଜନସଂଖ୍ୟାର ଶତକରା ୧୫.୧ଭାଗ । ଚାଇନା ଛଡ଼ା ପୃଥିବୀର ଅନ୍ୟ ଯେ କୌଣସି ଦେଶଠାରୁ ଭାରତର ଜନସଂଖ୍ୟା ଅଧିକ । କିନ୍ତୁ ଅଞ୍ଚଳ ଅଧିକା ନୁହେଁ । ତେଣୁ ଭାରତର ଜନଗହଳ କମ ବୋଲି କହିବା ଠିକ୍ ନୁହେଁ । ଦ୍ୱିତୀୟରେ ଜନ-ବଣ୍ଟନ ସମସ୍ୟା ମଧ୍ୟ ସହଜ କଥା ନୁହେଁ । ଗୋଟିଏ ଜାଗାରୁ ଲୋକଙ୍କୁ କାଢ଼ି ଅନ୍ୟଜାଗାକୁ ନେବା ଆମ ଦେଶପକ୍ଷରେ ସହଜ ହୋଇପାରିବ ନାହିଁ । ହୀରାକୁଦ ବନ୍ଧ କରିବା ପାଇଁ ତ ହୀରାକୁଦ ଅଞ୍ଚଳରୁ ଲୋକଙ୍କୁ କାଢ଼ି ଅନ୍ୟତ୍ର ବସତି ସ୍ଥାପନ କରିବାରେ ଏତେ ଆପତ୍ତି ଅଭିଯୋଗ ଉଠିଲା । ଅନ୍ୟ ଯାଗାରେ ଏସବୁ କଥା ସମ୍ଭବ ହେବ କିପରି ? ବଙ୍ଗଳାର ଆଶ୍ରୟ ପ୍ରାର୍ଥୀମାନଙ୍କୁ ଓଡ଼ିଶା କି ବିହାରରେ ଥଇଥାନ କରିବାର ଯେତେ ବ୍ୟବସ୍ଥା କଲେ ମଧ୍ୟ, ସେମାନେ ପୁଣି ସେ ବଙ୍ଗଳାକୁ ଫେରି ଯାଉଛନ୍ତି । କୃଷିସଭ୍ୟତା ଯୋଗୁଁ ପରିବାର, ଗାଁ ଗଣ୍ଡା ଓ ଆତ୍ମୀୟ ସ୍ଵଜନମାନଙ୍କର ସମ୍ପର୍କ ଆମଦେଶରେ ଏତେ ଅଧିକ ଯେ ଲୋକମାନେ ଅନ୍ୟତ୍ର ଯିବାକୁ ଇଚ୍ଛାପ୍ରକାଶ କରିବେ ନାହିଁ । ନିଜ ପ୍ରଦେଶ ଭିତରେ ଅନ୍ୟତ୍ର ବସତି ସ୍ଥାପନ କରିବାରେ ଲୋକମାନଙ୍କ ଭିତରେ ଯେତେବେଳେ ଇଚ୍ଛାର ଅଭାବ ଦେଖାଯାଉଛି, ସେତେବେଳେ ଲୋକ ଅନ୍ୟପ୍ରଦେଶକୁ ଯିବାକୁ ବାହାରିବେ ବୋଲି ଭାବିବା ବୃଥା । ପୁଣି ପ୍ରାଦେଶିକତା, ଭାଷାଗତ ଓ ସାମାଜିକ ବିଭେଦ ଏ ଦିଗରେ ଅନ୍ତରାୟ ସୃଷ୍ଟି କରିବ । ଯଦି ଦେଶରେ ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟର ଯଥେଷ୍ଟ ବିକାଶ ହେବ, ଶିକ୍ଷାର ପ୍ରସାରହେବ, ତା’ ହେଲେ ହୁଏତ ଲୋକମାନେ ଗତିଶୀଳ ହେବେ । ତଥାପି ସେଥିରେ ବି ସମସ୍ୟାର ପୁରା ସମାଧାନ ହୋଇପାରିବ ନାହିଁ-। ବିଦେଶ କଥାତ ପ୍ରଶ୍ନ ଉଠୁ ନାହିଁ । ଆମର ଲୋକଙ୍କୁ ନେଇ ଆଫ୍ରିକା, ବର୍ମା ଓ ସିଲୋନ ପ୍ରଭୃତି ଦେଶମାନଙ୍କରେ କଳି ତ କରାଳ ଲାଗୁଛି । ପାଶ୍ଚାତ୍ୟ ଦେଶମାନଙ୍କରେ ତ କଳା ଲୋକମାନଙ୍କର ଆଦର ନାହିଁ । ତେଣୁ ଆମର ଜନସମସ୍ୟା ସମାଧାନ ପାଇଁ ଅନ୍ୟତ୍ର ଲୋକମାନଙ୍କୁ ପଠାଇବା ସହଜ ନୁହେଁ–ଏକଥା ସମସ୍ତେ ମାନିବେ ।

 

ଜନ-ନିୟନ୍ତ୍ରଣ ଆମଦେଶରେ ସଫଳ ହୋଇପାରିବ ନାହିଁ ବୋଲି ଅନେକ ମଧ୍ୟ ମତପ୍ରକାଶ କରନ୍ତି । ସାମାଜିକ ପରମ୍ପରା ଓ ରକ୍ଷଣଶୀଳତାର ଦ୍ୱାହି ଦେଇ ଯେଉଁମାନେ ଜନ-ନିୟନ୍ତ୍ରଣ ବିରୋଧ କରୁଛନ୍ତି, ସେମାନଙ୍କର ବୁଝିବା ଉଚିତ ଯେ, ସମାଜ ଜଡ଼ ନୁହେଁ । ସମୟର ପରିବର୍ତ୍ତନ ସଙ୍ଗେସଙ୍ଗେ ସମାଜର ମଧ୍ୟ ପରିବର୍ତ୍ତନ ହୁଏ, ପୁଣି ଜନନିୟନ୍ତ୍ରଣ ସହିତ ଧର୍ମର କୌଣସି ସମ୍ପର୍କ ନାହିଁ । ଧର୍ମ ଅନୁସାରେ ଭୃଣହତ୍ୟା ପାପବୋଲି ଗଣା ଯାଇପାରେ, କିନ୍ତୁ ଜନ-ନିୟନ୍ତ୍ରଣକୁ ପାପ ବୋଲି ଧରାଯାଇ ପାରିବ ନାହିଁ । ଯେଉଁ କାଥଲିକ୍‍ମାନେ କୃତ୍ରିମ ଜନ୍ମ-ନିରୋଧକୁ ଆପତ୍ତି କରନ୍ତି, ସେମାନେ ଯୌନପ୍ରକିୟାକୁ ନିୟନ୍ତ୍ରଣ କରି, ଜନ-ନିୟନ୍ତ୍ରଣ କରିବାରେ ବିଶ୍ଵାସ କରନ୍ତି । ତେଣୁ ଜନ-ନିୟନ୍ତ୍ରଣ କିପରି ସଫଳ ହେବ, ସେଥିପାଇଁ ଉଦ୍ୟମ ହେବା ଉଚିତ । ଆଜି କେତେଜଣ ଶିକ୍ଷିତ ଓ ଧନୀ ଲୋକ ଜନ-ନିୟନ୍ତ୍ରଣ ପନ୍ଥା ଅନୁସରଣ କରୁଛନ୍ତି । ସେତିକିରେ ସନ୍ତୁଷ୍ଟ ନ ରହି ଏହାର ବ୍ୟାପକତା ପାଇଁ ଯୋଗାଡ଼ କରିବା ଉଚିତ । ଜନ-ନିୟନ୍ତ୍ରଣ ଫଳରେ ପାରିବାରିକ ସୌହାର୍ଦ୍ଦ୍ୟ ଓ ଆର୍ଥନୀତିକ ସ୍ଵଚ୍ଛଳତା ବଢ଼ିବ ବୋଲି ଯଦି ସାଧାରଣ ଲୋକମାନଙ୍କ ମନରେ ଧାରଣା ଅଣା ଯାଇପାରେ, ସେମାନେ ଆଗ୍ରହର ସହିତ ଏ ପନ୍ଥା ଗ୍ରହଣ କରିବେ ବୋଲି ଆମର ବିଶ୍ୱାସ । କିନ୍ତୁ ଆମେମାନେ ଏ ଦିଗରେ କୌଣସି ଚେଷ୍ଟା ନ କରି ଉପର ଠାଉରିଆ ଭାବରେ ଜନ-ନିୟନ୍ତ୍ରଣକୁ ହସରେ ଉଡ଼ାଇ ଦେଉଛୁ । ଜନ-ନିୟନ୍ତ୍ରଣ ତ ସମ୍ପୂର୍ଣ ଜନ୍ମ ନିରୋଧ ନୁହେଁ । ସନ୍ତାନ ସନ୍ତତି ଚାହିଁବା କିଛି ଖରାପ କଥା ନୁହେଁ । କେବଳ ଆମ ଦେଶରେ ନୁହେଁ ପ୍ରତ୍ୟେକ ଦେଶରେ ବାପମାମାନେ ସନ୍ତାନ ସନ୍ତତି ପାଇଁ ମନ ବଳାନ୍ତି । ସନ୍ତାନସନ୍ତତି ନ ହେଲେ ପାରିବାରିକ ଜୀବନପୂର୍ଣ୍ଣ ହୁଏ ନାହିଁ । ତେଣୁ ଜନ୍ମକୁ ବନ୍ଦ କରିବା କଥା କେହି କହୁନାହିଁ । ତାହେଲେ ଆର୍ଥନୀତିକ ପ୍ରଗତି ବା ସାମାଜିକ ଉନ୍ନତିର ମୂଲ୍ୟକଣ ? କାହାକୁ ନେଇ ସମାଜ ଓ କାହାପାଇଁ ଆର୍ଥନୀତିକ ପ୍ରଗତି ? ଆଜିଠାରୁ ଯଦି ସମ୍ପୂର୍ଣ ଜନ୍ମନିରୋଧ କରାଯାଏ । ତାହେଲେ ବୋଧହୁଏ ୫୦।୬୦ ବର୍ଷ ପରେ ଆମଦେଶର ଲୋକସଂଖ୍ୟା ଏକାବେଳକେ ଲୋପ ପାଇଯିବ । ଜନ-ନିୟନ୍ତ୍ରଣ । ଅର୍ଥ ବି ଜୀବନ୍ତ ଲୋକଙ୍କୁ ମାରିବା ନୁହେଁ । ଜନ-ନିୟନ୍ତ୍ରଣ ଅର୍ଥ ଜନ୍ମରେ ନିୟନ୍ତ୍ରଣ କରିବା । ଆମର ଆର୍ଥନୀତିକ ସଂପଦକୁ ଚାହିଁ, ଆମର ଯେତିକି ଲୋକ ଦରକାର, ସେତିକି ଲୋକ କିପରି ହେବେ । ସେଥିପାଇଁ ଚେଷ୍ଟା କରିବା । ଆମର ବର୍ତ୍ତମାନ କେତେଲୋକ ଦରକାର, ତାହା ବି ନିର୍ଦ୍ଧିଷ୍ଟ ଭାବରେ କୁହାଯାଇ ପାରିବନାହିଁ । ତେବେ ଅନୁମାନରେ ଏତିକି କୁହାଯାଇପାରେ ସେ ବର୍ତ୍ତମାନର ଆର୍ଥନୀତିକ ଅବସ୍ଥାକୁ ଚାହିଁ ଆମର ଅଧିକା ଲୋକ ଅଛନ୍ତି । ତେଣୁ ପ୍ରତ୍ୟେକ ବାପ ମା ତିନି ଚାରୋଟି ସନ୍ତାନ ସନ୍ତତି ପାଇଲା ପରେ ଜନ୍ମନିରୋଧ କରନ୍ତୁ ବୋଲି ଯଦି କୁହାଯାଏ, ତାହେଲେ ବୋଧହୁଏ ବେଶୀ କିଛି ଆପତ୍ତି ହେବନାହିଁ । ଏଥିରେ ମଧ୍ୟ ପାରିବାରିକ ଶାନ୍ତି ଆସିବ । ପିତା, ମାତା ଓ ସନ୍ତାନସନ୍ତତିଙ୍କ ଭିତରେ ଆନ୍ତରିକତା ପ୍ରତିଷ୍ଠିତ ହୋଇପାରିବ ।

 

ଅନ୍ୟ କେତେକ ନୈତିକତା ଦୃଷ୍ଟିରୁ ମଧ୍ୟ ଜନ-ନିୟନ୍ତ୍ରଣର ଆପତ୍ତି କରୁଛନ୍ତି । ଜନ୍ମ-ନିୟନ୍ତ୍ରଣ ଫଳରେ ସମାଜର ନୈତିକ ମାନଦଣ୍ଡ ଉପରେ ବାଧା ପଡ଼ିବ ବୋଲି ସେମାନଙ୍କର ଧାରଣା । ସମାଜ ସ୍ଥାଣୁ ନୁହେଁ କି ନୈତିକତା ସ୍ଥାଣୁ ନୁହେଁ । ସମାଜ ଯେପରି ବଦଳୁଛି, ନୈତିକତା ମାନଦଣ୍ଡ ମଧ୍ୟ ସେହିପରି ବଦଳୁଛି । ତେଣୁ ନୂତନ ମାନଦଣ୍ଡରୁ ନୈତିକତାକୁ ବିଚାର କରିବାକୁ ହେବ । ପୁଣି ଜନ୍ମ-ନିରୋଧ ଯୋଗୁଁ ଖାଲି ନୈତିକ ଅଧୋଗତି ହେଉ ନାହିଁ । ଯେଉଁ ଅଞ୍ଚଳରେ ଜନ୍ମ-ନିରୋଧ ନାହିଁ, ସେଠିତ ପୁଣି ନୈତିକ ଅଧୋଗତି ଦେଖାଯାଉଛି । ତେଣୁ ନୈତିକ ଅଧୋଗତିର ପ୍ରକୃତ କାରଣ ନିର୍ଣ୍ଣାୟ କରି ସେଥିପାଇଁ ଔଷଧର ବ୍ୟବସ୍ଥା କରିବା ଉଚିତ୍ ।

 

ଜନ-ନିୟନ୍ତ୍ରଣ ବିରୁଦ୍ଧରେ ଆଉ ମଧ୍ୟ ଏକ ଯୁକ୍ତି ଦେଖାଯାଏ । ପ୍ରସିଦ୍ଧ ନାଟ୍ୟକାର ବର୍ଣ୍ଣାଡ଼ଶଙ୍କ ମତରେ ଜନ-ନିୟନ୍ତ୍ରଣ କରି ଯେଉଁ ଛୁଆର ଜନ୍ମକୁ ଆମେ ନିରୋଧ କରୁଛେ, ସେ ହୁଏତ ସମାଜର ଜଣେ ବିଶିଷ୍ଟ ଲୋକ ହୋଇପାରିଥାନ୍ତେ । ଏ କଥା ସତ ହୋଇପାରେ । କିନ୍ତୁ ଆମ ଦେଶର ଅନେକ ଲୋକ ସମାଜର ସୁବିଧା ଓ ସୁଯୋଗ ନ ପାଇ ଯେ ବଡ଼ ହୋଇ ପାରୁନାହାନ୍ତି, ଏଥିରେ କ’ଣ ସନ୍ଦେହ ଅଛି ? ବଣର ମଲ୍ଲୀପରି ସେମାନେ ବଣରେ ଫୁଟି ମିଳେଇ ଯାଉଛନ୍ତି ସେମାନଙ୍କର ପ୍ରତିଭା ବିକଶିତ ହୋଇପାରୁନାହିଁ । ସେମାନଙ୍କୁ ଉପଯୁକ୍ତ ସୁବିଧା ଓ ସୁଯୋଗ ଦେଲେ, ସେମାନଙ୍କ ଭିତରୁ ଅନେକ ଲୋକ ସମାଜରେ ବିଶିଷ୍ଟ ସ୍ଥାନ ହାସଲ କରି ପାରିବେ । ସେମାନଙ୍କୁ ଉପଯୁକ୍ତ ସୁବିଧା ଓ ସୁଯୋଗ ଦେବାପାଇଁ ଜନ୍ମନିୟନ୍ତ୍ରଣର ବ୍ୟବସ୍ଥା କରାଯିବା ଉଚିତ । ଯେଉଁ ପରିବାରରେ ଅଧିକ ପିଲା, ସେ ପରିବାରରେ ପିଲାମାନେ ବେଶୀ ଅବହେଳିତ । ଅବହେଳା ଓ ଅଯତ୍ନ ଫଳରେ ସେମାନଙ୍କର ପ୍ରତିଭାର ବିକାଶ ହୋଇପାରେ ନାହିଁ-। ଜନ୍ମ-ନିୟନ୍ତ୍ରଣ ଫଳରେ ପିଲାଙ୍କ ପ୍ରତି ଯତ୍ନ ବଢ଼ିବ ସେମାନଙ୍କ ଉନ୍ନତି ପାଇଁ ବେଶୀ ଦୃଷ୍ଟି ଦିଆଯିବ । ପୁଣି ଇଂଲଣ୍ଡ ଓ ଆମେରିକା ପ୍ରଭୃତିରେ ଜନସମସ୍ୟା ବିଷୟରେ ଯେଉଁସବୁ ଗବେଷଣା ହୋଇଛି, ସେଥିରୁ ମଧ୍ୟ ଜଣାପଡ଼ୁଛି ଯେ ପ୍ରୌଢ଼ ବୟସର ସନ୍ତାନଠାରୁ ଯୌବନର ସନ୍ତାନ ଅଧିକ ଭଲ । ତେଣୁ ଜନ-ନିୟନ୍ତ୍ରଣ ଫଳରେ ବିଶିଷ୍ଟ ଲୋକଙ୍କର ଅଭାବ ପଡ଼ିବ ବୋଲି ଭାବିବା ମଧ୍ୟ ଠିକ୍‍ ନୁହେଁ । ସ୍ତ୍ରୀ ଲୋକମାନଙ୍କର ସ୍ଵାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଜନ-ନିୟନ୍ତ୍ରଣ ଆବଶ୍ୟକ-। ଆମ ଦେଶରେ ସ୍ୱାସ୍ଥ୍ୟର ଅବସ୍ଥା ଯାହା ଓ ସ୍ତ୍ରୀଲୋକମାନେ ଗୋଟିଏ ଦୁଇଟି ସନ୍ତାନ ଜନ୍ମକରି ସାରିଲାପରେ ଯେପରି ରୁଗଣ ଓ ଦୁର୍ବଳ ହୋଇପଡ଼ନ୍ତି, ସେପରି ଅବସ୍ଥାରେ ଜନ-ନିୟନ୍ତ୍ରଣ କରି କେତେକାଂଶରେ ଜନ୍ମ-ନିରୋଧ କଲେ ସ୍ତ୍ରୀ ଓ ପିଲାମାନଙ୍କର ସ୍ୱାସ୍ଥ୍ୟର ଯେ ଉନ୍ନତି ହେବ, ଏଥିରେ କୌଣସି ସନ୍ଦେହ ନାହିଁ । ଆମ ଦେଶରେ ଲୋକମାନଙ୍କର ମୃତ୍ୟୁହାର ଖୁବ ଅଧିକ । ଡାକ୍ତର, ନର୍ସ ଓ ଡାକ୍ତରଖାନା ଅଭାବରୁ ଅନେକ ସ୍ତ୍ରୀଲୋକ ପ୍ରସବ ସମୟରେ ଉପଯୁକ୍ତ ଡାକ୍ତର ପରାମର୍ଶ ବା ସାହାଯ୍ୟ ନ ପାଇପାରି ମୃତ୍ୟୁମୁଖରେ ପଡ଼ନ୍ତି । ଆମ ଦେଶରେ ୮ହଜାର ଲୋକରେ ଜଣେ ଡାକ୍ତର, ୮୦ହଜାର ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଜଣେ ଧାଈ ଓ ହଜାର ଲୋକଙ୍କ ପାଇଁ ଡାକ୍ତରଖାନାରେ ମୋଟ ୦.୨୪ ଶଯ୍ୟା । ଏଥିରେ ଗର୍ଭବତୀ ସ୍ତ୍ରୀମାନଙ୍କର ଉପଯୁକ୍ତ ଚିକିତ୍ସା କରାଯାଇ ପାରିବ ବୋଲି ଭାବିବା ମଧ୍ୟ ଠିକ ନୁହେଁ । ସେଥିପାଇଁ ଅନେକ ସ୍ତ୍ରୀଲୋକ ଗର୍ଭଜନିତ କଷ୍ଟରୁ ମୃତ୍ୟୁ ମୁହଁକୁ ଯାନ୍ତି–ଅଧିକ ଶିଶୁହତ୍ୟା ମଧ୍ୟ ହୁଏ । ଇଂଲଣ୍ଡରେ ହଜାରକେ ଶିଶୁହତ୍ୟା ସଂଖ୍ୟା ମୋଟେ ଚାରି କିନ୍ତୁ ଆମର ହଜାରକେ ୧୬୦ । ଶିଶୁସଂଖ୍ୟା ବଢ଼ାଇ ସେମାନଙ୍କୁ ମୃତ୍ୟୁମୁହଁକୁ ଠେଲିଦେଲେ ପ୍ରତିଭାର ବିକାଶ ହେବ ନାଁ ନିକାଶ ହେବ ? ତେଣୁ ଆମର ମତ ଯେ ଜନନିୟନ୍ତ୍ରଣ ପନ୍ଥା ଅବଲମ୍ବନ କରି ଅଳ୍ପ ପିଲା ଯେପରି ଜନ୍ମହେବେ ସେଥିପାଇଁ ଯୋଗାଡ଼ କରିବା ଓ ସେମାନଙ୍କର ଉପଯୁକ୍ତ ଯତ୍ନନେବା ଆମଦେଶ ପକ୍ଷରେ ପ୍ରଧାନ କର୍ତ୍ତବ୍ୟ ।

 

ଆଉ ଗୋଟିଏ କଥା। ଯେଉଁମାନେ ଭାରତରେ ଜନ-ନିୟନ୍ତ୍ରଣର ଆବଶ୍ୟକତା ଅଛି ବୋଲି ବିଶ୍ଵାସ କରନ୍ତି, ସେମାନେ ମଧ୍ୟ କହିବାର ଶୁଣାଯାଏ ଯେ ଓଡ଼ିଶାରେ ଜନ-ନିୟନ୍ତ୍ରଣର ପ୍ରୟୋଜନ ନାହିଁ । ଓଡ଼ିଶା ପ୍ରଶ୍ନ ଏକ ସ୍ଵତନ୍ତ୍ର ପ୍ରଶ୍ନ । କାରଣ ଓଡ଼ିଶାରେ ଜନ ବୃଦ୍ଧିହାର ଖୁବ କମ୍ । ଗତ୧୦ବର୍ଷ ଭିତରେ ଓଡ଼ିଶାରେ ଜନସଂଖ୍ୟା ଶତକରା ମୋଟେ ୬ଭାଗ ବଢ଼ିଛି । କିନ୍ତୁ ଏହି ହିସାବ ନେଇ ଖୁସି ହେବାର କୌଣସି କାରଣ ନାହିଁ । କାରଣ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ମୃତ୍ୟୁହାର ମଧ୍ୟ ଅଧିକ । ତେଣୁ ଆମର ଜନବୃଦ୍ଧି ହାର କମ୍ । ପୁଣି ଆମର ଆର୍ଥନୀତିକ ଅବସ୍ଥା ଅନ୍ୟ ରାଜ୍ୟ ଅପେକ୍ଷା ଖରାପ । ଆର୍ଥିନୀତିକ ଅବସ୍ଥାର ଉନ୍ନତି ପାଇଁ, ଜନ୍ମ ଓ ମୃତ୍ୟୁହାର କମାଇବା ପାଇଁ ଜନ-ନିୟନ୍ତ୍ରଣ ଆମର ଦରକାର । ଏକଥା ମଧ୍ୟ କୁହାଯାଏ ଯେ ଆମର ଜନବସତି କମ ତେଣୁ ଜନ-ନିୟନ୍ତ୍ରଣ ଦରକାର ନାହିଁ । କିନ୍ତୁ ଆମର ଉପତ୍ୟକା ଆଳରେ ଜନବସତି ଖୁବ ଅଧିକା–ମାଇଲ୍ ପିଛା ପ୍ରାୟ ୪୫୦ । ଆମର ଆର୍ଥନୀତିକ ଅବସ୍ଥାକୁ ଚାହିଁଲେ, ଏହି ଜନବସତି ଯଥେଷ୍ଟ ଅଧିକ ବୋଲି ଧରାଯାଇପାରେ । ଅବଶ୍ୟ ଓଡ଼ିଶାରେ କେତେକ ଅଞ୍ଚଳ ଅଛି ଯେଉଁଠି କି ଜନବସତି କମ୍ । ସେ ସବୁ ଅଞ୍ଚଳକୁ ଉପତ୍ୟକାଅଞ୍ଚଳରୁ ଲୋକ ଉଠାଇ ପାରିଲେ ଜନସମସ୍ୟା କେତେକ ସମସ୍ୟା ସମାଧନ ହୋଇପାରନ୍ତା । କିନ୍ତୁ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଲୋକ ପଠାଇବା ସହଜ ନୁହେଁ ବୋଲି ଆଗରୁ କୁହାଯାଇଛି । ପୁଣି କମ୍ ଥିବା ଜନବସତି ଅଞ୍ଚଳରେ ଜନସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଆର୍ଥନୀତିକ ଭିତ୍ତିକୁ ମଜ୍‍ବୁତ କରିବା ପାଇଁ ଜନ-ନିୟନ୍ତ୍ରଣ ଯୋଜନା ଓଡ଼ିଶାରେ ମଧ୍ୟ ଦରକାର ।

 

ଜନ-ନିୟନ୍ତ୍ରଣ ଯୋଜନା ଫଳରେ କେବଳ ଶିକ୍ଷିତ, ଧନୀ ମଧ୍ୟବିତ୍ତ ଶ୍ରେଣୀ ପରିବାରର ନିୟନ୍ତ୍ରଣ ହେବ ବୋଲି କୁହାଯାଏ । କିନ୍ତୁ ଗରିବ ଜନସାଧାରଣଙ୍କ ପରିବାରର ନିୟନ୍ତ୍ରଣ ହୋଇପାରିବ ନାହିଁ । ଫଳରେ ଜନସମସ୍ୟା ଆହୁରି ଉତ୍କଟ ଆକାର ଧାରଣ କରିବ ବୋଲି କେତେକ ମତ ପ୍ରକାଶ କରିଛନ୍ତି । ଯେଉଁମାନେ ଦରିଦ୍ର, ଯେଉଁମାନଙ୍କୁ ପୁରାଖାଦ୍ୟ ମିଳୁନାହିଁ, ସେମାନେ କଣ ପଇସାଦେଇ ଜନ୍ମ-ନିୟନ୍ତ୍ରଣ ଜିନିଷ କିଣି ପାରିବେ ? ପୁଣି ଯେଉଁମାନେ ଅଶିକ୍ଷତ, ସେମାନେ ଏଇ ସବୁ ଜିନିଷ ବ୍ୟବହାର କରିବାକୁ ଶିଖିବେ କିପରି ? ତେଣୁ ସେମାନେ ଜନ-ନିୟନ୍ତ୍ରଣ ପନ୍ଥା ଗ୍ରହଣ କରିପାରିବେ ନାହିଁ ଫଳରେ ସେମାନଙ୍କର ପରିବାର ବଢ଼ିବ ଓ ଯେଉଁମାନେ ପରିବାରରେ ଅଧିକ ଲୋକ ଚଳେଇ ପାରିବେ, ସେମାନଙ୍କର ପରିବାର କମିବ । ଏ ଯୁକ୍ତିରେ ଅନେକ ସତ୍ୟତା ଅଛି । ଜନ-ନିୟନ୍ତ୍ରଣର ଉପକାରିତା ଯଦି ମାନି ନିଆଯାଏ, ତାହେଲେ ଜନ-ନିୟନ୍ତ୍ରଣ କିପରି ସାର୍ବଜନୀନ ହେବ, ସେଥିପାଇଁ ସଂଗଠନ କରିବାକୁ ପଡ଼ିବ । ହୁଏତ ସରକାର ଏ ଦିଗରେ ଯୋଜନା କରି ଶସ୍ତାରେ ଜନ-ନିୟନ୍ତ୍ରଣ ପାଇଁ ଦରକାରୀ ଜିନିଷ ବିକ୍ରି କରିବାର ବ୍ୟବସ୍ଥା କରିବେ କିମ୍ବା କେତେକ କ୍ଷେତ୍ରରେ ମାଗଣା ବାଣ୍ଟିବାର ଯୋଗାଡ଼ କରିବେ । ଯେଉଁ ଦାରିଦ୍ୟ ପାଇଁ ଜନ-ନିୟନ୍ତ୍ରଣ ପନ୍ଥା ସଫଳ ହୋଇପାରିବ ନାହିଁ ବୋଲି କୁହାଯାଉଛି, ସେହି ଦାରିଦ୍ର୍ୟ ଦୂରକରିବା ପାଇଁ ଜନ-ନିୟନ୍ତ୍ରଣ ପନ୍ଥା ଏକାନ୍ତ ଦରକାର । ପ୍ରଥମେ ଏ ଦିଗରେ ଅନୁକୂଳ ଜନମତ ସୃଷ୍ଟି ହୋଇପାରିଲେ, ଜନ-ନିୟନ୍ତ୍ରଣର ସଫଳତା ପାଇଁ ଉପଯୁକ୍ତ ଉଦ୍ୟମ ଓ ସଂଗଠନ ଗଢ଼ି ଉଠିବ ବୋଲି ଆମର ବିଶ୍ୱାସ । ସମାଜର ଆଗ୍ରହ ଉପରେ ସଂଗଠନର ସଫଳତା ନିର୍ଭର କରେ । ତେଣୁ ଜନ-ନିୟନ୍ତ୍ରଣ ପାଇଁ ଅନୁକୂଳ ବାୟୁମଣ୍ଡଳ ସୃଷ୍ଟି କରିବାରେ ପ୍ରଥମେ ଉଦ୍ୟମ କରାଯାଉ ।

☆☆☆

 

କୁଟୀରଶିଳ୍ପ ଓ ଗ୍ରାମ୍ୟଶିଳ୍ପ

 

ଅତୀତରେ ଭାରତର କୁଟୀରଶିଳ୍ପ ଓ ଗ୍ରାମ୍ୟଶିଳ୍ପ ଅତି ଉଚ୍ଚସ୍ଥାନ ଅଧିକାର କରିଥିଲେ ବୋଲି ଅନେକ ଐତିହାସିକ ମତ ଦେଇ ଯାଇଛନ୍ତି ।

 

୧୯୧୮ ମସିହାର ଶିଳ୍ପ କମିଶନ ଯେଉଁ ରିପୋର୍ଟ ଦେଇଥିଲେ, ସେଇ ରିପୋର୍ଟରେ ପ୍ରକାଶ କରିଥିଲେ : ‘At a time when the west of Europe, the birth-place of modern industrial system, was inhabited by uncivilised tribes, India was famous for the wealth of her rulers and for the high artistic skill of her craftsmen', ଅର୍ଥାତ ଯେଉଁ ପଶ୍ଚିମ ଇଉପରୋପରୁ ଆଧୁନିକ ଶିଳ୍ପର ଜନ୍ମ ହୋଇଛି, ସେହି ଇଉରୋପ ଯେତେବେଳେ ଅନ୍ଧାରରେ ବୁଡ଼ି ରହିଥିଲା, ସେତେବେଳେ ଭାରତଧନ ଦଉଲତରେ ଭରପୂର ହୋଇ ରହିଥିଲା ।

 

ଭାରତର କାରିଗରୀମାନଙ୍କର କଳା କୁଶଳତା ପୃଥିବୀରେ ଖ୍ୟାତି ଅର୍ଜନ କରିଥିଲା । ଏପରିକି ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷ ପୂର୍ବେ ଇଜିପ୍‍ଟର ଲୋକମାନେ ଭାରତୀୟ ମସଲିନ ବ୍ୟବହାର କରୁଥିଲେ ବୋଲି ରାନାଡ଼େ ମଧ୍ୟ ଉଲ୍ଲେଖ କରି ଯାଇଛନ୍ତି । ଇତିହାସରୁ ଉଦାହରଣ ଖୋଜି ଅତୀତର ଗୌରବ ପ୍ରମାଣ କରିବା ଦରକାର ନାହିଁ । କାରଣ ଏହା ସର୍ବବାଦୀ ସମ୍ମତ । କିନ୍ତୁ ଯେଉଁ ଭାରତ ଦିନେ ଏହି ଶିଳ୍ପରେ ଶୀର୍ଷସ୍ଥାନ ଅଧିକାର କରିଥିଲା, ବ୍ରିଟିଶ ଅମଳରେ ତାର କୁଟୀର ଶିଳ୍ପ ଓ ଗ୍ରାମ୍ୟଶିଳ୍ପର ପତନ ଘଟିଲା ।

 

କୁଟୀର ଶିଳ୍ପର ପତନ

 

ଏଥିପାଇଁ କାରଣ ଖୋଜି ବସିଲେ ଅନେକ ବାହାରିବ । ପ୍ରଥମତଃ ବ୍ରିଟିଶ ଶାସନ ଅମଳରେ ଆମ ଦେଶର ରାଜରାଜୁଡ଼ାଙ୍କ ପ୍ରତିପତ୍ତି ଲୋପ ପାଇଲା । ଶାସନ କ୍ଷେତ୍ରରେ ଏମାନଙ୍କ ଅତ୍ୟାଚାର ଇତିହାସ ପ୍ରସିଦ୍ଧ ହେଲେ ମଧ୍ୟ, କଳାର ବିକାଶ ଦିଗରେ ଏ ମାନଙ୍କର ଦାନ କମ୍‍ ନ ଥିଲା । ଏମାନଙ୍କ ହାତରେ ପ୍ରଚୁର ଅର୍ଥ ଥିଲା । ଏହି ଅର୍ଥ ଖର୍ଚ୍ଚ କରି ଏମାନେ କଳାର କୀର୍ତ୍ତି ସ୍ଥାପନ କରି ଯାଉଥିଲେ । କାରିଗରମାନେ ନିଜର କଳା କୌଶଳରେ ଯେଉଁ ସୁନ୍ଦର ସୁନ୍ଦର ଜିନିଷ ସବୁ ତିଆରି କରୁଥଲେ, ରାଜା ମହାରାଜାମାନେ ସେଗୁଡ଼ିକୁ କ୍ରୟ କରୁଥିଲେ। ତେଣୁ ହସ୍ତଶିଳ୍ପର ପ୍ରସାର ହୋଇପାରୁଥିଲା । ଏମାନଙ୍କ ଆଡ଼ମ୍ବର ପୂର୍ଣ୍ଣ ଜୀବନ ଜନସାଧାରଣଙ୍କର କ୍ଷତି କରୁଥିଲେ ମଧ୍ୟ, ହସ୍ତଶିଳ୍ପ, କୁଟୀର ଶିଳ୍ପ ବା ଗ୍ରାମ୍ୟଶିଳ୍ପର ପ୍ରସାର ଦିଗରେ ରାଜ ପରିବାରର ଆଡ଼ମ୍ବର ସାହାଯ୍ୟ କରୁଥଲା । କିନ୍ତୁ ବ୍ରିଟିଶ ଅମଳରେ ଏମାନଙ୍କର କ୍ଷମତାର ହାସଲ ହେଲା । ଧନ ସମ୍ପତ୍ତିରେ ଆଞ୍ଚ ଆସିଲା । ଏମାନେ ଦେଶ ତିଆରି ଜିନିଷ ପଛରେ ନ ଧାଇଁ ବିଦେଶୀ ଶାସକମାନଙ୍କର ଅନୁକରଣ କରିବାକୁ ଲାଗିଲେ । କେବଳ ରାଜରାଜୁଡ଼ା ନୁହନ୍ତି, ଆମ ଦେଶର ଶିକ୍ଷିତ ଲୋକମାନେ ମଧ୍ୟ ପାଶ୍ଚାତ୍ୟ ଢାଞ୍ଚାରେ ଶିକ୍ଷା ପାଇ ଶାସକମାନଙ୍କୁ ଅନୁକରଣ କଲେ । ଶାସକ ଅନୁଯାୟୀ ଚଳିବା ଯୁଗଧର୍ମ ବୋଲି ଧରାଗଲା । ଶାସକମାନେ ଯେଉଁ ସବୁ ପ୍ରକାର ଜିନିଷ ବ୍ୟବହାର କଲେ, ଆମର ଶିକ୍ଷିତ ଲୋକମାନେ ସେଇ ପ୍ରକାର ଜିନିଷ ପଛରେ ଧାଇଁଲେ । ଶାସକମାନଙ୍କୁ ସନ୍ତୋଷ କରି ସେମାନଙ୍କର ଅନୁଗ୍ରହ ଲାଭ କରିବା ପାଇଁ ଅନୁକରଣ ମନୋବୃତ୍ତି ବୃଦ୍ଧି ପାଇଲା । ତେଣୁ ଦେଶୀ ଜିନିଷର ଚାହିଦା କମିବାରେ ଲାଗିଲା । ତୃତୀୟରେ ବିଦେଶୀ ସରକାର ମଧ୍ୟ ଆମ ଦେଶର ହସ୍ତଶିଳ୍ପ ବିରୁଦ୍ଧରେ ଚାଲିଲେ । ସେମାନେ ଏ ଦେଶକୁ ବ୍ୟବସାୟ କରି ଲାଭ ଉଠାଇବାକୁ ଆସିଲେ । ହସ୍ତଶିଳ୍ପର ପ୍ରସାର ହେଲେ, ସେମାନଙ୍କୁ ଜିନିଷ ବିକ୍ରି ହୋଇପାରିବ ନାହିଁ । ତେଣୁ ଦେଶ ଜିନିଷ କିପରି ତିଆରି ନ ହୋଇ ପାରିବ, ସେଥିପାଇଁ ଅନେକ ଚେଷ୍ଟା କଲେ । କଥା ଅଛି ଯେ ଢାକାର ମସଲିନ୍ ତିଆରି କରୁଥିବା ଲୋକମାନଙ୍କର ବୁଢ଼ା ଆଙ୍ଗୁଠି କମ୍ପାନୀ ଅମଳରେ କାଟି ଦିଆଯାଉଥିଲା । ଏକଥା ବିଶିଷ୍ଟ ଐତିହାସିକମାନେ ମଧ୍ୟ ଲେଖିଛନ୍ତି । ସରକାରଙ୍କର ବିରୋଧ ନୀତି ଫଳରେ ଆମ ଦେଶରେ ଗ୍ରାମ୍ୟ ଶିଳ୍ପ ଉଧେଇ ପାରିଲା ନାହିଁ । ପୁଣି ସେମାନେ କଳ ଜିନିଷ ଆଣି ଦେଶରେ ବିକ୍ରିକଲେ । କଳରେ ଜିନିଷ ତିଆରି ହେଲେ ଖର୍ଚ୍ଚ କମ ପଡ଼େ । କାରଣ କଳରେ ଏକାଥରକେ ଅନେକ ଜିନିଷ ଉତ୍ପନ୍ନ କରା ଯାଇପାରେ । ଯେଉଁମାନେ ଦେଶପ୍ରୀତି ଯୋଗୁଁ ବା ହସ୍ତକୌଶଳ ଦେଖି ହସ୍ତଶିଳ୍ପ ଜିନିଷ କିଣୁଥିଲେ, ସେମାନେ ବେଶୀଦିନ ସମ୍ଭାଳି ପାରିଲେ ନାହିଁ । ଶସ୍ତା ଆଡ଼କୁ ମନ ଧାଇଁବା ସ୍ଵାଭାବିକ । ତେଣୁ ଆମଦେଶର ଗ୍ରାମ୍ୟଶିଳ୍ପ ମଉଳି ଗଲା । କଳକାରଖାନା ଜିନିଷ ଗାଁଗଣ୍ଡାକୁ ବ୍ୟାପିଗଲା ।

 

କଳକାରଖାନା ଓ ଗ୍ରାମ୍ୟଶିଳ୍ପ–

 

ଏବେ ବିଦେଶୀ ସରକାର ଚାଲି ଯାଇଛନ୍ତି । ଆମ ଦେଶର ଲୋକେ ଆମ ଦେଶର ଶାସନ ପରିଚାଳନା କରୁଛନ୍ତି । କିନ୍ତୁ କଳ କାରଖାନା ଉଠିଯାଇ ନାହିଁ । ସେତେବେଳେ ଆମ ଦେଶର କଞ୍ଚାମାଲ ଇଂଲଣ୍ଡର କଳରେ ପଡ଼ି ଜିନିଷ ତିଆରି ହୋଇ ଆମ ଦେଶରେ ବିକ୍ରି ହେଉଥିଲା । ଏବେ ଆମ ଦେଶରେ କଳକାରଖାନାରେ ଜିନିଷ ପତ୍ର ଉତ୍ପନ୍ନ ହେଉଛି । ସରକାରଙ୍କ ଯୋଜନା ଅନୁସାରେ ନୂଆ ନୂଆ କଳକାରଖାନା ବସୁଛି । ଏପରି ଅବସ୍ଥାରେ ବା ଗ୍ରାମ୍ୟଶିଳ୍ପ ବା ହସ୍ତଶିଳ୍ପର ପ୍ରସାର କିପରି ହେବ ବୋଲି ଅନେକ ପ୍ରଶ୍ନ ପଚାରୁଛନ୍ତି । କିନ୍ତୁ ଏ ଭିତରେ ଉତ୍ପାଦନ ପ୍ରଣାଳୀ ମଧ୍ୟ ବଦଳି ଯାଇଛି । ଶିଳ୍ପ ବିପ୍ଳବ ସମୟରେ କଳକାରଖାନା ଷ୍ଟିମସାହାଯ୍ୟରେ ଚାଲୁଥିଲା-। ଏବେ ଇଲେକ୍‍ଟ୍ରିସିଟି ଚାରିଆଡ଼େ ପ୍ରଚଳନ ହୋଇଗଲାଣି । ଇଲେକ୍‍ଟ୍ରିସିଟି ସହଜରେ ଓ ଅଳ୍ପ ଖର୍ଚ୍ଚରେ ବିଭିନ୍ନ ଜାଗାକୁ ନେଇ ହେବ । ତେଣୁ ଗାଁଗଣ୍ଡା ଭିତରକୁ ମଧ୍ୟ ଇଲେକ୍‍ଟ୍ରିସିଟି ନେଇ ଇଲେକ୍‍ଟ୍ରିସିଟି ସାହାଯ୍ୟରେ ଉତ୍ପାଦନ କରିହେବ । ଏଥିରେ ଅଧିକା ଖର୍ଚ୍ଚ ହେବ ନାହିଁ-। ଅନ୍ତତଃ ଗ୍ରାମ୍ୟଶିଳ୍ପ ଓ ସହରଶିଳ୍ପ ଭିତରେ ବିଜୁଳି ଖର୍ଚ୍ଚ ନେଇ ଫରକ ଆସିବ ନାହିଁ । ପୁଣି ବଡ଼ଧରଣର କଳ ଯୋଗୁଁ ବଡ଼ ଧରଣର କାରଖାନା ଦରକାର । କଳ ବଡ଼ ହେଲେ, ବେଶୀ ଉତ୍ପାଦନ କରିହୁଏ । କମ୍ ଉତ୍ପାଦନ କଲେ ଖର୍ଚ୍ଚ ଅଧିକ ପଡ଼େ । ପୂର୍ବକାଳରେ ଏହି ବଡ଼ଧରଣର କଳ କେବଳ ତିଆରି ହେଉ ବୋଲି ଏକାଠି ବେଶୀ ଉତ୍ପାଦନ କରିବା ଲାଭଜନକ ହେଉଥିଲା ଏବେ ଛୋଟ ଛୋଟ କଳ ତିଆରି ହେଲାଣି । ଏକ ଛୋଟ ହଲର୍‍ ନେଇ ଗାଁଗଣ୍ଡାରେ ବସାଇ ହଲର୍‍ ସାହାଯ୍ୟରେ ଧାନରୁ ଚାଉଳ କରିବାରେ ବେଶି ଖର୍ଚ୍ଚ ପଡ଼ୁନାହିଁ । ହଲର୍ ଦାମ ମଧ୍ୟ କମ୍‍ଥିବାରୁ ଚାଷୀ ଲୋକମାନେ ଚାଷ ସହିତ ଏ ବ୍ୟବସାୟ ଯୋଡ଼ି ପାରୁଛନ୍ତି । ତେଣୁ ଯେତେବେଳେ କଳର ଆକାର ଓ ଦାମ୍ କମିବାରେ ଲାଗିଛି, ସେତେବେଳେ ଗ୍ରାମ୍ୟଶିଳ୍ପ ବିକାଶ କରିବାରେ କିଛି ଅସୁବିଧା ନାହିଁ । ତୃତୀୟରେ ଶିଳ୍ପ ପରିଚାଳନା ପାଇଁ ଯେଉଁ କାରିଗରୀ ଜ୍ଞାନ ଦରକାର, ତା ଆଜିକାଲି ସହର ଭିତରେ ଆବଦ୍ଧ ନାହିଁ । ପୂର୍ବକାଳରେ ବୈଜ୍ଞାନିକ ଜ୍ଞାନ କେତେଜଣଙ୍କର ଏକଚାଟିଆ ବ୍ୟବସାୟ ଥିଲା । ଏବେ ଏହା ସର୍ବସାଧାରଣ ଧନ । ଯେ ଚେଷ୍ଟା କରିବ, ସେ କିଛି ହାସଲ କରିପାରିବ । ଏଥିପାଇଁ ଉଦ୍ୟମ ହେଲେ ହେଲା । ତେଣୁ ଆମର କେତେକ ଲୋକଙ୍କୁ ଟ୍ରେନିଂ ଦେଇ ଯଦି ମଫସଲକୁ ପଠାଯାଏ, ତାହାହେଲେ ସେମାନେ ବୈଜ୍ଞାନିକ ଉପାୟରେ ହସ୍ତଶିଳ୍ପ ମଧ୍ୟ ପରିଚାଳନା କରିପାରିବେ । ଗ୍ରାମ୍ୟଶିଳ୍ପକୁ ସମବାୟ ସୂତ୍ରରେ ସଂଗଠନ କରିପାରିଲେ, କଳକାରଖାନା ଜିନିଷର ପ୍ରତିଯୋଗିତା ଯୋଗୁ ଗ୍ରାମଶିଳ୍ପର ପତନ ହେବ ନାହିଁ । ସେ କଥା ପରେ ଆସୁଛି । ତେବେ ଏତିକି ଏଠି କୁହାଯିବ ସେ କଳକାରଖାନା ସହିତ ଗ୍ରାମ୍ୟଶିଳ୍ପ ଓ ହସ୍ତଶିଳ୍ପ ମଧ୍ୟ ଚଳିପାରିବ । ଅନ୍ୟାନ୍ୟ ଶିଳ୍ପପ୍ରଧାନ ଦେଶମାନଙ୍କରେ ମଧ୍ୟ ଏହା ସମ୍ଭବ ହୋଇପାରିଛି । ଜାପାନ ଗୋଟିଏ ଶିଳ୍ପପ୍ରଧାନ ଦେଶ ବୋଲି ସମସ୍ତେ ଜାଣନ୍ତି । ଯେତେ ଶ୍ରମିକଶିଳ୍ପରେ କାମ କରନ୍ତି, ତାର ଅଧାରୁ ଅଧିକ ଲୋକ ଏହି କ୍ଷୁଦ୍ରଶିଳ୍ପରେ କାମ କରନ୍ତି । ଆମେରିକା ପରି ଶିଳ୍ପପ୍ରଧାନ ଦେଶରେ ମଧ୍ୟ ୧୯୪୮ମସିହାରେ ୩୮ଲକ୍ଷ ଶିଳ୍ପ ଅନୁଷ୍ଠାନ ଥିଲା ଯେଉଁଥିରେ କି ଜଣକରୁ ୪ଜଣ ପର୍ଯ୍ୟନ୍ତ ଶ୍ରମିକ କାମ କରୁଥିଲେ । ୧୯୪୯ମସିହା ଡିସେମ୍ବର ୩ ତାରିଖ ଓ ୧୯୫୦ମସିହା ଫେବୃୟାରୀ ୪ ତାରିଖରେ “The London Economist” ଆମେରିକାର କ୍ଷୁଦ୍ରଶିଳ୍ପ ବିଷୟରେ ଯାହା ଲେଖିଛନ୍ତି, ତାହା ଆମେ ନିମ୍ନରେ ଉଦ୍ଧାର କରୁଛୁ ।

 

"Small business makes up 92. 5 p. c. of U. S. business establish- ments, employs 45 p. c. ofthe country's workers, and handles 34. p. c. ofits volume of business”.

 

ଆମେରିକା ପରି ଶିଳ୍ପପ୍ରଧାନ ଦେଶରେ ଯଦି କ୍ଷୁଦ୍ରଶିଳ୍ପ ସମ୍ଭବ ହୋଇପାରୁଛି, ଆମ ଏଠି ନ ହୋଇପାରିବ କାହିଁକି ?

 

କ୍ଷୁଦ୍ର ଶିଳ୍ପର ବିଶେଷତ୍ଵ–

 

ବୃହତ ଶିଳ୍ପର ପ୍ରସାର ହେଲେ ମଧ୍ୟ ଆମେରିକା ପରି ଶିଳ୍ପପ୍ରଧାନ ଦେଶରେ ଯେ କ୍ଷୁଦ୍ରଶିଳ୍ପ ତିଷ୍ଠି ରହିପାରୁଛି, ତା’ର କାରଣ ଏହିଯେ କ୍ଷୁଦ୍ର ଶିଳ୍ପରେ ବଣ୍ଟନ ଖର୍ଚ୍ଚ ଖୁବ କମ୍‍ । କାରଣ କ୍ଷୁଦ୍ର ଶିଳ୍ପର ଉତ୍ପାଦନ-ଅଞ୍ଚଳ ଓ ବଣ୍ଟନ-ଅଞ୍ଚଳରେ ବେଶୀ ପାର୍ଥକ୍ୟ ରହେ ନାହିଁ । ଦ୍ଵିତୀୟରେ କ୍ଷୁଦ୍ରଶିଳ୍ପର ଉତ୍ପାଦନ ପ୍ରଣାଳୀ ଏପରି ଯେ, ଲୋକମାନଙ୍କର ଚାହିଦା ଅନୁଯାୟୀ ଜିନିଷ ଉତ୍ପାଦନ କରାଯାଇପାରିବ । ଫେଶନ ଯେପରି ବଦଳୁଛି, ମନୁଷ୍ୟମାନଙ୍କର ଚାହିଦା ମଧ୍ୟ ସେଇପରି ବଦଳୁଛି । କିନ୍ତୁ ବୃହତ ଶିଳ୍ପରେ ଉତ୍ପାଦନ ପ୍ରଣାଳୀ ସହଜେ ବଦଳେଇ ହୁଏ ନାହିଁ । ସେ ଦୃଷ୍ଟିରୁ କ୍ଷୁଦ୍ରଶିଳ୍ପର ଅନେକ ସୁବିଧା ଅଛି । ପୁଣି ଜିନିଷ ପତ୍ର ଉତ୍ପାଦନ ଖର୍ଚ୍ଚ ବିଚାର କଲାବେଳେ ଆମମାନଙ୍କୁ କେବଳ ବ୍ୟବସାୟ ଦୃଷ୍ଟିରୁ ଖର୍ଚ୍ଚ କଥା ବିଚାର ନ କରି, ସାମାଜିକ ଦୃଷ୍ଟିକୋଣରୁ ଖର୍ଚ୍ଚକଥା ମଧ୍ୟ ବିଚାର କରିବାକୁ ପଡ଼ିବ । ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ କ୍ଷୁଦ୍ରଶିଳ୍ପ ଓ ବୃହତ ଶିଳ୍ପ ଭିତରେ ଖର୍ଚ୍ଚନେଇ ବେଶୀ ତାରତମ୍ୟ ଦେଖାଯିବ ନାହିଁ । ବୃହତ ଶିଳ୍ପରେ ଶ୍ରମିକମାନଙ୍କର ବସବାସ ପାଇଁ ଅନେକ ଘରବାଡି ଦରକାର । ଏଥିପାଇଁ ଯେତେଟଙ୍କା ଦରକାର ହେବ, ସେଥିରେ ଅନେକ ଛୋଟଧରଣର ଶିଳ୍ପ ବି ଆରମ୍ଭ କରାଯାଇ ପାରିବ । ପୁଣି ବଡ଼ ବଡ଼ କଳକାରଖାନାରେ ଯେଉଁ ଶ୍ରମିକମାନେ କାମ କରିବେ, ସେମାନେ ସବୁ ସମୟରେ କାମ ନ ପାଇ ପାରନ୍ତି । ସେମାନେ ଯେତେବେଳେ ବେକାର ହୋଇ ବସିବେ, ସେତେବେଳେ ସେମାନଙ୍କ ଭରଣପୋଷଣ ପାଇଁ ମଧ୍ୟ ସରକାର ଓ ଶିଳ୍ପପତିଙ୍କୁ ଟଙ୍କାର ବ୍ୟବସ୍ଥା କରିବାକୁ ପଡ଼ିବ । ଆଉ ଗୋଟିଏ କଥା । ବଡ଼ବଡ଼ କଳକାରଖାନା ହେଲେ, ଶ୍ରମିକମାନଙ୍କୁ ଘରଦ୍ଵାର ଛାଡ଼ି ବିଦେଶରେ କାମ କରିବାକୁ ପଡ଼ିବ । ଏଥିରେ ଅନେକ ଶ୍ରମିକ ମନ ବଳେଇବେ ନାହିଁ । ମନ ବଳେଇଲେ ବି କାମରେ ଆନନ୍ଦ ଅନୁଭବ କରିବେ ନାହିଁ ! ବିଶେଷତଃ କୃଷି-ପ୍ରଧାନ ଦେଶରେ ଏହା ଏକ ବଡ଼ପ୍ରଶ୍ନ । ସେଥିପାଇଁ ଆମ ଦେଶର ଶ୍ରମିକମାନେ କଳକାରଖାନାରେ ସ୍ଥାୟୀ ଭାବରେ କାମ କରନ୍ତି ନାହିଁ । ଏହା ଶିଳ୍ପ ପକ୍ଷରେ ସେତିକି କ୍ଷତିକାରକ, ଏସବୁ ଦୃଷ୍ଟିରୁ କ୍ଷୁଦ୍ରଶିଳ୍ପର ବିକାଶ ନିତାନ୍ତ ଆବଶ୍ୟକ ।

 

କୃଷି ଅର୍ଥନୀତି ଓ ଗ୍ରାମ୍ୟଶିଳ୍ପ–

 

ବିଶେଷତଃ ଆମର କୃଷିପ୍ରଧାନ ଦେଶରେ କ୍ଷୁଦ୍ରଶିଳ୍ପର ଉନ୍ନତି ଏକାନ୍ତ ପ୍ରୟୋଜନ । କୃଷି ବ୍ୟବସାୟ ସବୁଦିନ କାମ ଯୋଗାଇ ପାରେ ନାହିଁ । ଯେଉଁମାନେ କୃଷିରେ କାମ କରନ୍ତୁ, ସେମାନେ ବର୍ଷକୁ ୫୭ମାସ ବେକାର ହୋଇ ରହନ୍ତୁ । ତେଣୁ ଆମ ଦେଶର ଆଂଶିକ ବେକାର ସମସ୍ୟା ଅତକଳ । ଏହା ଆଂଶିକ ବେକାର ସମସ୍ୟା ଦୂର କରିବାକୁ ହେଲେ, କୁଟୀରଶିଳ୍ପ ଓ ଗ୍ରାମ୍ୟ ଶିଳ୍ପର ବିକାଶ ଦରକାର । ତାହେଲେ ଯେଉଁମାନେ କୃଷିରେ କାମ କରୁଛନ୍ତି, ସେମାନେ ବିଶ୍ରାମ ସମୟରେ କୁଟୀର ଶିଳ୍ପରେ କାମ କରିପାରିବେ । କାମ ଖୋଜିବାକୁ ବିଦେଶ ଯିବାକୁ ପଡ଼ିବ ନାହିଁ । ଦ୍ଵିତୀୟରେ କୃଷି ମଧ୍ୟ ଆମ ଦେଶରେ ଏକ ଲାଭଜନକ ବ୍ୟବସାୟ ରୂପେ ଗଣା ଯାଇ ପାରିବ ନାହିଁ । ଏଥିପାଇଁ ଅନେକ ଅସୁବିଧା ଅଛି । ତେଣୁ ଯେଉଁମାନେ କୃଷିରେ କାମ କରୁଛନ୍ତି ବା କୃଷି ଉପରେ ନିର୍ଭର କରୁଛନ୍ତି, ସେମାନଙ୍କର ଆୟ ଅତି କମ୍ । ଏହି ଆୟ ବଢ଼ାଇ ଲୋକମାନଙ୍କର ଅବସ୍ଥା ସୁଧାରିବାକୁ ହେଲେ, କୁଟୀର ଶିଳ୍ପର ଉନ୍ନତି ଦରକାର । ତୃତୀୟରେ ଯେଉଁମାନେ କୃଷିରେ କାମ କରନ୍ତି, ସେମାନେ କୃଷିଜାତ ଦ୍ରବ୍ୟରୁ ଉପଯୁକ୍ତ ଦାମ୍ ଉଠାଇ ପାରନ୍ତି ନାହିଁ । ସହରରେ ଥିବା କଳାକାରଖାନାର ଏଜେଣ୍ଟମାନେ ମଫସଲରେ ବୁଲି ମଫସଲିଆ କୃଷି ଜୀବୀମାନଙ୍କଠାରୁ କଞ୍ଚାମାଲ କିଣିନେଇ ସହରରେ ଥିବା କଳାକାରଖାନାରେ ପକାଇ ବିଭିନ୍ନ ଜିନିଷ ଉତ୍ପାଦନ କରନ୍ତି ଏବଂ ଏହି ଜିନିଷକୁ ଚଢ଼ା ଦରରେ ବିକି ପ୍ରଚୁର ଲାଭ ଉଠାନ୍ତି । ଚାଷୀ ପାଖରେ ଯଦି କଳ ଥାନ୍ତା, ତାହେଲେ କୃଷିଜାତ ଦ୍ରବ୍ୟକୁ ସେ ନିଜ କଳରେ ପକାଇ ଲୋକମାନଙ୍କର ଦରକାରୀ ଜିନିଷ ଉତ୍ପାଦନ କରନ୍ତା ଏବଂ ଏହାକୁ ଚଢ଼ାଦରରେ ବିକି କୃଷି ବ୍ୟବସାୟରୁ କିଛି ଲାଭ ଉଠାଇ ପାରନ୍ତା । ତେଣୁ କୃଷି ଅର୍ଥନୀତି ସହିତ ଉନ୍ନତ ଧରଣର କ୍ଷୁଦ୍ରଶିଳ୍ପ ଯଦି ସଂଯୋଗ କରାଯାଇପାରନ୍ତା, ତାହେଲେ ଚାଷୀ ଏତେ ଅଭାବ ଓ ଅନଟନ ଭିତର ଦେଇ ଗତି କରନ୍ତା ନାହିଁ । ପୁଣି ବଡ଼ ଧରଣର ଶିଳ୍ପର ଉନ୍ନତି ପାଇଁ ଆମର ଯଥେଷ୍ଟ ବିଭବ ନାହିଁ । ବୃହତ୍ତର ଶିଳ୍ପର ବିକାଶ ପାଇଁ ଯଥେଷ୍ଟ ପୁଞ୍ଜି ଦରକାର । ଆମ ଦେଶରେ ସେତେ ପୁଞ୍ଜିନାହିଁ । ଲୋକମାନଙ୍କ ହାତରେ ଧନ ଥିଲେ ସିନା ସେମାନେ ସଞ୍ଚୟ କରି ଶିଳ୍ପରେ ଖଟନ୍ତା । ଆମର ଧନର ଅଭାବ । ତେଣୁ ସଞ୍ଚୟର ଅଭାବ । ପୁଣି ମଫସଲର ଗାଁଗଣ୍ଡାରେ ଯାହା ସଞ୍ଚୟ ହୁଏ, ତା ଗାତ ଭିତରେ ପୋତା ହୋଇ ରହେ । ତେଣୁ ଶିଳ୍ପ ଓ ବ୍ୟବସାୟରେ ଲାଗିପାରେ ନାହିଁ । ଯେଉଁମାନେ ବ୍ୟବସାୟରେ ଖଟାନ୍ତେ, ସେମାନେ କୌଣସି ବିପଦ ମୁଣ୍ଡାଇବାକୁ ପ୍ରସ୍ତୁତ ନୁହନ୍ତି । ନୂଆଶିଳ୍ପ ବାବ୍ୟବସାୟ ଖୋଲିବାକୁ ସେମାନଙ୍କର ସାହସ ନାହିଁ । ତେଣୁ ବଡ଼ଧରଣର ଶିଳ୍ପ ମୁଣ୍ଡକୁ ଉଠି ପାରୁନାହିଁ । ଦ୍ଵିତୀୟରେ ଶିଳ୍ପର ଉନ୍ନତି ପାଇଁ ଯାନ୍ତ୍ରିକ ଜ୍ଞାନ ଦରକାର ଏହି ଯାନ୍ତ୍ରିକ ଜ୍ଞାନ ଆମ ଦେଶରେ ଖୁବ୍ ଅଭାବ । ଆମ ଦେଶରେ ଯଥେଷ୍ଟ ଇଞ୍ଜିନିଅର ନାହାନ୍ତି, ଓଭରସିଅର ନାହାନ୍ତି । ଏପର୍ଯ୍ୟନ୍ତ ଆମ ଦେଶରେ ଯେଉଁ ଶିକ୍ଷା ଚାଲିଥିଲା, ସେଥିରେ କିରାଣୀ ତିଆରି ହେଉଥିଲେ । ସେମାନଙ୍କର ଶିଳ୍ପ ଜ୍ଞାନ ଆସିବ କୁଆଡ଼ୁ ? ଏହା ଯାନ୍ତ୍ରିକ ଜ୍ଞାନ ବଢ଼ାଇ ଶିଳ୍ପପାଇଁ ଲୋକ ତାଲିମ କରିବା ପାଇଁ ଯୁଗ ଯୁଗ ବସିବ । ତୃତୀୟରେ ଶିଳ୍ପର ଉନ୍ନତି ପାଇଁ ଯଥେଷ୍ଟ ଚାହିଦା ଥିବା ଚାହି । ଆମର ଯଥେଷ୍ଟ ଅଭାବ ଅଛି । କିନ୍ତୁ ଏହି ଅଭାବ ପୂରଣ ପାଇଁ ଧନ ନାହିଁ । ତେଣୁ ଚାହିଦାର ଅଭାବ ଯୋଗୁଁ ଶିଳ୍ପର ଉନ୍ନତି ହୋଇ ପାରୁନାହିଁ । ଲୋକମାନଙ୍କର ଧନ ବଢ଼ାଇ ଚାହିଦାର ଉନ୍ନତି କରିବାକୁ ହେଲେ, କୁଟୀର ଶିଳ୍ପ ଓ ଗ୍ରାମ୍ୟଶିଳ୍ପର ବିକାଶ ଦରକାର । ଆହୁରି ବଡ଼କଥା ଏହି ଯେ, ଆମଦେଶର ବେକାର ସମସ୍ୟା ଦୂର କରିବା ପାଇଁ ଆମେ ପୂରାପୂରି ବଡ଼ ଧରଣର କଳକାରଖାନା ଉପରେ ନର୍ଭର କରି ଚଳି ପାରିବା ନାହିଁ । କାରଣ ଆମର ଜନସଂଖ୍ୟା ବଢ଼ି ଚାଲିଛି । ତେଣୁ ବେକାରଙ୍କ ସଂଖ୍ୟା ବଢ଼ିଛି । କୃଷିରେ ଏତେ ଲୋକ ନିର୍ଭର କଲେଣି ଯେ ସେଥିରୁ ଲୋକ କାଢ଼ି ଅନ୍ୟ ବ୍ୟବସାୟରେ ନ ଖଟାଇଲେ, କୃଷି ଆଉ ଉଧେଇ ପାରିବ ନାହିଁ । ବୃହତ ଶିଳ୍ପରେ ବେଶି ଲୋକ କାମ ପାଇବାର କଥା ନୁହେଁ । ୩୦/୩୫ ବର୍ଷ ହେଲା ଆମର ଶିଳ୍ପର ବିକାଶ ହେଲାଣି । ତେବେ ସୁଦ୍ଧା ମୋଟ ୫୦ଲକ୍ଷ ଶ୍ରମିକ ଏଥିରେ କାମ କରୁଛନ୍ତି । ତେଣୁ ଆମର ବେକାର ଲୋକଙ୍କୁ କାମଦେବା ପାଇଁ କ୍ଷୁଦ୍ରଶିଳ୍ପର ବିକାଶ କରିବାକୁ ହେବ । ଏଥିପାଇଁ ଆମେ କହୁନାହିଁ ଯେ ଆମଦେଶରେ ବଡ଼ ବଡ଼ ଧରଣର କଳକାରଖାନା ଦରକାର ନାହିଁ । ବୃହତ୍ତର ଶିଳ୍ପ ନିତାନ୍ତ ଦରକାର । କିନ୍ତୁ ତା ସଙ୍ଗେ ସଙ୍ଗେ କୁଟୀର ଶିଳ୍ପ ଓ ଗ୍ରାମ୍ୟ ଶିଳ୍ପର ମଧ୍ୟ ଉନ୍ନତ ହେବା ଚାହି-। ଉଭୟର ସମ୍ମିଶ୍ରଣରେ ଆମର ଆର୍ଥନୀତିକ ସମସ୍ୟା ସମାଧାନ ହୋଇପାରିବ ବୋଲି ଆମର ବିଶ୍ୱାସ । ଏହି ସମ୍ମିଶ୍ରଣ ଫଳରେ ଗଣତାନ୍ତ୍ରିକ ସମ୍ବିଧାନ ମଧ୍ୟ ରହିପାରିବ । ଗଣତନ୍ତ୍ରର ବିକାଶ ପାଇଁ ଯେପରି ରାଜନୀତି କ୍ଷେତ୍ରରେ କ୍ଷମତାର ବିକେନ୍ଦ୍ରୀକରଣ ଦରକାର, ଅର୍ଥନୀତି କ୍ଷେତ୍ରରେ ମଧ୍ୟ ସେହିପରି କ୍ଷମତାର ବିକେନ୍ଦ୍ରୀକରଣ ଦରକାର । କିନ୍ତୁ କୁଟୀର ଶିଳ୍ପ ଓ ଗ୍ରାମ୍ୟଶିଳ୍ପର ଅନେକ ଅସୁବିଧା ଅଛି । ଯେଉଁମାନେ ଏଥିରେ କାମ କରୁଛନ୍ତି, ସେମାନଙ୍କ ହାତର ଯଥେଷ୍ଟ ଧନ ନାହିଁ-। ସେମାନେ କରଜ ଘରେ ବୁଡ଼ି ରହିଛନ୍ତି । ସରକାର ସେମାନଙ୍କୁ ସାହାଯ୍ୟ କରିବା ଦରକାର-। ମଫସଲ ଅଞ୍ଚଳରେ ବ୍ୟାଙ୍କ ଖୋଲି ସେମାନଙ୍କ ପାଇଁ କରର ବ୍ୟବସ୍ଥା କରିବା ଉଚିତ । ଦ୍ଵିତୀୟରେ ସେମାନେ ଯାହା ତିଆରି କରୁଛନ୍ତି, ସେଥିପାଇଁ ସେମାନେ ଉପଯୁକ୍ତ ଦାମ୍ ପାଉନାହାନ୍ତି-। ଅଭାବ ଯୋଗୁଁ ବାଧ୍ୟହୋଇ ସେମାନେ ମଧ୍ୟସ୍ଥ ଲୋକଙ୍କୁ କମ ଦାମରେ ଜିନିଷ ବିକୁଛନ୍ତି-। ଚଢ଼ାଦରରେ କଞ୍ଚାମାଲ କିଣୁଛନ୍ତି । କାରଣ ସେମାନେ ଏକ ସମୟରେ ବେଶୀ ଜିନିଷ କିଣି ପାରୁନାହାନ୍ତି-। ତେଣୁ ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ଅଧିକ ପଡ଼ୁଛି । ଏହି ଉତ୍ପାଦନ ଖର୍ଚ୍ଚ କମାଇବାକୁ ହେଲେ ଗାଁ ଗଣ୍ଡାର କାରିଗରମାନଙ୍କୁ ଏକାଠି କରି ଏକ ସମବାୟ ସଂଗଠନ ଗଢ଼ିବା ଦରକାର-। ଏହି ସମବାୟ ଅନୁଷ୍ଠାନ ସାହାଯ୍ୟରେ ସେମାନେ ଜିନିଷ କିଣିବେ–ଜିନିଷ ବିକିବେ-। ଅଭାବ ବେଳେ ସମବାୟ ଅନୁଷ୍ଠାନ ସେମାନଙ୍କର ତତ୍ତ୍ଵ ନେବ । ସମବାୟ ଅନୁଷ୍ଠାନ କୁଟୀର ଶିଳ୍ପ ଓ ଗ୍ରାମ୍ୟଶିଳ୍ପର ଏକମାତ୍ର ଭରସା । ତୃତୀୟରେ ଏମାନଙ୍କର ଶିକ୍ଷାଦୀକ୍ଷା ବି କିଛି ନାହିଁ । ଏମାନଙ୍କ ଭିତରୁ ଅଧିକାଂଶ ଅଶିକ୍ଷିତ । ତେଣୁ ସେଇ ପୁରୁଣା କାଳିଆ ରୀତି ଅନୁସାରେ ଏମାନେ ଉତ୍ପାଦନ କରି ଚାଲିଛନ୍ତି । ଉତ୍ପାଦନ ପ୍ରଣାଳୀର ଉନ୍ନତ କରିବାକୁ ହେଲେ, ଏମାନଙ୍କୁ ଶିକ୍ଷିତ କରିବାକୁ ପଡ଼ିବ-। ଯାନ୍ତ୍ରିକ ଜ୍ଞାନରେ ଟ୍ରେନିଂ ଦେବାକୁ ହେବ । ଉତ୍ପାଦନ ପ୍ରଣାଳୀର ପରିବର୍ତ୍ତନ ଆଣି, ସେମାନେ ଯେପରି କମଖର୍ଚ୍ଚରେ ଉତ୍ପାଦନ କରିପାରିବେ, ସେଥିପାଇଁ ଉଦ୍ୟମ କରିବାକୁ ହେବ-। ଉତ୍ପାଦନ ପ୍ରଣାଳୀରେ ପରିବର୍ତ୍ତନ ହେଲେ ଶିକ୍ଷିତ ଲୋକମାନେ ମଧ୍ୟ କୁଟୀର ଶିଳ୍ପ ଓ ଗ୍ରାମ୍ୟଶିଳ୍ପରେ କାମ କରିବାକୁ ପଶ୍ଚାତ୍‍ପଦ ହେବେ ନାହିଁ । ମାଟିକାଦୁଅରେ ପଡ଼ି ମଇଳା ହେବାକୁ ସିନା ଧୋବ ଧାଉଳିଆମାନେ ପସନ୍ଦ କରୁନାହାନ୍ତି, କିନ୍ତୁ ବୈଜ୍ଞାନିକ ଉପାୟରେ ଉତ୍ପାଦନ କରାଗଲେ, କୁଟୀର ଶିଳ୍ପ ଗ୍ରାମ୍ୟ ଶିଳ୍ପ ଆଦରି ରୋଜଗାର କରିବାକୁ ଶିକ୍ଷିତ ଲୋକମାନେ ଘୃଣା କରିବେ କାହିଁକି-। ଏ ଦିଗରେ ସରକାରଙ୍କର ଅନେକ କର୍ତ୍ତବ୍ୟ ଅଛି । ଏକ ଅନୁନ୍ନତ ଅର୍ଥନୀତିରେ ସରକାର ହସ୍ତକ୍ଷେପ ଓ ନିୟନ୍ତ୍ରଣ ଏକାନ୍ତ ପ୍ରୟୋଜନ । ସରକାର ସାହାଯ୍ୟ ଓ ସହଯୋଗ ବିନା ଆମର ଅର୍ଥନୀତିର ଉନ୍ନତି ହେବା ଏକାବେଳକେ ଅସମ୍ଭବ ।

☆☆☆

 

ଭାରତର ଅର୍ଥନୈତିକ ସମସ୍ୟା

ଭାରତରେ ଶିଳ୍ପ ବିକାଶ

 

ଗତ୧୫।୨୦ ବର୍ଷ ଭିତରେ ଭାରତରେ ଶିଳ୍ପର ଅନେକ ଉନ୍ନତି ହୋଇଛି । ନୂଆ ନୂଆ ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି ପୁରାତନ ଶିଳ୍ପର ବିକାଶ ହୋଇଛି । ବିଶେଷତଃ ଦ୍ଵିତୀୟ ମହାଯୁଦ୍ଧ ପରଠାରୁ ଆମେ ଶିଳ୍ପ ଦିଗରେ ଆଗେଇ ଚାଲିଛେ । ଯୁଦ୍ଧ ପୂର୍ବରୁ ଅନେକ ଜିନିଷ ପାଇଁ ଆମେ ବିଦେଶ ଉପରେ ନିର୍ଭର କରୁଥିଲେ ଯୁଦ୍ଧ ସମୟ ପରେ ଏହି ନର୍ଭରତା ବଢ଼ିବାକୁ ଆରମ୍ଭ କଲା । କାରଣ ଯୁଦ୍ଧ ଚାଲୁରହିବା ପାଇଁ ଶିଳ୍ପ ତିଆରି ଜିନିଷ ବେଶୀ ଦରକାର ପଡ଼ିଲା । ଯୁଦ୍ଧ ସମୟରେ ଆମର ଚାହିଦା ମଧ୍ୟ ବଢ଼ିଲା ସରକାର ମଧ୍ୟ ଅନେକ ଜିନିଷ କଲେ । କିନ୍ତୁ ବିଦେଶରୁ ବେଶୀ ଜିନିଷ ଆମ ଦେଶକୁ ଆସି ପାରିଲା ନାହିଁ । ପ୍ରଥମେ ଜିନିଷ ନେବା ଆଣିବା ପାଇଁ ଜାହାଜ ମିଳିଲା ନାହିଁ । ସମୁଦ୍ର ଭିତରେ ଯୁଦ୍ଧର ଆଶଙ୍କା ଥିବାରୁ କେହି ବି ସାହସ କରି ଜିନିଷ ପତ୍ର ନିଆ ଆଣ କଲେ ନାହିଁ । ତୃତୀୟରେ ପ୍ରତ୍ୟେକ ଦେଶ ବି ନିଜ ଦେଶକୁ ସମ୍ଭାଳିବାରେ ବ୍ୟସ୍ତ ରହିଲେ । ତେଣୁ ପ୍ରତ୍ୟେକ ଦେଶର ଉତ୍ପାଦନ ପ୍ରଣାଳୀ ଯୁଦ୍ଧପାଇଁ ଦରକାରୀ ଜିନିଷ ଉତ୍ପାଦନ କରିବାରେ ଲାଗିଲେ-। ଏହି ସବୁ ଅଭାବ ଓ ଅସୁବିଧା ଅନୁଭବ କରି ଭାରତ ସରକାର ଭାରତରେ ଶିଳ୍ପର ଉନ୍ନତି ପାଇଁ ଯୋଗାଡ଼ କଲ-। ଯୁଦ୍ଧପରେ ଭାରତକୁ ସ୍ୱାଧୀନତା ମିଳିଲା । ତେଣୁ ସ୍ଵାଧୀନ ସରକାର ଦେଶର ଶିଳ୍ପର ଉନ୍ନତି କରି ଭାରତର ଆର୍ଥନୀତିକ ଅବସ୍ଥାକୁ ମଜ୍‍ବୁତ କରିବା ପାଇଁ ଯୋଗାଡ଼ କଲେ-। ଏବେ ଯେଉଁ ଦ୍ଵିତୀୟ ପଞ୍ଚବାର୍ଷିକ-ଯୋଜନା ଗଢ଼ାଯାଉଛି, ସେଥିରେ ଶିଳ୍ପର ଉନ୍ନତି ପାଇଁ ସବୁଠାରୁ ବେଶୀ ଗୁରୁତ୍ତ୍ଵ ଦିଆ ଯାଉଛି । ଏଇ ଗତ୧୫/୨୦ ବର୍ଷ ଭିତରେ ଭାରତର ଶିଳ୍ପର କିପରି ଉନ୍ନତି ହୋଇଛି, ତା’ର ଏକ ହିସାବ ଦେଖାଯାଉ ।

 

ପ୍ରଥମେ କୋଇଲା କଥା ଧରାଯାଉ । ଊନବିଂଶ ଶତାବ୍ଦୀର ଆରମ୍ଭରେ ଆମେ ବିଦେଶରୁ କୋଇଲା ଆମଦାନୀ କରୁଥିଲୁ । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳା ଓ ବିହାରରେ ଦୁଇ ପ୍ରଧାନ କୋଇଲା କମ୍ପାନୀ ପ୍ରତିଷ୍ଠା ହେଲା । ଆମ ଦେଶରେ ଯେତେ କୋଇଲା ଉତ୍ପନ୍ନ କରାଯାଏ, ତା’ର ଶତକରା ୮୦ ଭାଗ ବଙ୍ଗଳା ଓ ବିହାରରୁ ଉତ୍ପନ୍ନ କରାଯାଏ । ଏହା ଭିତରେ କୋଇଲା ଉତ୍ପନ୍ନର ଅନେକ ଉନ୍ନତି ହୋଇଛି । ୧୯୩୮ମସିହାରେ ଆମ ଦେଶରେ ମୋଟ ୨୮୦ ଲକ୍ଷ ଟନ କୋଇଲା ଉତ୍ପନ୍ନ କରାଯାଉଥିଲା । ୧୯୫୩ ବେଳକୁ ଏହା ବଢ଼ି ୩୬୦ ଲକ୍ଷ ଟନ ହେଲା । ପ୍ରଥମ ପଞ୍ଚବାର୍ଷିକ ଯୋଜନା ଶେଷବେଳକୁ କୋଇଲାର ପରିମାଣ ୪୨୦ ଲକ୍ଷ ଟନ ଓ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ଶେଷବେଳକୁ ୬୦୦ ଲକ୍ଷ ଟନ ହେବ ବୋଲି ଯୋଜନାକାରୀମାନେ ହିସାବ କରିଛନ୍ତି । ଏଥିରୁ ଦେଖାଯିବ ଯେ ଆମେ କୋଇଲା ଉତ୍ପନ୍ନ କରିବା ଦିଗରେ ଅନେକ ଅଗ୍ରସର ହୋଇପାରିଛେ । ତଥାପି ଅନ୍ୟଦେଶ ତୁଳନାରେ ଆମେ ବହୁତ ପଛରେ ପଡ଼ିଛନ୍ତି । ଉଦାହରଣ ସ୍ଵରୂପ ଆମେରିକାରେ ଜଣପିଛା ହାରାହାରି କୋଇଲାର ବ୍ୟବହାର ମୋଟେ ୮୦୦ ପାଉଣ୍ଡ । ଭାରତରେ ଜଣପିଛା ହାରାହାରି କୋଇଲାର ବ୍ୟବହାର ମୋଟେ ୧୭୦ ପାଉଣ୍ଡ । ପୁଣି ଯାନବାହାନ ଅସୁବିଧା ଯୋଗୁ ଆମଦେଶରେ କୋଇଲା ମଧ୍ୟ ଠିକ ଭାବରେ ବଣ୍ଟନ କରା ଯାଇପାରେନାହିଁ । ଏହି ସବୁ ଅସୁବିଧା ଦୂର କରିବାକୁ ହେଲେ, ଆମକୁ ଆହୁରି ଅନେକ କୋଇଲା ଉତ୍ପନ୍ନ କରିବାକୁ ପଡ଼ିବ ।

 

ଚା ଆମର ଏକ ପ୍ରଧାନ ବ୍ୟବସାୟ ଶିଳ୍ପ । ଏଇ ଚା ଆମେ ବିଦେଶକୁ ପଠାଇ ଅନେକ ବିଦେଶୀ ମୁଦ୍ରାସଂଗ୍ରହ କରୁ । ଚା ରପ୍ତାନି ଫଳରେ ପ୍ରତ୍ୟେକ ବର୍ଷ ଆମକୁ ପ୍ରାୟ୯୦କୋଟି ଟଙ୍କା ବିଦେଶରୁ ମିଳେ । ଏହାର ବ୍ୟତୀତ ଉତ୍ପାଦନ ଓ ରପ୍ତାନି କର ଆକାରରେ ସରକାର ମଧ୍ୟ ବର୍ଷକୁ ୧୪କୋଟି ଟଙ୍କା ପାନ୍ତି । ପ୍ରତ୍ୟେକ ବର୍ଷ ଆମ ଦେଶରେ ୬୦୦୦ ଲକ୍ଷ ପାଉଣ୍ଡ ଚା’ ଉତ୍ପନ୍ନ କରାଯାଏ । ତା’ ଭିତରୁ ୧୬୫୧ଲକ୍ଷ ପାଉଣ୍ଡ ଆମ ଦେଶରେ ଖର୍ଚ୍ଚ ହୋଇଯାଏ । ବାକିତକ ବିଦେଶ ଯାଏ । ଆମ ଦେଶରେ ପ୍ରାୟ ୮ଲକ୍ଷ ଏକରରେ ଚା ଉତ୍ପନ୍ନ କରାଯାଏ । ତା ଭିତରୁ ପ୍ରାୟ ୬ଲକ୍ଷ ଏକର ଆସାମ ଓ ବଙ୍ଗଳା ଭିତରେ । ଏଥିରୁ ଦେଖାଯିବ ସେ ଆସାମ ଓ ବଙ୍ଗଳା ଚା ଉତ୍ପନ୍ନର କେନ୍ଦ୍ର । ଇଂରେଜ ଲୋକମାନଙ୍କର ପୁଞ୍ଜି ଓ ଚେଷ୍ଟା ଫଳରେ ଚା’ ଶିଳ୍ପର ଆମ ଦେଶରେ ପ୍ରତିଷ୍ଠା ହୋଇଛି । ଏହି ଚା ଶିଳ୍ପକୁ ଜାତୀୟକରଣ କରିବା ଆମର ଏକ ପ୍ରଧାନ ପ୍ରଶ୍ନ । ଦ୍ଵିତୀୟ କଥା ଆମର ବ୍ୟବସାୟୀମାନଙ୍କ ଅସାଧୁତା ଯୋଗୁଁ ଆମେ ଚା’ରୁ ଯେତିକି ବିଦେଶୀ ମୁଦ୍ରା ପା’ନ୍ତେ, ତା’ ପାଇପାରୁ ନାହୁଁ । ଭାରତ ଓ ସିଲେନ ଚା’ ପାଇଁ ପ୍ରସିଦ୍ଧ । କିନ୍ତୁ ଭାରତର ବ୍ୟବସାୟୀମାନେ ଚା’ ରେ ଚମଡ଼ାଗୁଣ୍ଡ ଓ ଅନ୍ୟାନ୍ୟ କଦର୍ଯ୍ୟ ଜିନିଷ ମିଶାଇ ବିଦେଶରେ ବିକିବା ଫଳରେ ବିଦେଶରେ ଆମ ଚା’ ପ୍ରତି ଆଦର କମି ଯାଉଛି । ଏହି ଅସାଧୁତା ଦୂରକରି ପାରିଲେ ଆମେ ଚା’ ବାହାରେ ବିକି ଅନେକ ଟଙ୍କା ପାଇ ପାରନ୍ତେ । ଏବେ ଯେଉଁମାନେ ଆମ ଚା’ କିଣୁଛନ୍ତି, ସେମାନେ ଭବିଷ୍ୟତରେ ବେଶୀ କିଣନ୍ତେ ଯେଉଁମାନେ ନ କିଣୁଛନ୍ତି, ସେମାନେ ମଧ୍ୟ କିଣିବାକୁ ଇଚ୍ଛା କରନ୍ତେ-

 

ଝୋଟ ଶିଳ୍ପ ଆମର ଏକ ପ୍ରଧାନ ବ୍ୟବସାୟ ଶିଳ୍ପ । ୧୯୪୬ମସିହାରେ ଆମ ଦେଶରେ ପ୍ରାୟ ସାଢ଼େ ଦଶ ଲକ୍ଷ ଟନ ଝୋଟ ଜିନିଷ ଉତ୍ପନ୍ନ କରାଯାଉଥିଲା । କିନ୍ତୁ ଭାରତ ବିଭକ୍ତ ହେବା ଫଳରେ ଝୋଟ ଶିଳ୍ପ ଉପରେ ଏକ ବଡ଼ ଆଘାତ ଆସି ଲାଗିଲା । ଭାରତରେ ଯେତେ ଝୋଟ ଉତ୍ପନ୍ନ କରାଯାଏ, ତା’ର ପ୍ରାୟ ଶତକରା ୭୩ ଭାଗ ପୂର୍ବ-ବଙ୍ଗଳାରେ ଉତ୍ପନ୍ନ ହୁଏ-। ତେଣୁ ପୂର୍ବ-ବଙ୍ଗଳା ଯେତେବେଳେ ପାକିସ୍ଥାନକୁ ଗଲା, ଭାରତରେ ଥିବା ଝୋଟ କଳମାନେ ଯଥେଷ୍ଟ ଝୋଟ ପାଇ ପାରିଲେ ନାହିଁ । ସବୁଯାକ ଝୋଟକଳ ଭାରତରେ ରହିଲା, ଅଧିକାଂଶ ଝୋଟ ପାକିସ୍ଥାନରେ ଉତ୍ପାଦିତ ହେଲା । ତେଣୁ ଭାରତରେ ଉତ୍ପାଦନରେ ବାଧା ଆସିଲା-। ଭାରତ ଓ ପାକିସ୍ଥାନ ଭିତରେ ଏହାର ସମାଧାନ ପାଇଁ ଅନେକ ଥର ଚୁକ୍ତି ହୋଇଥିଲେ ମଧ୍ୟ ସେସବୁ ଚୁକ୍ତି ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏବେ ପାକିସ୍ଥାନ ଝୋଟକଳ ବସାଇବା ପାଇଁ ଚେଷ୍ଟା କରୁଛି । ସେ ଯାହା ହେଉ, ଭାରତରେ ଏହା ଭିତରେ ଝୋଟ ଉତ୍ପାଦନ ମଧ୍ୟ ଅନେକ ପରିମାଣରେ ବଢ଼ିଛି । ପ୍ରଥମ ପଞ୍ଚବାର୍ଷିକୀ ଯୋଜନା ଅନୁଯାୟୀ ୧୯୫୫-୫୬ ଭିତରେ ଝୋଟ ଜିନିଷ ଆମ ଦେଶରେ ୧୨ଲକ୍ଷ ଟନ୍ ଉତ୍ପାଦନ କରାଯାଇ ପାରିବ ବୋଲି ହିସାବ କରାଯାଇଛି-

 

ଶିଳ୍ପର ଉନ୍ନତି ପାଇଁ ଲୁହା ଓ ଇସ୍ପାତ କାରଖାନା ଏକମାତ୍ର ଆବଶ୍ୟକ । ଲୁହା ଓ ଇସ୍ପାତ ଉତ୍ପାଦନ ଅଧିକ ନ ହେଲେ ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇପାରିବ ନାହିଁ । ସେଥିପାଇଁ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏକ ବିଶେଷ ଗୁରୁତ୍ୱ ଦିଆଯାଇ ତିନୋଟି ନୂଆ ଲୁହା ଓ ଇସ୍ପାତ କାରଖାନା ଖୋଲା ଯାଇଛି । ତଥାପି ଆମର ଅଭାବ ବୋଧହୁଏ ମେଣ୍ଟି ପାରିବ ନାହିଁ । ଏବେ ଆମ ଦେଶରେ ଜଣପିଛା ହାରାହାରି ଲୁହାର ବ୍ୟବହାର ହେଉଛି ମୋଟେ ୧୦ ପାଉଣ୍ଡ–ଅଥଚ ଆମେରିକାରେ ୧୨୦୦ପାଉଣ୍ଡ, ଇଂଲଣ୍ଡରେ ୬୦୦ ପାଉଣ୍ଡ ଓ ଅଷ୍ଟ୍ରେଲିଆରେ ୪୭ ପାଉଣ୍ଡ । ତେଣୁ ଆମର ଯେତେ ବାକିଆ, ତାକୁ ପୂରଣ କରିବାକୁ ହେଲେ, ଆମକୁ ଅନେକ କାରଖାନା ଖୋଲିବାକୁ ପଡ଼ିବ । ଯୁଦ୍ଧ ଭିତରେ ଆମର ଲୁହା ଓ ଇସ୍ପାତ ଶିଳ୍ପର ଯଥେଷ୍ଟ ଉନ୍ନତି ସମ୍ଭବ ହୋଇଥିଲା । ୧୯୪୧-୪୨ ମସିହାରେ ଆମଦେଶରେ ସାଢ଼େ ତେର ଲକ୍ଷ ଟନ୍‍ଲୁହା ଉତ୍ପନ କରାଯାଇଥିଲା । କିନ୍ତୁ ଯୁଦ୍ଧପରେ ଲୁହା ଶିଳ୍ପ ଉପରେ ବାଧା ଆସିଲା । କୋଇଲା ଅଭାବ, ଶ୍ରମିକ ଗୋଳମାଳ ଓ ଯାନବାହନ ଅସୁବିଧା ଫଳରେ ଲୁହାଶିଳ୍ପ ଅଗ୍ରଗତି କରିପାରିଲା ନାହିଁ । ୧୯୪୮ମସିହାକୁ ଉତ୍ପାଦନ କମି ସାଢ଼େ ଆଠ ଲକ୍ଷ ହେଲା । ସୁଖର କଥା ଯେ, ଏବେ ଉତ୍ପାଦନ ବଢ଼ିବାକୁ ଲାଗିଛି ।୧୯୫୨-୫୩ରେ ଆମ ଦେଶରେ ପ୍ରାୟ ୧୧ଲକ୍ଷ ଟନ୍ ଉତ୍ପାଦନ ହୋଇଥିଲା-। ପ୍ରଥମ ବାର୍ଷିକ ଯୋଜନା ଶେଷବେଳକୁ ସାଢ଼େ ପନ୍ଦର ଲକ୍ଷ ଟନ ହେବ ବୋଲି ଆଶା-। ଭାରତରେ ଯେତେ ଲୁହା ଓ ଇସ୍ପାତ ଉତ୍ପାଦନ ହୁଏ, ଟାଟା କମ୍ପାନୀ ତା’ର ପ୍ରାୟ ୭୫ଭାଗ ଉତ୍ପାଦନ କରନ୍ତି ।

 

ସିମେଣ୍ଟ କାରଖାନା ଆମଦେଶର ପୁଞ୍ଜିରେ ଗଢ଼ା ଯାଇଛି । ଆମ ଦେଶର ବ୍ୟବସାୟୀମାନେ ମଧ୍ୟ ଏହାକୁ ପ୍ରତିଷ୍ଠା କରିଛନ୍ତି । ପ୍ରଥମେ ୧୯୧୪ ବେଳକୁ ଏଥିପାଇଁ ଉଦ୍ୟମ ହୁଏ । ୧୯୨୪ବେଳକୁ ଆମ ଦେଶରେ ପ୍ରାୟ ୧୧ଟି କାରଖାନା ପ୍ରତିଷ୍ଠା ହୋଇଥିଲା । ଏବେ ପ୍ରାୟ୨୧ଟି କାରଖାନା ଅଛି । ଏଥିରୁ ଅଧିକାଂଶ ବିହାରରେ । ଦ୍ଵିତୀୟ ମହାଯୁଦ୍ଧ ବେଳେ ସିମେଣ୍ଟ ଉତ୍ପାଦନ ଖୁବ୍‍ ବଢ଼ିଲା । କିନ୍ତୁ ସରକାର କଡ଼ା ନିୟନ୍ତ୍ରଣ ଜାରି କରି ଶତକରା ୮୦ ଭାଗ ଯୁଦ୍ଧପାଇଁ କିଣିନେଲେ । ସାଧାରଣ ଲୋକମାନଙ୍କୁ ସିମେଣ୍ଟ ଆଦୌ ମିଳିଲା ନାହିଁ । ଏହା ଭିତରେ ସିମେଣ୍ଟ ଉତ୍ପାଦନ ମଧ୍ୟ ଅନେକ ବଢ଼ିଛି । ୧୯୫୪ ମସିହାରେ ସିମେଣ୍ଟ ଉତ୍ପାଦନ ୪୫ଲକ୍ଷ ଟନ ହୋଇଥିଲା । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ଭିତରେ ଏହାକୁ ବଢ଼ାଇ ୧୦୦ ଲକ୍ଷ ଟନ କରିବାର ଉଦ୍ୟମ କରାଯାଉଛି ।

 

ସେହିପରି ଅନ୍ୟାନ୍ୟ ଶିଳ୍ପଗୁଡ଼ିକର ମଧ୍ୟ ଅନେକ ଉନ୍ନତି ହୋଇଛି । ସ୍ଵାଧୀନତା ପରେ ଅନେକ ନୂଆଶିଳ୍ପ ମଧ୍ୟ ପ୍ରତିଷ୍ଠା ହୋଇଛି । ଭାରତର ଆର୍ଥିକ ପ୍ରଗତି ପାଇଁ ଶିଳ୍ପର ଉନ୍ନତି ଏକାନ୍ତ ଆବଶ୍ୟକ । ଭିନ୍ନ ଭିନ୍ନ ଶିଳ୍ପର ଉନ୍ନତି ହେଲେ ଦେଶର ସମ୍ପଦ ବଢ଼ିବ । କୃଷିରେ ଏବେ ଯେତେଲୋକ ନିର୍ଭର କରି ରହୁଛନ୍ତି, ସେତେ ନିର୍ଭର କରି ରହିବେ ନାହିଁ । ତେଣୁ କୃଷିର ଉତ୍ପାଦିକା ଶକ୍ତି ବଢ଼ିବ । ପୁଣି ଶିଳ୍ପରୁ ଯାହା ଲାଭ ହେବ ସେଥିରେ ଅଧିକା ପୁଞ୍ଜି ସଂଗ୍ରହ ହୋଇପାରିବ । ଏହି ପୁଞ୍ଜି ଦେଶର ଅର୍ଥକୁ ପ୍ରଗତି ଦିଗରେ ବେଶି ସାହାଯ୍ୟ କରିବ । ବେକାର ସମସ୍ୟା ଆମର ଏକ ପ୍ରଧାନ ସମସ୍ୟା । କୃଷିରେ ଯେଉଁମାନେ କାମ କରୁଛନ୍ତି, ସେମାନେ ଅର୍ଦ୍ଧ ବେକାର ହୋଇ ରହୁଛନ୍ତି । ଏହା ବେକାର ଓ ଅର୍ଦ୍ଧବେକାର ସମସ୍ୟା ଦୂର କରିବାକୁ ହେଲେ, ଶିଳ୍ପର ଉନ୍ନତି ଆବଶ୍ୟକ । ବଡ଼ବଡ଼ ଧରଣର ଶିଳ୍ପର ଉନ୍ନତି ହେଲେ କେତେ କେତେ ନୂଆ କର୍ମପନ୍ଥା ଖୋଲିଯିବ-। ସେଥିରେ ଲୋକେ କାମ କରିବାକୁ ପାଇବେ । ଶ୍ରମିକମାନଙ୍କ ମଜୁରୀ ମଧ୍ୟ ବଢ଼ିବ । ଏବେ ଯେଉଁ ଶ୍ରମିକମାନେ କୃଷିରେ ଖଟୁଛନ୍ତି, ସେମାନେ ଖୁବ୍‍ କମ୍‍ ମଜୁରୀ ପାଉଛନ୍ତି-। ସେଥିରେ ପରିବାର ପୋଷିବା ସେମାନଙ୍କ ପକ୍ଷରେ ଆଦୌ ସମ୍ଭବ ହେଉନାହିଁ । ଶିଳ୍ପର ଉନ୍ନତି ହେଲେ ଅନେକ ଶ୍ରମିକ ସହରକୁ ଘୁଞ୍ଚିବେ । ସେମାନଙ୍କ ମଜୁରୀ ବଢ଼ିବ ଅବସ୍ଥା ମଧ୍ୟ ସୁଧୁରିପାରିବ । ଆଉ ମଧ୍ୟ ଶିଳ୍ପର ଉନ୍ନତି ଫଳରେ ସରକାରଙ୍କର ଆୟ ଅଧିକ ହେବ । କାରଣ ଶିଳ୍ପର ପ୍ରସାର ଫଳରେ ଲୋକଙ୍କର ଆୟ ବଢ଼ିବ । ସରକାର ଭିନ୍ନ ଭିନ୍ନ କର ବସାଇବେ । ତେଣୁ ସରକାରଙ୍କର ଆୟ ମଧ୍ୟ ବଢ଼ିବ । ଶେଷରେ ଶିଳ୍ପର ବିକାଶ ଫଳରେ ଜାତୀୟ ଚରିତ୍ରର ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା-। କୃଷି ସଭ୍ୟତା ଲୋକଙ୍କୁ ଶିଥିଳ କରି ପକାଏ । ଲୋକେ ଘର, ଗାଁ ଓ ପ୍ରିୟାପ୍ରୀତିଙ୍କୁ ଛାଡ଼ି ବାହାରକୁ ଯିବାକୁ ଚାହାନ୍ତି ନାହିଁ । ସ୍ଥାଣୁପରି ଗୋଟିଏ ଜାଗାରେ ରହିବାକୁ ପସନ୍ଦ କରନ୍ତି-। ଶିଳ୍ପସଭ୍ୟତା ଲୋକଙ୍କୁ ଗତିଶୀଳ କରାଏ । ସୁପ୍ତଜନତା ଭିତରେ ଜାଗରଣ ଅଣାଏ । ଆମ ଲୋକଙ୍କର ସତ୍ଵରତା (Smartness) ଖୁବ୍ ଅଭାବ । ଶିଳ୍ପର ଉନ୍ନତି ଏହି ଅଭାବକୁ ଦୂରକରି ଲୋକଙ୍କର ଚତୁରତା ବଢ଼େଇବା ଖୁବ୍‍ ସମ୍ଭାବନା । ତେଣୁ ଆଜି ପ୍ରତ୍ୟେକ ଦେଶ ଶିଳ୍ପର ଉନ୍ନତି କରିବା ପାଇଁ ଚେଷ୍ଟା କରୁଛନ୍ତି । ସୁଖର କଥା ଆମର ବି ସେ ଦିଗରେ ଉଦ୍ୟମ ହେଉଛି ।

 

କିନ୍ତୁ ଆମର ଏପର୍ଯ୍ୟନ୍ତ ଶିଳ୍ପର ଯେତେ ଉନ୍ନତି ହେଲେବି, ଆର୍ଥିନୀତିକ ପ୍ରଗତି ପାଇଁ ତା ଯଥେଷ୍ଟ ନୁହେଁ । ଆମଦେଶରେ ଯଥେଷ୍ଟ ଶିଳ୍ପ ନେତା ନାହାନ୍ତି । ଶିଳ୍ପନେତା ଅଭାବରେ ଶିଳ୍ପର ପ୍ରଗତି ହେବା ସମ୍ଭାବନା ନାହିଁ । ଦ୍ଵିତୀୟରେ ଆମର ଶ୍ରମିକମାନଙ୍କର ଶିଳ୍ପରେ କାମ କରିବା ପାଇଁ ଯଥେଷ୍ଟ ଦକ୍ଷତା ନାହିଁ କି ଏଇ ଦକ୍ଷତା ବଢ଼ାଇବା ପାଇଁ ଶିକ୍ଷା ଅନୁଷ୍ଠାନ ନାହିଁ । ଶିଳ୍ପ କୌଶଳ ଶିକ୍ଷାଦେବା ପାଇଁ ଅନୁଷ୍ଟାନ ବଢ଼ିବା ନିତାନ୍ତ ଦରକାର । ତୃତୀୟରେ ଆମର ବି ଯଥେଷ୍ଟ ପୁଞ୍ଜି ନାହିଁ-। ଶିଳ୍ପର ଉନ୍ନତି ପାଇଁ ପୁଞ୍ଜିର ଆବଶ୍ୟକତା ଯେ କେତେ ତା ସମସ୍ତେ ଜାଣନ୍ତି । କିନ୍ତୁ ଆମର ଏତେ ଅଭାବ ଯେ, ଆମେ ବଢ଼ାଇବା ପାଇଁ ଉଦ୍ୟମ ବି କରିପାରୁ ନାହିଁ । ମଫସଲରେ ଯାହା କିଛି, ସାଇତା ଧନ ଅଛି ତା’ ଗାତ ଭିତରେ ପୋତା ହୋଇ ରହିଛି ! ଏହାକୁ ସଂଗ୍ରହ କରି ଶିଳ୍ପରେ ଖଟାଇବାକୁ ହେବ । ଧନୀ ଲୋକଙ୍କର ଖାଉଟି ଜିନିଷ କାଟି ବଳକା ଆଦାୟ କରି ଶିଳ୍ପରେ ମଧ୍ୟ ଖଟାଇବା ଦରକାର । ତଥାପି ଆମର ପୁଞ୍ଜି ନିଅଣ୍ଟ ହୋଇପାରେ । ସେଥିପାଇଁ ହୁଏତ ବାହାରକୁ ଚାହିଁବାକୁ ପଡ଼ିବ । ତେଣୁ ଏ ଏକ ବଡ଼ ଅସୁବିଧା । ଚତୁର୍ଥରେ ଶିଳ୍ପର ବିକାଶ ପାଇଁ ଶସ୍ତା ଇଲେକ୍‍ଟ୍ରିସିଟି ଦରକାର । ଶସ୍ତା ଇଲେକ୍‍ଟ୍ରିସିଟି ଉତ୍ପାଦନ କରିବା ପାଇଁ ଏବେ ଯୋଜନା ହେଉଛି-। ଏସବୁ ଯୋଜନା କାର୍ଯ୍ୟକାରି ହେଲେ, ବୋଧହୁଏ ଇଲେକ୍‍ଟ୍ରିସିଟିର ଅଭାବ ଆଉ ପଡ଼ିବ ନାହିଁ-। ପଞ୍ଚମରେ ଶିଳ୍ପର ବିକାଶପାଇଁ ଯାନବାହାନର ସୁବିଧା ଥିବା ଦରକାର । ରାସ୍ତାଘାଟରେ ଉନ୍ନତି, ରେଲବାଇର ସୁବିଧା, ଉଡ଼ାଜାହାଜ ଓ ବୁଡ଼ାଜାହାଜର ଉନ୍ନତି ନ ହେଲେ ଶିଳ୍ପ ବିକାଶ ସମ୍ଭବ ହୋଇ ପାରିବ ନାହିଁ । ଏ ଦିଗରେ ଆମେ ବହୁତ ପଛରେ ଅଛୁ । ଏସବୁ ଅସୁବିଧା ଦୁର ନ କଲା ପର୍ଯ୍ୟନ୍ତ ଆମଦେଶ ଶିଳ୍ପ ଦେଶ ବୋଲି ଆଖ୍ୟା ପାଇ ପାରିବ ନାହିଁ । ତେଣୁ ଏସବୁର ଉନ୍ନତି ଦିଗରେ ସରକାର ଏବେ ଦୃଷ୍ଟି ଦେବା ନିତାନ୍ତ ଦରକାର । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏଇ Social overhead capital ଉନ୍ନତି ହେବ ବୋଲି ଆମମାନଙ୍କର ଆଶା ।

☆☆☆

 

ଶିଳ୍ପ ଶ୍ରମିକ

 

ଭାରତରେ ଶିଳ୍ପର ଉନ୍ନତି ପାଇଁ ଚେଷ୍ଟା କରାଯାଉଛି । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏଥିପାଇଁ ବିଶେଷ ଜୋର ଦିଆଯାଉଛି । କାରଣ ଶିଳ୍ପର ଉନ୍ନତି ନ ହେଲେ ଆମର ଆୟ ବଢ଼ି ପାରିବ ନାହିଁ । କୃଷିରେ ଏବେ ଯେତେ ଲୋକ ଦରକାର ତା’ଠାରୁ ଅଧିକା ଲୋକ କାମ କରୁଛନ୍ତି । ତେଣୁ କୃଷିର ଉନ୍ନତି ହୋଇ ପାରୁନାହିଁ । ଯେଉଁମାନେ କୃଷିରେ କାମ କରୁଛନ୍ତି । ସେମାନଙ୍କର ଆୟ ବଢ଼ିପାରୁ ନାହିଁ । ଏହା ବଳକା ଲୋକଙ୍କୁ ନେଇ ଶିଳ୍ପ ଓ ବ୍ୟବସାୟରେ ଖଟାଇ ଆମର ଆର୍ଥନୀତିକ ଉନ୍ନତି କରିବା ବର୍ତ୍ତମାନ ପ୍ରଧାନ କର୍ତ୍ତବ୍ୟ, ଏକଥା ସମସ୍ତେ ଉପଲବ୍ଧ କଲେଣି-। କିନ୍ତୁ ଏହି ଶିଳ୍ପର ଉନ୍ନତି ପାଇଁ ଆମର ଶିଳ୍ପ ଶ୍ରମିକମାନଙ୍କୁ ତାଲିମ କରିବା କଥା ଏ ପର୍ଯ୍ୟନ୍ତ ବିଶେଷ କିଛି ବିଚାର କରାଯାଇନାହିଁ ।ଆମ ଦେଶରେ ଶିଳ୍ପରେ ଯେଉଁ ଶ୍ରମିକମାନେ କାମ କରୁଛନ୍ତି, ସେମାନଙ୍କର ଦକ୍ଷତା ଓ ଯୋଗ୍ୟତା ବିଷୟରେ ଅନେକ ପ୍ରଶ୍ନ ହେଉଛି । ଶିଳ୍ପରେ ଯେତେ କଳ କବଜା ଲାଗିଲେ ମଧ୍ୟ, ଶ୍ରମିକମାନଙ୍କୁ ବାଦ ଦିଆଯାଇ ପାରିବ ନାହିଁ । ବିଶେଷତଃ ଆମଦେଶର କଳ କାରଖାନାରେ ବେଶୀ ସଂଖ୍ୟାରେ ଶ୍ରମିକ କାମ କରିବେ । ତେଣୁ ଏମାନଙ୍କର ଦକ୍ଷତା ବଢ଼ାଇବା ଏକାନ୍ତ ପ୍ରୟୋଜନ ।

 

ଆମ ଦେଶରେ ଶ୍ରମିକ ଓ ଅନ୍ୟଦେଶର ଶ୍ରମିକମାନଙ୍କର ଦକ୍ଷତା ବିଷୟରେ ତୁଳନା କଲେ ଦେଖାଯିବ ଯେ ଆମ ଦେଶର ଶ୍ରମିକମାନଙ୍କର ଉତ୍ପାଦନ କରିବା ଶକ୍ତି ଅନ୍ୟଦେଶ ଶ୍ରମିକମାନଙ୍କଠାରୁ କମ୍ । ଇଂଲଣ୍ଡ, ଆମେରିକା, ଜର୍ମାନ ଓ ଜାପାନର ଶିଳ୍ପ ଶ୍ରମିକମାନେ ଆମ ଦେଶର ଶ୍ରମିକମାନଙ୍କଠାରୁ ଅନେକ ଗୁଣରେ ଅଧିକ ଯୋଗ୍ୟ । ତେବେ ଆମେ ଏକଥା କହୁନାହୁଁ ଯେ ଆମ ଦେଶର ଶ୍ରମିକମାନେ ଅନ୍ୟ ଦେଶର ଶ୍ରମିକମାନଙ୍କଠାରୁ ବୁଦ୍ଧିରେ କମ୍ । ଏଥିରେ କୌଣସି ବୁଦ୍ଧିଗତ ବା ଜାତିଗତ ପ୍ରଶ୍ନ ନାହିଁ । ଏଥିପାଇଁ ଆମଦେଶର ସାମାଜିକ ପରିସ୍ଥିତି, ଆର୍ଥିକ ଦୁର୍ଗତି ଓ ଶିକ୍ଷାପଦ୍ଧତି ଅନେକାଂଶରେ ଦାୟୀ । ଏସବୁ ଅସୁବିଧା ଦୂରକରି ଶିଳ୍ପ ଶ୍ରମିକର ଯୋଗ୍ୟତା ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ । ପ୍ରଥମେ ଏସବୁ ଅସୁବିଧା କଣ ବିଚାର କରାଯାଉ । ତାପରେ ଏସବୁ ଅସୁବିଧା କିପରି ଦୂର ହୋଇପାରିବ, ଆଲୋଚନା କରିବା ।

 

ଏକଥା ସମସ୍ତଙ୍କୁ ଜଣା ଯେ ଆମଦେଶର ଜଳବାୟୁ କଠିନ ପରିଶ୍ରମ ପାଇଁ ଉପଯୋଗୀ ନୁହେଁ । ତେଣୁ ଆମର ଶ୍ରମିକମାନେ ଏକକାଳୀନ ବେଶୀ ସମୟ କାମ କରିପାରନ୍ତି ନାହିଁ । ଏ ଦିଗରେ ଆମେ ଆଉ ଅଧିକା କିଛି କରି ପାରିବାନାହିଁ । ତେବେ ଶ୍ରମିକମାନେ ଯେଉଁ କଳକାରଖାନାରେ କାମ କରୁଛନ୍ତି, ଯେଉଁଠି ରହୁଛନ୍ତି, ସେଥିରେ ଯଦି କିଛି ଉନ୍ନତି ହୁଏ, ତା ହେଲେ ଶ୍ରମିକମାନେ ଅଧିକା ପରିଶ୍ରମ କରିପାରିବେ । ସେ କଥା ପରେ ଆସୁଛି । କିନ୍ତୁ ଆମର ଜଳବାୟୁ ଯେ ଆମର ଉତ୍ପାଦନ କରିବା ଶକ୍ତିକୁ କ୍ଷୁର୍ଣ୍ଣ କରୁଛି, ଏକଥା ଏଠି ମନେରଖିବା ଦରକାର-

 

ଆମ ଦେଶରେ ସ୍ଥାୟୀ ଭାବରେ ବେଶୀ ଶିଳ୍ପ ଶ୍ରମିକ ନାହାନ୍ତି । ଯେଉଁ ଶ୍ରମିକମାନେ ଶିଳ୍ପରେ କାମ କରନ୍ତି, ସେମାନଙ୍କର ପିଲାମାନେ ଗାଁରେ ଥାନ୍ତି । ଅଭାବ ଓ ଅନଟନରେ ପଡ଼ି ସହରକୁ ଏମାନେ କାମ ଖୋଜିବାକୁ ଆସନ୍ତି । ସହରର କଳକାରଖାନାରେ କିଛି ଦିନ କାମକରି ରୋଜଗାରତକ ହାତରେ ଧରି ସେମାନେ ପୁଣି ମଫସଲକୁ ଫେରିଆସନ୍ତି । ସହରର ଚାଲିଚଳନ ଓ ରହିବା ରଙ୍ଗଢଙ୍ଗ ଏମାନଙ୍କୁ ପସନ୍ଦ ଲାଗେ ନାହିଁ । ଯେତିକି ଦିନ ସହରରେ ରହନ୍ତି, ସେତେକ ଦିନ ସେମାନେ ଏକ ଅପ୍ରାକୃତିକ ପରିସ୍ଥିତିରେ ଥିଲା ପରି ମନେକରନ୍ତି । ପିଲାପିଲି ଗାଁ ରେ ଛାଡ଼ି ଦେଇ ଆସିବାରୁ ସବୁବେଳେ ଗାଁ କଥା ମନେ ପକାଇ ବ୍ୟସ୍ତ ହେଉଥାନ୍ତି । ମନଟାରେ ଥାଏ, କେବଳ ପଇସାପାଇଁ ସହରରେ ଏମାନେ ନିଜକୁ ରଖିଥାନ୍ତି । ଫଳରେ ନିଜର କାର୍ଯ୍ୟକରିବା ଶକ୍ତି କମିଯାଏ । ଶ୍ରମ ଶ୍ରମିକଠାରୁ ଅଲଗା ନୁହେଁ । ଶ୍ରମିକର ମନ ଭଲ ନ ରହିଲେ, ଶ୍ରମ କରିବାରେ ଆନନ୍ଦ ଆସିବ ନାହିଁ । ଠକେଇବା ମନୋବୃତ୍ତି ବଢ଼ିବ । ପୁଣି ସହରରେ ଏମାନେ ଯେପରି ଅସ୍ଵାସ୍ଥ୍ୟକର ପରିସ୍ଥିତିରେ ରହନ୍ତି ସେଥିରେ ଏମାନଙ୍କୁ ନାନାପ୍ରକାର ରୋଗ ହୁଏ । ଯେଉଁ ଓଡ଼ିଆ ମଜୁରିଆମାନେ କଲିକତା କଳକାରଖାନାରେ କାମ କରୁଛନ୍ତି, ସେମାନଙ୍କ ରହିବା ଜାଗାଦେଖିଲେ ଯେ କୌଣସି ଲୋକ ଏହା ସହଜରେ ଅନୁମାନ କରିପାରିବ । ଯେଉଁମାନେ ଅଳ୍ପଦିନ ପାଇଁ ସହରକୁ କାମ କରିବାକୁ ଯାନ୍ତି, ସେମାନେ ଭଲ ଜାଗା ଖୋଜି ଘରକରିବା କଥା ଚିନ୍ତା କରନ୍ତି ନାହିଁ-। ହାତରେ ପଇସା ଥିଲେ ମଧ୍ୟ ସେ ଦିଗରେ ମନ ଯାଏ ନାହିଁ । ଏମାନଙ୍କ ହାତରେ ତ ସହଜରେ ପଇସା ନ ଥାଏ । ତେଣୁ ଏମାନେ ଗୋଟିଏ ଗୋଟିଏ ଛୋଟ ଛୋଟ ବଖରାରେ ୨୦ /୨୫ଜଣ କରି ଭାଡ଼ି ପକାଇ ରହନ୍ତି ଯେଉଁ ଘରେ ରୋଷେଇ କରନ୍ତି, ସେଇ ଘରେ ଶୁଅନ୍ତି । ଚାରିପଟେ ମଇଳା ଜମି ରହିଥାଏ । ଏଥିରେ କାର୍ଯ୍ୟଦକ୍ଷତା ବଢ଼ିବ କୁଆଡ଼େ ?

 

ଶ୍ରମିକମାନଙ୍କ ପାଇଁ ମଧ୍ୟ ସହରରେ ଉନ୍ନତଧରଣର କୌଣସି ଆମୋଦ ପ୍ରମୋଦର ବ୍ୟବସ୍ଥା ନ ଥାଏ । ମାଛକୁ ପାଣିରୁ ବାହାର କରି ଶୁଖିଲାରେ ରଖିଦେଲେ ସେ ଯେପରି ଛଟପଟ ହୁଏ, ସେହିପରି ଏମାନେ ଗାଁ’ର ମୁକ୍ତ ଆକାଶ ତଳୁ ବାହାରି ଯାଇ ସହରର କୋଳାହଳ ଭିତରେ ଛଟପଟ ହୁଅନ୍ତି । ସହରଟା ଯେପରି ଏକ ବନ୍ଦିଶାଳା ପରି ଜଣାପଡ଼େ । ଏମାନଙ୍କୁ ସେଠି କେହି ଚିହ୍ନନ୍ତି ନାହିଁ କେହି ଆପଦ ବା ବିପଦରେ ପଚାରନ୍ତି ନାହିଁ । ତେଣୁ ନିଜକୁ ଭୁଲିବା ପାଇଁ ଏମାନେ ମଦ ବା ଜୁଆଖେଳର ଆଶ୍ରୟ ନିଅନ୍ତି । ସପ୍ତାହଯାକର କାମଶେଷରେ ଯେତେବେଳେ ଏମାନଙ୍କୁ ମଜୁରିତକ ମିଳେ, ସେଇ ମଜୁରିତକ ନେଇ ତା ଦୋକାନରେ ଦେଇ ଆସନ୍ତି । ଦିନେ ବା ଦୁଇଦିନ ମଦ ପିଇ କାମ ମଧ୍ୟ ଭୁଲିଯାନ୍ତି । ତେଣୁ ଆମର କଳକାରଖାନାରେ ଶ୍ରମିକମାନଙ୍କ ଅନୁପସ୍ଥିତି ସଂଖ୍ୟା (absenteeism) ଖୁବ୍‍ ବେଶୀ । ଏଇ କଳକାରଖାନାର ମାଲିକମାନଙ୍କୁ ବଳକା ଶ୍ରମିକ ରଖିବା ଦରକାର ପଡ଼େ । ଏଥିରେ ଶ୍ରମିକ ବାବଦ ଖର୍ଚ୍ଚ ଅଧିକ ହୁଏ । କିନ୍ତୁ କାର୍ଯ୍ୟର ଦକ୍ଷତା ବଢ଼େ ନାହିଁ ।

 

ଆମ ଶ୍ରମିକମାନଙ୍କର ମଜୁରି ମଧ୍ୟ ଖୁବ୍‍ କମ । ଏମାନେ ଯେତିକି ମଜୁରୀ ପାନ୍ତି, ସେତିକରେ ସହରରେ ଚଳିବା କଷ୍ଟ ହୁଏ । ଏହା ବ୍ୟତୀତ ଏମାନେ ଗାଁକୁ ମଧ୍ୟ କିଛି ପଠାଇବେ । ମହାଜନର ଦେଣା ସୁଝିବେ । ସମସ୍ତଙ୍କର କିଛି ନା କିଛି କରଜ ଥାଏ । ମହାଜନର ସୁଧ ବି କମ୍‍ ନୁହେଁ, ଶହେକୁ ଶହେ । ପୁଣି ଏମାନେ ଗାଁକୁ ବି ଆସିବେ । ସର୍ଦ୍ଦାରକୁ ପାଉଣା ଦେବେ । ଏଥିରେ ସେମାନଙ୍କର ବଞ୍ଚିବା ମାନଦଣ୍ଡ ଉନ୍ନତି ହେବ କିପରି ? ଭଲ ଖାଇଲେ ସିନା କାମ କରିବାକୁ ଶକ୍ତି ଆସିବ ? ଯେ ପେଟ ପୂରେଇ ଖାଇବାକୁ ପାଉନାହିଁ, ସେ ମନଦେଇ ୮/୧୦ ଘଣ୍ଟା ପରିଶ୍ରମ କରିବ କିପରି ? ରୋଗ ହେଲେ ଔଷଧ କରିବାକୁ ପଇସା ନାହିଁ । ଶ୍ରମିକର ଯଦି ଦେହ ଖରାପ ହୁଏ, ତାହେଲେ ତା’ର ଶ୍ରମର ମଜୁରୀ ମଧ୍ୟ ଯାଏ । ଆମଦେଶର ବ୍ୟବସାୟୀମାନଙ୍କର ଦୂରଦୃଷ୍ଟି ନାହିଁ । ଏମାନେ ଢୋକେ ପିଇ କ୍ଷଣେ ଜୀଇବା କଥାରେ ଥା’ନ୍ତି । ଅଳ୍ପ ମଜୁରୀ ଦେଲେ ବେଶୀ ଲାଭ ହେବ ବୋଲି ଏମାନଙ୍କ ବିଚାର । କିନ୍ତୁ ମଜୁରିଆର କାମ ତ ଦିନକରେ ସରିଯାଏ ନାହିଁ । ସେ ସବୁ ଦିନ କାମ କରିବ । ମେହନତ ବ୍ୟତୀତ ତାର ଆଉ କିଛି ସମ୍ପତି ନାହିଁ । ଦିନିକିଆ କାମ ପାଇଁ ଯେତିକି ଆଧାର, ସବୁଦିନିଆ କାମ ପାଇଁ କ’ଣ ସେତିକି ଆଧାର ଦରକାର । ଏହି ଆଧାର ଅଭାବରୁ ଆମ ଦେଶର ଶ୍ରମିକମାନେ ଅନ୍ୟଦେଶର ଶ୍ରମିକମାନଙ୍କ ପରି ବେଶୀ କାମ କରି ପାରନ୍ତି ନାହିଁ ।

 

ଯେଉଁମାନଙ୍କ ଅଧୀନରେ ଏଇ ଶ୍ରମିକମାନେ କାମ କରନ୍ତି, ସେମାନଙ୍କର ଏମାନଙ୍କୁ ପ୍ରତି କୌଣସି ସହାନୁଭୂତି ନ ଥାଏ । ସେମାନେ କେବଳ ଲାଭ କଥା ଚିନ୍ତା କରନ୍ତି । ତେଣୁ କେଉଁ କାଳର ପୁରୁଣା କଳ କବଜା ଧରି ସେଥିରେ ଶ୍ରମିକମାନଙ୍କୁ ଖଟାଇ ଯେ କୌଣସିମତେ ଉତ୍ପାଦନ ପ୍ରଣାଳୀ ପରିଚାଳନା କରିବାରେ ଲାଗିଥାନ୍ତି । ପୁରୁଣା କଳ କବଜା, ଅଦରକାରି କଞ୍ଚାମାଲ ଉଦାସୀନ ପରିଚାଳନା ଫଳରେ ଶ୍ରମିକମାନଙ୍କର ଉତ୍ପାଦନ ଶକ୍ତି ବଢ଼ିପାରେ ନାହିଁ । କଳକାରଖାନା ଭିତରେ ଶ୍ରମିକମାନଙ୍କ ପାଇଁ ବସିବା ଉଠିବା ଜାଗା ମଧ୍ୟ ଟିକିଏ ନ ଥାଏ । ଏମାନେ ଶୀତଦିନେ ଶୀତକାକରରେ, ଖରାଦିନେ ଗରମରେ ଓ ବର୍ଷାଦିନେ ଓଦାରେ କାମ କରନ୍ତି-। କାରଖାନାଭିତରକୁ ମୁକ୍ତବାୟୁ ମଧ୍ୟ ପ୍ରବେଶ କରି ପାରେ ନାହିଁ । କାରଖାନାର ଧୂଆଁ ଓ ଆବର୍ଜନା ଭିତରେ କାମ କରି କରି ଶ୍ରମିକମାନଙ୍କର ଶକ୍ତି କମିଯାଏ । ତେଣୁ ଉତ୍ପାଦନ ଶକ୍ତି ନ ବଢ଼ି, କମିବାରେ ଲାଗେ ।

 

ଆମଦେଶର ଶ୍ରମିକମାନଙ୍କର କୌଣସି ଶିକ୍ଷା ନାହିଁ । ଏମାନଙ୍କୁ ଭିତରୁ ଅଧିକାଂଶ ଅଶିକ୍ଷିତ । ଅନୁଭୂତି ହିଁ ଏମାନଙ୍କର ସମ୍ବଳ । ଏତିକିରେ ଏମାନେ ଯାହା ନିଜର ପାଉଣା ଆଦାୟ କରନ୍ତି । ଶିକ୍ଷା ବା ଯୋଗ୍ୟତା ଥିଲେ ଶ୍ରମିକମାନଙ୍କ ଭିତରେ ସହଯୋଗ ଆସନ୍ତି । ଶ୍ରମିକମାନେ ସଂଘବଦ୍ଧ ହୋଇ ନିଜର ଦାବି ହାସଲ କରନ୍ତି । ନିଜର ଅବସ୍ଥାର ଉନ୍ନତି କରନ୍ତେ । ମାଲିକମାନେ ଯେପରି ସେମାନଙ୍କୁ ହଇରାଣ କରୁଛନ୍ତି, ସେପରି ହଇରାଣ କରି ପାରନ୍ତେ ନାହିଁ । ଅଶିକ୍ଷା ଓ ଅଭାବ ଫଳରେ ଏମାନେ ମାଲିକମାନଙ୍କ ସହ କଥାବାର୍ତ୍ତା କରି ପାରନ୍ତି ନାହିଁ । ମାଲିକ ଓ ଶ୍ରମିକ ଭିତରେ ଯେଉଁଠି ବିରାଟ ପ୍ରଭେଦ ବିଦ୍ୟମାନ, ସେଥିରେ ପରସ୍ପର ଭିତରେ ସହଯୋଗ ଆସିବା କେବେ ସମ୍ଭବ ନୁହେଁ । ତେଣୁ ମାଲିକ ଓ ଶ୍ରମିକ ଅଲଗା ଅଲଗା ଲୋକ ବୋଲି ଜଣାପଡ଼ନ୍ତି । ପରସ୍ପର ଭିତରେ ତିକ୍ତତା ବଢ଼େ | ଆମ ଦେଶରେ ମଧ୍ୟ ଏକାଭାଷା ନୁହେଁ । ଗୋଟିଏ ଗୋଟିଏ କାରଖାନାରେ ଭିନ୍ନଭିନ୍ନ ଜାଗାର ଲୋକେ ଏକାଠି କାମ କରନ୍ତି । ଏମାନଙ୍କର ଭାଷା ଅଲଗା । ତେଣୁ ପରମ୍ପରାକୁ ସେମାନେ ବୁଝି ପାରନ୍ତି ନାହିଁ । ଅଶିକ୍ଷା ଫଳରେ ଜାତି ଓ ଧର୍ମ ମଧ୍ୟ ଶ୍ରମିକମାନଙ୍କ ଭିତରେ ବିଭେଦ ସୃଷ୍ଟି କରେ । ମାଲିକମାନେ ତା’ର ସୁବିଧା ନିଅନ୍ତି । ସଂଘବଦ୍ଧ ଶ୍ରମିକ ଆନ୍ଦୋଳନ ଅଭାବରୁ ଶ୍ରମିକମାନଙ୍କର ଅବସ୍ଥାରେ ଉନ୍ନତି ହୋଇପାରେ ନାହିଁ । ମାଲିକ ଠୁ ତ କିଛି ଆଦାୟ କରିପାରନ୍ତି ନାହିଁ । ନିଜେ ମଧ୍ୟ ନିଜର ଉନ୍ନତି କରିବାରେ ଉଦ୍ୟମ କରନ୍ତି ନାହିଁ । ଶ୍ରମିକ ଆନ୍ଦୋଳନ କେବଳ ସଂଘର୍ଷ ସୃଷ୍ଟି କରିବାପାଇଁ ନୁହେଁ । ଶ୍ରମିକ ଆନ୍ଦୋଳନ ଶ୍ରମିକମାନଙ୍କର ଉନ୍ନତି ମୂଳକ କାର୍ଯ୍ୟ ନିଜ ହାତକୁ ନେଇ, ସେମାନଙ୍କ ଶିକ୍ଷା, ସ୍ଵାସ୍ଥ୍ୟ, ଟ୍ରେନିଂ ପ୍ରଭୃତି ପାଇଁ ବ୍ୟବସ୍ଥା କରେ । କିନ୍ତୁ ଏସବୁ ଏପର୍ଯ୍ୟନ୍ତ ଆମେ କଳ୍ପନା ମଧ୍ୟ କରିନାହୁଁ ।

 

ବରଂ ଶ୍ରମିକ ଆନ୍ଦୋଳନ ଫଳରେ ଆମର ଶ୍ରମିକମାନଙ୍କର ଦକ୍ଷତା କମିଛି ବୋଲି ଏବେ ହିସାବରୁ ଜଣାଯାଇଛି । ତା’ର କାରଣ ଶ୍ରମିକ ଅନ୍ଦୋଳନ, ଶ୍ରମିକମାନଙ୍କ ଭିତରେ ଅପାରଗତା ଓ ବିଶୃଙ୍ଖଳା ସୃଷ୍ଟି କରିଛି । ଶ୍ରମିକମାନେ ବୁଝିବାକୁ ପାଇଛନ୍ତି ଯେ ସେମାନେ ଯେଉଁ ଶ୍ରମ କରୁଛନ୍ତି, ତାର ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି । ମାଲିକମାନେ ସେମାନଙ୍କୁ ଶୋଷଣ କରୁଛନ୍ତି-। ତେଣୁ ସେମାନେ କାମରେ ଅସହଯୋଗ କରି ଢିଲା କାମ (go slow policy) କରୁଛନ୍ତି-। ମାଲିକମାନଙ୍କର ଯଦି ଦୂରଦୃଷ୍ଟି ଥାନ୍ତା, ତାହେଲେ ସେମାନେ ଶ୍ରମିକମାନଙ୍କୁ ଆପଣାର କରି ସେମାନଙ୍କଠାରୁ ବେଶୀ କାମ ଆଦାୟ କରି ନିଅନ୍ତେ । କିନ୍ତୁ ସେମାନେ ଶତ୍ରୁତା ବଢ଼ାଉଛନ୍ତି-। ତେଣୁ ଉଭୟଙ୍କଆଡ଼ୁ ଅସହଯୋଗ ଓ ଅସାଧୁତା ବଢ଼ିଛି । ଶ୍ରମିକମାନଙ୍କ ଭିତରେ ଏବେ ବିଶେଷ ଭାବରେ ବିଶୃଙ୍ଖଳା ଦେଖାଯାଉଛି । ରାଜନୈତିକ ନେତାମାନେ ଶ୍ରମିକମାନଙ୍କ ଭିତରେ ଯେଉଁ ସ୍ୱାର୍ଥପରତା ସୃଷ୍ଟି କରୁଛନ୍ତି, ତାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି । ଯେଉଁମାନେ ଅଶିକ୍ଷା ଓ ଅଜ୍ଞାନ ଯୋଗୁ ସହଜେ ସ୍ଵାର୍ଥପର ସେମାନଙ୍କୁ ସ୍ୱାର୍ଥପରତା ନାଁ ’ରେ ସଂଗଠନ କରିବା ଦେଶ ପକ୍ଷରେ ଘୋର ବିପଦ । ବିରୋଧରେ ଥାଇ ଏବେ ଯେଉଁମାନେ ଏହାର ଗୁରୁତ୍ଵ ଉପଲବ୍ଧଧି କରିପାରୁ ନାହାନ୍ତି, ଭବିଷ୍ୟତରେ ସେମାନେ ଏଥିପାଇଁ ଭିଷଣ ବିପଦର ସମ୍ମୁଖୀନ ହେବେ । ସେ ଯାହାହେଉ, ଏକଥା ସତଯେ ଆମର ଶ୍ରମିକ ଆନ୍ଦୋଳନ ଉପଯୁକ୍ତ ମାର୍ଗରେ ଗତି କରୁନାହିଁ । ଏହା ଶ୍ରମିକର ଶ୍ରମ-ଶକ୍ତି ନ ବଢ଼ାଇ କମାଇବାରେ ଲାଗିଛି ।

 

ଏସବୁ ବିପଦରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଶ୍ରମିକମାନଙ୍କୁ ନିଜର କରିବାକୁ ପଡ଼ିବ । ଶ୍ରମିକମାନଙ୍କୁ ଡରେଇ ସେମାନଙ୍କଠାରୁ କାମ ଆଦାୟ କରିବା ଯୁଗ ଏବେ ଆଉ ନାହିଁ । ସେମାନେ ନିଜର ଦାବି ବିଷୟର ଅତି ସଚେତନ । ତେଣୁ ସେମାନଙ୍କର ଦାବି ପୂରଣ ନ ହେଲେ ସେମାନଙ୍କୁ କର୍ତ୍ତବ୍ୟ ବିଷୟରେ ଯେତେ ଆଦେଶ ଓ ଉପଦେଶ ଦେଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିବନାହିଁ । ଅତି ଦୁଃଖର କଥା ଯେ ଆମ ଦେଶର ରାଜନୀତିକ ଦଳମାନେ କେବଳ ଦାବି ନାଁ ଧରି ଆନ୍ଦୋଳନ କରୁଛନ୍ତି । କର୍ତ୍ତବ୍ୟ କଥା କହିଲେ ଅପ୍ରିୟ ହୋଇ ପଡ଼ିବେ ବୋଲି କର୍ତ୍ତବ୍ୟର ନାଁ ଗନ୍ଧ ଧରୁ ନାହାନ୍ତି । ଫଳରେ କର୍ତ୍ତବ୍ୟ ପଛକୁ ଚାଲିଯାଉଛି । ଶ୍ରମିକମାନଙ୍କ ଭିତରେ ଏହି କର୍ତ୍ତବ୍ୟ ଜ୍ଞାନ ଆଣିବା ପାଇଁ ସେମାନଙ୍କର ଦାବୀ ପୂରଣ କରିବାକୁ ପଡ଼ିବ । କେବଳ ରାଜନୀତି ଦୃଷ୍ଟିରୁ ସେ ଶ୍ରମିକମାନଙ୍କ ଦାବୀ ପୂରଣ କରିବା ଉଚିତ, ତା ନୁହେଁ, ସାମାଜିକ ନ୍ୟାୟ ଓ ଆର୍ଥନୀତିକ ଦୃଷ୍ଟିରୁ ଏହା ମଧ୍ୟ ଦରକାର । ସେମାନଙ୍କର ଅବସ୍ଥାର ଉନ୍ନତି ନ ହେଲେ, ସେମାନେ ଅଧିକା କାମକରି ପାରିବେ ନାହିଁ, ଉତ୍ପାଦନ ଶକ୍ତି ବଢ଼ି ପାରିବ ନାହିଁ । ପୁଣି ଯେଉଁମାନେ ଆଜି କଠିନ ପରିଶ୍ରମ କରି କଳକାରଖାନାକୁ ଚଳାଉଛନ୍ତି, ସେମାନଙ୍କୁ ଅଧା ଭୋକରେ ରଖି ସମାଜର ଉନ୍ନତି କରିବା ବା ଦେଶର ଅର୍ଥନୀତିକ ଭିତ୍ତିକୁ ମଜ୍‍ଭୁତ କରିବା କୌଣସି ସାମାଜିକ ମତ ଦୃଷ୍ଟିରୁ ନ୍ୟାୟସଙ୍ଗତ ନୁହେଁ । ତେଣୁ ଶ୍ରମିକମାନଙ୍କ ଉନ୍ନତି ପାଇଁ ଏକ ସୁଚିନ୍ତିତ ଯୋଜନା ଦରକାର । କଳକାରଖାନା କେବଳ ସରକାରୀ ପରିଚାଳନାରେ ରହିଲେ ଶ୍ରମିକର ଅବସ୍ଥାର ଉନ୍ନତି ହୋଇଯିବ ନାହିଁ । ଆମଦେଶର ରେଲୱେ ଓ ପୋଷ୍ଟଅଫିସ ପ୍ରତି ସରକାରୀ ପରିଚାଳନାରେ ଅଛି । ତଥାପି ସେଥିରେ କାମ କରୁଥିବା ଶ୍ରମିକମାନଙ୍କ ଭିତରେ ଅସନ୍ତୋଷ ପୂରି ରହିଛି ।

 

ଶ୍ରମିକମାନଙ୍କର ଅବସ୍ଥାର ଉନ୍ନତି କରିବାକୁ ହେଲେ ସେମାନଙ୍କ ମଜୁରୀ ବଢ଼ାଇବାକୁ ହେବ, ସେମାନଙ୍କୁ ରହିବା ପାଇଁ ଭଲଘର ତିଆରି କରିବାକୁ ପଡ଼ିବ, ସେମାନଙ୍କ ଶିକ୍ଷାପାଇଁ ବ୍ୟବସ୍ଥା କରାଯିବ । ସେମାନେ ଆଜି ଯେ ଦିନକୁ ୮ /୧୦ ଘଣ୍ଟା ପରିଶ୍ରମ କରୁଛନ୍ତି, ତାକୁ କମାଇ ଅଳ୍ପ ସମୟ ଯେପରି କାମ କରିବେ ତା’ର ବ୍ୟବସ୍ଥା କରିବାକୁ ପଡ଼ିବ । ଯେଉଁ କଳାକାରଖାନାରେ ସେମାନେ କାମ କରୁଛନ୍ତି, ସେଠି ଯେପରି ସେମାନେ ମଣିଷ ଭଳିଆ କାମ କରିବାକୁ ସୁଯୋଗ ପାନ୍ତି ତାକୁ ଦେଖିବାକୁ ହେବ । ଏସବୁ ଆଜି ଦରକାରି କଥା । ଏଥିରେ କାହାର ବିରୋଧ କରିବାର ନାହଁ । ଶ୍ରମିକର ଉତ୍ପାଦନ ଶକ୍ତି ବଢ଼ାଇବା ପାଇଁ ଏହା ନିତାନ୍ତ ଦରକାର । କିନ୍ତୁ ଏଟିକିରେ ଶ୍ରମିକ ପ୍ରତି ଉପଯୁକ୍ତ ସମ୍ମାନ ଦେଖାଯାଇ ପାରିବ ନାହିଁ । ଯେ ପର୍ଯ୍ୟନ୍ତ କଳକାରଖାନା ପରିଚାଳନାରେ ଶ୍ରମିକର ଭାଗ ନାହିଁ, ଭାଗରେ କୌଣସି ଅଂଶ ନାହିଁ, ଚାକିରିରୁ ବରଖାସ୍ତ ହୋଇ ବେକାର ବୁଲିବାର ସମ୍ଭାବନା ଅଛି । ମାଲିକର ନାଲି ଆଖିକୁ ଡରି ଡରି ଦୂରେଇ ରହିବାକୁ ପଡ଼ୁଛି-। ସେ ପର୍ଯ୍ୟନ୍ତ ଶ୍ରମିକ ନିଜ ମନଦେଇ କାମ କରିପାରିବ ନାହିଁ । ଶ୍ରମିକର ମଜୁରୀ ବଢ଼ାଇ, ତାର ବଞ୍ଚିବା ହାରର ଉନ୍ନତି କଲେ, ତା’ର ଉତ୍ପାଦନ ଶକ୍ତି ବଢ଼ିବ । କିନ୍ତୁ ଶ୍ରମିକ ମନଦେଇ ସିନା କାମ କଲେ କଳକାରଖାନାର ଉତ୍ପାଦନ ଶକ୍ତି ବଢ଼ିବ । ସେଥିପାଇଁ ତାର ଶରୀରକୁ ଖାଦ୍ୟ ଯୋଗାଇଲେ ଖାଲି ଚଳିବ ନାହିଁ । ଶରୀରର ଖାଦ୍ୟ ନିତାନ୍ତ ଦରକାର । କିନ୍ତୁ ଏହାଠାରୁ ଟିକିଏ ଅଧିକ ବାଟ ଆମକୁ ଯିବାକୁ ପଡ଼ିବ । ଆମ ମତରେ ଶ୍ରମିକମାନଙ୍କର ପ୍ରତିନିଧିମାନେ କଳକାରଖାନାର ପରିଚାଳନାରେ ଭାଗ ପାଇବା ଉଚିତ । ତାହେଲେ କଳକାରଖାନାରେ ସେମାନଙ୍କୁ ନିଜର କିଛି ଅଛି ବୋଲି ସେମାନେ ଭାବିବେ । ଅଧିକା ପରିଶ୍ରମ କରି ଉତ୍ପାଦନ ବଢ଼ାଇବା କଥା ପଡ଼ିଲେ, ସେମାନେ ତାହା ଆଗ୍ରହରେ କରିବେ । କାରଣ ସେମାନଙ୍କର ପ୍ରତିନିଧିମାନେ ଏହି ନିଷ୍ପତ୍ତିରେ ଭାଗ ନେଇ ଥିବେ । ଯେ ପର୍ଯ୍ୟନ୍ତ ଶ୍ରମିକମାନେ ଉପଯୁକ୍ତ ଭାବରେ ଶିକ୍ଷିତ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ହୁଏତ ବାହାରୁ କେତେଜଣ ପ୍ରତିନିଧି ନେଇ ରଖିବେ । କିନ୍ତୁ ସାଙ୍ଗେସାଙ୍ଗେ ସେମାନଙ୍କର ଶିକ୍ଷାର ଉନ୍ନତି ପାଇଁ ମଧ୍ୟ ଚେଷ୍ଟା କରାଯିବ । ପରିଚାଳନାର ଟିକିନିଖି କଥା ସେମାନେ ବୁଝି ନ ପାରିଲେ ମଧ୍ୟ, କେତେକ ସାଧାରଣ କଥା ବୁଝିବାରେ ବେଶି କିଛି ଅସୁବିଧା ହେବ ନାହିଁ । ଦ୍ଵିତୀୟରେ ସେମାନଙ୍କୁ ଲାଭରୁ ମଧ୍ୟ କେତେକ ଅଂଶ ଦେବା ଉଚିତ । ତାହେଲେ ସେମାନଙ୍କର କାମରେ ଆଗ୍ରହ ଆସିବ । ଅଧିକା ଲାଭ ପାଇବା ଆଶାରେ, ଅଧିକା କାମ କରିବାକୁ ଶ୍ରମିକମାନେ ଆଗଭର ହୋଇ ଉଠିବେ । ଶ୍ରମିକମାନଙ୍କୁ ଯେତିକି ମର୍ଯ୍ୟାଦା ଦିଆଯିବ, ତାଙ୍କଠାରୁ ସେତିକି ଅଧିକା କାମ ଆଦାୟ କରିହେବ । ସେମାନେ ଯେ ପର୍ଯ୍ୟନ୍ତ କଳକାରଖାନାକୁ ନିଜର ବୋଲି ଭାବି ନାହାନ୍ତି, ସେ ପର୍ଯ୍ୟନ୍ତ ଉତ୍ପାଦନ ଶକ୍ତି ଯଥେଷ୍ଟ ପରିମାଣରେ ବଢ଼ିବାର ସମ୍ଭାବନା ନାହିଁ । ଯେଉଁମାନେ ଶ୍ରମିକମାନଙ୍କର ଉନ୍ନତି ପାଇଁ ଆଇନର ଚିଠା କରୁଛନ୍ତି, ସେମାନେ ଏଥିପ୍ରତି ବିହିତ ଦୃଷ୍ଟିଦେବେ ବୋଲି ଆଶା ।

☆☆☆

 

ଶିଳ୍ପ ବିବାଦ

 

ମାଲିକ ଓ ଶ୍ରମିକ ସଂଘର୍ଷ ସବୁ ଦେଶରେ ଅଛି । ସବୁକାଳେ ଥିଲା–ଏବେ ବି ଅଛି । କିନ୍ତୁ ସଂଘର୍ଷର ପ୍ରକାର ସବୁବେଳେ ବଦଳି ଚାଲିଛି । ଏ ଯୁଗର କଥା ଆମେ ଦେଖିବା । ଶିଳ୍ପ ସଭ୍ୟତାରେ ମାଲିକ ଓ ଶ୍ରମିକ ଭିତରେ ବିରାଟ ତାରତମ୍ୟ ସୃଷ୍ଟି ହୁଏ । ମାଲିକର ଆଡ଼ମ୍ବର ଓ ଶ୍ରମିକର ଅଭାବ ଓ ଅନଟନ ଭିତରେ କୌଣସି ସମ୍ପର୍କ ସ୍ଥାପନ କରାଯାଇ ପାରେନାହିଁ । ମାଲିକ ଶ୍ରମିକଠୁ କାମ ଆଦାୟ କରେ–ସେ କାମ ଦିଏ । କିନ୍ତୁ ଶ୍ରମିକ କିପରି ରହିବ, କ’ଣ ଖାଇବ, ତା’ର ପିଲାମାନେ କିପରି ଚଳିବେ, ଏଇ ଦୃଷ୍ଟି ଦିଏ ନାହିଁ । କଳକାରଖାନାର ଅନ୍ୟାନ୍ୟ ଜିନିଷ ପରି ଶ୍ରମଶକ୍ତିକୁ ମଧ୍ୟ କିଣି ନିଏ । କିନ୍ତୁ ଶ୍ରମିକର ଶ୍ରମଶକ୍ତି, ଶ୍ରମିକର ଅବସ୍ଥା ଉପରେ ସେ ନିର୍ଭର କରେ, ସେ କଥାଟି କେବେହେଲେ ଭାବେ ନାହିଁ । ଶ୍ରମିକ ଦେଖେ ଯେ ସେ ହାଡ଼ଭଙ୍ଗା କାମ କରିଛି–କିନ୍ତୁ ଯାହା ମଜୁରି ପାଉଛି, ସେଥିରେ ତାର ପେଟ ପୂରୁନି । ତାର ପିଲାମାନେ ଉପାସ ଭୋକରେ ଦିନ କଟାଉଛନ୍ତି । ଦେହ ଖରାପ ହେଲେ ଓଷୁଅ କରିବାକୁ ପଇସା ମିଳୁନାହିଁ । ଏଥିରେ ତା’ର ତିକ୍ତତା ବଢ଼ୁଛି, ମନଭିତରେ ବିଦ୍ରୋହ ଜାଗି ଉଠୁଛି । ଏଇଥିରୁ ହଁ ସଂଘର୍ଷ ସୃଷ୍ଟି ହେଉଛି । ଶ୍ରମିକ ଆନ୍ଦୋଳନ ତେଜି ଉଠୁଛି । କଳକାରଖାନାମାନଙ୍କରେ ଅନେକ ଶ୍ରମିକ ଏକାଠି ହୁଅନ୍ତି । ସମସ୍ତଙ୍କର ଏକ ସମସ୍ୟା, ଅଭାବ ଓ ଅନଟନ । ତେଣୁ ସମସ୍ତଙ୍କ ଭିତରେ ସହଯୋଗ ଆସେ । ଫଳରେ ମାଲିକ ଓ ଶ୍ରମିକ ବଳ କଷାକଷି ହୁଅନ୍ତି । ଯେତେ ଦେଶରେ ଶିଳ୍ପସଭ୍ୟତା ଅଛି, ସେଠି ଧର୍ମଘଟ ଅଛି ଏବଂ ଅଧିକାଂଶ କ୍ଷେତ୍ରରେ ଏହି ଅଭାବ ଓ ଅନଟନ ଧର୍ମଘଟ ସୃଷ୍ଟି ହୋଇଛି । ଯେତେବେଳେ ଜିନିଷ ପତ୍ରର ଦର ବଢ଼ୁଛି, ସେତେବେଳେ ଶ୍ରମିକମାନେ ଅଧିକା ମଜୁରୀ ଦାବି କରୁଛନ୍ତି । ମାଲିକ ହୁଏତ ଶୁଣୁନି । ଶୁଣିଲେ ବି ଦର-ଦାମ୍ ଅନୁସାରେ ମଜୁରୀ ବଢ଼ାଉନି । ତେଣୁ ବିବାଦ ଲାଗୁଛି । ବିବାଦପାଇଁ ଅବଶ୍ୟ ଅନ୍ୟ କାରଣ ଅଛି । ରାଜନୀତିକ କାରଣ ଏକ କାରଣ । ରାଜନୀତିକ ଦଳମାନେ ନିଜର ଉଦ୍ଦେଶ୍ୟ ହାସଲ ପାଇଁ ସରକାର ବିରୁଦ୍ଧରେ ଅସନ୍ତୋଷ ସୃଷ୍ଟି କରିବାକୁ ଚାହୁଁଛନ୍ତି । ତେଣୁ ଶ୍ରମିକମାନଙ୍କର ଅଭାବକୁ ଆଳ କରି ସେମାନଙ୍କୁ ମଧ୍ୟ ଏଥିରେ ଲଗାଉଛନ୍ତି । ଅନ୍ୟ ଯେଉଁମାନେ ପ୍ରଚଳିତ ଆର୍ଥନୀତିକ ବ୍ୟବସ୍ଥାକୁ ବଦଳାଇ ଏକ ନୂଆ ଆର୍ଥନୀତିକ ବ୍ୟବସ୍ଥା ଗଢ଼ିବାକୁ ଚାହଁଛନ୍ତି, ସେମାନେ ମଧ୍ୟ ଏଇ ଶ୍ରମିକମାନଙ୍କର ଧର୍ମଘଟକୁ ଅପରୂପେ ବ୍ୟବହାର କରୁଛନ୍ତି । ଅନେକ ସମୟରେ ମାଲିକର ବ୍ୟବହାର ଧର୍ମଘଟ ସୃଷ୍ଟି କରୁଛି । ବ୍ୟବହାରରେ ମନୁଷ୍ୟ ମନୁଷ୍ୟକୁ କିଣି ନିଏ । ଟିକିଏ ମିଠା କଥାକଲେ, ମନୋଯୋଗ ଦେଇ ଶ୍ରମିକର ଅବସ୍ଥା ଶୁଣିଲେ, ତାର ଅଭାବରେ ଟିକିଏ ସହାନୁଭୂତି ଦେଖେଇଲେ, ଶ୍ରମିକ ବି ତାର ସବୁଦୁଃଖ ଭୁଲିଯାଇ ମାଲିକ ସହିତ ସହଯୋଗ କରେ । ହସିକରି କହିଲେ ଶ୍ରମିକଠୁ ଯେତେ କାମ ଆଦାୟ କରିହେବ, ରାଗିକରି ହୁକୁମ ଦେଲେ ସେତେ କାମ ଆଦାୟ ହୋଇ ପାରିବ ନାହିଁ । କିନ୍ତୁ ଅନେକ ସମୟରେ ମାଲିକ ଓ ତାର ସହକର୍ମୀମାନେ ଏକଥା ଭୁଲି ଯାଆନ୍ତି । ଶ୍ରମିକ ଉପରେ ଆଦେଶ ଜାରି କରନ୍ତି । ତାର ଗୁହାରିକୁ ଭ୍ରୂକ୍ଷେପ କରନ୍ତି ନାହିଁ । ତା’ କଥା ଶୁଣିବାକୁ ସମୟ ଦିଅନ୍ତି ନାହିଁ । ଏଥିରେ ତିକ୍ତତା ବଢ଼େ । ଧର୍ମଘଟ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଯାଏ ।

 

ଆମେ ଆମଦେଶର କେତୋଟି ଉଦାହରଣ ଦେବା । ଆମ ଦେଶରେ ଅନେକ ଦିନଠୁ ଶିଳ୍ପର ଆରମ୍ଭ ହେଲାଣି । କିନ୍ତୁ ବେଶୀ ଶିଳ୍ପ ନ ଥିବାରୁ ଶିଳ୍ପବିବାଦ ବେଶୀ ନ ଥିଲା । କେତେବେଳେ କେମିତି ମାଲିକ ଓ ଶ୍ରମିକ ବିବାଦ ତେଜି ଉଠୁଥିଲା । କିନ୍ତୁ ତା ବେଶୀଦିନ ରହି ପାରୁ ନ ଥିଲା । ଶେଷରେ ମାଲିକମାନେ ବିଜୟୀ ହେଲେ । କିନ୍ତୁ ପ୍ରଥମ ପୃଥିବୀ ଯୁଦ୍ଧ ପରଠାରୁ ସଂଗଠିତ ଭାବରେ ଆମଦେଶରେ ଶିଳ୍ପବିବାଦ ଆରମ୍ଭ ହେଲା । ପ୍ରଥମ ପୃଥିବୀ ଯୁଦ୍ଧସମୟରେ ଶ୍ରମିକମାନଙ୍କ ଭିତରେ ଏକ ଆତ୍ମଚେତନା ଜାଗି ଉଠିଲା । ସେମାନେ ସେମାନଙ୍କର ଶକ୍ତି ବୁଝି ପାରିଲେ । ନିଜର ଦାବି ହାସଲ କରିବା ପାଇଁ ଆଗଭର ହୋଇଉଠିଲେ । ୧୯୧୮ ମସିହାରେ ଯେଉଁ ଇନ୍‍ଫ୍ଲୁଏଞ୍ଜା ରୋଗ ଦେଶସାରା ବ୍ୟାପିଗଲା, ସେଥିରେ ପ୍ରାୟ ୮୦ ଲକ୍ଷ ଲୋକ ପ୍ରାଣ ହରାଇଲେ । ଶ୍ରମିକମାନଙ୍କ ସଂଖ୍ୟା ହ୍ରାସ ହେଲା । ତେଣୁ ସେମାନଙ୍କର ଶକ୍ତି ବଢ଼ିଲା । ୧୯୧୯ ମସିହାରେ ସଂଗଠିତ ଭାବରେ ଧର୍ମଘଟ ଚାଲିଲା । ୧୯୨୩ ଓ ୧୯୨୪ରେ ଆହୁରି ବଡ଼ ଧର୍ମଘଟ ହେଲା । ୧୯୨୫ ମସିହାରେ ଶତକରା ୧୨୪ ଭାଗ ମଜୁରୀ କାଟିବା ପାଇଁ ମାଲିକମାନଙ୍କ ପକ୍ଷରୁ ଉଦ୍ୟମ ହେଲା । ତେଣୁ ଶ୍ରମିକମାନେ ୨ମାସ ଧରି କାମବନ୍ଦ କରି ଦେଲେ-। ୧୯୨୮ ମସିହାରେ ଦେଶରେ ବାମପନ୍ଥି ମାନଙ୍କର ପ୍ରଭାବ ବଢିଲା । ସେମାନେ ପୁଞ୍ଜିବାଦକୁ ଲୋପ କରି ଏକ ନୂଆ ଆର୍ଥନୀତିକ ସଂସ୍ଥା ପ୍ରତିଷ୍ଠା କରିବାକୁ ଶ୍ରମିକମାନଙ୍କୁ ଆହ୍ୱାନ କଲେ-। ଦେଶର ଚାରିଆଡ଼େ ଧର୍ମଘଟ ଆରମ୍ଭ ହୋଇଗଲା । କେବଳ ବମ୍ବେରେ ଯେଉଁ ଧର୍ମଘଟ ହେଲା, ତାହା ୬ମାସ କାଳ ଲାଗି ରହିଲା । ୧୯୨୯ମସିହାରେ ସେହିପରି ୬ମାସ କାଳ ମିଲ ବନ୍ଦ ରହିଲା । ଏଇ ଦୁଇବର୍ଷର ଧର୍ମଘଟ ଫଳରେ ୪୩୮ ଲକ୍ଷ ଦିନ ମିଲମାନଙ୍କରେ କାମ ହୋଇପାରିଲା ନାହିଁ । ୧୯୩୦ ରୁ ୧୯୩୩ ପର୍ଯ୍ୟନ୍ତ ଦେଶରେ ଆର୍ଥିକ ସଂକଟ ସୃଷ୍ଟି ହେଲା-। ଅନେକ ଶ୍ରମିକ କାମରୁ ଛଟେଇ ଦେଲେ । ମଜୁରି କମିଲା । ବେକାର ସମସ୍ୟା ବଢ଼ିଲା-। କିନ୍ତୁ ଶ୍ରମିକର ସଂଗଠିତ ଶକ୍ତି କମିଯିବା ଫଳରେ ସେମାନେ ଆଉ ଆନ୍ଦୋଳନ କରିପାରିଲେ ନାହିଁ-। ତେଣୁ ଶିଳ୍ପ ବିବାଦ ମୋଟାମୋଟି କମ ରହିଲା । ୧୯୩୯ଠାରୁ ୧୯୪୯ ପର୍ଯ୍ୟନ୍ତ ଯେଉଁସବୁ ଶିଳ୍ପବିବାଦ ହୋଇଥିଲା, ତା’ର ଏକ ହିସାବ ୧୦୦ ପୃଷ୍ଠାରେ ଦିଆଗଲା । ଏସବୁ ଶିଳ୍ପ ବିବାଦ କାହିଁକି ହୋଇଥିଲା, ଏଥିରେ କେତେ ଶ୍ରମିକ ଯୋଗ ଦେଇଥିଲେ, କେତେ ଦିନ କାମବନ୍ଦ ହୋଇଥିଲା, କେତେ ବିବାଦ ସଫଳ ହୋଇଥିଲା–ଏସବୁର ହିସାବ ମଧ୍ୟ ଦିଆଯାଇଛି । ଏହି ହିସାବରୁ ଶିଳ୍ପବିବାଦ ବିଷୟରେ ଏକ ସଠିକ ଧାରଣା ମିଳିପାରିବ ବୋଲି ଆଶା ।

 

ଏହି ହିସାବକୁ ବିଶ୍ଳେଷଣ କରିବାର କୌଣସି ଆବଶ୍ୟକ ନାହିଁ । କିନ୍ତୁ ଗୋଟିଏ କଥା ଆମେ ବିଚାର କରିବା । ଯେତେ ଶିଳ୍ପ ବିବାଦ ହୁଏ, ସେସବୁ ସଫଳ ହୁଏ ନାହିଁ । ୧୯୩୯ରେ ୪୦୬ ଶିଳ୍ପ ବିବାଦ ହୋଇଥିଲା । ସେଥିରୁ ମୋଟ ୬୩ଟି ସଫଳ ହୋଇଥିଲା । ୧୯୪୯ରେ ୯୨୦ ବିବାଦ ହୋଇଥିଲା–ସେଥରୁ ୧୧୨ଟି ସଫଳ ହୋଇଥିଲା । ତେଣୁ ଶିଳ୍ପବିବାଦ କରିବା ଫଳରେ ଶ୍ରମିକମାନଙ୍କର ଯେ ଲାଭହୁଏ, ଏକଥା ଭାବିବା ଠିକ ନୁହେଁ। ସେମାନଙ୍କର ବୋଧହୁଏ ବେଶୀ କ୍ଷତି ହୁଏ । ମାଲିକର ରୋଜଗାର ଦିନେ ବନ୍ଦ ହୋଇଗଲେ, ମାଲିକର ଚଳିବା କିଛି କଷ୍ଟ ହୁଏ ନାହିଁ । ତାର ଗଚ୍ଛିତ ଧନ ଏତେ ଅଧିକ ଯେ ସେ ବର୍ଷ ବର୍ଷ ବିନା ରୋଜଗାରରେ ଚଳିଯାଇ ପାରିବ । କିନ୍ତୁ ଶ୍ରମିକ ପକ୍ଷରେ ପ୍ରତ୍ୟେକ ଦିନର ମଜୁରୀ ଦରକାର । ଦିନେ କାମ ବନ୍ଦ ହୋଇଗଲେ ସେ ଓ ତାର ପିଲାମାନେ ପେଟରେ ଓଦା କନାଦେଇ ଶୋଇବାକୁ ବାଧ୍ୟ ହୁଅନ୍ତି । ତେଣୁ ଶ୍ରମିକ ପକ୍ଷରେ ଶ୍ରମ ବିବାଦ ଆଦୌ ହିତକର ନୁହେଁ । ଶ୍ରମିକ ବିବାଦ ଫଳରେ ଉତ୍ପାଦନ କମେ । ଉତ୍ପାଦନ କମ୍ ହେଲେ ଜିନିଷ ପତ୍ରର ଦର ଅଧିକ ହୁଏ । ତେଣୁ ସାଧାରଣ ଲୋକମାନେ ହଇରାଣ ହୁଅନ୍ତି । ଦେଶର ସମ୍ପଦ ନଷ୍ଟହୁଏ । ଏସବୁ ଜଣାଶୁଣା କଥା । ତଥାପି ସଂଘର୍ଷ ବନ୍ଦ କରି ହୁଏ ନାହିଁ । ଧର୍ମଘଟ ଫଳରେ ଶ୍ରମିକର ବେଶୀ କ୍ଷତି ହୁଏ । ତଥାପି ସେ ଧର୍ମଘଟରେ ଯୋଗଦିଏ-। କାରଣ ତା’ର ଆଉ କୌଣସି ଉପାୟ ନ ଥାଏ । ତାର ହାରି ଗୁହାରି ମାଲିକର ଦୃଷ୍ଟି ଆକର୍ଷଣ କରିପାରେ ନାହିଁ ।

 

କିନ୍ତୁ ଦେଶର ହିତ ଦୃଷ୍ଟିରୁ ଏସବୁ ବିବାଦ ବନ୍ଦ ହେବା ଉଚିତ । ଆଇନ କରି ଧର୍ମଘଟ ବନ୍ଦ କରି ଦେଲେ, ଧର୍ମଘଟ ବନ୍ଦ ହୋଇଯିବ ନାହିଁ । ବେଆଇନ ଧର୍ମଘଟ ହେବ । ତେଣୁ ଶ୍ରମିକର ଅବସ୍ଥାରେ ଯେପରି ଉନ୍ନତି ହେବ, ସେଥିପାଇଁ ଦୃଷ୍ଟିଦେବା ଉଚିତ । ଯେଉଁସବୁ କାରଣ ଯୋଗୁଁ ଧର୍ମଘଟ ହେଉଛି, ସେସବୁ କାରଣ ଦୂର କରିବା ଉଚିତ । ଏହାସତ୍ତ୍ୱେ ମଧ୍ୟ ଧର୍ମ ଘଟ ହୋଇପାରେ-। ଏକା ପରିବାରରେ ଥିବା ଲୋକଙ୍କ ଭିତରେ ଯେତେବେଳେ ମତଭେଦ ଓ କଳହ ସମ୍ଭବ ହୋଇପାରୁଛି, କଳକାରଖାନାରେ କାମ କରୁଥିବା ଶ୍ରମିକ ଓ କଳକାରଖାନାର ମାଲିକ ଭିତରେ ମତଭେଦ ଦୂର ହୋଇପାରିବ ବୋଲି ବିଶ୍ଵାସ କରାଯାଇ ପାରେନାହିଁ । ଏପରିକି ଶ୍ରମିକମାନଙ୍କୁ କଳକାରଖାନାର ପରିଚାଳନାରେ ଭାଗ ଦେଲେ ମଧ୍ୟ ମତଭେଦ ରହିବ । ଧର୍ମଘଟ ହେବ-। ସବୁ ଶ୍ରମିକ ତ କଳକାରଖାନା ପରିଚାଳନା କରିବେ ନାହିଁ ସେମାନଙ୍କ ପ୍ରତିନିଧିମାନେ ପରିଚାଳନା ସହିତ ସହଯୋଗ କରିବେ । ଏଥିରେ ମତଭେଦ ହେବା ସ୍ଵାଭାବିକ-। ତେଣୁ ଧର୍ମଘଟକୁ କେବେହେଲେ ବାଦ ଦେଇ ହେବ ନାହିଁ । କିନ୍ତୁ ଅତି ସହଜରେ ଏହାର ସଂଖ୍ୟା କମା ଯାଇପାରେ-

 

ଶିଳ୍ପ ବିବାଦକୁ ନଷ୍ଟ କରିବା ପାଇଁ ସାଧାରଣତଃ ତିନୋଟି ପନ୍ଥା ଗ୍ରହଣ କରାଯାଏ । ଗୋଟିଏ ହେଉଛି ଆପୋଷ ମିଳାମିଶା (Conciliation) । ଏଥିରେ ମାଲିକ ଓ ଶ୍ରମିକମାନେ ମଳିମିଶି ନିଜର ବିବାଦ ନିଷ୍ପତ୍ତି କରନ୍ତି । ଦ୍ଵିତୀୟଟି ହେଉଛି ମଧ୍ୟସ୍ଥତା ସୂତ୍ରରେ ଶାନ୍ତିସ୍ଥାପନ କରିବା (Mediation) । ବାହାରୁ ଜଣେ ଆସି ଏମାନଙ୍କ ଭିତରେ ମଧ୍ୟସ୍ଥତା କରି ବିବାଦ ଦୂର କରିବାକୁ ଚେଷ୍ଟା କରେ । ଅନ୍ୟଟି ହେଉଛି ! ମାଲିକ ଓ ଶ୍ରମିକ ନିଜର ଗୋଳମାଳ ତୁଟାଇବା ପାଇଁ ଜଣଙ୍କ ଉପରେ ଭାର ଦେଇ ଦିଅନ୍ତୁ (Arbitration) । ସେ ଉଭୟଙ୍କୁ ଦୋଷ ଗୁଣ ବିଚାର କରି ଯେଉଁ ରାୟ ଦିଅନ୍ତି, ତାକୁ ଉଭୟ ଗ୍ରହଣ କରନ୍ତି । ଆମ ଦେଶରେ ଦ୍ଵିତୀୟ ପନ୍ଥାଟି ଖୁବ କ୍ଵଚିତ କାର୍ଯ୍ୟକାରୀ ହୋଇଛି । ଅନ୍ୟ ଦୁଇ ପନ୍ଥା ସାହାଯ୍ୟରେ ବିବାଦ ନିଷ୍ପତ୍ତି କରାହୋଇଛି । ଅହମ୍‍ଦାବାଦର ୧୯୨୧ ମସିହାଠାରୁ ଶିଳ୍ପବିବାଦ ନିଷ୍ପତ୍ତି କରିବା ପାଇଁ ଏକ ସ୍ଥାୟୀ (Permanent arbitration board) ଗଠନ କରାଯାଇଛି ଏଥିରେ ଶ୍ରମିକ ଓ ମାଲିକମାନଙ୍କ ପକ୍ଷରୁ ଜଣେ ଲେଖାଏଁ ପ୍ରତିନିଧି ମଧ୍ୟ ଅଛନ୍ତି । ଏମାନେ ଯାହା ନିଷ୍ପତ୍ତି କରନ୍ତି, ତାକୁ ଉଭୟ ମାନି ନିଅନ୍ତି । ଶିଳ୍ପବିବାଦ ଦୂରକରିବା ପାଇଁ ଗାନ୍ଧିଜୀ ଏ ଯେଉଁ ନୂତନ ଦିଗ ଦେଖାଇ ଯାଇଛନ୍ତି, ତାହା ଉଭୟଙ୍କ ପକ୍ଷରେ ଦରକାର ଦୁଃଖର କଥା ଯେ ଆହମଦାବାଦ ବ୍ୟତିତ ଅନ୍ୟ କୌଣସିଠାରେ ଏହା ସମ୍ଭବ ହୋଇପାରିନାହିଁ । ଶିଳ୍ପବିବାଦ ଦୂର କରିବାପାଇଁ ସରକାର ଯେଉଁସବୁ ଆଇନ କରିଛନ୍ତି, ସେଥିରେ ସରକାରଙ୍କୁ କ୍ଷମତା ଦିଆଯାଇଛି ଯେ ଦରକାର ହେଲେ ସରକାର ବିବାଦର ନିଷ୍ପତି କରି ଯେଉଁ ରାୟ ଦେବେ, ତାକୁ ଉଭୟେ ମାନିବାକୁ ବାଧ୍ୟ ହେବେ (Compulsory arbitration) । ଏପରି ଏକ ଆଇନ ଗଣତାନ୍ତ୍ରିକ ନୀତି ବିରୋଧୀ । ଯୁଦ୍ଧ ପୂର୍ବରୁ ଅଷ୍ଟ୍ରେଲିଆ ବ୍ୟତୀତ ଅନ୍ୟ କୌଣସି ଗଣତନ୍ତ୍ର ଦେଶରେ ଏପରି ବାଧ୍ୟତାମୂଳକ ସରକାରୀ ନିଷ୍ପତ୍ତି ପ୍ରଥା ପ୍ରଚଳନ ନ ଥିଲା । ଯୁଦ୍ଧ ସମୟରେ ଅନେକ ଦେଶରେ ଏପରି ବାଧ୍ୟତାମୂଳକ ନିଷ୍ପତ୍ତି ପ୍ରଥା ମୁଣ୍ଡ ଟେକି ଉଠିଲା । ଆମ ଦେଶ ତ ସେଥିରୁ ବାଦ ଯିବା କଥା ନୁହେଁ । କିନ୍ତୁ ସେସବୁ ଆଇନ ଜରୁରୀ ସମୟରେ କରାଯାଏ । ତାକୁ ଶାନ୍ତି ସମୟରେ ଚାଲୁରଖିବା ଉଚିତ ନୁହେଁ । ଆମମାନଙ୍କ ମତରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ପନ୍ଥା ଶିଳ୍ପ ବିବାଦ ନିଷ୍ପତ୍ତି କରିବା ପାଇଁ ଉତ୍କୃଷ୍ଟ ପନ୍ଥା । ଏହା ଫଳରେ ଅହମଦାବାଦର ଶ୍ରମିକମାନେ ବିଶେଷ ଲାଭବାନ ହୋଇଛନ୍ତି । ମାଲିକମାନେ ମଧ୍ୟ କ୍ଷତିରୁ ରକ୍ଷା ପାଇଛନ୍ତି । ମାଲିକ ଓ ଶ୍ରମିକମାନଙ୍କ ଭିତରେ ଉତ୍ତମ ସମ୍ପର୍କ ସ୍ଥାପନ କରାଯାଇ ପାରିଛି । ତେଣୁ ମାଲିକ ଓ ଶ୍ରମିକମାନେ ମିଶି ସେପରି ବିବାଦ ନିଷ୍ପତ୍ତି କରନ୍ତି, ସେଥିପାଇଁ ସରକାଙ୍କର ତରଫରୁ ସବୁ ରକମ ଉଦ୍ୟମ କରିବା ଉଚିତ ।

☆☆☆

 

ଭାରତରେ ଶ୍ରମିକ ଆନ୍ଦୋଳନ

 

ପ୍ରଥମ ମହାଯୁଦ୍ଧ ପର୍ଯ୍ୟନ୍ତ, ଭାରତରେ ଶ୍ରମିକ ଆନ୍ଦୋଳନର କୌଣସି ନାମଗନ୍ଧ ନ ଥିଲା । କାରଣ ସେ ପର୍ଯ୍ୟନ୍ତ ଆମର ଶିଳ୍ପର ବିଶେଷ କିଛି ଉନ୍ନତି ହୋଇନଥିଲା । ଶ୍ରମିକ ଆନ୍ଦୋଳନ ଶିଳ୍ପ ସଭ୍ୟତାରୁ ସୃଷ୍ଟି ହୁଏ । ଯେତେବେଳେ କଳକାରଖାନା ସାହାଯ୍ୟରେ ଉତ୍ପାଦନ ପ୍ରଣାଳୀ ପରିଚାଳିତ ହୁଏ, ସେତେବେଳେ ଶ୍ରମିକମାନେ ଏକାଠି କାମ କରିବାର ସୁଯୋଗ ପାନ୍ତି । ଏକାଠି ରହିବା, ଏକାଠି କାମ କରିବା ଓ ଏକା ଅବସ୍ଥାରେ କାମ କରିବା ଫଳରେ ଶ୍ରମିକମାନଙ୍କ ଭିତରେ ସହଯୋଗ ଆସେ । ଏହି ସହଯୋଗରୁ ସଂଗଠନ ମୁଣ୍ଡ ଟେକି ଉଠେ । ପ୍ରଥମ ମହାଯୁଦ୍ଧ ପୂର୍ବରୁ ଆମ ଦେଶରେ ସଙ୍ଗଠିତ ଭାବରେ ଶିଳ୍ପ ସଙ୍ଗଠନ କରାଯାଇ ନଥିଲେ। ତେଣୁ ଶ୍ରମିକ ଆନ୍ଦୋଳନର ପ୍ରଶ୍ନ ଉଠୁ ନଥିଲା । କାଁ ଭାଁ ଯେଉଁ କେତୋଟି କଳକାରଖାନା ଥିଲେ, ସେଥିରେ ଶ୍ରମିକମାନେ ବଡ଼ ହିନିମାନିଆ ଅବସ୍ଥାରେ କାମ କରୁଥିଲେ । ଏହି ଅବସ୍ଥାକୁ ସୁଧାରିବା ପାଇଁ ୧୮୭୫ ମସିହାରେ ସୋରାବଜି ସାପ୍ରୁଜି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ। ଏହାକୁ ଆନ୍ଦୋଳନ କୁହାଯିବ ନାହିଁ । ଆବେଦନ ବୋଲି କୁହାଯାଇପାରେ । ଭାରତରେ ଶ୍ରମିକ ଆନ୍ଦୋଳନର ଜନ୍ମଦାତା ଭାବରେ ଲେଖାଣ୍ଡେଙ୍କୁ ସମ୍ମାନ ଦିଆଯାଏ । ୧୮୯୦ ମସିହାରେ ବମ୍ବେ, କଳକାରଖାନାର ମଜଦୂରମାନଙ୍କୁ ନେଇ ସେ ଏକ ଶ୍ରମିକ ସଂଗଠନ ଗଠନ କରିଥିଲେ । କଳକାରଖାନା ନିୟନ୍ତ୍ରଣ କରିବା ପାଇଁ ଭାରତରେ ଯେଉଁ ପ୍ରଥମ କାରଖାନା ଆଇନ (Factory Act) ପାଶ କରାଯାଇଥିଲା, ତା ବିରୁଦ୍ଧରେ ଆପତ୍ତି କରିବା ପାଇଁ ଏ ଶ୍ରମିକ ଅନୁଷ୍ଠାନ ଗଠନ କରାଯାଇ ଥିଲା । ତେଣୁ ଏହାକୁ ଠିକ ଶ୍ରମିକ ଅନୁଷ୍ଠାନ ବୋଲି କୁହାଯାଇ ପାରିବା ନାହିଁ । ସରକାରଙ୍କ ଆଗରେ ଏକ ନିବେଦନ ପତ୍ର (Memorial) ବାଢ଼ିବା ହିଁ ଏହାର ମୂଳ ଲକ୍ଷ୍ୟ ଥିଲା-। ସେ ଯାହା ହେଉ, ଏହା ଲୋଖାଣ୍ଡେଙ୍କଠାରୁ ଭାରତର ଶ୍ରମିକ ଆନ୍ଦୋଳନ ଆରମ୍ଭ ହୁଏ ବୋଲି ଧରି ନିଆଯାଉଛି । ୧୮୯୦ ଠାରୁ ପ୍ରଥମ ମହାଯୁଦ୍ଧ ପର୍ଯ୍ୟନ୍ତ ଅନେକ ଶ୍ରମିକ ଅନୁଷ୍ଠାନ ଗଢ଼ାଗଲା-। କିନ୍ତୁ କୌଣସି ଅନୁଷ୍ଠାନ ଶ୍ରମିକ ସଂଗଠନର ପ୍ରକୃତ ଅର୍ଥ ବୁଝି ନ ଥିଲେ । ୧୯୧୧ମସିହାରେ କାରାଗାର ହିତବର୍ଦ୍ଧନ ସଭା ନାମକ ଏକ ଶ୍ରମିକ ଅନୁଷ୍ଠାନ ଗଢ଼ାଯାଇଥିଲା । ଏଥିରେ କେହି ଶ୍ରମିକ ନ ଥିଲେ । କେତେକ ସମାଜସେବୀ କର୍ମୀ ଏକତ୍ର ହୋଇ ଏହା ଅନୁଷ୍ଠାନ ଗଢ଼ି ଶ୍ରମିକମାନଙ୍କର ପାଇଁ ଉଦ୍ୟମ କରୁଥିଲେ । ତେଣୁ ଏହାକୁ ପ୍ରକୃତ ଶ୍ରମିକ ଆନ୍ଦୋଳନ ବୋଲି କୁହାଯିବ ନାହିଁ ।

 

ପ୍ରଥମ ମହାଯୁଦ୍ଧ ଶ୍ରମିକମାନଙ୍କ ଭିତରେ ଏକ ଜାଗରଣ ସୃଷ୍ଟିକଲା । ଯୁଦ୍ଧ ଭିତରେ ଶିଳ୍ପପତି ଓ ବ୍ୟବସାୟୀମାନେ ଅନେକ ଲାଭ ଉଠାଇଲେ । କିନ୍ତୁ ଶ୍ରମିକମାନଙ୍କୁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଲା । ଅଧିକା ଲାଭ ମିଲିଲା ନାହିଁ । ବରଂ ବଞ୍ଚିବା ମାନଦଣ୍ଡ ବଢ଼ିବା ଫଳରେ ଏମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଫଳରେ ଅସନ୍ତୋଷ ବଢ଼ିଲା । ସଂଗଠିତ ଭାବରେ ଏହି ଅସନ୍ତୋଷ ପ୍ରକାଶ କରିବା ପାଇଁ ଉଦ୍ୟମ ହେଲା । ଏହି ସମୟରେ ଜାତୀୟ ଆନ୍ଦୋଳନ ମଧ୍ୟ ତେଜି ଉଠିଲା । ଗାନ୍ଧିଜୀଙ୍କ ନେତୃତ୍ଵ ଭାରତୀୟ ରାଜନୀତିରେ ଏକ ବିପ୍ଳବାତ୍ମକ ପରିବର୍ତ୍ତନ ସୃଷ୍ଟି କଲା । ଯେଉଁ ନେତା ଓ କର୍ମୀମାନେ ହତୋତ୍ସାହ ହୋଇ ସନ୍ତ୍ରାସବାଦର ପ୍ରଚାର କରୁଥିଲେ, ସେମାନେ ଗାନ୍ଧିଙ୍କ ଆଡକୁ ମୁହଁ ଫେରାଇଲେ । ଯେଉଁମାନେ ପାର୍ଲିଆମେଣ୍ଟ ଉପରେ ଭରସା ରଖି ବୈଧାନିକ ଉପାୟରେ ଦେଶର ସ୍ଵାଧୀନତା ଆଣିବେ ବୋଲି ବିଶ୍ଵାସ ରଖି କାମ କରୁଥିଲେ, ସେମାନେ ମଧ୍ୟ ଗାନ୍ଧିଜୀଙ୍କୁ ପନ୍ଥାକୁ ଶ୍ରେଷ୍ଠ ପନ୍ଥା ବୋଲି ବିଚାରି ନେଲେ । ଦେଶର ରାଜନୈତିକ ଚିନ୍ତାଧାରାରେ ଏକ ତୁମ୍ବଳ ପରିବର୍ତ୍ତନ ଆସିଲା । ଗାନ୍ଧିଜୀ ଏହାର କର୍ଣ୍ଣଧାର ହୋଇ ରହିଲେ । ଗାନ୍ଧିଜୀଙ୍କ ପ୍ରଭାବ କୃଷକ ଓ ଶ୍ରମିକମାନଙ୍କ ଭିତରେ ରାଜନୈତିକ ଚେତନା ସୃଷ୍ଟିକଲା । ଏହି ସମୟରେ ରୁଷିଆରେ ମଧ୍ୟ ଏକ ଶ୍ରମିକ ବିପ୍ଳବ ସଫଳ ହୋଇଛି ବୋଲି ଘୋଷଣା କରାଗଲା । ଭାରତର ସର୍ବହରାମାନେ ଏଥିରେ ଉଦବୁଦ୍ଧ ହୋଇ ଉଠିଲେ । ସେମାନଙ୍କୁ ଭିତରେ ଉତ୍ସାହର ଢେଉ ଖେଳିଗଲା । ରାଜନୈତିକ କର୍ମୀମାନେ ନୂତନ ଆଦର୍ଶ ପ୍ରଚାର କଲେ । ଦେଶରେ ଆଶାର ସଞ୍ଚାର ହେଲା । ଅନେକ ବାୟୁମଣ୍ଡଳ ସରଗରମ ହୋଇଉଠିଲା । ଶ୍ରମିକମାନେ ଏଥିରୁ ଆଉ ବାଦ ଯାଇ ପାରିଲେ ନାହିଁ ।

 

ଏପରି ଅବସ୍ଥାରେ ୱାଦିଆ ପ୍ରଥମଥର ପାଇଁ ମାନ୍ଦ୍ରାଜରେ ଟେକସଟାଇଲ ଶ୍ରମିକମାନଙ୍କୁ ନେଇ ଏକ ଶିଳ୍ପ ସଂଗଠନ କଲେ । ତା ଆରବର୍ଷ ଶ୍ରମିକସଂଘ ସଂଖ୍ୟା ୨୦ ହଜାର ପର୍ଯ୍ୟନ୍ତ ବଢ଼ିଗଲା । ୧୯୧୯ ଠାରୁ ୧୯୨୩ ଭିତରେ ଭାରତର ଚାରିଆଡ଼େ ଶ୍ରମିକ ଅନୁଷ୍ଠାନ ମୁଣ୍ଡଟେକି ଉଠିଲା । ଗାନ୍ଧିଜୀ ନିଜେ ୧୯୨୧ ମସିହାରେ ଆହମଦାବାଦରେ ସୂତା କଟାଳି ଓ ବୁଣାଳୀମାନଙ୍କୁ ନେଇ ଏକ ଶ୍ରମିକ ସଂଘଗଠନ କଲେ । କିନ୍ତୁ ଏସବୁ ଅନୁଷ୍ଠାନ ବେଶୀ ଦିନ ସ୍ଥାୟୀହୋଇ ରହି ପାରିଲା ନାହିଁ । ଭିନ୍ନ ଭିନ୍ନ ଅନୁଷ୍ଠାନ ଭିତରେ କୌଣସି ସହଯୋଗ ନ ଥିଲା । ପ୍ରତ୍ୟେକ ସଂଘ ନିଜ ମନ ଅନୁଯାୟୀ କାମ କରୁଥିଲେ । ଅଧୀକାଂଶ ଶ୍ରମିକ ସଂଘକୁ କେବଳ ଧର୍ମଘଟ କମିଟି ବୋଲି ଆଖ୍ୟା ଦିଆଯାଇ ପାରେ । ଏମାନେ କେତେକ ଦାବୀପୂରଣ କରିବା ପାଇଁ ସଂଘ ଗଢି ଧର୍ମଘଟ କରୁଥିଲେ । ଦାବୀପୂରଣ ହୋଇଗଲେ, ସଂଘ ଭାଙ୍ଗି ଯାଉଥିଲା । ଧର୍ମଘଟ କଲାବେଳେ ଆଗରୁ ନୋଟିସ ଦେଇ ଧର୍ମଘଟ କରୁ ନ ଥିଲେ । ଦାବୀରେ ମଧ୍ୟ କୌଣସି ସ୍ଥିରତା ନ ଥିଲା । ଗୋଟିଏ ଦାବୀ ନାଁ ଧରି ଧର୍ମଘଟ ଆରମ୍ଭ କରି, ଧର୍ମଘଟ ଭିତରେ ଅନ୍ୟାନ୍ୟ ଅନେକ ଦାବି ଆଣି ଉପସ୍ଥାପିତ କରୁଥିଲେ । ଅନେକ ଅବାସ୍ତବ ଦାବି ମଧ୍ୟ ଉଲେଖ କରାଯାଉଥିଲା । କାରଣ ଶ୍ରମିକ ଅନୁଷ୍ଠାନ ଭିତରେ ସେତେବେଳେ କୌଣସି ସଂହତି ନ ଥିଲା । ଶ୍ରମିକମାନେ ଉତ୍ତେଜିତ ହୋଇ ଚଳନ୍ତି । ରାଜନୈତିକ ମତଦ୍ଵାରା ପ୍ରଭାବିତ ହୋଇ ସଂଘ ଗଠନ କରି ପକାଉଥିଲେ ଓ ନିଜର ଦାବିପୂରଣ କରିବା ପାଇଁ ଧର୍ମଘଟ ଆରମ୍ଭ କରି ଦେଉଥିଲେ । ଏହା ଫଳରେ ଶ୍ରମିକ ଅନୁଷ୍ଠାନ ମଜବୁତ୍ ହୋଇ ପାରିଲା ନାହିଁ । ମାଲିକମାନେ ଏହି ଦୁର୍ବଳତାର ସୁଯୋଗ ନେବାକୁ ଚେଷ୍ଟାକଲେ । ତେଣୁ ଶ୍ରମିକ-ସଂଘର ସହଯୋଗ ଆଣି ସଂଘବଦ୍ଧ ଆକାରରେ ଶ୍ରମିକ ଆନ୍ଦୋଳନ ପରିଚାଳନା କରିବା ପାଇଁ ଉଦ୍ୟମ ଆରମ୍ଭ ହେଲା । ଏହି ସମୟରେ ଅନ୍ତର୍ଜାତିକ ଶ୍ରମିକଅନୁଷ୍ଟାନକୁ ଭାରତରୁ ଶ୍ରମିକ ପ୍ରତିନିଧି ପଠାଇବା ଦରକାର ପଡ଼ିଲା । ଶ୍ରମିକ ସଂଘ ସବୁ ଏକାଠି ନ ହେଲେ, ପ୍ରତିନିଧି ପଠାଇବା ସୁବିଧା ହୋଇପାରିଲା ନାହିଁ । ତେଣୁ ଭିନ୍ନ ଭିନ୍ନ ଜାଗା ଭାରରେ ଥିବା ଶ୍ରମିକ ସଂଘ ଏକାଠି ବଡ଼ବଡ଼ ଧରଣର ଶ୍ରମିକ ଅନୁଷ୍ଠାନ ଗଢ଼ିବାକୁ ଲାଗିଲେ । ଭିନ୍ନ ଭିନ୍ନ ପ୍ରଦେଶରେ ମଧ୍ୟ ପ୍ରାଦେଶିକ ଶ୍ରମିକ ସଂଘ ଗଢ଼ାଗଲା । ଶେଷରେ ୧୯୨୦ ମସିହାରେ ସବୁ ଶ୍ରମିକ ସଂଘକୁ ନେଇ ନିଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସ ପ୍ରତିଷ୍ଠା କରାଗଲା । ସେଇଦିନ ଠାରୁ ଭାରତ ଟ୍ରେଡ଼ ଯୁନିୟନ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କୁହାଯାଇ ପାରେ । ଟ୍ରେଡ଼ ଯୁନିୟନ କଂଗ୍ରେସର ପ୍ରଥମ ଅଧିବେଶନରେ ଲାଲା ଲାଜପତ ରାୟ ସଭାପତିତ୍ଵ କରିଥିଲେ ।

 

ଏଇ ସମୟରେ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ । ଏଥିରେ ଶ୍ରମିକମାନେ ବିଶେଷ ପ୍ରଭାବିତ ହେଲେ । ବୁଦ୍ଧିଜୀବିମାନେ ଶ୍ରମିକମାନଙ୍କୁ ସଙ୍ଗଠନ କରି ସେମାନଙ୍କର ଦାବି ହାସଲ କରିବା ପାଇଁ ଉଦ୍ୟମ କଲେ । ଚାରିଆଡ଼େ ଧର୍ମଘଟ ଜୋରସୋରରେ ଆରମ୍ଭ ହୋଇଗଲା । ଥରେ ମାଲିକମାନେ ପ୍ରମାଦ ଗଣିଲେ । ସେମାନେ ଶ୍ରମିକମାନଙ୍କୁ ଦମନ କରିବା ପାଇଁ ଉପାୟ ଖୋଜି ଲାଗିଲେ । ଏହି ସମୟରେ ବକିଙ୍ଗହାମ୍‍ କାରଖାନାରେ ଶ୍ରମିକ ଓ ମାଲିକମାନଙ୍କ ଭିତରେ ସଂଘର୍ଷ ସୃଷ୍ଟି ହୋଇ ଧର୍ମଘଟ ଆରମ୍ଭ ହେଲା । ଏଥିରେ ଟ୍ରେଡ୍‍ ୟୁନିୟନ ନେତାମାନେ ସକ୍ରିୟ ଭାଗ ନେଲେ । ବକିଙ୍କହାମ୍‍ ଟ୍ରେଡ୍‍ ୟୁନିୟନ ନେତାମାନଙ୍କ ବିରୁଦ୍ଧରେ ଏକ ମକଦ୍ଦମା ଦାଏର କଲେ । ମାନ୍ଦ୍ରାଜ ହାଇକୋର୍ଟ, ଶ୍ରମିକ ନେତାମାନଙ୍କ ବିରୁଦ୍ଧରେ ରାୟଦେଇ ସେମାନଙ୍କୁ ଜୋରିମାନା କଲେ । କାରଣ ସେ ସମୟର ଆଇନ ଅନୁସାରେ ଟ୍ରେଡ ୟୁନିଅନ ଗଠନ କରିବା ଆଇନ ସଙ୍ଗତ ନ ଥିଲା । ହାଇକୋର୍ଟର ଏଇ ରାୟ ଶ୍ରମିକସଂଗଠନକୁ ଏକ ବଡ଼ ଧକା ଦେଲା । ଏଥିପାଇଁ ଚାରିଆଡ଼େ ପ୍ରତିବାବ ହେଲା । ଶେଷରେ ୧୯୨୬ମସିହାରେ ଏକ ଟ୍ରେଡ ୟୁନିଅନ ଆଇନ ପାଶ କରାଗଲା । ଏଇ ଆଇନ ଅନୁସାରେ ଯେଉଁ ଟ୍ରେଡ୍ ୟୁନିୟନମାନେ ରେଜେଷ୍ଟ୍ରି ଭୁକ୍ତ ହେବେ, ସେମାନେ ମାଲିକମାନଙ୍କର ବିନା ବାଧାରେ ଟ୍ରେଡ଼ ୟୁନିୟନ କାମ କରି ପାରିବେ । ପ୍ରଥମେ ପ୍ରଥମେ ଟଙ୍କା ଖର୍ଚ୍ଚ କରି ରେଜେଷ୍ଟ୍ରି କରିବା ଓ ପ୍ରତିବର୍ଷର ଆୟ ଓ ବ୍ୟୟ ହିସାବ ସରକାରଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ଟ୍ରେଡ ୟୁନିଅନମାନେ ପ୍ରସ୍ତୁତ ହେଉ ନ ଥିଲେ । କିନ୍ତୁ ମାଲିକମାନେ ରେଜେଷ୍ଟ୍ରି ହୋଇ ନ ଥିବା ୟୁନିୟନମାନଙ୍କୁ ଅସ୍ୱୀକାର କରିବାଯୋଗୁଁ ରେଜେଷ୍ଟ୍ରି ସଂଖ୍ୟା ମଧ୍ୟ ବଢ଼ି ଚାଲିଲା ।

 

ଏଇ ସମୟରେ କମ୍ୟୁନିଷ୍ଟ ଓ ବାମପନ୍ଥୀମାନେ ଭାରତୀୟ ରାଜନୀତିରେ ଦେଖାଦେଲେ । ଏମାନେ ପ୍ରଥମେ ଟ୍ରେଡ ୟୁନିଅନ ଦଖଲ କରିବାକୁ ଉଦ୍ୟମ କଲେ । ୧୯୨୮।୨୯ବେଳକୁ ଅନେକ ଟ୍ରେଡୟୁନିଅନ ଅଫିସ କମ୍ୟୁନିଷ୍ଟ ଓ ବାମପନ୍ଥୀମାନଙ୍କ ହାତରେ ଥିଲା । ଏମାନେ ଭଙ୍ଗାରୁଜା ଆନ୍ଦୋଳନ ଆରମ୍ଭ କରିବାକୁ ଲାଗିଲେ । ସେଥିପାଇଁ ସରକାର ଅନେକ ଶ୍ରମିକ ନେତାମାନଙ୍କୁ ବନ୍ଦୀକଲେ । ଭାରତର ଟ୍ରେଡୟୁନିଅନ ଇତିହାସରେ ମିରଟ ଷଡ଼ଯନ୍ତ୍ର ମକଦମା ଏକ ପ୍ରଧାନ ଘଟଣା । ଏହା ପରେ ଟ୍ରେଡ୍ ୟୁନିୟନ ଆନ୍ଦୋଳନରେ ଦଳାଦଳି ପଶିଲା । ୧୯୨୯ରେ ନାଗପୁର-ଠାରେ ନିଖିଳଭାରତ ଟ୍ରେଡ୍ ୟୁନିଅନ କଂଗ୍ରେସର ଯେଉଁ ଅଧିବେଶନ ବସିଲା, ସେଥିରେ ଦଳାଦଳି ପ୍ରକାଶ୍ୟ ଭାବରେ ଆରମ୍ଭ ହେଲା । କମ୍ୟୁନିଷ୍ଟ ଓ ଅନ୍ୟାନ୍ୟ ବାମପନ୍ଥୀମାନେ ୟୁନିଅନ କଂଗ୍ରେସକୁ ଦଖଲ କରିନେଲେ । ତେଣୁ ଦକ୍ଷିଣପନ୍ଥୀ ଶ୍ରମିକନେତାମାନେ ୟୁନିଅନ କଂଗ୍ରେସରୁ ବାହାରି ଯାଇ ଏମ୍ ଏ ଯୋଷିଙ୍କ ନେତୃତ୍ଵରେ ନିଖିଳ ଭାରତ ଟ୍ରେଡ୍ ୟୁନିଅନ ଫେଡ଼େରେଶନ ଗଠନ କଲେ । ଏହି ଦଳାଦଳି ଫଳରେ ଟ୍ରେଡ୍‍ ୟୁନିଅନ ଆନ୍ଦୋଳନ ଦୁର୍ବଳ ହେବାକୁ ଲାଗିଲା । ୧୯୩୧ ମସିହାରେ ଟ୍ରେଡ଼୍‍ ୟୁନିଅନ କଂଗ୍ରେସ ଭିତରେ ପୁଣି ଗୋଳମାଳ ଆରମ୍ଭ ହେଲା । ଚରମ ବାମ-ପନ୍ଥୀନେତା ଦେଶପାଣ୍ଡେ ଓ ରାନାଡିଭ ନିଖିଳ ଭାରତ ଟ୍ରେଡ଼୍‍ୟୁନିଅନ କଂଗ୍ରେସ ନାମକ ଆଉ ଏକ ଅନୁଷ୍ଠାନ ଗଠନ କଲେ । ଶ୍ରମିକନେତା ଭି . ଭି ଗିରି ଏଥିରେ ବିଚଳିତ ହୋଇ ଏକ ସମାଧାନ ଆଣିବାକୁ ଚେଷ୍ଟା କଲେ । କିନ୍ତୁ ୧୯୩୮ ମସିହା ପର୍ଯ୍ୟନ୍ତ କୌଣସି ଆପୋଷ ନିଶା ହୋଇପାରିଲା ନାହିଁ । ଶେଷରେ ୧୯୩୮ମସିହାରେ ଗିରିଙ୍କ ନେତୃତ୍ଵରେ ଏକ ସମାଧାନ ଅଣାଗଲା । ଶ୍ରମିକ ଆନ୍ଦୋଳନରେ ଏକତା ପ୍ରତିଷ୍ଠା କରାଗଲା-

 

ଠିକ୍ ଏଇ ସମୟରେ ଯୁଦ୍ଧ ଆରମ୍ଭ ହେଲା । ଟ୍ରେଡ଼୍‍ ୟୁନିଅନ କଂଗ୍ରେସ ଭିତରେ ପୁଣି ସଂଘର୍ଷ ଆରମ୍ଭ ହୋଇଗଲା । ଶ୍ରମିକ ନେତା ଏମ, ଏନ୍. ରାୟ ଯୁଦ୍ଧକୁ ସମର୍ଥନ କଲେ । ଟ୍ରେଡ଼୍‍ ୟୁନିଅନ କଂଗ୍ରେସ ଏକ ନିରପେକ୍ଷ ମତ ଅନୁସରଣ କରିବାକୁ ଠିକ୍‍ କଲେ । ତେଣୁ ଏମ: ଏନ୍. ରାୟ ୟୁନିଅନ କଂଗ୍ରେସ ଛାଡ଼ି ଟ୍ରେଡ଼୍‍ ୟୁନିଅନ ଫେଡ଼େରେଶନ ଗଠନ କଲେ । ରୁଷିଆ ଯୁଦ୍ଧରେ ଯୋଗ ଦେଲା ପରେ କମ୍ୟୁନିଷ୍ଟମାନେ ଯୁଦ୍ଧକୁ ସମର୍ଥନ କଲେ । ତେଣୁ ଟ୍ରେଡ଼ ୟୁନିଅନ କଂଗ୍ରେସର ଯେଉଁସବୁ ଶ୍ରମିକ ଅନୁଷ୍ଠାନ କମ୍ୟୁନିଷ୍ଟମାନଙ୍କ କର୍ତ୍ତୁତ୍ଵରେ ଥିଲା, ସେସବୁରେ ଯୁଦ୍ଧକୁ ସମର୍ଥନ କରି ପ୍ରସ୍ତାବ ପାଶ୍ ହୋଇଗଲା । ଯୁଦ୍ଧ ଭିତରେ କଂଗ୍ରେସ ଓ କଂଗ୍ରେସ ସାମ୍ୟବାଦୀମାନେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରି ଜେଲବରଣ କଲେ । କମ୍ୟୁନିଷ୍ଟମାନେ ବାହାରେ ଥାଇ ଟ୍ରେଡ଼୍‍ ୟୁନିଅନ କଂଗ୍ରେସକୁ ଦଖଲ କରିନେଲେ । ତେଣୁ ଶ୍ରମିକ ଆନ୍ଦୋଳନରୁ କମ୍ୟୁନିଷ୍ଟମାନଙ୍କୁ ପ୍ରତିପତ୍ତି କମାଇବା ପାଇଁ କଂଗ୍ରେସ ନେତାମାନେ ୧୯୪୭ରେ ଭାରତୀୟ ଜାତୀୟ ଟ୍ରେଡ଼୍‍ ୟୁନିଅନ କଂଗ୍ରେସ ଗଠନ କଲେ । ଏଥିରେ ଗୁଲଜାରିଲାଲ ନନ୍ଦା ପ୍ରଧାନ ଭାଗ ନେଇଥିଲେ । ଅପୋଷ ମିଳାମିଶାରେ ଶ୍ରମିକ ଓ ମାଲିକ ସଂଘର୍ଷ ତୁଟାଇବା ଏହି ଅନୁଷ୍ଠାନର ପ୍ରଧାନ ଲକ୍ଷ୍ୟ । ଅପୋଷ ମିଳାମିଶା ସଫଳ ନ ହେଲେ ମଧ୍ୟସ୍ଥ (arbitration) ଦ୍ଵାରା ବିବାଦ ନିଷ୍ପତି କରାଯାଇ ପାରିବ । ଶାନ୍ତ ଉପାୟରେ ସଂଘର୍ଷରେ ସମାଧାନ କରିବା କଂଗ୍ରେସର ଯେପରି ଲକ୍ଷ୍ୟ, ଜାତୀୟ ଟ୍ରେଡ଼୍‍ ୟୁନିଅନ କଂଗ୍ରେସର ମଧ୍ୟ ସେଇପରି ଲକ୍ଷ୍ୟ । କଂଗ୍ରେସ ଓ ସାମ୍ୟବାଦୀ ଦଳ ଭିତରେ ବିଭେଦ ସୃଷ୍ଟି ହେବାରେ ସାମ୍ୟବାଦୀମାନେ ହିନ୍ଦ ମଜଦୁର ସଭା ନାମକ ଏକ ଶ୍ରମିକ ଅନୁଷ୍ଠାନ ଗଢ଼ିଲେ । ଏବେ ଭାରତରେ ଚାରୋଟି ପ୍ରଧାନ ଶ୍ରମିକ ଅନୁଷ୍ଠାନ ଅଛି । ଏଥିରୁ ଜାତୀୟ ଟ୍ରେଡ଼୍‍ ୟୁନିଅନ କଂଗ୍ରେସ ସର୍ବ ପ୍ରଥମ ୧୯୫୧ ମସିହା ହିସାବ ।

 

ଶ୍ରମିକ ଆନ୍ଦୋଳନ ଏପରି ଭାବରେ ବିଭକ୍ତ ହେବା ଫଳରେ ଶ୍ରମିକ ଅନୁଷ୍ଠାନ, ଶକ୍ତିଶାଳୀ ହୋଇପାରୁ ନାହିଁ । ଗୋଟିଏ ଗୋଟିଏ ଶିଳ୍ପ ଅନୁଷ୍ଠାନରେ ଦୁଇ ତିନୋଟି ଶ୍ରମିକ ଅନୁଷ୍ଠାନର ଶାଖା ଅଛି । ପରସ୍ପର ବିରୋଧୀ ଆଦର୍ଶବାଦ ପ୍ରଚାର ହେଉଛି ଏଥିରେ ମାଲିକମାନେ ସୁବିଧା ପାଉଛନ୍ତି । ଭିନ୍ନଭିନ୍ନ ଶ୍ରମିକ ଅନୁଷ୍ଠାନ ଭିତରେ ନୀତିଗତ ଫରର୍କ ଥିବାରୁ ମିଳାମିଶା ସମ୍ଭବ ହୋଇପାରୁ ନାହିଁ ।

 

ତଥାପି ଏକଥା ସର୍ବବାଦୀ ସମ୍ମତ ଯେ ଭାରତରେ ଶ୍ରମିକ ଆନ୍ଦୋଳନ ଖୁବ୍‍ ଅଗ୍ରଗତି କରିଛି । ୧୯୨୭- ୨୮ମସିହାରେ ମୋଟେ ୨୯ଟି ରେଜେଷ୍ଟ୍ରୀ ୟୁନିଅନ ଥିଲା । ୧୯୪୭-୪୮ବେଳକୁ ଏହା ବଢ଼ି ୨୨୬୬ ହେଲା । ୧୯୨୭ ମସିହାରେ ମୋଟ ୮ଟି ୟୁନିଅନ ସରକାରଙ୍କ ପାଖରେ ଆୟବ୍ୟୟର ହିସାବ ଦାଖଲ କରିଥିଲେ । ଏଇ ୟୁନିଅନର ସଭ୍ୟ ସଂଖ୍ୟା ପ୍ରାୟ ଏକଲକ୍ଷ ଥିଲା । ୧୯୪୭-୪୮ ମସିହାରେ ୧୬୨୮ଟି ୟୁନିଅନ ସରକାରଙ୍କ ପାଖରେ ହିସାବ କିତାବ ଦାଖଲ କରିଥିଲେ ଓ ଏମାନଙ୍କ ସଭ୍ୟ ସଂଖ୍ୟା ସାଢ଼େ ଷୋଳଲକ୍ଷରୁ ଅଧିକା ଥିଲା-। ଖୁବ୍‍ କମ୍ ଦେଶରେ ଏତେ ଅଳ୍ପ ସମୟ ଭିତରେ ଏପରି ଉନ୍ନତି ସମ୍ଭବ ହୋଇପାରିଛି । ଶ୍ରମିକ ସଙ୍ଘ ଯେ ଖାଲି ବଢ଼ିଛି, ତା ନୁହେଁ, ସେମାନଙ୍କ ଶକ୍ତି ମଧ୍ୟ ବଢ଼ିଛି । ଶ୍ରମିକମାନେ ଟ୍ରେଡ଼୍‍ ୟୁନିଅନ କାର୍ଯ୍ୟକଳାପ ଦ୍ଵାରା ପ୍ରଭାବିତ ହୋଇଛନ୍ତି । ଶ୍ରମିକ ଅନୁଷ୍ଠାନ ସାହାଯ୍ୟରେ ଶ୍ରମିକମାନେ ଅନେକ କ୍ଷେତ୍ରରେ ନିଜର ଅବସ୍ଥାର ଉନ୍ନତି କରି ପାରୁଛନ୍ତି ! ତେଣୁ ଆଜି ଶ୍ରମିକଆନ୍ଦୋଳନ ଏକ ସ୍ଥାୟୀ ଆନ୍ଦୋଳନ ରୂପେ ପରିଗଣିତ ହୋଇଛି । ମାଲିକମାନେ ଶ୍ରମିକ ସଂଗଠନ ସହିତ କଥାବାର୍ତ୍ତା କରି ଶିଳ୍ପସମସ୍ୟା ସମାଧାନ କରିବାକୁ ବାଧ୍ୟ ହେଉଛନ୍ତି । ଶ୍ରମିକ ଅନୁଷ୍ଠାନର ଧମକରେ ସରକାରଙ୍କ ଦପ୍ତର ମଧ୍ୟ ଥରି ଯାଉଛି । ତେଣୁ ଶ୍ରମିକ ଆନ୍ଦୋଳନ, ଯେ ଶକ୍ତିଶାଳୀ, ଏଥିରେ କୌଣସି ସନ୍ଦେହ ନାହିଁ । ତଥାପି ଏକଥା କୁହାଯିବ ଯେ ଏଥିରେ ଅନେକ ଦୋଷ ଦୁର୍ବଳତା ଅଛି । ଇଂଲଣ୍ଡ ବା ଆମେରିକା ଟ୍ରେଡ଼୍‍ୟୁନିଅନ ସଙ୍ଗଠନ ପରି ଆମ ଦେଶର ଶ୍ରମିକଅନୁଷ୍ଠାନ ଟ୍ରେଡ଼୍‍ୟୁନିଅନ କାମ କରୁନାହାନ୍ତି ।

 

ତା’ର କାରଣ ଭାରତର ଶ୍ରମିକ ଆନ୍ଦୋଳନ ଶ୍ରମିକମାନଙ୍କ ଦ୍ଵାରା ପରିଚାଳିତ ହେଉ ନାହିଁ । ରାଜନୈତିକ ନେତାମାନେ ଏହାର ନେତୃତ୍ଵ ନେଉଛନ୍ତି । ତେଣୁ ଶ୍ରମିକସଙ୍ଗଠନ ଶ୍ରମିକମାନଙ୍କର ମଙ୍ଗଳ କାମପାଇଁ ଉଦ୍ୟମ ନ କରି, କେବଳ ସଂଘର୍ଷ ପାଇଁ ଆୟୋଜନ କରୁଛି । ଯେଉଁ ପର୍ଯ୍ୟନ୍ତ ଶ୍ରମିକମାନଙ୍କ ଭିତରେ ଅଶିକ୍ଷା ପୂରି ରହିଥିବ, ଅଭାବ ଓ ଅସୁବିଧାରେ ସେମାନେ ବୁଡ଼ି ରହିଥିବେ, ସେ ପର୍ଯ୍ୟନ୍ତ ବାହାର ନେତୃତ୍ଵ ଶ୍ରମିକ ଆନ୍ଦୋଳନକୁ ପରିଚାଳିତ କରିବାର ସମ୍ଭାବନା । ଦ୍ଵିତୀୟରେ ଶ୍ରମିକମାନେ ସ୍ଥାୟୀ ଭାବରେ ଶିଳ୍ପ-ଶ୍ରମିକ ରୂପେ କାର୍ଯ୍ୟକରିବାକୁ ପସନ୍ଦ କରୁ ନାହାନ୍ତି । ସେମାନେ ଗାଁଗଣ୍ଡାରୁ ସହରକୁ ଆସୁଛନ୍ତି, ଶିଳ୍ପରେ ୩।୪ମାସ କାମ କରୁଛନ୍ତି, କିଛି ରୋଜଗାର କରି ପୁଣି ଗାଁକୁ ଫେରି ଯାଉଛନ୍ତି । ତେଣୁ ଭିନ୍ନଭିନ୍ନ ଶ୍ରମିକମାନଙ୍କ ଭିତରେ ସହଯୋଗ ଆସୁନାହିଁ । ଭାଷା, ରୀତି ଓ ନୀତିରେ ବିଭେଦ ଭିନ୍ନଭିନ୍ନ ଶ୍ରମିକମାନଙ୍କ ଭିତରେ ପ୍ରଭେଦ ସୃଷ୍ଟି କରୁଛି । ଶ୍ରମିକମାନଙ୍କର ଅଭାବ ଓ ଅସୁବିଧା ମଧ୍ୟ ଶ୍ରମିକ ସଙ୍ଗଠନକୁ ମଜ୍‍ବୁତ କରିବାରେ ବାଧା ସୃଷ୍ଟି କରୁଛି । ଯେଉଁ ଶ୍ରମିକ ଦିନକୁ ଟଙ୍କେ କି ଦୁଇଟଙ୍କା ମଜୁରୀ ପାଉଛି, ସେ ସହରରେ ରହି ଗୁଜୁରାଣ ମେଣ୍ଟେଇବା ତା ପକ୍ଷରେ କଷ୍ଟ ହୋଇପଡ଼ୁଛି । ଶ୍ରମିକ ସଂଗଠନକୁ ଚାନ୍ଦା ଦେବାକୁ ସେ ଇଚ୍ଛା କରୁନାହିଁ । ଶ୍ରମିକ ସଙ୍ଗଠନ ତ ଦିନକରେ ଶ୍ରମିକର ଅଭିଯୋଗର ସମାଧାନ କରି ଦେବନାହିଁ । କିନ୍ତୁ ଯେଉଁ ଶ୍ରମିକ ଚାନ୍ଦା ଦେଉଛି, ସେ ତୁରନ୍ତ ସମାଧାନ ଚାହୁଁଛି । ମାସକୁ ଟଙ୍କେ ଚାନ୍ଦା ଦେଲେ, ୫ଟଙ୍କା କାମ ଆଦାୟ ହେଉ ବୋଲି ଦାବି କରୁଛି । ଅଭାବରୁ ସ୍ଵାର୍ଥପରତା ଓ ଅବିଶ୍ଵାସ ବଢ଼ିଛି । ତେଣୁ ଶ୍ରମିକ ସଙ୍ଗଠନ ଭିତରେ ଓ ଶ୍ରମିକ ଓ ଶ୍ରମିକ ଭିତରେ ଯେତେ ବିରୋଧ ଦେଖାଯାଉଛି, ଶ୍ରମିକ ଓ ମାଲିକ ଭିତରେ ସେତେ ବିରୋଧ ଦେଖା ଯାଉନାହିଁ । ଗଚ୍ଛିତ ପାଣ୍ଠି ଅଭାବରୁ ସଙ୍ଗଠନ ମଙ୍ଗଳଜନକ କାର୍ଯ୍ୟରେ ଲିପ୍ତ ରହିପାରୁ ନାହିଁ । ତୃତୀୟରେ ସରକାର ଓ ମାଲିକମାନେ ଶ୍ରମିକ ସଂଘକୁ ଶିଳ୍ପସଙ୍ଗଠନର ସହଯୋଗୀ ବୋଲି ବିଶ୍ଵାସ କରି ପାରୁନାହାନ୍ତି । ତେଣୁ ଶ୍ରମିକ ସଙ୍ଗଠନକୁ ଉପଯୁକ୍ତ ରୂପେ ପରିଚାଳନା କରିବା ପାଇଁ ଉଦ୍ୟମ କରା ଯାଉନାହିଁ ବରଂ ଶ୍ରମିକ ଆନ୍ଦୋଳନକୁ ଦବାଇଦେବା ପାଇଁ ଚେଷ୍ଟା ହେଉଛି । ସରକାର ଏବେ ସମାଜବାଦୀ ରାଷ୍ଟ୍ରନୀତି ଗ୍ରହଣ କରିଛନ୍ତି । ସମାଜବାଦୀ ରାଷ୍ଟ୍ରରେ ଶ୍ରମିକସଂଘ ଉପଯୁକ୍ତ ମର୍ଯ୍ୟାଦା ପାଇବା ବୋଲି ଆଶା କରିବା ସ୍ଵାଭାବିକ ।

☆☆☆

 

କର୍ମ-ସଂସ୍ଥାନ

 

ବେକାର ସମସ୍ୟା ସମାଧାନ କରି ଲୋକମାନଙ୍କ ପାଇଁ କର୍ମସସ୍ଥାନର ବ୍ୟବସ୍ଥା କରିବା ପ୍ରତ୍ୟେକ ସରକାରଙ୍କର କର୍ତ୍ତବ୍ୟ ! ଏ ଦିଗରେ ଆମ ଦେଶରେ ଏ ପର୍ଯ୍ୟନ୍ତ ବେଶୀ କିଛି କରାଯାଇ ନାହିଁ। ତେଣୁ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଅଧିକ କର୍ମସଂସ୍ଥାନର ବ୍ୟବସ୍ଥା କରି ବେକାର ସମସ୍ୟାର କେତେକ ପରିମାଣରେ ସମାଧାନ କରିବା ପାଇଁ ଉଦ୍ୟମ କରାଯାଉଛି । ବେକାର ସମସ୍ୟା ଆମଦେଶରେ ଯେ ଏକ ଗୁରୁତର ସମସ୍ୟା, ତାହା ହିସାବ କିତାବ ଦେଇ ପ୍ରମାଣ କରିବା ଦରକାର ପଡ଼ିବ ନାହିଁ । କାରଣ ଏହା ସର୍ବବାଦୀ ସମ୍ମତ । ବେକାର-ସମସ୍ୟା ଫଳରେ ଅର୍ଥନୀତିକ ଓ ସାମାଜିକ କ୍ଷେତ୍ରରେ ଯେଉଁ କୁପ୍ରଭାବ ପଡ଼ିଛି, ତା’ର କିଞ୍ଚିତ ଆଲୋଚନା ଆବଶ୍ୟକ । ବେକାର ସଂଖ୍ୟା ବୃଦ୍ଧିହେଲେ, ଦେଶର ଆର୍ଥିକ ଅବସ୍ଥାରେ କ୍ଷତି ହୁଏ । ଯେଉଁମାନେ କାମ ଖୋଜିପା’ନ୍ତି ନାହିଁ, ସେମାନେ ଅନ୍ୟମାନଙ୍କର ଶ୍ରମ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରନ୍ତି । ତେଣୁ ସମସ୍ତଙ୍କର ବଞ୍ଚିବା ହାର କମିବାକୁ ଲାଗେ । ପୁଣି ଜାତୀୟ ବିଭବ ଉପଯୁକ୍ତ ରୂପେ ବ୍ୟବହାର କରାଯାଇ ପାରେନାହିଁ । ବେକାର-ସମସ୍ୟା ଫଳରେ ସମାଜ ଉପରେ ଯେଉଁ ପ୍ରତିକ୍ରିୟା ପରିଲକ୍ଷିତ ହୁଏ, ତାହା ମଧ୍ୟ ଅତି ଗୁରୁତର । କଥାରେ କହନ୍ତି, ଅଭାବେ ସ୍ଵଭାବ ନଷ୍ଟ । ମନୁଷ୍ୟର ପ୍ରକୃତି ଯେତେ ଭଲହେଲେ ମଧ୍ୟ ଅଭାବ ପଡ଼ିଲାବେଳେ ଭଲମନ୍ଦ ଜ୍ଞାନ ରହେ ନାହିଁ । ପାଶ୍ଚାତ୍ୟ ଆର୍ଥନୀତିଜ୍ଞ ପଣ୍ଡିତ ବିଭରିଜଙ୍କ ମତରେ ଅଭାବ ପଡ଼ିଲେ ମନୁଷ୍ୟ ହୃଦୟରେ ଘୃଣା ଓ ପ୍ରତିହିଂସା ଜାଗ୍ରତ ହୁଏ । ସମାଜ ସ୍ନେହ ଓ ସୌହାର୍ଦ୍ଦ୍ୟ ନେଇ ବନ୍ଧା । କିନ୍ତୁ ଯେତେବେଳେ ବେକାର ସମସ୍ୟା ବୃଦ୍ଧିହୋଇ ସମାଜରେ ଅଭାବ ଓ ଅନଟନ ରାଜତ୍ଵ କରେ, ସେତେବେଳେ ପରସ୍ପର ଭିତରେ ଥିବା ଏହି ସ୍ନେହ ଓ ସୌହାର୍ଦ୍ଦ୍ୟ ତୁଟି ଯାଏ–ସମାଜର ସଂହତି ଓ ପରଂପରା ଭୁଷୁଡ଼ି ପଡ଼େ । କେବଳ ସେତିକି ନୁହେଁ, ହତାଶାର ବାୟୁମଣ୍ଡଳ ଭିତରେ ମନୁଷ୍ୟର ଉଦ୍ୟମ ଓ କର୍ମପ୍ରବଣତା ମଧ୍ୟ ଭାଙ୍ଗିଯାଏ । ତେଣୁ ସୁସ୍ଥ ଓ ସବଳ ସମାଜ ଗଠନ କରିବାକୁ ହେଲେ, ବେକାର-ସମସ୍ୟା ସମାଧାନ କରି ପ୍ରତ୍ୟେକ କର୍ମଦକ୍ଷ ଲୋକପାଇଁ କର୍ମର ବ୍ୟବସ୍ଥା କରିବା ଯେ ନିହାତି ଦରକାର; ତାହା ସମସ୍ତେ ହୃଦୟଙ୍ଗମ କରି ପାରୁଥିବେ ।

 

ଆମ ଦେଶର ବେକାର-ସମସ୍ୟା ଉନ୍ନତି ଦେଶମାନଙ୍କର ବେକାର ସମସ୍ୟାଠାରୁ ପୃଥକ୍ । ଉନ୍ନତି ଅର୍ଥନୀତିରେ ଯଥେଷ୍ଟ କର୍ମସଂସ୍ଥାନର ବ୍ୟବସ୍ଥା ଅଛି । କିନ୍ତୁ ଉନ୍ନତ ଅର୍ଥନୀତି ସହିତ ଆର୍ଥନୀତିକ ସଂକଟ ସଂପୃକ୍ତ ଥିବାରୁ, ଆର୍ଥନୀତିକ ସଂକଟ ସମୟରେ ବ୍ୟବସାୟ ଓ ବାଣିଜ୍ୟରେ ବାଧା ସୃଷ୍ଟି ହେଉଅଛି । ଏହି ବାଧା-ବିଘ୍ନ ଫଳରେ ସଂକଟ ସମୟରେ କର୍ମଦକ୍ଷ ଲୋକମାନଙ୍କ ପାଇଁ ଯଥେଷ୍ଟ କର୍ମସଂସ୍ଥାନର ବ୍ୟବସ୍ଥା କରାଯାଇ ପାରୁନାହିଁ । ତେଣୁ ସରକାର ଆର୍ଥନୀତିକ କାର୍ଯ୍ୟକ୍ରମ ବୃଦ୍ଧିକରି ଅଧିକ କର୍ମସଂସ୍ଥାନର ଆୟୋଜନ କରୁଛନ୍ତି । କିନ୍ତୁ ଆମଦେଶ ପରି ଅନୁନ୍ନତ ଅର୍ଥନୀତିରେ ଯଥେଷ୍ଟ କର୍ମ-ସଂସ୍ଥାନର ବ୍ୟବସ୍ଥା ନାହିଁ । ଅଧିକ କର୍ମସଂସ୍ଥାନ ସୃଷ୍ଟି କରି କାର୍ଯ୍ୟକ୍ଷମ ଲୋକମାନଙ୍କ ପାଇଁ କର୍ମର ବ୍ୟବସ୍ଥା କରିବା ଆମର ପ୍ରଧାନ ସମସ୍ୟା । ଆମ ଦେଶରେ ଆମେ ପ୍ରଧାନତଃ ଦୁଇ ପ୍ରକାର ବେକାର ସମସ୍ୟା ଦେଖିବାକୁ ପାଇପାରିବା । ଯେଉଁମାନେ ଏବେ କୃଷିରେ କାମକରୁଛନ୍ତି, ସେମାନେ ପୂରାପୂରି ବେକାର ନୁହନ୍ତି । କିନ୍ତୁ କୃଷିରେ ସେତିକି କାମ କରିବାର କଥା, ତା’ ଠାରୁ ଅଧିକ ଲୋକ ଏଥିରେ ଖଟୁ ଥିବାରୁ, ଅଳ୍ପ କାମ ବହୁ ଲୋକଙ୍କ ଉନ୍ନତିରେ ବଣ୍ଟନ ହେଉଛି । ତେଣୁ ପ୍ରତ୍ୟେକ ଲୋକ ପାଇଁ ଯେତିକି କାମ ଦରକାର, ସେତିକି କାମ କୃଷିରେ ମିଳିପାରୁ ନାହିଁ । ସେଥିପାଇଁ କୃଷିରେ କାମ କରୁଥିବା ଅନେକ ଲୋକଙ୍କୁ ଆମେ ଆଂଶିକ ବେକାର ବୋଲି ଧରି ନେଇପାରୁ । ସହରରେ ମଧ୍ୟ ଏହି ପ୍ରକାର ଆଂଶିକ ବେକାର ଲୋକ ଅନେକ ଅଛନ୍ତି । ଏହି ଆଂଶିକ ବେକାର-ସମସ୍ୟା ଆମ ଅର୍ଥନୀତିର ଏକ ବିରାଟ ସମସ୍ୟା । ଏମାନଙ୍କ ବ୍ୟତିତ ଆମ ସମାଜରେ ଅନେକ ପୂରାପୂରି ବେକାର ଲୋକ ମଧ୍ୟ ଅଛନ୍ତି । ଶିକ୍ଷିତ ମହଲରେ ଏଇ ପୂରାପୂରି ବେକାରଙ୍କ ସଂଖ୍ୟା ବୋଧହୁଏ ବେଶୀ । ପ୍ରତ୍ୟେକ ବର୍ଷ ଆମର ଲୋକସଂଖ୍ୟା ବଢ଼ି ଚାଲିଛି । ଫଳରେ କାର୍ଯ୍ୟଦକ୍ଷ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଆମର ବେକାର-ସମସ୍ୟା ଆଲୋଚନା କଲାବେଳେ ତିନୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ପ୍ରଥମରେ, ଏବେ ସହର ଓ ମଫସଲ ଅଞ୍ଚଳରେ ଯେଉଁସବୁ ବେକାର ଲୋକ ଅଛନ୍ତି, ସେମାନଙ୍କ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା କରିବାକୁ ହେବ । ଯୋଜନା କମିଶନଙ୍କ ହିସାବ ଅନୁଯାୟୀ ଏବେ ପ୍ରାୟ ୫୩ଲକ୍ଷ ଲୋକ ସହର ଓ ମଫସଲ ଅଞ୍ଚଳରେ ବେକାର ରୂପେ ଅଛନ୍ତି । ଦ୍ଵିତୀୟରେ, ଜନସଂଖ୍ୟା ବୃଦ୍ଧି ଫଳରେ ପ୍ରତ୍ୟେକ ବର୍ଷ ପ୍ରାୟ ୨୦ଲକ୍ଷ ଲୋକ କର୍ମସଂସ୍ଥାନର ଅନୁସନ୍ଧାନ କରୁଛନ୍ତି । ଏହି ନୂତନ କାର୍ଯ୍ୟଦକ୍ଷ ଲୋକମାନଙ୍କ ପାଇଁ କର୍ମର ବ୍ୟବସ୍ଥ। କରିବା ଦରକାର । ଆସନ୍ତା ପାଞ୍ଚବର୍ଷରେ ଏ ବାବଦରେ ୧୦୦ ଲକ୍ଷ ଲୋକ କର୍ମକରିବା ପାଇଁ ଉପଯୁକ୍ତ ହେବେ । ତୃତୀୟରେ ସହର ଓ ମଫସଲ ଅଞ୍ଚଳରେ କୃଷି ବା କୁଟୀରଶିଳ୍ପରେ ନିଜକୁ ନିୟାଗ କରି ଯେଉଁମାନେ ଆଂଶିକ ବେକାର ରୂପେ ରହିଛନ୍ତି, ସେମାନଙ୍କ ପାଇଁ ଅଧିକ କର୍ମର ବ୍ୟବସ୍ଥା କରିବାକୁ ହେବ । ଏହା ବ୍ୟତୀତ ଆଞ୍ଚଳିକ ବେକାର-ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟିଦେବାକୁ ପଡ଼ିବ । କାରଣ କେତେକ ଅଞ୍ଚଳର ବେକାର ସମସ୍ୟା ଅନ୍ୟ ଅଞ୍ଚଳରୁ ଅଧିକ ଗୁରୁତର ।

 

ଏଇ ବେକାର-ସମସ୍ୟା ସମାଧାନ କରିବା ପାଇଁ ଆମକୁ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ । ପ୍ରଥମରେ ଆମ ଜନସଂଖ୍ୟାର ନିୟନ୍ତ୍ରଣ ଦରକାର । ଗତ ୫୦ବର୍ଷ ଭିତରେ ଆମର ଜନସଂଖ୍ୟା ଶତକରା ୫୨ ଭାଗ ବଢ଼ିଛି । ୧୯୦୧ମସିହାରେ ଭାରତ ଓ ପାକିସ୍ଥାନର ଜନସଂଖ୍ୟା ସାଢ଼େ ୨୩ କୋଟି ଥିଲା । ୧୯୫୧ ବେଳକୁ କେବଳ ଭାରତର ଜନସଂଖ୍ୟା ବଢ଼ି ସାଢ଼େ ୩୫ କୋଟି ହେଲା । ଏବେ ବୋଧହୁଏ ୩୮କୋଟି ହେବ । ବର୍ତ୍ତମାନ ମଧ୍ୟ ଜନସଂଖ୍ୟା ବଢ଼ି ଚାଲିଛି । ଏତେ ଲୋକଙ୍କ ପାଇଁ ଆମ ଦେଶରେ ବିଭବ ନାହିଁ । ଅନେକ ଲୋକ ଏକଥା ବିଶ୍ଵାସ କରିପାରନ୍ତି ନାହିଁ । ଅନେକ ଲୋକ ଯୁକ୍ତିତର୍କ କଲାବେଳେ କହନ୍ତି ଯେ ଆମର ଯେତେ ସମ୍ପଦ ଅଛି, ତା’ର ଉପଯୁକ୍ତ ପରିଚାଳନା ହେଲେ, ଆହୁରି ଦୁଇଗୁଣ ଲୋକ ଆମ ଦେଶରେ ରହି ପାରିବେ । ଏହାକୁ ଅଜ୍ଞତା ଛଡ଼ା ଆଉ କିଛି କୁହାଯାଇ ପାରିବ ନାହିଁ । ଆମ ଦେଶର ଲୋକଙ୍କ ଅବସ୍ଥା ଯେତେ ଖରାପ, ପୃଥିବୀର ଅନ୍ୟ କୌଣସି ଦେଶରେ ସେପରି ଦେଖିବାକୁ ମିଳବ କି ନାହିଁ ସନ୍ଦେହ । ଆମେରିକାରେ ଜଣକପିଛା ବାର୍ଷିକ ହାରାହାରି ଆୟ ସାତହଜାର ଟଙ୍କାରୁ ଅଧିକ । କିନ୍ତୁ ଆମର ଜଣପିଛା ବାର୍ଷିକ ହାରାହାରି ଆୟ ମୋ ୨୮୫ଟଙ୍କା । ଖୁବ୍‍ କଠିନ ପରିଶ୍ରମ କଲେ ମଧ୍ୟ ଆମେରିକା ସ୍ତରରୁ ଯିବାକୁ ଆମକୁ ଶହେବର୍ଷରୁ ଅଧିକା ଲାଗିବ । ପୁଣି ପ୍ରତ୍ୟେକ ବର୍ଷ ଆମ ଦେଶରେ ଯେତକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି, ତା’ର ହିସାବ ନେଲେ ଦେହ ଶୀତେଇ ଉଠିବ-। ପ୍ରତ୍ୟେକ ଚାରୋଟି ଛୁଆରେ ଆମର ଗୋଟିଏ ଛୁଆ ବଞ୍ଚେ । ଆମର ହାରାହାରି ବଞ୍ଚିବା ଆୟୁଷ ମୋଟେ ୩୨ବର୍ଷ । କିନ୍ତୁ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ ବଞ୍ଚିବା ଆୟୁଷ ୬୦ ବର୍ଷ ତା ଠାରୁ ଅଧିକ । ଏହା ବ୍ୟତୀତ ମେଲେରିଆ, ଫାଇଲେରିଆ, ଟାଇଫଏଡ଼ ପ୍ରଭୁତି ରୋଗତ ଆମ ଦେଶରେ ଭରପୂର ହୋଇରହିଛି । ସେଥିରେ ସେ କେବେ ଲୋକ ଜୀବନଯାକ ଅକାମି ହୋଇ ପଡ଼ି ରହିଛନ୍ତି, ତା’ର ହିସାବ ନେଉଛି କିଏ ? ଆମର ଲୋକମାନଙ୍କୁ ସୁସ୍ଥ ସବଳ କରିବାକୁ ହେଲେ, ସେମାନଙ୍କର ବଞ୍ଚିବା ହାର ବଢ଼ାଇବାକୁ ହେଲେ, ଜନ-ନିୟନ୍ତ୍ରଣକୁ ଆମକୁ ମାନିନେବାକୁ ହେବ । କିନ୍ତୁ ଏ ଦିଗରେ ଯେତେ ପ୍ରକାର ବିରୋଧ ଅଛି, ସେସବୁ ବିରୋଧକୁ ଦୂରକରି ସପକ୍ଷ ଜନମତ ପ୍ରଚେଷ୍ଟା କରିବାକୁ ହେଲେ ସଂଗଠିତ ଆନ୍ଦୋଳନ ଦରକାର । କେବଳ ସପକ୍ଷ ଜନମତରେ ବି ଜନ-ନିୟନ୍ତ୍ରଣ ସଫଳ ହୋଇପାରିବ ନାହିଁ । କାରଣ ଯେଉଁମାନେ ଜନ-ନିୟନ୍ତ୍ରଣରେ ବିଶ୍ଵାସ କରନ୍ତି, ସେମାନେ ମଧ୍ୟ ଡାକ୍ତରୀ ପରାମର୍ଶ ଅଭାବରେ ଉପଯୁକ୍ତ ଜନ-ନିୟନ୍ତ୍ରଣ ପନ୍ଥା ପ୍ରୟୋଗ କରିପାରନ୍ତି ନାହିଁ । ତା’ପରେ ପୁଣି ଅର୍ଥାଭବ ଅଛି । ତେଣୁ ଏଇ ବିରାଟ ବୁଭୁକ୍ଷୁ ଦେଶରେ ଜନ-ନିୟନ୍ତ୍ରଣକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଏକ ସୁଚିନ୍ତିତ ଯୋଜନା ଦରକାର । ଦୁଃଖର କଥା ଯେ ସେଦିଗରେ ଆମର ଯଥେଷ୍ଟ ଉଦ୍ୟମ ଏପର୍ଯ୍ୟନ୍ତ କରାଯାଇ ନାହିଁ ।

 

କିନ୍ତୁ ଜନ-ନିୟନ୍ତ୍ରଣ ଏକ ବହୁ ସମୟ ସାପେକ୍ଷ ଯୋଜନା । ସେଥିପାଇଁ ଅବଶ୍ୟ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ହେବ । କିନ୍ତୁ ଇତି ମଧ୍ୟରେ ଆର୍ଥନୀତିକ ପ୍ରଗତି ପାଇଁ ମଧ୍ୟ ଯଥାସାଧ୍ୟ ଚେଷ୍ଟା କରିବାକୁ ପଡ଼ିବ । ବେକାରସମସ୍ୟା ସମାଧାନ କରିବା ପାଇଁ ଆର୍ଥନୀତିକ ପ୍ରଗତି ହିଁ ପ୍ରକୃଷ୍ଟ ପନ୍ଥା । ଆର୍ଥିନୀତିକ ପ୍ରଗତି ହଁ କର୍ମସଂସ୍ଥାନ ସୃଷ୍ଟି କରେ । ତେଣୁ ଆର୍ଥନୀତିକ ପ୍ରଗତିକୁ ମୂଳଲକ୍ଷ୍ୟ ରଖି ଆମର ଯୋଜନା ପରିଚାଳିତ କଲେ, ବେକାର ସମସ୍ୟାର ଆପେ ଆପେ ସମାଧାନ ହୋଇଯିବ ବୋଲି ଅନେକ ଆର୍ଥନୀତିଜ୍ଞ ମତ ପ୍ରକାଶ କରିଛନ୍ତି । ଅଧିକ କର୍ମସଂସ୍ଥାନ ସୃଷ୍ଟି କରିବା ଯଦି ଏକ ମୂଳ ଲକ୍ଷ୍ୟ ବୋଲି ଧରାଯାଏ, ତାହାହେଲେ ଅନୁପଯୁକ୍ତ ଉତ୍ପାଦନ ପ୍ରଣାଳୀ ପ୍ରୟୋଗ କରିବା ଦରକାର ପଡ଼ିବ । କାରଣ, ଉତ୍ପାଦନ ପ୍ରଣାଳୀ ଯେତିକି ଅନୁପଯୁକ୍ତ ହେବ, ସେତିକି ଅଧିକ ଲୋକ କାମ ପାଇବେ । କିନ୍ତୁ ଏଥିରେ ଲୋକଙ୍କର ବଞ୍ଚିବା ମାନଦଣ୍ଡରେ କିଛି ଉନ୍ନତି ହେବନାହିଁ । କେବଳ କାମ ସୃଷ୍ଟିକରିବା ଆମର ଲକ୍ଷ୍ୟ ନୁହେଁ । ଲୋକଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ କାମସୃଷ୍ଟି କରିବାର ପ୍ରସ୍ତାବ କରାଯାଉଛି । ତେଣୁ ଆର୍ଥନୀତିକ ପ୍ରଗତିକୁ ମୂଳଲକ୍ଷ୍ୟ ରଖି, ଆମର ଅର୍ଥନୀତି ପରିଚାଳିତ ହେବା ଉଚିତ । ତାହା ହେଲେ ଜନସାଧାରଣଙ୍କର ବଞ୍ଚିବା ମାନଦଣ୍ଡ ବୃଦ୍ଧି ହେବ ଓ ବେକାର ସମସ୍ୟାର ସମାଧାନ ହେବ ।

 

ଆର୍ଥନୀତିକ ପ୍ରଗତିକୁ ଦୁଇ ଦୃଷ୍ଟିରୁ ବିଚାର କରିବାକୁ ହେବ । ପ୍ରଥମରେ କୃଷିର ଉନ୍ନତି କରି, କୃଷିରେ ନିର୍ଭର କରୁଥିବା ଲୋକଙ୍କର ଆୟ ଓ କାମ ବୃଦ୍ଧି କରିବା । ଦ୍ଵିତୀୟରେ ଅନ୍ୟାନ୍ୟ ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ ପ୍ରତିଷ୍ଠା କରି, ନୂତନ କର୍ମସଂସ୍ଥାନ ସୃଷ୍ଟି କରିବା । ଆମଦେଶର ପ୍ରଧାନ ବ୍ୟବସାୟ କୃଷି–ଏଥିରେ ଶତକରା ୭୦ଭାଗରେ ଲୋକ ନିର୍ଭର କରି ଚଳନ୍ତି । ଅଥଚ ଏହାର ଚାଷ ପ୍ରଣାଳୀରେ ଉନ୍ନତି ହେଉନାହିଁ, କି ଉତ୍ପାଦିକା ଶକ୍ତି ବଢ଼ୁନାହିଁ । ଏବେ ବି ବର୍ଷା ନ ହେଲେ ଆମର ମରୁଡ଼ି ହେଉଛି ଓ ଅଧିକ ବର୍ଷାହେଲେ ଶସ୍ୟ ଧୋଇ ଯାଉଛି । କୃଷିରେ ଯେଉଁମାନେ କାମ କରୁଛନ୍ତି, ସେମାନେ ପୂରା କାମ ପାଉନାହାନ୍ତି । ତେଣୁ କୃଷିକୁ ସଜାଡ଼ି, କୃଷିରେ କାମ କରୁଥିବା ଲୋକଙ୍କର ଆୟ ବୃଦ୍ଧି କରିବା ଆମର ପ୍ରଧାନ କର୍ତ୍ତବ୍ୟ । କିନ୍ତୁ କୃଷକୁ ଉନ୍ନତ କରିବାକୁ ହେଲେ, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟର ମଧ୍ୟ ଉନ୍ନତ ହେବା ଦରକାର । ତାହେଲେ କୃଷିରୁ ଲୋକଆସି ଏସବୁ ବ୍ୟବସାୟରେ ଖଟିବେ କୃଷିଜାତ ଦ୍ରବ୍ୟର ଚାହିଦା ବଢ଼ିବ–କୃଷକ ତା ମେହନତର ଉପଯୁକ୍ତ ମଜୁରୀ ପାଇବ । ତେଣୁ କୃଷିର ଉନ୍ନତି ଓ ଶିଳ୍ପର ବିକାଶ ଓତଃପ୍ରୋତ ଭାବରେ ଜଡ଼ିତ ।

 

କୃଷିର ଉନ୍ନତି ପାଇଁ ଭୂମିର ଏକ ଆମୂଳଚୁଳ ସଂସ୍କାର ଦରକାର–ବଡ଼ ଚାଷୀର ଜମିକୁ ନିୟନ୍ତ୍ରଣ କରିବାକୁ ହେବ, ଛୋଟ ଚାଷୀର ଜମିକୁ ବୃଦ୍ଧି କରାଯିବ, ଛୋଟ ଓ ବଡ଼ ଚାଷୀର ଜମିରୁ ଏକତ୍ର କରି ସମବାୟ ଚାଷର ପ୍ରତିଷ୍ଠା କରିବାକୁ ହେବ । ଭୂମି ସଂସ୍କାର ସଙ୍ଗେସଙ୍ଗେ ଚାଷ ପ୍ରଣାଳୀର ଉନ୍ନତି, ଜଳସେଚନର ବ୍ୟବସ୍ଥା ଓ ଉପଯୁକ୍ତ ସାରର ବ୍ୟବହାର ପ୍ରତି ଅନ୍ୟାନ୍ୟ ଆବଶ୍ୟକୀୟ ପନ୍ଥା ଅବଲମ୍ବନ କରିବାକୁ ହେବ । ଦ୍ଵିତୀୟରେ ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟର ବୃଦ୍ଧି କରିବାକୁ ହେବ । କିନ୍ତୁ ପ୍ରଶ୍ନ ହେଉଛି, କିପରି ଭାବରେ ଆମେ ଏହି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟକୁ ସଙ୍ଗଠିତ କରିବା ?

 

ଯେଉଁମାନେ ଆମର ଅର୍ଥନୀତିକୁ ପାଶ୍ଚାତ୍ୟ ଧରଣରେ ଆଗେଇ ନେବାକୁ ଚାହାନ୍ତି, ସେମାନେ ବୃହତ ଶିଳ୍ପ ଉପରେ ଜୋର ଦିଅନ୍ତି । ସେମାନଙ୍କ ମତରେ ବୃହତ ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠିତ ହେଲେ, ଆମର ଆର୍ଥନୀତିକ ଭିତ୍ତି ସୁଦୃଢ଼ ହେବ । ଜନସାଧାରଣଙ୍କର ବଞ୍ଚିବା ମାନଦଣ୍ଡ ବୃଦ୍ଧି ହେବ ଓ ଆମଦେଶ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କୁ ସହିତ ସମକକ୍ଷ ହୋଇପାରିବ । ଅନ୍ୟ ଯେଉଁମାନେ ବୃହତ ଶିଳ୍ପକୁ ଏକ ଶୋଷଣ ଓ ହିଂସାର ଚିହ୍ନ ବୋଲି ମନେକରନ୍ତି, ପାଶ୍ଚାତ୍ୟ ବସ୍ତୁବାଦ ସଭ୍ୟତାକୁ ସଭ୍ୟତାର ଏକ ଅଧୋଗତି ବୋଲି ବିଶ୍ଵାସ କରନ୍ତି, ସେମାନେ ସହଜ ଜୀବନ ପ୍ରଣାଳୀକୁ ଆଦର୍ଶ ବୋଲି ମନେକରି, କ୍ଷୁଦ୍ର ଓ କୁଟୀର ଶିଳ୍ପର ପ୍ରସାର ପାଇଁ ମତପ୍ରକାଶ କରନ୍ତି । କିନ୍ତୁ ଏଇ ଦର୍ଶନମୂଳକ ବାଦବିବାଦରୁ ଦୂରରେ ରହି, ସାଧାରଣ ନାଗରିକ ଦୃଷ୍ଟିରୁ ବିଚାର କଲେ ଆମକୁ ମାନିବାକୁ ହେବ ଯେ, ବୃହତ ଶିଳ୍ପକୁ ଉପଯୁକ୍ତ ରୂପେ ପରିଚାଳିତ କଲେ ସେଥିରେ ଥିବା ହିଂସା ଓ ଶୋଷଣ ଦୂର କରାଯାଇ ପାରିବ ଓ ଉନ୍ନତ ଧରଣର କ୍ଷୁଦ୍ର ଓ କୁଟୀର ଶିଳ୍ପ ପ୍ରଚଳନ କଲେ, ଆମ ଦେଶର ଆର୍ଥନୀତିକ ଭିତ୍ତି ଓ ଜନସାଧାରଣଙ୍କର ବଞ୍ଚିବା ମାନଦଣ୍ଡ ମଧ୍ୟ ବୃଦ୍ଧି ହୋଇପାରିବ । ତେଣୁ ଆମର ଆର୍ଥନୀତିକ ପ୍ରଗତିପାଇଁ ବୃହତ୍ ଓ କ୍ଷୁଦ୍ର ଶିଳ୍ପର ପ୍ରସାର ହେବା ଆବଶ୍ୟକ ।

 

ବୃହତ ଶିଳ୍ପର ବିକାଶ ହେଲେ ବେକାର ସମସ୍ୟା ସମାଧାନ ହୋଇପାରିବ ନାହିଁ ବୋଲି ଭାବିବା ଠିକ ନୁହେଁ କାରଣ ବୃହତ ଶିଳ୍ପର ବିକାଶ ହେଲେ ମଧ୍ୟ, ଅନେକ କ୍ଷୁଦ୍ରଶିଳ୍ପ ରହିବ ପୁଣି ବୃହତ ଶିଳ୍ପର ବିକାଶ ଫଳରେ ଭିନ୍ନଭିନ୍ନ ଧରଣର ବ୍ୟବସାୟ ବାଣିଜ୍ୟ ମୁଣ୍ଡ ଟେକି ଉଠିବେ । ଆର୍ଥନୀତିକ ପ୍ରଗତି ଫଳରେ ହିଁ ନୂତନ କର୍ମସଂସ୍ଥାନର ଉଦ୍ଭାବନ ହେବ । କେବଳ ବେକାର ସମସ୍ୟା ସମାଧାନ ପାଇଁ କ୍ଷୁଦ୍ର ଓ କୁଟୀର ଶିଳ୍ପର ପ୍ରସ୍ତାବ ହେବା ମଧ୍ୟ ଉଚିତ ନୁହେଁ । କାରଣ ଆଗରୁ କୁହାଯାଇଛି ଯେ, ବେକାର ସମସ୍ୟା ସମାଧାନ ଆମର ଏକ ଲକ୍ଷ୍ୟ ହେଲେ ବି ଜନସାଧାରଣଙ୍କର ବଞ୍ଚିବା ମାନଦଣ୍ଡ ଦୂର ଆମର ପ୍ରଧାନ ଲକ୍ଷ୍ୟ | ସେଥିପାଇଁ ବେକାର ସମସ୍ୟା ସମାଧାନ ମଧ୍ୟ ଦରକାର । ତେଣୁ କେବଳ ବେକାର ସମସ୍ୟା ସମାଧାନ ଦୃଷ୍ଟିରୁ ଯଦି କ୍ଷୁଦ୍ର ଓ କୁଟୀର ଶିଳ୍ପର ଉନ୍ନତି କଥା ଚିନ୍ତା କରାଯାଏ, ତାହେଲେ କ୍ଷୁଦ୍ର ଓ କୁଟୀର ଶିଳ୍ପର ଉତ୍ପାଦନ ପ୍ରଣାଳୀରେ ଉନ୍ନତି ହୋଇପାରିବ ନାହିଁ । ଫଳରେ ଆର୍ଥନୀତିକ ପ୍ରଗତି ଉପରେ ବାଧା ଆସିବ । ତେଣୁ ଆର୍ଥନୀତିକ ପ୍ରଗତି ପାଇଁ ବୃହତ୍ ଓ କ୍ଷୁଦ୍ରଶିଳ୍ପର ସମନ୍ଵୟ ଆବଶ୍ୟକ ।

 

ଉତ୍ପାଦନ ଖର୍ଚ୍ଚ ଦୃଷ୍ଟିରୁ କ୍ଷୁଦ୍ରଶିଳ୍ପ ଅନୁପଯୁକ୍ତ ବୋଲି କହିବାରେ କୌଣସି ଯଥାର୍ଥତା ନାହିଁ । ପ୍ରକୃତରେ ଉନ୍ନତ ଧରଣର ଉତ୍ପାଦନ ପ୍ରଣାଳୀ ନେଇ କ୍ଷୁଦ୍ର ଓ ବୃହତ ଶିଳ୍ପ ମଧ୍ୟରେ ଆଜିକାଲି ବେଶୀ କିଛି ପ୍ରଭେଦ ନାହିଁ । ଯାନ୍ତ୍ରିକ ସଭ୍ୟତାର ଉନ୍ନତି ଓ ବିଦ୍ୟୁତ ଶକ୍ତିର ପ୍ରଚଳନ ଫଳରେ, କ୍ଷୁଦ୍ର ଓ କୁଟୀର ଶିଳ୍ପରେ ମଧ୍ୟ କମ ଖର୍ଚ୍ଚରେ ଉତ୍ପାଦନ କରାଯାଇପାରିବ । ବୃହତ୍ ଶିଳ୍ପରେ ବ୍ୟବସାୟଗତ (Commercial) ସୁବିଧା ଅଧିକ । ଏକ ବୃହତ ଶିଳ୍ପ କମ୍‍ ଦାମରେ କଞ୍ଚାମାଲ କିଣି ପାରିବ, ଅଧିକା ଦାମରେ ନିଜର ଉତ୍ପାଦିତ ଜିନିଷ ବିକ୍ରୀ କରିପାରିବ ଓ ଶସ୍ତା ଓ ସୁବିଧା ହାରରେ ଟଙ୍କା କରଜ ଆଣିପାରିବ । ବୃହତ ଶିଳ୍ପରେ ମଧ୍ୟ ଉପଯୁକ୍ତ ଗବେଷଣା ପାଇଁ ଯୋଗାଡ଼ କରାଯାଇ ପାରିବ । ଏସବୁ ସୁବିଧା ହାସଲ କରିବାକୁ ହେଲେ, କ୍ଷୁଦ୍ର ଓ କୁଟୀର ଶିଳ୍ପକୁ ସମବାୟ ସୂତ୍ରରେ ସଂଗଠିତ କରାଯାଇ ପାରେ । ଏହା ବ୍ୟତୀତ କ୍ଷୁଦ୍ର ଓ କୁଟୀର ଶିଳ୍ପ ବୃହତ ଶିଳ୍ପ ଉପରେ ମଧ୍ୟ ନିର୍ଭର କରି ରହିପାରେ । ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ସମନ୍ଵୟ ହୋଇପାରିଲେ, ବୃହତ ଶିଳ୍ପ ଜରିଆରେ କ୍ଷୁଦ୍ର ଶିଳ୍ପ ସମସ୍ତ ପ୍ରକାର ବ୍ୟବସାୟ ଗତ ସୁବିଧା ହାସଲ କରିପାରିବ ଓ ଗବେଷଣା ଜ୍ଞାନ ପ୍ରୟୋଗ କରି ଉତ୍ପାଦନ ପ୍ରଣାଳୀର ଉନ୍ନତି ସାଧନ କରିପାରିବ । ଗାଁ ଗହଳରେ ବାସ କରୁଥିବା ଅଧିକାଂଶ ଆଂଶିକ ବେକାର ଯେତେବେଳେ ଗାଁଗଣ୍ଡା ଛାଡ଼ି ସହରକୁ କାମ କରିଯିବାକୁ ପ୍ରସ୍ତୁତ ନାହାନ୍ତି, ସେତେବେଳେ ଗାଁ ଗଣ୍ଡା ପାଖେ ପାଖେ ଭିନ୍ନଭିନ୍ନ ଧରଣର ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠା କରାଯିବା ଉଚିତ । ଆର୍ଥନୀତିକ ବିକେନ୍ଦ୍ରୀକରଣ ପାଇଁ କ୍ଷୁଦ୍ର ଓ କୁଟୀର ଶିଳ୍ପ ବିଶେଷ ସହଯୋଗୀ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଉନ୍ନତ ଧରଣର କ୍ଷୁଦ୍ର ଓ କୁଟୀର ଶିଳ୍ପ ପ୍ରତିଷ୍ଠା ହେଲେ, କୃଷିରେ ଖଟୁଥିବା ଆଂଶିକ ବେକାରମାନେ ପୁରା କାମ ପାଇବେ, ମଫସଲରେ ବଳକା ଲୋକମାନଙ୍କ ପାଇଁ କର୍ମ ସଂସ୍ଥାନର ବ୍ୟବସ୍ଥା ହୋଇପାରିବ ଓ ଜନସାଧାରଣଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଅଣା ଯାଇପାରିବ ।

 

ଦେଶରେ ଶିଳ୍ପପ୍ରସାର ପାଇଁ ମଧ୍ୟ ଆର୍ଥନୀତିକ ବିକେନ୍ଦ୍ରୀକରଣ ଆବଶ୍ୟକ । ମଫସଲ ଅଞ୍ଚଳରେ ଯେଉଁ ଗଚ୍ଛିତ ପାଣ୍ଠି ଅଛି, ସେ ଗଚ୍ଛିତ ପାଣ୍ଠି ସହରର ଶିଳ୍ପ ଓ ବ୍ୟବସାୟରେ ଖଟାଯାଇ ପାରୁନାହିଁ । ଆମ ଦେଶର ମହିଳାମାନଙ୍କ ପରି ମଫସଲର ପୁଞ୍ଜି ଲଜ୍ଜାଶୀଳା–ବାହାରକୁ ବାହାରିବାକୁ ପ୍ରସ୍ତୁତ ନୁହେଁ । ତେଣୁ ମଫସଲ ଅଞ୍ଚଳରେ ଯଦି ଶିଳ୍ପ ଓ ବ୍ୟବସାୟରେ ବିକାଶ କରାଯାଏ, ତାହେଲେ ମଫସଲର ଚାଷୀମାନେ ଶିଳ୍ପ ଓ ବ୍ୟବସାୟରେ ନିଜର ସଞ୍ଚିତ ମୁଦ୍ରା ବିନିଯୋଗ କରି ଦେଶର ଶିଳ୍ପବିକାଶରେ ସାହାଯ୍ୟ କରି ପାରିବେ । ଜାପାନରେ ଜମି ଉପରେ ଖଜଣା ବୃଦ୍ଧି କରି ଅଧିକ ପୁଞ୍ଜି ସଂଗ୍ରହ କରାଯାଇ ଶିଳ୍ପବିକାଶ ପାଇଁ ଉଦ୍ୟମ କରାଯାଇଥିଲା । ରୁଷିଆରେ କମ୍ୟୁନିଷ୍ଟ ସରକାର କଲେକ୍‍ଟିଭ ଚାଷ ପ୍ରଣାଳୀ ପ୍ରୟୋଗ କରି ଚାଷୀମାନଙ୍କ ଠାରୁ ବଳକା ଫସଲ ଆଦାୟ କରିଥିଲେ ଓ ତାକୁ ଶିଳ୍ପରେ ବିନିଯୋଗ କରିଥିଲେ । ଆମେ ଯେତେବେଳେ ଗଣତାନ୍ତ୍ରିକ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥାଉଁ, ସେତେବେଳେ ଲୋକମାନଙ୍କ ସହଯୋଗ ଲୋଡ଼ିବାକୁ ବାଧ୍ୟହେବା । ଜମି ଉପରେ ଅଧିକା ଖଜଣା ବସାଇ ବା ମଫସଲର ବଳକା ଫସଲକୁ ବାଧ୍ୟବାଧକତାରେ ଆଦାୟ କରି ଆର୍ଥନୀତିକ ପ୍ରଗତି ପାଇଁ ଚେଷ୍ଟାକରିବା ଆମ ପକ୍ଷରେ କଷ୍ଟହେବ । ତେଣୁ କ୍ଷୁଦ୍ର ଓ କୁଟୀର ଶିଳ୍ପର ପ୍ରସାର କରି ସହର ଓ ମଫସଲ ଅଞ୍ଚଳର ସାଇତା ପୁଞ୍ଜିକୁ ଆର୍ଥନୀତିକ ପ୍ରଗତିରେ ଖଟାଇବା ଆମ ଦେଶରେ ଉପଯୁକ୍ତ ପନ୍ଥା । ଆମର ଆର୍ଥିନୀତିକ ବିକାଶ ସହର ଓ ମଫସଲର ସମନ୍ଵୟରେ ହେବା ଏକାନ୍ତ ଆବଶ୍ୟକ-। ଏହି କ୍ଷୁଦ୍ର ଓ କୁଟୀର ଶିଳ୍ପ ସହିତ ବୃହତ ଶିଳ୍ପର ସମନ୍ଵୟ ହେଲେ, କ୍ଷୁଦ୍ର ଓ କୁଟୀର ଶିଳ୍ପର ଉନ୍ନତି ହେବ, ଦେଶର ଆର୍ଥନୀତିକ ଉନ୍ନତି ମଜବୁତ ହେବ, ଉନ୍ନତ ଧରଣର ଯନ୍ତ୍ରପାତି ଉତ୍ପାଦିତ ହେବ ଓ ଭିନ୍ନଭିନ୍ନ ଧରଣର ଶିଳ୍ପ ଓ ବ୍ୟବସାୟ ମୁଣ୍ଡଟେକି ଉଠିବ । ତାହେଲେ ଯାଇଁ ସୁଷମ ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇ ପାରିବ ଓ କର୍ମସଂସ୍ଥାନର ସୃଷ୍ଟିହୋଇ ପାରିବ ।

 

ବେକାର ସମସ୍ୟା ସମାଧାନ ପାଇଁ ଜନନିୟନ୍ତ୍ରଣ ଓ ଆର୍ଥନୀତିକ ପ୍ରଗତି ଛଡ଼ା ଶିକ୍ଷା ପଦ୍ଧତିର ପରିବର୍ତ୍ତନ ମଧ୍ୟ ଆବଶ୍ୟକ । ଶିକ୍ଷାର ମହଲରେ ବେକାର ସଂଖ୍ୟା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଯେତେଲୋକ ଶିକ୍ଷା ପାଇ କଲେଜ ବା ବିଶ୍ଵବିଦ୍ୟାଳୟରୁ ଉତୁରୁଛନ୍ତି, ସେଇ ଅନୁପାତରେ ଚାକିରିର ସୃଷ୍ଟି ହୋଇ ପାରୁନାହିଁ । ଶିକ୍ଷିତମାନେ ଚାକିରି ଛଡ଼ା ଅନ୍ୟ କୌଣସି ପନ୍ଥା ଧରି ନିଜର ଜୀବିକା ଅର୍ଜନ କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି । ଆମକୁ ଶିକ୍ଷିତ ସଂଖ୍ୟା ବୃଦ୍ଧି କରିବାକୁ ହେବ, କାରଣ ଅନ୍ୟଦେଶ ତୁଳନାରେ ଆମର ଶିକ୍ଷିତ ସଂଖ୍ୟା ଖୁବ୍‍ କମ୍ । କିନ୍ତୁ ଶିକ୍ଷାର ଆଭିମୁଖ୍ୟ ବଦଳାଇ ସାମାଜିକବେଷ୍ଟନୀ ସହିତ ଶିକ୍ଷାକୁ ସଂଶ୍ଲିଷ୍ଟ କରିବାକୁ ହେବ । ଅର୍ଥାତ ଶିକ୍ଷାପଦ୍ଧତିକୁ ଏପରି ଭାବରେ ପରିବର୍ତ୍ତନ କରିବାକୁ ହେବ ଯେ, ଶିକ୍ଷିତ ଲୋକମାନେ କେବଳ ସରକାରୀ ଚାକିରିକୁ ଅପେକ୍ଷା ନ ରଖି ନିଜ ଉଦ୍ୟମରେ ନିଜ ପାଇଁ ଜୀବିକା ନିର୍ବାହର ପନ୍ଥା ସୃଷ୍ଟି କରିପାରିବେ । ଏଥିପାଇଁ ଶିକ୍ଷାପଦ୍ଧତିରେ ଶିଳ୍ପ ଓ ବ୍ୟବସାୟ ଶିକ୍ଷାର ଗୁରୁତ୍ଵ ବଢ଼ିବା ଉଚିତ । କିନ୍ତୁ ସେତକରେ ରହିଲେ, ଶିକ୍ଷିତ ବେକାର ସଂଖ୍ୟା କମିବ ନାହିଁ । ଏବେ ଯେଉଁମାନେ ଶିଳ୍ପ ଓ ବ୍ୟବସାୟ ଶିକ୍ଷା ପାଉଛନ୍ତି, ସେମାନେ ମଧ୍ୟ ସରକାରି ଚାକିରିଆଡ଼କୁ ମନ ବଳାଉଛନ୍ତି । ତା’ର କାରଣ, ଆମ ଦେଶର ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟର ଯଥେଷ୍ଟ ଉନ୍ନତି ହୋଇନାହିଁ । ଆର୍ଥନୀତିକ ପ୍ରଗତି ହେଲେ, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟର ଉନ୍ନତି ହୋଇପାରିବ । ଦ୍ଵିତୀୟରେ ସମାଜର ବିଚାର ମାନଦଣ୍ଡ ମଧ୍ୟ ବଦଳିବା ଦରକାର । ଆମ ସମାଜରେ ଶ୍ରମ ମର୍ଯ୍ୟଦାରେ ତାରତମ୍ୟର ସୃଷ୍ଟି ହେଉଛି । ସେକ୍ରେଟେରିଏଟରେ କିରାନି ବା ଚପରାସି ହୋଇ ଯେ ମାସକୁ ୪୦ /୫୦ ଟଙ୍କା ରୋଜଗାର କରୁଛି, ସେ ପାନଦୋକାନୀ, ପନିପରିବା ଦୋକାନୀ ଓ ତେଲଲୁଣ ଦୋକାନୀଠାରୁ ଅଧିକ ସମ୍ମାନ ପାଉଛି । ତେଣୁ ପାନଦୋକାନୀ ନିଜେ ମାସକୁ ଶହେ କି ଦୁଇଶହ ଟଙ୍କା ରୋଜଗାର କଲେ ମଧ୍ୟ, ନିଜପୁଅ ଓ ପୁତୁରାକୁ ପାଠପଢ଼େଇ ସେକ୍ରେଟେରିଏଟ କିରାନି କରି ପଠାଇବାକୁ ଚେଷ୍ଟା କରୁଛି । ପୁଅ ମଧ୍ୟ ବାପର ବ୍ୟବସାୟକୁ ପସନ୍ଦ ନ କରି, ଓ. ଏ. ଏସ୍. ପରୀକ୍ଷାରେ ଥରେ ଦୁଇଥର ବସିବାକୁ ଚେଷ୍ଟା କରୁଛି । ସେଥିରେ ସଫଳ ନ ହେଲେ, ସେକ୍ରେଟେରିଏଟ କିରାନି ପାଇଁ ଧା ‘ ଧପଡ଼ ଲଗାଉଛି । ଆଇ. ଏ. ଏସ୍. ଚାକିରୀ ପାଇଁ ଏତେ ମୋହ ଯେ, ଅଧାପକ, ଡାକ୍ତର, ଇଞ୍ଜିନିଅର, ଓକିଲ ଓ ବଡ଼ବଡ଼ ବ୍ୟବସାୟୀମାନେ ଦରଖାସ୍ତ କରିବାକୁ ପଶ୍ଚାଦ ହେଉ ନାହାନ୍ତି । ସମାଜର ବିଚାର ମାନଦଣ୍ଡର ପରିବର୍ତ୍ତନ ନ ହେଲେ, ଶିକ୍ଷାର ବେକାର ସମସ୍ୟା ସବୁବେଳେ ଏକ ଜଟିଳ ସମସ୍ୟା ହୋଇରହିବ । କେବଳ ଶିକ୍ଷାପଦ୍ଧତିର ପରିବର୍ତ୍ତନରେ ସମାଜର ମାନଦଣ୍ଡ ବଦଳିବ ନାହିଁ । ତେବେ ଶିକ୍ଷା ପଦ୍ଧତି ବା ସାମାଜିକ ମାନଦଣ୍ଡ ସୃଷ୍ଟି କରେ । ଶିକ୍ଷିତ ଲୋକମାନେ ଧୋବା, ବାରିକ, ଦୋକାନ ଓ ବ୍ୟବସାୟ କାମକଲେ, ଏସବୁ କାମର ମର୍ଯ୍ୟାଦା ବଢ଼ିଯାଏ । ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶରେ ପ୍ରତ୍ୟେକ ଶ୍ରମର ମର୍ଯ୍ୟଦା ଅଛି କାରଣ ଉଚ୍ଚଶିକ୍ଷିତ ଲୋକମାନେ ଏସବୁ କାମ କରୁଛନ୍ତି । ଆମର ଶିକ୍ଷାପଦ୍ଧତିକୁ ସାମାଜିକ ଜୀବନ ସହିତ ଯୋଗ କରି ପ୍ରତ୍ୟେକ ପ୍ରକାର କାମପ୍ରତି ଆଗ୍ରହ ଓ ମର୍ଯ୍ୟଦା ସୃଷ୍ଟି କରିବାକୁ ହେବ ତାହେଲେ ଶିକ୍ଷିତ ଓ ଅଶିକ୍ଷିତ ଲୋକଙ୍କ ଭିତରେ ଆଜି ଯେଉଁ ପ୍ରଭେଦ ବିଦ୍ୟମାନ ଅଛି, ତାହା ଅଚିରେ ଲୋପ ପାଇଯିବ । ଶିକ୍ଷିତ ବେକାର ସମସ୍ୟାର ସହଜରେ ସମାଧାନ ହୋଇପାରିବ ।

☆☆☆

 

ଭାରତର ଅର୍ଥନୈତିକ ସମସ୍ୟା

ଅନୁନ୍ନତ ଅର୍ଥନୀତି ଓ ଶିଳ୍ପର ବିକାଶ

 

ଅନୁନ୍ନତ ଅର୍ଥନୀତିର ଉନ୍ନତି ପାଇଁ ଶିକ୍ଷାର ବିକାଶ ହେବା ଏକାନ୍ତ ବାଞ୍ଛନୀୟ । କାରଣ, ଶିଳ୍ପର ଉନ୍ନତି ହେଲେ, କୃଷିର ଉନ୍ନତି ହେବ । କୃଷିରେ ଯେଉଁସବୁ ବଳକା ଲୋକ ଅକର୍ମା ହୋଇ ପଡ଼ି ରହୁଛନ୍ତି, ସେମାନଙ୍କୁ କାମ ମିଳିବ । ସେମାନଙ୍କର ଆୟ ବଢ଼ିବ । ସେମାନେ ବେଶୀ ଖାଦ୍ୟ ଖୋଜିବେ । ଏବେ ସେମାନଙ୍କ ଭିତରୁ ଅଧିକାଂଶ ପେଟ ପୂରେଇ ଖାଇବାକୁ ପାଉ ନାହାନ୍ତି । ସେମାନଙ୍କର ଚାହିଦା ବଢ଼ିଲେ, କୃଷିଜାତ ଜିନିଷ ପତ୍ରର ଦର ଅଧିକ ହେବ । ଚାଷୀମାନେ ଅଧିକା ଆୟ ପାଇବେ । ପୁଣି ଶିଳ୍ପର ଉନ୍ନତି ହେଲେ, ବେଶୀ ରାସ୍ତାଘାଟ ହେବ, ବେଶୀ, ବିଦ୍ୟୁତ୍ ଉତ୍ପାଦନ କରାଯିବ, ରାସ୍ତାରେ ବେଶି ଯାନବାହାନ ଚଳିବ । ଏସବୁ କୃଷିର ସାହାଯ୍ୟରେ ଲାଗିବ–କୃଷକ ବେଶୀ ଜିନିଷ ଉତ୍ପାଦନ କରିପାରିବ ଓ ସହଜରେ ଉତ୍ପାଦିତ ଜିନିଷ ବିକ୍ରି କରିପାରିବ । ଏବେ ଅଧିକାଂଶ ଜାଗାରେ କୃଷକ ତା’ର ଜମିରେ ଗୋଟିଏ ମାତ୍ର ଫସଲ ଉଠାଉଛି । ବିଦ୍ୟୁତ୍ ଉତ୍ପାଦନ ଅଧିକା ହେଲେ, ଜଳସେଚନ ସୁବିଧା ହୋଇପାରିବ ଓ ଚାଷୀ ଏକ ଫସଲ ଜାଗାରେ: ଜମିରୁ ଦୁଇ ତିନି ଫସଲ ଉଠାଇବ । ତେଣୁ ଜମିରେ ଯେଉଁମାନେ ନିର୍ଭର କରି ବର୍ଷଯାକ କାମ ପାଇପାରୁ ନାହାନ୍ତି, ସେମାନଙ୍କୁ ପୁରା ସମୟ କାମ ମିଳିଯିବ । ଶିଳ୍ପର ଉନ୍ନତି ଫଳରେ ବେକାର ସମସ୍ୟାର ସହଜରେ ସମଧାନ ହୋଇପାରିବ । କୃଷିରେ ଅଧିକା ଲୋକ ଆଉ କାମ କରିପାରିବେ ନାହିଁ । ଅଧିକା ଲୋକଙ୍କୁ ନେଇ କୃଷିରେ ଖଟାଇଲେ, ଜଣପିଛା ଉତ୍ପାଦନ କମିବ ପଛେ, ବଢ଼ିବ ନାହିଁ । ତେଣୁ ଅନୁନ୍ନତ ଅଞ୍ଚଳର ଉନ୍ନତି ପାଇଁ ଶିଳ୍ପର ବିକାଶ ଯେ ନିତାନ୍ତ ଦରକାର, ଏଥିରେ କୌଣସି ସନ୍ଦେହ ନାହିଁ ।

 

କିନ୍ତୁ ଏହି ଶିଳ୍ପବିକାଶ ହେବ କିପରି ? ହଉ ନି କାହିଁକି ? ଶିଳ୍ପର ବିକାଶ ହେଲେ ଯଦି କୃଷିର ଉତ୍ପାଦିକା ଶକ୍ତି ବଢ଼ିବ, ଲୋକଙ୍କର ଆୟ ବଢ଼ିବ, ବେକାର ଲୋକ କାମ ପାଇବେ ଓ କାମିକା ଲୋକଙ୍କୁ ସାରାବର୍ଷ କାମ ମିଳିପାରିବ, ତେବେ ସେ ଦିଗରେ ଉଦ୍ୟମଟି ପ୍ରଥମେ ହେବାର କଥା । କିନ୍ତୁ ହୋଇପାରୁନି କାହିଁକି ?

 

ଏଥିପାଇଁ ଅନେକ କାରଣ ଅଛି । ସାମାଜିକ ବ୍ୟବସ୍ଥା ଓ ରାଜନୀତିକ ପନ୍ଥା ମଧ୍ୟ ଅନେକାଂଶରେ ଦାୟୀ । କାରଣ ଆର୍ଥନୀତିକ ପ୍ରଗତି କେବଳ ଆର୍ଥିନୀତିକ କାରଣ ଉପରେ ନିର୍ଭର ନ କରି, ଅନ୍ୟାନ୍ୟ କାରଣର ସହଯୋଗ ଖୋଜେ । କିନ୍ତୁ ଆମେ ଏଠି କେବଳ ଆର୍ଥନୀତିକ କାରଣ ହିଁ ଆଲୋଚନା କରିବା । ପ୍ରଥମ କଥା ଅନୁନ୍ନତ ଅଞ୍ଚଳରେ ଶିଳ୍ପ ବିକାଶ କରିବାକୁ ହେଲେ, ବୈଦେଶିକ ପ୍ରତିଯୋଗିତା ବନ୍ଦ କରିବାକୁ ହେବ । ଅନ୍ୟାନ୍ୟ ଉନ୍ନତ ଦେଶମାନଙ୍କରେ ଆଗରୁ ଶିଳ୍ପର ଉନ୍ନତି ହୋଇସାରିଛି । ଇଂଲଣ୍ଡ, ଆମେରିକା, ଜର୍ମାନୀ ପ୍ରଭୃତି ଶିଳ୍ପ-ପ୍ରଧାନ ଦେଶମାନଙ୍କରେ ବହୁ ପରିମାଣରେ କଳକାରଖାନା ସାହାଯ୍ୟରେ ଶିଳ୍ପଜିନିଷ ଉତ୍ପାଦନ କରାଯାଉଛି । ସେ ଦେଶମାନଙ୍କରେ ଉତ୍ପାଦନ ଖର୍ଚ୍ଚ କମ୍ । ସେମାନଙ୍କର ଯାନବାହନ ଓ ରାସ୍ତାଘାଟର ସୁବିଧାଥିବାରୁ ସେମାନେ ଅନୁନ୍ନତ ଅଞ୍ଚଳମାନଙ୍କରେ ଶସ୍ତାଦରରେ ସେମାନଙ୍କର ଜିନିଷ ଆଣି ବିକ୍ରୀ କରିବାକୁ ସୁବିଧା ପାଉଛନ୍ତି । ଫଳରେ ଅନୁନ୍ନତ ଅଞ୍ଚଳରେ ଶିଳ୍ପର ବିକାଶ କରିବାକୁ ଉଦ୍ୟମ କରିବା କଷ୍ଟକର ହୋଇ ପଡ଼ିଛି । ତେଣୁ ଏହି ପ୍ରତିଯୋଗିତା ବନ୍ଦ କରିବା ନିୟନ୍ତ୍ରଣ କରି, ଅନୁନ୍ନତ ଅଞ୍ଚଳରେ ଶିଳ୍ପର ବୃଦ୍ଧି କରିବା ଦରକାର । ବାହାରର ସବୁ ଜିନିଷକୁ ବନ୍ଦକରି ପାରିବ ନାହିଁ । ତାହେଲେ ଆମ ଦେଶର ଖାଉଟିମାନେ ହଇରାଣରେ ପଡ଼ିବେ । ଖାଉଟିମାନେ ଶସ୍ତା ଜିନିଷ ଖୋଜନ୍ତି । ବାହାର ଜିନିଷ ବନ୍ଦକରି, ଦେଶରେ ସେସବୁ ଉତ୍ପାଦନ କରି ବଜାରରେ ବିକ୍ରି କଲେ, ଦର ଅଧିକା ହେବ । କିନ୍ତୁ ଶିଳ୍ପର ବିକାଶ ପାଇଁ ଖାଉଟିମାନଙ୍କୁ କିଛିଦିନ ହଇରାଣ ଭୋଗିବାକୁ ପଡ଼ିବ । ଅଧିକା ଦରରେ ଜିନିଷ କିଣିବାକୁ ହେବ । ସେଥିପାଇଁ ସବୁ ଜିନିଷ ବନ୍ଦ ନକରି, ଯେଉଁସବୁ ଜିନିଷ ଅତ୍ୟନ୍ତ ଦରକାର ଓ ତାହା ସୁବିଧାରେ ନିଜ ଦେଶରେ ଉତ୍ପନ୍ନ କରାଯାଇ ପାରିବ ନାହିଁ, ତାକୁ ବିଦେଶରୁ ଆଣିବାକୁ ପଡ଼ିବ । ଯନ୍ତ୍ରପାତି ପାଇଁ ମଧ୍ୟ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ିବ । ତେଣୁ ବାହାରର ପ୍ରତିଯୋଗିତାକୁ ନିୟନ୍ତ୍ରଣ ନ କଲେ, ଅନୁନ୍ନତ ଅଞ୍ଚଳରେ, ଆର୍ଥନୀତିକ ପ୍ରଗତି ସମ୍ଭବ ନୁହେଁ । ଆମେରିକା, ଜର୍ମାନୀ ଓ ଜାପାନ ପ୍ରଭୃତି ଦେଶମାନଙ୍କରେ ଆର୍ଥନୀତିକ ଅଗ୍ରଗତିର ପ୍ରଥମ ଅବସ୍ଥାରେ ଏହିପରି ଭାବରେ ବୈଦେଶିକ ପ୍ରତିଯୋଗିତାକୁ ନିୟନ୍ତ୍ରଣ କରାଯାଇଥିଲା ।

 

ଦ୍ଵିତୀୟରେ ଅନୁନ୍ନତ ଅଞ୍ଚଳରେ ଶିଳ୍ପର ବିକାଶ ପାଇଁ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ସହଯୋଗୀ ନୁହେଁ । ତେଣୁ ଶିଳ୍ପର ବିକାଶ ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିବ । ଆମେରିକାର ଜଣେ ଚାଷୀ ଯଦି ନିଜର ଜମିକୁ ଟ୍ରାକ୍‍ଟର ସାହାଯ୍ୟରେ ଚାଷ କରିବାକୁ ଚାହିଁବ, ତାହେଲେ ସେ ଏକ ଟ୍ରାକଟର କିଣିଲେ, ତା’ର କାମ ଉଠିଯିବ । ଟ୍ରାକଟର ଚଳାଇବା ପାଇଁ ଲୋକ, ନେବା ଆଣିବା ପାଇଁ ରାସ୍ତା ଓ ମରାମତି କରିବା ପାଇଁ ସବୁ ରକମ ସୁବିଧା ଚାରିଆଡ଼େ ଅଛି । ତାକୁ ସେ ଦିଗରେ ଚିନ୍ତା କରିବା ପାଇଁ ପଡ଼ିବ ନାହଁ । ଖାଲି ଟ୍ରାକଟର କିଣିଲେ, ସେ ଜମିରେ କଳ ଚାଷ ଆରମ୍ଭ କରିପାରିବ । କିନ୍ତୁ ଆମ ଦେଶରେ କେହି ଚାଷୀ ଯଦି କଳଚାଷ କରିବାକୁ ଠିକ୍‍ କରେ, ତାହାହେଲେ ପ୍ରଥମେ ଏସବୁ କଥା ଚିନ୍ତାକରି ପରେ ପରେ ଟ୍ରାକଟର କିଣିବା କଥା ବିଚାର କରିବ । ତେଣୁ ଆମେରିକା ପରି ଦେଶରେ କଳ ଚାଷ କରିବାକୁ ବେଶି ଖର୍ଚ୍ଚ ପଡ଼ିବ ନାହିଁ । କାରଣ କଳଚାଷ ଅଛି ଓ ସେଥିପାଇଁ ଯେ ସବୁ ସୁବିଧା ଦରକାର, ତା ମଧ୍ୟ ଅଛି । କିନ୍ତୁ ଆମ ଦେଶରେ କଳଚାଷ ଆରମ୍ଭ କରିବାକୁ ହେଲେ, ଅନେକ ଟଙ୍କା ଦରକାର ପଡ଼ିବ । ଅର୍ଥ ଶାସ୍ତ୍ରରେ ଏହାକୁ ପାରିପାର୍ଶ୍ୱିକ ସୁବିଧା (external economy) ବୋଲି କୁହାଯାଇଛି । ଅନୁନ୍ନତ ଅଞ୍ଚଳରେ ଏହି ପାରିପାର୍ଶ୍ୱିକ ସୁବିଧାର ଅଭାବ ଥିବାରୁ, ଶିଳ୍ପର ବିକାଶରେ ବାଧା ଘଟୁଛି । ଏହି ବାଧାକୁ ଦୂର କରିବାକୁ ହେଲେ, ସରକାରଙ୍କୁ ବେଶୀ କାମ କରିବାକୁ ପଡ଼ିବ ।

 

ତୃତୀୟରେ, ଅନୁନ୍ନତ ଅଞ୍ଚଳରେ ଚାହିଦା କମ୍ । ଅଭାବ ବେଶୀ, କିନ୍ତୁ ଚାହିଦା କମ୍ । ଏ ଦେଶମାନଙ୍କରେ ଅନେକ ଲୋକ ଅଛନ୍ତି, କିନ୍ତୁ ଅଧିକାଂଶ ଗରିବ । ତେଣୁ କିଣିବାର ଶକ୍ତି ନାହିଁ ମାଗିବାର ଶକ୍ତି ଅଛି । ମାଗିବା ଲୋକମାନଙ୍କର ଚାହିଦା ସୃଷ୍ଟି ହୁଏ ନାହିଁ । ତେଣୁ ଆର୍ଥନୀତିକ ଅଗ୍ରଗତି ପାଇଁ ବେସରକାରୀ ଲୋକମାନଙ୍କ ତରଫରୁ ଯଥେଷ୍ଟ ଉଦ୍ୟମ ବା ପ୍ରଚେଷ୍ଟା ଆଶା କରାଯାଇ ପାରେନାହିଁ । ଏଥିପାଇଁ ସରକାରଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ଏହି ଗରିବକଙ୍କୁ କାମ ଯୋଗାଇ, ସେମାନଙ୍କର କିଣିବା ଶକ୍ତି ବା ଚାହିଦା ବଢ଼ାଇବାକୁ ହେବ । ସରକାର ଯଦି ଋସ୍ତାଘାଟ ତିଆରି କରିବେ, କେନାଲ ଖୋଳାଇବେ, ନଦୀରେ ବନ୍ଧ ବାନ୍ଧିବେ, ଗାଁଗଣ୍ଡାରେ ପୋଖରୀ ଖୋଳାଇବେ, ତାହାହେଲେ ଲୋକଙ୍କ ହାତକୁ ପଇସା ଆସିବ । ଫଳରେ ସେମାନଙ୍କର ଚାହିଦା ବଢ଼ିବ । କିନ୍ତୁ ସରକାରୀ ଖର୍ଚ୍ଚ ଫଳରେ ଯଦି ଚାହିଦା ବଢ଼େ, ତାହା ହେଲେ ହୁଏତ ବେସରକାରୀ ବ୍ୟବସାୟୀମାନେ ଶିଳ୍ପରେ ସେମାନଙ୍କର ଟଙ୍କ। ଖଟାଇବା ପାଇଁ ପଶ୍ଚାଦପଦ ହୋଇପାରନ୍ତି । କାରଣ ସେମାନଙ୍କର ସନ୍ଦେହ ବଢ଼ିବ । ଭବିଷ୍ୟତରେ ସରକାର ହୁଏତ ସବୁଶିଳ୍ପ ହାତକୁ ନେଇପାରନ୍ତି । ଜାପାନର ଉଦାହରଣ ଆଗରେ ଅଛି । ଜାପାନ ସରକାର ଶିଳ୍ପର ଉନ୍ନତି କରିବା ପାଇଁ ୧୮୭୭ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରୁ ସୂତାକାଟିବା କଳକିଣି, ବ୍ୟବସାୟୀମାନଙ୍କୁ ଦେବାକୁ ଚାହିଁଲେ । କିନ୍ତୁ କୌଣସି ବ୍ୟବସାୟୀ ଏ କଳ ନେଇ କାରଖାନା ପ୍ରତିଷ୍ଠା କରିବାକୁ ଚାହିଁଲେ ନାହିଁ-। ତେଣୁ ସରକାର ନିଜେ ୧୮୭୮ରେ ଦୁଇଟି କାରଖାନା ବସାଇଲେ । ତାପର ବର୍ଷ ଆଉ ୧୦ଟି-: କାରଖାନା ବସାଇଲେ । ଏହିପରି ଭାବରେ ଜାପାନରେ ଶିଳ୍ପର ପ୍ରସାର ହେଲା । ସେହିପରି ଆମ ଦେଶରେ ମଧ୍ୟ ଶିଳ୍ପ ପ୍ରସାର କରିବାକୁ ପଡ଼ିବ । ଅର୍ଥାତ ଶିଳ୍ପର ଉନ୍ନତି ପାଇଁ ସରକାର ଖୋଦ ବ୍ୟବସାୟରେ ପଶିବେ । ବେସରକାରୀ ବ୍ୟବସାୟୀ ରହିବ, ରହିବା ମଧ୍ୟ ଉଚିତ-। ତାହାହେଲେ ସରକାରୀ ଓ ବେସରକାରୀ ବ୍ୟବସାୟ ଭିତରେ ତୁଳନାତ୍ମକ ବିଚାର କରାଯାଇ ପାରିବ-। କିନ୍ତୁ ଅନୁନ୍ନତ ଅଞ୍ଚଳରେ ସରକାରୀ ଉଦ୍ୟମ ଅଧିକ ଭାବରେ ନ ହେଲେ, ଶିଳ୍ପର ପ୍ରସାର ସମ୍ଭବ ହୋଇପାରିବ ନାହିଁ ।

 

ଚତୁର୍ଥରେ, ଅନୁନ୍ନତ ଅଞ୍ଚଳରେ ଶ୍ରମିକ ସମସ୍ୟା ମଧ୍ୟ ଏକ ସହଜ ସମସ୍ୟା ନୁହେଁ । ଏ ଦେଶମାନଙ୍କରେ ଶ୍ରମିକ ଅଭାବ ନାହିଁ । ପ୍ରଚୁର ଶ୍ରମିକ ଅଛନ୍ତି । କିନ୍ତୁ ଏମାନେ ଗତିଶୀଳ (mobility) ନୁହଁନ୍ତି । ଅର୍ଥାତ ଯେଉଁମାନେ ବଢ଼େଇ କାମ କରୁଛନ୍ତି, ସେମାନଙ୍କୁ ବଢ଼େଇ କାମ ବ୍ୟତୀତ ଅନ୍ୟ କିଛି କାମ ମାଲୁମ ନାହିଁ । ତେଣୁ ଯେତେବେଳେ ବଢ଼େଇ କାମ ମିଳୁନି, ସେତେବେଳେ ଏମାନେ ବେକାର ହୋଇ ବସି ରହନ୍ତି । ସେହିପରି ଯେଉଁମାନେ ମୁନ୍ଦୁରା ବୁଣୁଛନ୍ତି, ସେମାନେ ମୁନ୍ଦୁରା ବୁଣା ଛଡ଼ା ଆଉ କିଛି ଜାଣନ୍ତି ନାହିଁ । ତେଣୁ ଦେଶରେ ପ୍ରଚୁର ଶ୍ରମିକ ଥାଇ ମଧ୍ୟ ଶ୍ରମିକ ଅଭାବ ଦୂରହୋଇ ପାରୁନାହିଁ । ସେଥିପାଇଁ ଶ୍ରମିକମାନଙ୍କୁ ଭିନ୍ନ ଭିନ୍ନ କାରିଗରୀ କାମରେ ଶିକ୍ଷାଦେବାକୁ ହେବ, ସେମାନଙ୍କୁ ଗତିଶୀଳ କରିବାକୁ ପଡ଼ିବ । ଆଉ ଗୋଟିଏ କଥା । ଆମଦେଶରେ ଲୋକମାନେ ଗୋଟିଏ ଜାଗାରେ ମାଟି କାମୁଡ଼ି ପଡ଼ି ରହିବାକୁ ଭଲପାନ୍ତି । ଏହା କୃଷି-ସଭ୍ୟତାର ଏକ ଲକ୍ଷଣ । ଆମ ଦେଶର ଗାଁଗଣ୍ଡାରେ ଅନେକ ଲୋକ ଅଛନ୍ତି । ଯେତେଲୋକ ଅଛନ୍ତି, ସେତେଲୋକଙ୍କ ପାଇଁ କାମ ନାହିଁ । କିନ୍ତୁ ସେମାନଙ୍କ ପାଇଁ ଯଦି ଅନ୍ୟ କେଉଁଠି କାମର ସୁବିଧା କରିଦିଆଯାଏ, ତାହାହେଲେ ସେମାନେ ଯିବାକୁ ପ୍ରସ୍ତୁତ ନୁହନ୍ତି । ବଙ୍ଗଳା ବିଭକ୍ତ ହେଲ। ପୂର୍ବବଙ୍ଗଳାରୁ ହଜାର ହଜାର ଲୋକ ପଶ୍ଚିମ ବଙ୍ଗଳାକୁ ଆସିବାକୁ ବାଧ୍ୟ ହେଲେ । ସେମାନଙ୍କୁ ଥଇଥାନ କରିବାକୁ ଓଡ଼ିଶା, ବିହାର ପ୍ରଭୃତି ଭିନ୍ନଭିନ୍ନ ରାଜ୍ୟରେ ବ୍ୟବସ୍ଥା କରାଗଲା । କିନ୍ତୁ ସେମାନେ ପୁଣି ସେଇ ପଶ୍ଚିମ ବଙ୍ଗଳାରୁ ଫେରିଗଲେ । ଗ୍ରାମପ୍ରୀତି, ରାଜ୍ୟପ୍ରୀତି, ଭାଷା ପ୍ରୀତି ପ୍ରଭୃତି ଯେତେ ପ୍ରୀତି ଆମ ଦେଶରେ ଅଛି, ସେସବୁ ପ୍ରୀତିକୁ ଭାଙ୍ଗି, ଶ୍ରମିକମାନଙ୍କୁ ଗତିଶୀଳ କରିବାକୁ ହେବ । ତାହାହେଲେ ଶିଳ୍ପର ବିକାଶ ହୋଇପାରିବ । ଏଥିପାଇଁ କାରିଗରୀ ଶିକ୍ଷା, ସାଧାରଣ ଶିକ୍ଷା ଓ ଜନ-ଚେତନା ଦରକାର । ସରକାରଙ୍କୁ ଏସବୁ ଭାର ମୁଣ୍ଡାଇବାକୁ ପଡ଼ିବ ।

 

କିନ୍ତୁ ଏସବୁ ସୁବିଧା କରି ଶିଳ୍ପରବିକାଶ କରିବାକୁ ହେଲେ, ପୁଞ୍ଜିର ଆବଶ୍ୟକ । ବିନା ପୁଞ୍ଜିରେ ଶିଳ୍ପର ପ୍ରସାର ହୋଇପାରିବ ନାହିଁ । କିନ୍ତୁ ଅନୁନ୍ନତ ଅଞ୍ଚଳରେ ପୁଞ୍ଜିର ବିଶେଷ ଅଭାବ । ତେଣୁ କେଉଁ ଉପାୟରେ ଏସବୁ ପୁଞ୍ଜି ସଂଗ୍ରହ କରାଯାଇ ଆର୍ଥନୀତିକ ପ୍ରଗତିରେ ଲାଗି ପାରିବ, ତାହା ବର୍ତ୍ତମାନ ବିଚାର କରାଯାଉ ।

 

ବ୍ୟକ୍ତିଗତ ସଞ୍ଚୟ, ମୁଦ୍ରାସ୍ପୀତି, ଟିକସ ଓ ବିଦେଶୀ କରଜରୁ ପୁଞ୍ଜି ସଂଗ୍ରହ କରାଯାଏ । କିନ୍ତୁ ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ଅବସ୍ଥା ଖରାପଥିବାରୁ, ସେମାନେ ସଞ୍ଚୟ କରିବାକୁ ସୁବିଧା ପା’ନ୍ତି ନାହିଁ । ଯେଉଁଠି ଅଭାବ ଓ ଅନଟନ ଭରପୂର ହୋଇରହିଛି, ସେଠି ସଞ୍ଚୟ ହେବ ବା କିପରି ? ଖର୍ଚ୍ଚ ଠାରୁ ଆୟ ଅଧିକ ହେଲେ ସିନା ସଞ୍ଚୟ କଥା ଉଠିବ । ଲୋକଙ୍କ ଅଭାବ ଉପରେ ଆଉ ଅଧିକ କରବସାଇବା ମଧ୍ୟ ସହଜ ନୁହେଁ । ଆଉ ବିଦେଶୀ ପୁଞ୍ଜି । ସେ ତ ନ ଆସିବାର କଥା-। କାରଣ ଦେଶରେ ଚାହିଦା କମ ଥିବାରୁ ବିଦେଶୀ ପୁଞ୍ଜି ଅନୁନ୍ନତ ଅଞ୍ଚଳକୁ ସହଜରେ ଆସେ ନାହିଁ-। ଆସିଲେ ବି ରପ୍ତାନି ଶିଳ୍ପରେ ବିନିଯୋଗ ହୁଏ । କାରଣ ରପ୍ତାନି ଶିଳ୍ପର ଜିନିଷ ବିଦେଶରେ ବିନିଯୋଗ ହୋଇପାରେ । ତେଣୁ ଏସବୁ ଅସୁବିଧାକୁ ଦୂରକରି ପୁଞ୍ଜି ବଢ଼ାଇବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ହେବା ଦରକାର । ତାହା ନ ହେଲେ ଆର୍ଥନୀତିକ ଅଗ୍ରଗତି ସମ୍ଭବ ହୋଇପାରିବ ନାହିଁ ।

 

ଅନୁନ୍ନତ ଅର୍ଥନୀତିରେ ସଞ୍ଚୟ ଅଭାବ । କିନ୍ତୁ ସେଥିପାଇଁ ଯୋଗାଡ଼ କଲେ ହୁଏତ ଆଉ କିଛି ଅଧିକା ସଞ୍ଚୟ ମିଳିବ । ମଫସଲରେ ଯେଉଁମାନେ ଟଙ୍କା ଥାଇ ବି ସଞ୍ଚୟ କରିପାରୁ ନାହାନ୍ତି, କିମ୍ବା ସଞ୍ଚୟକୁ ସୁନାରୂପା ଆକାରରେ ରଖି ପଡ଼ିଆ କରୁଛନ୍ତି, ସେମାନଙ୍କ ପାଇଁ ସୁବିଧା କରିଦେଲେ, ସଞ୍ଚୟର ମାତ୍ରା ହୁଏତ ବଢ଼ିପାରେ । ଏଥିପାଇଁ ସରକାର ଗାଁ ଗଣ୍ଡାରେ ବ୍ୟାଙ୍କ ବା ପୋଷ୍ଟଅଫିସ ଖୋଲିବା ଦରକାର । ସରକାର ନିଜେ ମଧ୍ୟ ବଜାରରୁ ସିକ୍ୟୁରିଟି କିଣିବା ଚାହି । ତା ହେଲେ ସେମାନେ ବ୍ୟବସାୟରେ ନିଜର ଟଙ୍କା ଖଟାଇବାକୁ ଭୟ କରୁଛନ୍ତି, ସେମାନେ ସରକାରଙ୍କ ସିକ୍ୟୁରିଟି କିଣି ନିଜର ଜମାତକ ଦେଶର ପ୍ରଗତି କାମରେ ଲଗାଇ ପାରିବେ ; ନିଜେ ମଧ୍ୟ ସୁଧ ଆକାରରେ ଯେ ଯେତିକି ଲାଭ ଉଠାଇବାର କଥା, ଉଠାଇବେ । କିନ୍ତୁ ଏ ବାବଦରେ ଆମକୁ କେତେ ସଞ୍ଚୟ ମିଳିପାରିବ, ତାହା ଏପର୍ଯ୍ୟନ୍ତ ହିସାବ କରାଯାଇ ନାହିଁ । ଆର୍ଥନୀତିକ ପ୍ରଗତିରେ ଯଦି ମୁଦ୍ରାସ୍ପୀତ ହୁଏ, ତାହାହେଲେ ସଞ୍ଚୟର ମାତ୍ରା କମିଯିବାର ସମ୍ଭାବନା । ଜିନିଷ ପତ୍ରର ଦର ବଢ଼ିଲେ ପେଟପାଟଣା ସମ୍ଭାଳିବା ପାଇଁ ଅଧିକ ଖର୍ଚ୍ଚ କରିବା ଦରକାର ପଡ଼େ । ସଞ୍ଚୟର ମାତ୍ରା କମିଯାଏ । ଦ୍ଵିତୀୟରେ ଅନୁନ୍ନତ ଅର୍ଥନୀତିରେ ଧନୀ ଓ ଦରିଦ୍ରମାନଙ୍କ ଭିତରେ ତାରତମ୍ୟ ଖୁବ୍‍ ବେଶୀ । ସାମାଜିକ ନ୍ୟାୟ ଦୃଷ୍ଟିରୁ ଏହା ତାରତମ୍ୟକୁ ଦୂରକରିବା ଦରକାର ପଡ଼େ-। ଫଳରେ ଧନୀର ବଳକା ଧନକୁ ଗରିବମାନଙ୍କ ଦ୍ୱାରରେ ବାଣ୍ଟି ଦିଆଯାଏ । ଭୂମି ସଂସ୍କାର, ବ୍ୟକ୍ତିଗତ ଆୟ ଉପରେ ନିୟନ୍ତ୍ରଣ ଇତ୍ୟାଦି ଯେଉଁସବୁ ଉନ୍ନୟନ କାମ ସରକାରଙ୍କ ତରଫରୁ ଭିନ୍ନଭିନ୍ନ ଦେଶରେ ଜାରି କରାଯାଉଛି, ସେଥିରେ ଏହି ଧନୀ ଓ ଦରିଦ୍ର ତାରତମ୍ୟ ଦୂର କରିବାକୁ ଚେଷ୍ଟା କରାଯାଉଛି । ଏ ଚେଷ୍ଟା ସଫଳ ହେବବୋଲି ଆମେ କହୁନୁ । କିନ୍ତୁ ସେ ଦିଗରେ ସେ ଉଦ୍ୟମ ହେଉଛି ଏଥିରେ ସନ୍ଦେହ ନାହିଁ । ସେ ଉଦ୍ୟମ ଯଦି ସଫଳ ହୁଏ ଏବଂ ହେବା ମଧ୍ୟ ଉଚିତ, ତାହାହେଲେ ଦେଶରେ ବଳକା ସମ୍ପଦ ବୋଲି ଆଉ କିଛି ରହିପାରିବ ନାହିଁ । ଧନୀ ଯାଇ ଗରିବମାନଙ୍କ ହାତରେ ଯେତେବେଳେ ପଇସା ପଡ଼ିବ, ସେତେବେଳେ ସେମାନେ ସଞ୍ଚୟ କଥା ନ ଭାବି ପେଟ ପୂରେଇବା କଥା ଭାବିବେ । ତେଣୁ ମୋଟ ସଞ୍ଚୟର ମାତ୍ରା କମିବ । ତୃତୀୟରେ ସେମାନେ ଏବେ ସଞ୍ଚୟ କରୁଛନ୍ତି, ସେମାନଙ୍କର ମଧ୍ୟ ସଞ୍ଚୟ ମନୋବୃତ୍ତି କମୁଛି । କାରଣ ସେମାନେ ଭଲ ଜିନିଷ ଖୋଜିବାରେ ଲାଗୁଛନ୍ତି । ଭଲରେ ରହିବା, ଭଲରେ ଚଳିବା ଆଜିକାଲିକା ସମାଜର ଲକ୍ଷ୍ୟ । ତେଣୁ ଆମର ଉପର ଲୋକମାନଙ୍କୁ ଅନୁକରଣ କରି ସେମାନଙ୍କ ବଞ୍ଚିବା ମାନଦଣ୍ଡ ଅନୁସାରେ ଆମର ବଞ୍ଚିବା ମାନଦଣ୍ଡକୁ ଗଢ଼ିବା ପାଇଁ ଚାରିଆଡ଼େ ମନୋବୃତ୍ତି ଟେକି ଉଠୁଛି । ଏହି ଅନୁକରଣ ମନୋବୃତ୍ତି ଫଳରେ ଖାଇବା ଖର୍ଚ୍ଚ ବଢ଼ୁଛି–ସଞ୍ଚୟ ମାତ୍ରା କମୁଛି-। ବିଦେଶରୁ ଯେଉଁ ଲୋକମାନେ ଆସୁଛନ୍ତି, ଯେଉଁ ଜିନିଷ ସବୁ ଆସୁଛି, ଯେଉଁସବୁ ସିନେମା ଦେଖାଯାଉଛି, ସେଥିରେ ଆମେମାନେ ପ୍ରଭାବିତ ହୋଇ ବେଶୀ ଖର୍ଚ୍ଚ କରିବାକୁ ପ୍ରବଞ୍ଚିତ ହେଉଅଛୁ । ତେଣୁ ସ୍ଵେଚ୍ଛା ପ୍ରଣୋଦିତ ହୋଇ ଲୋକମାନେ ଯେଉଁ ସଞ୍ଚୟ କରନ୍ତି, ତା ବେଶୀ ବଢ଼ିପାରିବ ବୋଲି ଆଶା କରିବା ଠିକ୍‍ ନୁହେଁ ।

 

ଦ୍ଵିତୀୟ ପନ୍ଥାହେଲା ବାଧ୍ୟତାମୂଳକ ସଞ୍ଚୟ । ଅର୍ଥାତ୍ ମୁଦ୍ରାସ୍ପୀତ କରି ବାଧ୍ୟତାମୂଳକ ସଞ୍ଚୟ କରି ପାରିଲେ, ଆର୍ଥନୀତିକ ପ୍ରଗତି ହୋଇପାରିବ ବୋଲି ଅନେକ ଲୋକଙ୍କର ଧାରଣା । ମୁଦ୍ରାସ୍ପୀତ ହେଲେ ଜିନିଷ ପତ୍ର ଦର ବଢ଼ିବ । କିନ୍ତୁ ସେଇ ଅନୁପାତରେ ଶ୍ରମିକର ମଜୁରୀ ବଢ଼ିପାରିବ ନାହିଁ । ତେଣୁ ଶିଳ୍ପ ଓ ବ୍ୟବସାୟରେ ଅଧିକା ଲାଭ ହେବ । ଏହି ଲାଭକୁ ଶିଳ୍ପ ଓ ବ୍ୟବସାୟର ଖଟେଇ ଶିଳ୍ପ ଓ ବ୍ୟବସାୟର ଉନ୍ନତି କରାଯାଇପାରିବ ବୋଲି ଅନେକ ଲୋକଙ୍କର ଧାରଣା । ଏହାକୁ ବାଧ୍ୟତାମୂଳକ ସଞ୍ଚୟ କୁହାଯାଇଛି । କାରଣ ଶ୍ରମିକମାନେ ବାଧ୍ୟ ହୋଇ ସଞ୍ଚୟ କରୁଛନ୍ତି । ଅର୍ଥାତ ବଞ୍ଚିବା ହାର ଅନୁପାତରେ ଯେତିକି ମଜୁରୀ ସେମାନଙ୍କୁ ମିଳିବାର କଥା, ସେତିକି ମଜୁରୀ ସେମାନଙ୍କୁ ମିଳୁନି । ତେଣୁ ଅଳ୍ପରେ ଚଳିବାକୁ ସେମାନେ ବାଧ୍ୟ ହେଉଛନ୍ତି । ସାମାଜିକ ନ୍ୟାୟ ଦୃଷ୍ଟିରୁ ଏହା ଉଚିତ ବୋଲି ବିବେଚିତ ନ ହେଲେ ବି, ଏଥିରେ ଆର୍ଥିନୀତିକ ପ୍ରଗତି ହୋଇପାରିଲେ ଅନ୍ତତଃ ଏହାକୁ ସମର୍ଥନ କରାଯାନ୍ତା । କିନ୍ତୁ ତା ବି ନୁହେଁ । କାରଣ ବଞ୍ଚିବା ହାର ବଢ଼ିଲେ, ଶ୍ରମିକମାନେ ଅଧିକା ମଜୁରୀ ପାଇଁ ଆନ୍ଦୋଳନ କରିବେ । ଅଧିକା ମଜୁରୀ ନ ମିଳିଲେ ଧର୍ମଘଟ ହେବ । ସେ ବାବଦରେ ଯାହା କ୍ଷତି ହେବ, ତାକୁ ହିସାବରେ ନେବାର କଥା । ଦ୍ଵିତୀୟରେ ମୁଦ୍ରାସ୍ପୀତ ହେଲେ, ସେଚ୍ଛା ପ୍ରଣୋଦିତ ସଞ୍ଚୟରେ ଯେ ଆଘାତ ଆସିବ, ଏକଥା ଆଗରୁ କୁହାଯାଇଛି । ତୃତୀୟରେ ମୁଦ୍ରାସ୍ପୀତ ଫଳରେ ଯେଉଁସବୁ ଇନଭେଷ୍ଟମେଣ୍ଟ ହେବ, ସେଥିରେ ସାଧାରଣ ଲୋକମାନଙ୍କର କିଛିଲାଭ ହେବ ନାହିଁ । ବଡ଼ବଡ଼ ଆମୋଦଦାୟକ ହୋଟେଲ ବସିବ, ବିଳାସପୂର୍ଣ୍ଣ ଗୃହ ନିର୍ମାଣ କରାଯିବ, ଶିଳ୍ପ ଅନୁପାତରେ ବ୍ୟବସାୟରେ ବେଶୀଟଙ୍କା ଖର୍ଚ୍ଚ କରାଯିବ । କାରଣ ସମସ୍ତେ ତୁରନ୍ତ ଲାଭ ଆଡ଼କୁ ଧାଇଁବେ । ଫଳରେ ଆର୍ଥନୀତିକ ଅଗ୍ରଗତି ଉପଯୁକ୍ତ ମାର୍ଗରେ ପରିଚାଳିତ ହୋଇପାରିବ ନାହଁ ।

 

ତେଣୁ ମୁଦ୍ରାସ୍ପୀତ ଜରିଆରେ ବାଧ୍ୟତାମୂଳକ ସଞ୍ଚୟ ସଂଗ୍ରହ ନ କରି, ଅନ୍ୟ ପନ୍ଥା ଗ୍ରହଣ କରାଯାଇ ପାରେ । ଉଦାହରଣ ସ୍ୱରୂପ ଯେତେବେଳେ ଉତ୍ପାଦନ ବଢ଼େ, ସେତେବେଳେ ଅଧିକ ମୁଦ୍ରା ଦରକାର ହୁଏ । ଉତ୍ପାଦନ ବଢ଼ିବା ଅନୁପାତରେ ଯଦି ମୁଦ୍ରାର ପରିଚଳନ ବଢ଼େ, ତାହେଲେ ଜିନିଷ ପତ୍ରର ଦର ଅଧିକ ହୁଏ, ନାହିଁ । ସରକାର ଏହି ମୁଦ୍ରା ପ୍ରଚଳନ କରି ଯଦି ନିଜେ ବା ବ୍ୟାଙ୍କ ସାହାଯ୍ୟରେ ଉନ୍ନୟନମୂଳକ ଯୋଜନା ପାଇଁ ଏହାକୁ ଖର୍ଚ୍ଚ କରନ୍ତି, ତାହାହେଲେ ମଧ୍ୟ କିଛି ବାଧ୍ୟତାମୂଳକ ସଞ୍ଚୟ ସଂଗ୍ରହ କରାଯାଇପାରେ । କାରଣ ମୁଦ୍ରା ବଢ଼େ । କିନ୍ତୁ ସାଧାରଣ ଲୋକେ ଏହାକୁ ନିଜ ଖାଇବା ଖର୍ଚ୍ଚରେ ଖର୍ଚ୍ଚ କରିବାକୁ ସୁବିଧା ପା’ନ୍ତି ନାହିଁ । ତେଣୁ ଏହାକୁ ବାଧ୍ୟତାମୂଳକ ସଞ୍ଚୟ ବୋଲି ଆଖ୍ୟା ଦିଆଯାଇପାରେ । ସେହିପରି ବିଦେଶରୁ ଆମର ଯାହା ସବୁ ଆମଦାନୀ କରାଯାଉଛି, ସେଥିରେ ମଧ୍ୟ ନିୟନ୍ତ୍ରଣ ଜାରି କରି ବାଧ୍ୟତାମୂଳକ ସଞ୍ଚୟ ସଂଗ୍ରହ କରାଯାଇପାରେ । ଅର୍ଥାତ୍ ଆମଦାନୀକୁ ଏପରି ଭାବରେ ନିୟନ୍ତ୍ରଣ କରିବାକୁ ହେବ ଯେ ଯନ୍ତ୍ରପାତି, କଳକବଜା ଓ ଦରକାରୀ ଜିନିଷ ବିଦେଶରୁ ଆସିବ, କିନ୍ତୁ ସଉକିଆ ଖାଉଟି ଜିନିଷ ଆସିବ ନାହିଁ । ତେବେ ଏ ଦୁଇଥିରୁ କେତେ ସଞ୍ଚୟ ଆଦାୟ କରାଯାଇପାରିବ, ତା’ର ଏପର୍ଯ୍ୟନ୍ତ ହିସାବ ନିଆଯାଇ ନାହିଁ ।

 

ତୃତୀୟରେ ଆମ ଦେଶର ସମ୍ପଦକୁ ଉପଯୁକ୍ତ ମାର୍ଗରେ ବ୍ୟବହାର କରି ଆମେ ମଧ୍ୟ ଯଥେଷ୍ଟ ପୁଞ୍ଜି ସଂଗ୍ରହ କରିପାରିବା । ଆମର କୃଷିରେ ଅନେକ ବଳକା ଲୋକ ଅଛନ୍ତି । ଏମାନଙ୍କ ପାଇଁ କୃଷିରେ କାମ ନାହିଁ । କିନ୍ତୁ କୃଷି ଉପରେ ଏମାନେ ନିର୍ଭର କରି ରହିଛନ୍ତି । ଏଇ ଲୋକମାନଙ୍କୁ ନେଇ ଯଦି ଗାଁ ଗଣ୍ଡାରେ ରାସ୍ତାଘାଟ, ପୋଖରୀ ବା, କୂଅ, ବନ୍ଧବାଡ଼ ପ୍ରଭୃତି ଉନ୍ନୟନ କାର୍ଯ୍ୟରେ ଲଗାଯାଏ, ତାହାହେଲେ ଆମ ଦେଶର ଆର୍ଥିନୀତିକ ଅବସ୍ଥାରେ ଅନେକ ଅଗ୍ରଗତି ହୋଇପାରିବ । ଏଇ ବଳକା ଲୋକମାନେ ଅବଶ୍ୟ ବସି ରହି ନାହାନ୍ତି । କିନ୍ତୁ ଯାହା କାମ କରୁଛନ୍ତି ତାହା ବସି ରହିଲା ପରି । ତେଣୁ ଏମାନଙ୍କୁ ମନେଇ ଏମାନଙ୍କଠାରୁ ମାଗଣା ବା କମ୍‍ ମଜୁରୀରେ କାମ ଆଦାୟ କରିବାକୁ ହେବ । ଏଥିପାଇଁ ଯେଉଁ ସଂଗଠନ ଲୋଡ଼ା ତାହା ଆମଦେଶରେ ନାହିଁ । କିନ୍ତୁ ଏହି ସଂଗଠନକୁ ସୃଷ୍ଟ କରିବାକୁ ହେବ । ଏଥିରେ ଦେଶର ଉନ୍ନତି ହେବ, ସ୍ଥାନୀୟ ଲୋକମାନଙ୍କର ମଧ୍ୟ ସୁବିଧା ହେବ । ସେଇପରି ଆମେ ଆମ ଦେଶର ଅନେକ ଖତ ନଷ୍ଟ କରି ଦେଉଛେ । ଘରର ମଇଳା ବାହାରେ ଏଣେତେଣେ ଫୋପାଡ଼ି ଦେଉଛେ । ଗୋବରକୁ ଘଷି କରି ଜାଳୁଛେ । ଏସବୁ ଜମିରେ ଲାଗିଲେ ବେଶୀ ଫସଲ ଉତ୍ପନ୍ନ ହୋଇପାରନ୍ତା-। କୃଷକର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇପାରନ୍ତା । ତେଣୁ ଏସବୁ ଦିଗରେ ଉଦ୍ୟମ ହେବା ଦରକାର । ଏଥିରେ ବେଶୀ ଖର୍ଚ୍ଚ ହେବ ନାହିଁ । କିନ୍ତୁ ଏ ବାବଦରେ ଯାହା ଲାଭ ହେବ, ତା ଶିଳ୍ପ ପ୍ରଗତି ପାଇଁ ବିଶେଷ ଭାବରେ ସାହାଯ୍ୟ କରିବ ।

 

ଚତୁର୍ଥରେ ଆମେ ଆମର ଟିକସ ମଧ୍ୟ ବଢ଼ାଇବାକୁ ପଡ଼ିବ । ଅଧିକ ଟିକସ ନ ହେଲେ, ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ । ଟିକସ ଭାରକୁ ଏକ ବିପଦ ବୋଲି ମନେ କରିବା ଉଚିତ ନୁହେଁ । କାରଣ ଅଧିକ ଟିକସ ଫଳରେ ଯଦି ଆମକୁ ଅଧିକ ସୁବିଧା ମିଳେ, ତାହାହେଲେ ସେଥିରେ ଆପତ୍ତି କରିବାର କିଛି ନାହିଁ । ଟିକସକୁ ଖର୍ଚ୍ଚ ଦୃଷ୍ଟିରୁ ବିଚାର କରିବା ଉଚିତ । ଆମଦେଶରେ ଟିକସର ସବୁଠାରୁ ଅଧିକ ବୋଲି କହିବା ଠିକ୍‍ ନୁହେଁ । ଅନ୍ୟଦେଶ ତୁଳନାରେ ଆମ ଦେଶର ଟିକସ ହାର କମ୍ । କିନ୍ତୁ ଏଇ ଟିକସ ବସାଇଲା ବେଳେ, ଲୋକଙ୍କର ଆୟକୁ ଚାହିଁ ଟିକସ ବସାଇବା ଉଚିତ । ଅର୍ଥାତ ଯାର ଅଧିକ ଆୟ, ସେ ବେଶୀ ଟିକସ ଦେବ । ଯା’ର କମ୍ ଆୟ, ସେ କମ ଟିକସ ଦେବ । ପ୍ରତ୍ୟେକ ଅନୁନ୍ନତ ଦେଶରେ ଅଧିକା ଟିକସ ବସିପାରିବ । କିନ୍ତୁ ଅନୁନ୍ନତ ଦେଶମାନଙ୍କରେ ସରକାରୀ ଦକ୍ଷତା ଉଚ୍ଚସ୍ତରର ନୁହେଁ ବୋଲି ଅଭିଯୋଗ ହୁଏ । ତେଣୁ ସରକାରୀ ଖର୍ଚ୍ଚ ଉପଯୁକ୍ତ ମାର୍ଗରେ ପରିଚାଳିତ ହୋଇପାରେ ନାହିଁ । ଏଥିପାଇଁ ଉଦାହରଣ ଦେବା ଆଦୌ ଆବଶ୍ୟକ ନାହିଁ । ଅପାରଗତାକୁ ରୋକିବା ଦରକାର । ତାହା ନ ହେଲେ ସରକାରୀ ଖର୍ଚ୍ଚଯେ ବରବାଦ ହେବ, ତା ନୁହେଁ; ଆର୍ଥିନୀତିକ ପ୍ରଗତି ମଧ୍ୟ ସମ୍ଭବ ହୋଇପାରିବ ନାହିଁ । ସରକାରୀ କଳରେ ଯେ ଅସାଧୁତା ଅଛି ତା ନୁହେଁ, ସାରା ଦେଶରେ ଅସାଧୁତା ପୂରି ରହିଛି । ତେଣୁ ଏଥିପାଇଁ ପ୍ରତିକାର ଚାରିଆଡ଼େ ହେବା ଉଚିତ । ଏହି ଅସାଧୁତାର ବାହାନା ଦେଖାଇ ଟିକସର ନିନ୍ଦା କରିବା ଉଚିତ ନୁହେଁ । କାରଣ ଅଧିକ ଟିକସ ନ ବସିଲେ, ଆର୍ଥନୀତିକ ଅଗ୍ରଗତି ପାଇଁ ଆଉ କୌଣସି ରାସ୍ତା ନାହିଁ ।

 

ଆଉ ଗୋଟିଏ ରାସ୍ତା କଥା ସମସ୍ତେ କହନ୍ତି । ସେ ହେଉଛି ବିଦେଶୀ ସାହାଯ୍ୟ ବା କରଜ । ବିଦେଶୀ ସାହାଯ୍ୟରେ ଆର୍ଥନୀତିକ ପ୍ରଗତି ଅତି ସହଜ । ଏଥିରେ ଲୋକମାନଙ୍କର ଖାଉଟି ଜିନିଷ କମେଇବା ଦରକାର ନାହିଁ । ଅଧିକ କର ବସାଇବା ଦରକାର ନାହିଁ । କିନ୍ତୁ ଏତେ ବିଦେଶୀ ସାହାଯ୍ୟ ଆସିବ କୁଆଡ଼ୁ ? ବିଦେଶୀ କରଜ ମଧ୍ୟ ପ୍ରଚୁର ପରିମାଣରେ ମିଳିବାର ସମ୍ଭାବନା ନାହିଁ । ବିଦେଶର ଶିଳ୍ପପତି ଓ ବ୍ୟବସାୟୀମାନେ ଅନୁନ୍ନତ ଅଞ୍ଚଳରେ ଟଙ୍କା ନ ଖଟାଇ ଉନ୍ନତ ଅଞ୍ଚଳରେ ଟଙ୍କା ଖଟାନ୍ତି । କାରଣ ଉନ୍ନତ ଅମଳରୁ ସେମାନଙ୍କୁ ବେଶୀ ଲାଭ ମିଳେ । ବିଦେଶୀ ସରକାରଙ୍କ ତରଫରୁ ଯେଉଁ ସାହାଯ୍ୟ ବା କରଜ ମିଳିପାରିବ, ତା ସମୁଦ୍ରକୁ ଶଙ୍ଖେ ପାଣି ପରି । କାରଣ ଏତେ ଅନୁନ୍ନତ ଦେଶ ଅଛି ଯେ, ସମସ୍ତଙ୍କ କଥା ବୁଝିବା ପାଇଁ ସେମାନଙ୍କର ଶକ୍ତି ନାହିଁ । ଆମେରିକା ଓ ଆନ୍ତର୍ଜାତିକ ବ୍ୟାଙ୍କ ତରଫରୁ ଏବେ ଯେଉଁସବୁ ସାହାଯ୍ୟ ଓ କରଜ ଦିଆଯାଉଛି, ତାକୁ ଅନୁନ୍ନତ ଅଞ୍ଚଳର ଲୋକସଂଖ୍ୟାରେ ବିଭକ୍ତ କଲେ ଜଣ ପିଛା ୭ କି ୮ ଟଙ୍କା ପଡ଼ିବ । ଯେଉଁ ଦେଶମାନଙ୍କରେ ହାରାହାରି ବାର୍ଷିକ ଜଣ ପିଛା ଆୟ ମୋଟ ୧୦୦କି ୨୦୦ ସେଠି ଏଇ ୭ /୮ ଟଙ୍କାରେ କ’ଣ ଉନ୍ନତି କରାଯାଇପାରିବ ? ଆମେରିକା ଛଡ଼ା ଅନ୍ୟଦେଶରୁ ବେଶୀ କିଛି ସାହାଯ୍ୟ ବା କରଜ ଆଶାକରା ଯାଇପାରେ ନାହିଁ । କାରଣ ଆମେରିକା ସବୁଠାରୁ ବେଶୀ ଧନୀ ରାଜ୍ୟ । ତେଣୁ ଆର୍ଥନୀତିକ ପ୍ରଗତି ଆମଦାନୀ କରାଯାଇ ପାରିବ ବୋଲି ବିଚାରିବା ଉଚିତ ନୁହେଁ । ବିଦେଶୀ ସାହାଯ୍ୟ ଓ ଋଣ ପାଇଁ ଚେଷ୍ଟା କରାଯିବ । ଯେତେ ଅଧିକ ହୁଏ ସେତେ ଭଲ । କିନ୍ତୁ ଶେଷରେ ଆମକୁ ଆମରି ଉପରେ ହିଁ ନିର୍ଭର କରିବାକୁ ପଡ଼ିବ । ଆମଦେଶର ଆର୍ଥନୀତିକ ପ୍ରଗତି ଅନ୍ୟ କେହି କରି ଦେଇ ପାରିବେ ନାହିଁ । ଆମର ଚେଷ୍ଟା, ଆମର ସାଧନା, ଆମର ତ୍ୟାଗ ବଳରେ ଆମେ ଆମର ଅର୍ଥନୀତିକୁ ସୁଦୃଢ଼ କରିପାରିବା ।

☆☆☆

 

ଆର୍ଥନୀତିକ ପ୍ରଗତି

 

ପ୍ରଗତି ପାଇଁ ଯୋଜନା

 

ଆମେ ଆମ ଦେଶର ଆର୍ଥିକ ଅବସ୍ଥାର ଉନ୍ନତି କରିବା ପାଇଁ ଚେଷ୍ଟା କରୁଛେ । ସେଥିପାଇଁ ଯୋଜନା ହେଉଛି । ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟ ଶେଷ ହେଲାଣି । ଏବେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରାଯାଉଛି । ଏହିପରି କେତେ ପଞ୍ଚବାର୍ଷିକ ଯୋଜନା ଆମଦେଶରେ ଯେ ଚାଲୁ ହେବ, ତା’ର ଠିକଣା ନାହିଁ । କାରଣ, ଆମ ଦେଶର ଆର୍ଥିକ ଅବସ୍ଥା ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଖୁବ୍‍ ଖରାପ । ଆମ ଦେଶର ଜଣ ପିଛା ଆୟ ବର୍ଷକୁ ମୋଟ ୨୮୫ଟଙ୍କା ।

 

କିନ୍ତୁ ଆମେରିକାର ଜଣପିଛା ବାର୍ଷିକ ଆୟ ୭ହଜାର ଟଙ୍କାରୁ ଅଧିକ । ଇଂଲଣ୍ଡର ଜଣପିଛା ବାର୍ଷିକ ଆୟ ୫ହଜାର ଟଙ୍କାରୁ ଅଧିକ । ଏଥିରୁ ବୁଝାଯିବ ଯେ, ସେ ଦେଶମାନଙ୍କ ତୁଳନାରେ ଆମେ କେତେ ପଛରେ ଅଛୁ । ଆର୍ଥନୀତିକ ଅବସ୍ଥାର ଉନ୍ନତି କରିବା ଅର୍ଥ, ଜଣପିଛା ଆୟ ବୃଦ୍ଧି କରିବା । ଏହି ଆୟ ବୃଦ୍ଧି କରିବାକୁ ହେଲେ, ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ-। ଦିନେ ରୁଷିଆ ଆମରି ପରି ଖରାପ ଅବସ୍ଥାରେ ଥିଲା । କିନ୍ତୁ ଆର୍ଥନୀତିକ ଯୋଜନା ସାହାଯ୍ୟରେ ସେମାନେ ଏବେ ବହୁତ ଆଗେଇ ପାରିଛନ୍ତି । ସେମାନେ ୧୯୨୮ରୁ ଯୋଜନା ଆରମ୍ଭ କଲେଣି-। ଏବେ ମଧ୍ୟ ସେ ଦିଗରେ ଉଦ୍ୟମ ଚାଲୁଛି । ଆମେତ ୧୯୫୧ରୁ ଆର୍ଥନୀତିକ ପ୍ରଗତି ପାଇଁ କାର୍ଯ୍ୟ ଆରମ୍ଭ କରିଛେ । ତେଣୁ ଆମକୁ ଆହୁରି ଅନେକ ଦିନ ଲାଗିବାକୁ ପଡ଼ିବ ।

 

ଯୋଜନାର ଗୁରୁତା

 

ଆର୍ଥିନୀତିକ ଉନ୍ନତି ପାଇଁ ଆମେରିକା ଓ ରୁଷିଆ ପରି ଆମ ଦେଶରେ ସୁବିଧା ଓ ସୁଯୋଗ ନାହିଁ । ଆମେରିକାର ପ୍ରଚୁର ବିଭବ ଅଛି । ଆମେରିକାର ଆୟତନ ଆମଦେଶର ଆୟତନର ପ୍ରାୟ ୩ ଗୁଣ । କିନ୍ତୁ ଆମ ଜନସଂଖ୍ୟା ଆମେରିକାର ଜନସଂଖ୍ୟାର ଅଢ଼େଇ ଗୁଣ । ପୁଣି ଆମର ଜନସଂଖ୍ୟା ଖୁବ ଦ୍ରୁତ ଗତିରେ ବଢ଼ି ଚାଲିଛି । ଆମର ଲୋକସଂଖ୍ୟା ଯେଉଁ ଅନୁପାତରେ ବଢ଼ୁଛି, ସେଇ ଅନୁପାତରେ ଆମର ବିଭବ ନାହିଁ । ଏବେ ବି ଦେଶରେ ଅନେକ ବେକାର ଓ ଅର୍ଦ୍ଧ ବେକାର ଅଛନ୍ତି । ଏମାନଙ୍କୁ ଥଇଥାନ କରିବା ଏକ ଗୁରୁତର ପ୍ରଶ୍ନ । ଆମ ଦେଶରେ କେବଳ କୃଷିରେ ଶତକରା ୬୧ ଭାଗ ଲୋକ ନିର୍ଭର କରି ରହନ୍ତି । ଅଥଚ କୃଷିରୁ ଯାହା ଆଦାୟ ହୁଏ, ସେତିକି ରେ ଆମର ପେଟ ପୂରେ ନାହିଁ । ଆମେ ବାହାରୁ ଖାଦ୍ୟ ଆମଦାନୀ କରୁ । ଅଥଚ ଯେତେ ଜମିରେ ଚାଷ ହୁଏ, ସେଥିରୁ ୮୦ ଭାଗ ଜମିରେ କେବଳ ଖାଦ୍ୟଶସ୍ୟ ଉତ୍ପନ୍ନ କରାଯାଏ । କୃଷିରୁ ଯାହା ଆଦାୟ ହୁଏ, ତାକୁ ଯଦି ଟଙ୍କା ଆକାରରେ ହିସାବ କରାଯାଏ, ତା'ହେଲେ ମୋଟ ମୂଲ୍ୟର ୭୦ଭାଗ ଏଇ ଖାଦ୍ୟଶସ୍ୟରୁ ମିଳେ । ଆମେରିକାରେ ଶହେରୁ ପ୍ରାୟ କୋଡ଼ିଏ ଜଣ କୃଷିରେ ଖଟନ୍ତି । ଏମାନେ ଯାହା ଉତ୍ପାଦନ କରନ୍ତି, ସେଥିରେ ଏମାନେ ଓ ବାକି ୮୦ ଜଣ ସ୍ୱଚ୍ଛନ୍ଦରେ ଚଳନ୍ତି । ଏତେ ବଳକା ହୁଏ ଯେ ବିଦେଶକୁ ରପ୍ତାନି କରାଯାଏ ଓ ଅନ୍ୟ ଦେଶକୁ ସାହାଯ୍ୟ ବଣ୍ଟାଯାଏ । ତାଙ୍କ ଦେଶର କୃଷିର ଉତ୍ପାଦିକା ଶକ୍ତି ଆମ ଦେଶର କୃଷିର ଉତ୍ପାଦିକା ଶକ୍ତିଠାରୁ ପ୍ରାୟ ୧୦ଗୁଣ ଅଧିକ । ଆମଦେଶରେ ଶତକରା ମୋଟେ ୧୩୬ ଜଣ ଶିଳ୍ପରେ ଖଟନ୍ତି । ଏହା ଭିତରୁ ପ୍ରାୟ ୧୨ଜଣ ଛୋଟ ଛୋଟ ଶିଳ୍ପରେ ନିଯୁକ୍ତ ଥାନ୍ତି । ବାକି ଜଣକରୁ ଅଧିକ ବୃହତ ଶିଳ୍ପରେ କାମ କରନ୍ତି । ଆମେରିକା ତ ଶିଳ୍ପପ୍ରଧାନ ଦେଶ । ସେ ଦେଶର ଯେ ଅଧିକାଂଶ ଲୋକ ଶିଳ୍ପ ଓ ବ୍ୟବସାୟରେ କାମ କରନ୍ତି, ଏ କଥା କହିବା ନିଷ୍ପ୍ରୟୋଜନ । ଆମ ଦେଶରେ ବ୍ୟବସାୟରେ ମୋଟେ ଶତକରା ୬.୨ଜଣ ନିଯୁକ୍ତ ଅଛନ୍ତି । ତେଣୁ ଆମେରିକା ପରି ଆମର ଆୟ ବଢ଼ାଇବା ସହଜ କଥା ନୁହେଁ ।

ଆମ ଦେଶର ଶ୍ରମିକଶକ୍ତି ବା ଶ୍ରମିକ କାର୍ଯ୍ୟଦକ୍ଷତା ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ମଧ୍ୟ ଖୁବ୍‍ କମ୍ । ଏବର ଏକ ହିସାବରୁ ଜଣାଯାଏ ଯେ, ଆମର ୪୫ ଜଣ ଶ୍ରମିକ ଦିନକରେ ଯେତିକି କାମ କରିପାରିବେ, ଇଂଲଣ୍ଡ ଓ ଆମେରିକାର ଜଣେ ଶ୍ରମିକ ଦିନକରେ ସେତିକି କାମ କରିପାରିବ । ଏଥିପାଇଁ ଜଳବାୟୁ, ଆର୍ଥିକ ଅବସ୍ଥା ଓ ସାମାଜିକ ବେଷ୍ଟନୀ ପ୍ରଭୃତି ଅନେକ କାରଣ ଅଛି । କିନ୍ତୁ କାରଣ ଯାହାହେଉ ନା କାହିଁକି, ଏକଥା ସତ ଯେ ଆମର ଉତ୍ପାଦିକା ଶକ୍ତି ସେମାନଙ୍କଠାରୁ କମ୍ । ଯେଉଁମାନେ ଆମଦେଶର ଯୋଜନା କରୁଛନ୍ତି, ସେମାନେ ୨୫ବର୍ଷ ଭିତରେ ଆମର ଆୟ ଦୁଇଗୁଣ କରିବାକୁ ଉଦ୍ଦେଶ୍ୟ ରଖିଛନ୍ତି । ସେମାନଙ୍କ ହିସାବ ଅନୁସାରେ ୨୫ବର୍ଷରେ ଆମର ଆୟ ଅଢ଼େଇ ଗୁଣ ବଢ଼ିବ । କିନ୍ତୁ ଏଇ ସମୟ ଭିତରେ ଲୋକସଂଖ୍ୟା ମଧ୍ୟ ବଢ଼ିବ । କାରଣ, ଆମ ଦେଶର ପ୍ରଜନନ ଶିଳ୍ପରେ ଧର୍ମଘଟ କିମ୍ବା ବହିଷ୍କାର ନାହିଁ । ତେଣୁ ୨୫ ବର୍ଷପରେ ସେଇ ସମୟର ଲୋକସଂଖ୍ୟା ଅନୁଯାୟୀ ହିସାବ କଲେ, ଜଣପିଛା ହାରାହାରି ଆୟ ଏବର ଆୟଠାରୁ ଦୁଇଗୁଣ ହେବ । ଏଥିରୁ ଆମ ଦେଶର ବଭବର ଏକ ମାପ ମିଳିପାରିବ ବୋଲି ଆଶା ।

ଗଣତନ୍ତ୍ରରେ ଯୋଜନା କାର୍ଯ୍ୟକାରୀ କରିବା କଷ୍ଟ

ଏଣେ ଯଥେଷ୍ଟ ବିଭବ ନାହିଁ । ତେଣୁ ଟାଣୁଆ ସରକାର ମଧ୍ୟ ନାହିଁ । ରୁଷିଆ ପରି ଆମ ଦେଶରେ ଯଦି ଏହି ଦଳୀୟ ଶାସନ ଥା'ନ୍ତା, ତାହାହେଲେ ଆର୍ଥିକ ଅବସ୍ଥାର ଉନ୍ନତି କରିବା ପାଇଁ ବେଶୀ ବିଳମ୍ବ ହୁଅନ୍ତା ନାହିଁ । ଆର୍ଥିନୀତିକ ଉନ୍ନତି ପାଇଁ ଏଇ ଶାସନ ଏକ ପ୍ରକୃଷ୍ଟ ସାଧନ । ମାନବିକତା ଦୃଷ୍ଟିରୁ ଆମେ ଏହାର ଆପତ୍ତି କରୁଛୁ । ମାନବିକତା ସଭ୍ୟତାର ମାପକାଠି । କିନ୍ତୁ ଯେଉଁଠି ମାନବର ସ୍ଥିତି ନେଇ ପ୍ରଶ୍ନ ଉଠୁଛି, ସେଠି ମାନବିକତାକୁ ପଚାରୁଛି କିଏ ? ଯେଉଁଠି ସଭ୍ୟ ହେବା ଏକ ପାପ ଓ ସେସବୁକୁ ପେଟିବୁର୍ଜୁଆର ନିଦର୍ଶନ, ସେଠି ସଭ୍ୟତାର ଆଦର ଆସିବ କୁଆଡ଼ୁ ? ଗଣତନ୍ତ୍ର ଏକ ସଭ୍ୟ ଶାସନ । ଏଥିରେ ଯେତିକି ଭଦ୍ରତା ଦରକାର, ସେତିକି ଉଦାରତା ଦରକାର । କିନ୍ତୁ ଆମ ଦେଶରେ ଯେଉଁମାନଙ୍କ ହାତରେ କ୍ଷମତା ଅଛି, ଧନ ଅଛି, ସେମାନେ ରାଜରାଜୁଡ଼ା ମନୋବୃତ୍ତି ଧରି ଚାଲିଛନ୍ତି । ଯେଉଁମାନଙ୍କ ହାତରେ କିଛି ନାହିଁ, ସେମାନେ ପାଗଳା କୁକୁର ଭଳି ସମସ୍ତଙ୍କୁ କାମୁଡ଼ି ଗୋଡ଼ାଉଛନ୍ତି । ଏହି ଅସହିଷ୍ଣୁତା ଓ ଅନୁଦାରତା ଭିତରେ ଗଣତନ୍ତ୍ର ଶାସନ ଚାଲିପାରେ ନାହିଁ । ନିର୍ବାଚନ କରି ପ୍ରତିନିଧି ବାଛିବା ଓ ଏହି ପ୍ରତିନିଧିମାନଙ୍କ ଦ୍ଵାରା ଶାସନ ଚଳାଇବାକୁ ପ୍ରକୃତ ଗଣତନ୍ତ୍ର ଶାସନ କହନ୍ତି ନାହିଁ । ଯେଉଁମାନେ ଆମର ଶାସନ ଚଳାଉଛନ୍ତି ସେମାନଙ୍କର ସାଧାରଣ ଲୋକଙ୍କ ପ୍ରତି ଯେଉଁ ଭାବ, ତାହା ଏକ ଏକଛତ୍ର ଶାସକର ଘୃଣାଠାରୁ କୌଣସି ଗୁଣରେ କମ୍‍ ନୁହେଁ !

ଆମର ପୁଣି ନାମକୁ ମାତ୍ର ଗଣତନ୍ତ୍ର

ଆମେ ନାଁ କୁ ଗଣତନ୍ତ୍ର ଶାସନ ମୁଣ୍ଡ ଥାପି ଚାଲିଛେ । କିନ୍ତୁ ଏହି ଗଣତନ୍ତ୍ର-ଶାସନ ଭିତରେ ଏକଛତ୍ର ମନୋବୃତ୍ତି ଥିବାରୁ, ଏହା କୌଣସି କାର୍ଯ୍ୟରେ ଆସୁନାହିଁ । ଅନ୍ୟାୟ ବଢ଼ିଛି, ପ୍ରିୟାପ୍ରୀତି ବଢ଼ୁଛି, ଟଙ୍କାର ବରବାଦ ହେଉଛି । ସରକାରୀ ଟଙ୍କା ତୋଷରଫ୍‍ ହେଉଛି । ଏକଛତ୍ର-ଶାସନ ହୋଇଥିଲେ ବିଚବଜାରରେ ଏମାନଙ୍କୁ ଗୁଳିକରି ମାରି ଦିଆଯା’ନ୍ତା । ପ୍ରକୃତ ଗଣତନ୍ତ୍ର ଶାସନ ଥିଲେ ଶକ୍ତିଶାଳୀ ଜନମତ ଲୋକଚରିତ୍ରକୁ ପରିବର୍ତ୍ତନ କରି ଦେଶରେ ଏକ ସହଯୋଗ ମୂଳକ ମନୋଭାବ ସୃଷ୍ଟି କରନ୍ତି । କିନ୍ତୁ ଆମେ ଏଦୁଇଥିରୁ ବଞ୍ଚିତ । ଏବେ ଯେ ବଞ୍ଚିତ ତା ନୁହେଁ, ଅନେକ ଦିନଯାଏ ବଞ୍ଚିତ ହେବାକୁ ପଡ଼ିବ । ଜନସାଧାରଣଙ୍କର ଅସାଧୁତା ଓ ନିଷ୍କ୍ରିୟତା, ସରକାରୀ କଳର ଅକ୍ଷମତା, ଅପାରଗତା ଓ ଅସାଧୁତାକୁ ଏଡ଼ିବା ପାଇଁ ଏ ଦେଶରେ ପ୍ରଭାବଶାଳୀ ବ୍ୟକ୍ତି ନାହାନ୍ତି କି ସଙ୍ଗଠିତ ଚିନ୍ତାଧାରା ନାହିଁ । ତେଣୁ ଆମକୁ ଏ ହାରି ଭିତରେ କାମ କରିବାକୁ ପଡ଼ିବ । ଏହି ଅବ୍ୟବସ୍ଥା ଭିତରେ ବ୍ୟବସ୍ଥା ଆଣିବାକୁ ହେଲେ, ଆମକୁ ଆମେରିକା ଓ ରୁଷିଆଠାରୁ ବେଶୀ ପରିଶ୍ରମ କରିବାକୁ ପଡ଼ିବ ।

ଗଣତନ୍ତ୍ର ଶାସନକୁ ଆମେ ଏଡ଼ିଦେଇ ପାରିବା ନାହିଁ । ଯେତେ ଦୋଷଥିଲେ ମଧ୍ୟ ଏହା ଦରକାର । ସରକାରୀ କଳକୁ ମଧ୍ୟ ସହଜରେ ବଦଳେଇ ପାରିବା ନାହିଁ । ଏଥିପାଇଁ ବିରାଟ ଉଦ୍ୟମ ଦରକାର–କଳର ଆମୂଳଚୂଳ ପରିବର୍ତ୍ତନ ଦରକାର । ଏକ ବିପ୍ଳବାତ୍ମକ ପରିବର୍ତ୍ତନ କହିଲେ ଚଳେ । ବ୍ରିଟିଶ ଅମଳରେ ଯେଉଁ ଶାସନ କଳ ଥିଲା, ତାକୁ ନେଇ ଆମେ ଚାଲିଛେ । ଏକଥା ସମସ୍ତେ ମାନୁଛନ୍ତି ଯେ ଏ କଳ ଆଇନ କାନୁନ ରକ୍ଷା କରିପାରେ, କିନ୍ତୁ ଉନ୍ନତିମୂଳକ କାର୍ଯ୍ୟପାଇଁ ଉପଯୁକ୍ତ ନୁହେଁ । ତଥାପି ଏଇ କଳ ସାହାଯ୍ୟରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ପରିବର୍ତ୍ତନ ଆଣିବା ପାଇଁ ଯେଉଁ ସାହସ ଦରକାର, ସେ ସାହସ କୌଣସି ରାଜନୈତିକ ଦଳର ନାହିଁ । ଯେଉଁମାନେ ଏବେ ଶାସନରେ ଅଛନ୍ତି, ସେମାନଙ୍କର ତ ନ ରହିବାର କଥା । ତେଣୁ ଆମକୁ ଏଇ ଅଭାବ ଓ ଅସୁବିଧା ଭିତରେ ଆର୍ଥିନିତୀକ ପ୍ରଗତି ପାଇଁ ଉଦ୍ୟମ କରିବାକୁ ପଡ଼ିବ । ଆମେରିକା ଓ ରୁଷିଆ ଠାରୁ ଆମର ସମସ୍ୟା ଯେ ଅଧିକ କଠିନ, ଏହା ସହଜରେ ଅନୁମେୟ ।

ପ୍ରାଚ୍ୟ ଆଦର୍ଶ ଏ ଯୁଗର ଉପଯୋଗୀ ନୁହେଁ

ଆମ ଦେଶରେ ଆର୍ଥିକ ଅବସ୍ଥାର ଉନ୍ନତି କରିବା ଯେ ନିତାନ୍ତ ଦରକାର, ଏକଥା ବୋଧହୁଏ ଆଲୋଚନା କରିବାର ବେଶୀ ପ୍ରୟୋଜନ ନାହିଁ । କେହି କେହି କହନ୍ତି ଯେ ଆମର ଏକ ପରମ୍ପରା ଅଛି, ସଂସ୍କୃତି ଅଛି । ସରଳ ଜୀବନ ଘେନି ଆମର ମୁନି ଋଷିମାନେ ବିରାଟ ପାଣ୍ଡିତ୍ୟର ନିଦର୍ଶନ ଦେଖାଇ ଯାଇଛନ୍ତି । ଏଇ ଆଦର୍ଶକୁ ଆମେ ଅନୁକରଣ କରିବା ଉଚିତ । ପାଶ୍ଚାତ୍ୟ ଦେଶମାନଙ୍କର ଅର୍ଥଲିପ୍‍ସା ଆମକୁ ପ୍ରଭାବିତ କରିବା ଉଚିତ ନୁହେଁ । ଜୀବନକୁ ସହଜ କରିବା କହିବା ଯେତେ ସହଜ, କାର୍ଯ୍ୟକାରୀ କରିବା ସେତେ ସହଜ ନୁହେଁ । ହୁଏତ ଗାନ୍ଧିଜୀ, ଆଇନଷ୍ଟାଇନ ପ୍ରଭୃତି ମହାତ୍ମାମାନଙ୍କ ପକ୍ଷରେ ଏହା ସମ୍ଭବ ହୋଇପାରେ । ସାଧାରଣ ଲୋକଙ୍କ ପକ୍ଷରେ ନୁହେଁ । ସବୁ ଯୁଗରେ ସାଧାରଣ ଲୋକ ସାଧାରଣ କଥାରେ ଥାଏ । ମୁନି ଋଷି ଯୁଗରେ ମଧ୍ୟ ସାଧାରଣ ଲୋକମାନେ ସୁବିଧା ପାଇଲେ ଜୀବନକୁ ଉପଭୋଗ କରିବାକୁ ଛାଡ଼ୁ ନଥିଲେ । ରାଜା ରାଜୁଡ଼ାମାନଙ୍କୁ ମଉଜ ତ କଥାରେ କହିଲେ ସରିବ ନାହିଁ । ଏପରିକି ଇନ୍ଦ୍ରପୁରୀ ମଧ୍ୟ ମଉଜ ମଜଲିସ୍‍ରେ ଭରପୂର ଥିଲା । ସେ ଯାହାହେଉ, ଆଜିକାଲିକାର ସଭ୍ୟତା ଯାହା, ସେଥିରେ ଜୀବନକୁ ସହଜ କରିବା ପ୍ରଶ୍ନ ଉଠୁନାହିଁ । ଆମେ ସବୁବେଳେ ଜୀବନକୁ ଜଟିଳ କରିବାରେ ଲାଗିଛେ । ସମାଜର ପ୍ରଗତି ଏହି ଜଟିଳତା ଦ୍ଵାରା ବିଚାର କରାଯାଉଛି । ପୁଣି ଅନ୍ୟ ଦେଶର ପ୍ରଭାବ ଏଡ଼େଇ ଦେବା ଏଡ଼େ ସହଜ ନୁହେଁ । ଭଲରେ ରହିବା, ଭଲରେ ଚଳିବା, ଭଲ ପୋଷାକ ପିନ୍ଧିବା–ଏସବୁ ହେଲା ଏବର ସାମାଜିକ ଉଦ୍ଦେଶ୍ୟ । ଅନ୍ୟ ଦେଶମାନେ ଏ ଦିଗରେ ଆଗଉଛନ୍ତି ଆମେ ତାଙ୍କୁ ଅନୁକରଣ କରୁଛୁ । କୌଣସି ଏକ ବ୍ୟକ୍ତି ବା ଗୋଷ୍ଠୀ ପକ୍ଷରେ ସରଳ ଜୀବନଯାପନ କରିବା ଉଦ୍ଦେଶ୍ୟ ହୋଇପାରେ । କିନ୍ତୁ ସମାଜ ପକ୍ଷରେ ସହଜ ନୁହେଁ । କୌଣସି ସରକାର ମଧ୍ୟ ଏପରି ଏକ ନୀତି ଗ୍ରହଣ କରିପାରିବେ ନାହିଁ । ଆମ ଦେଶରେ ଗାନ୍ଧିଜୀ କଂଗ୍ରେସ ଅନୁଷ୍ଠାନକୁ ଏତେ ପ୍ରଭାବିତ କରିଥିଲେ ମଧ୍ୟ, ଆମର କଂଗ୍ରେସ ସରକାର ଏବେ ଗାନ୍ଧିଙ୍କର ସରଳ ଜୀବନ ଆଦର୍ଶ ପରିତ୍ୟାଗ କରି, ଯାନ୍ତ୍ରିକ ସଭ୍ୟତା ସାହାଯ୍ୟରେ ଲୋକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି କରିବା ପାଇଁ ସିଦ୍ଧାନ୍ତ କରିଛନ୍ତି ।

 

ସରଳ ଜୀବନ ପାଇଁ ବି ଆମର ବିଭବ ନାହିଁ

 

କିନ୍ତୁ ଏସବୁ ଆଦର୍ଶଗତ ଆଲୋଚନାରେ ଆମେ ମଧ୍ୟ ଏକ ବଡ଼ କଥା ଭୁଲିଯାଉଛୁ । ସେ ହେଉଛି ଯେ ସରଳ ଭାବରେ ଜୀବନଯାପନ କରିବା ପାଇଁ ଆମ ଲୋକଙ୍କର କ୍ଷମତା ନାହିଁ । ଆମ ଦେଶରେ ଦାରିଦ୍ର୍ୟ ଭରପୂର ହୋଇରହିଛି । ସରକାର ଯେତେ ମନାକଲେ ମଧ୍ୟ ଏକଥା ସମସ୍ତେ କହିବେ ଯେ ଆମ ଦେଶରେ ହଜାର ହଜାର ଲୋକ ପ୍ରତ୍ୟେକ ବର୍ଷ ଅନାହାର ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଆମର ଦାରିଦ୍ର ତ ବର୍ଣ୍ଣନା କରିବା କଥା ନୁହେଁ । ତା ଅଙ୍ଗେ ନିଭେଇବା କଥା । ପ୍ରତ୍ୟେକ ବର୍ଷ ଯେତେ ଲୋକ ମେଲେରିଆ, ଫାଇଲେରିଆ, ଟାଇଫଏଡ଼ ପ୍ରଭୃତି ରୋଗରେ ମରୁଛନ୍ତି, ତା’ର ହିସାବ କିଏ କରୁଛି ? ପାଶ୍ଚାତ୍ୟ ଦେଶରେ ଏସବୁ ରୋଗର ନାଁ ଗନ୍ଧ ନାହିଁ । ଆମର ଜନବୃଦ୍ଧି ଯେପରି ଅଧିକ, ମୃତ୍ୟୁହାର ମଧ୍ୟ ସେପରି ଅଧିକ । ବିଶେଷତଃ ଆମର ଯେତେ ଶିଶୁ ମୃତ୍ୟୁମୁଖରେ ପଡ଼ନ୍ତି, ପୃଥିବୀରେ ଅନ୍ୟ କୌଣସି ଦେଶରେ ଏତେ ମୃତ୍ୟୁ ହୁଏ କି ନାହିଁ ସନ୍ଦେହ ।

 

ଆମ ଦେଶର ହାରାହାରି ବଞ୍ଚିବା ବୟସ ମୋଟେ ୩୨ବର୍ଷ । ଅଥଚ ଆମେରିକା, ଇଂଲଣ୍ଡ, ନିଉଜିଲାଣ୍ଡ ପ୍ରଭୃତି ଦେଶର ହାରାହାରି ବଞ୍ଚିବା ହାର ୬୦/ ୭୦ ବର୍ଷ । ଯେଉଁଠି ଅଧିକାଂଶ ଲୋକଙ୍କୁ ଅତି ଦରକାରି ଖାଦ୍ୟ ମିଳୁନାହିଁ, ସେଠି ସାର ଖାଦ୍ୟକଥା କାହିଁକି ବା ଉଠାଇବା ? ଏସବୁ ଅଭାବ ଓ ଅନଟନ ଦୂରକରି ଏକ ସୂକ୍ଷ୍ମ ଓ ସବଳ ଦେଶ ଗଢ଼ିବାକୁ ହେଲେ ଆମର ଆୟ ବଢ଼ାଇବାକୁ ହେବ । ଏହି ଆୟ ବଢ଼ାଇବାକୁ ହିଁ ଆର୍ଥନୀତିକ ଉନ୍ନତି କହନ୍ତି । ତେଣୁ ଏ ଦିଗରେ ଆଉ କୌଣସି ପ୍ରଶ୍ନ ଉଠିବାର କଥା ନୁହେଁ ।

 

ଆୟ ବଢ଼ିବ କିପରି ?

କିନ୍ତୁ ଆମ ଆଗରେ ବଡ଼ ପ୍ରଶ୍ନ ହେଉଛି, ଆୟ ବଢ଼ିବ କିପରି ? ଆମେ ଉତ୍ପାଦନ ଯାହା କରୁଛେ, ତା ଆମକୁ ଯଥେଷ୍ଟ ନୁହେଁ । ଆମ ଦେଶରେ ଯେତିକି ଉତ୍ପାଦନ ହୁଏ, ତାହା ଲୋକଙ୍କ ଖାଇବା ପିଇବାରେ ସରି ଯାଏ । ସମସ୍ତଙ୍କୁ ବି ଅଣ୍ଟେ ନାହିଁ । ଯେଉଁମାନଙ୍କ ପାଖରେ କିଛି ବଳକା ରହେ, ଆର୍ଥନୀତିକ ପ୍ରଗତି ପାଇଁ ତାହା ଯଥେଷ୍ଟ ନୁହେଁ । ତେଣୁ ଆମକୁ ଆମର ଉତ୍ପାଦନ ବଢ଼ାଇ, ବଳକା ବାହାର କରିବାକୁ ପଡ଼ିବ । ବଳକା ହେଲେ ପୁଞ୍ଜି ସଂଗୃହିତ ହୋଇପାରିବ । ପୁଞ୍ଜି ସଂଗ୍ରହରୁ ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇପାରିବ । ଆର୍ଥନୀତିକ ଦୁର୍ଗତି ଯୋଗୁଁ ଦାରିଦ୍ର୍ୟ ବଢ଼ୁଛି । ଦାରିଦ୍ର୍ୟ ଯୋଗୁଁ ଆର୍ଥନୀତିକ ପ୍ରଗତି ହୋଇ ପାରୁନାହିଁ । କୌଣସି ଉପାୟରେ ଯଦି ଆମର ଉତ୍ପାଦନରୁ ବଳକା ସଂଗ୍ରହ କରାଯାଇ ପାରେ ଏବଂ ବଳକା ଉତ୍ପାଦନ ସାହାଯ୍ୟରେ କଳକବଜା ତିଆରି କରାଯାଇ ପାରେ, ତା' ହେଲେ ଆର୍ଥନୀତିକ ପ୍ରଗତି ପାଇଁ ରାସ୍ତା ସୁଗମ ହୋଇପଡ଼ିବ । ପ୍ରକୃତରେ ଆର୍ଥନୀତିକ ଉନ୍ନତି ପାଇଁ କଳକବଜାର ଉନ୍ନତି କରି ନୂଆନୂଆ କଳକାରଖାନା ବସାଇବା (Capital Formation) ଏକ ମାତ୍ର ପନ୍ଥା ।

ମିଶ୍ରିତ ଅର୍ଥନୀତିର ଦୁର୍ବଳତା

କିନ୍ତୁ ଆମଦେଶରେ ଏଇ କଳକାରଖାନା ବସାଇବା ପାଇଁ ଅନେକ ଅସୁବିଧା ଅଛି । ଆମେ ଏଠି ଦୁଇଟି ବଡ଼ ଅସୁବିଧାର ଆଲୋଚନା କରିବୁ । ଯେଉଁମାନେ କଳକାରଖାନା ବସାଇବାର ବିରୋଧୀ, ସେମାନଙ୍କ ମତ ଆମେ ଏଠି ଆଲୋଚନା କରୁ ନାହୁଁ । ସେମାନଙ୍କୁ ବ୍ୟକ୍ତିଗତ ପ୍ରଭାବ ଆମଦେଶରେ ଯେତେ ବଡ଼ ହେଲେ ମଧ୍ୟ, ସେମାନଙ୍କ ମତ ନେଇ ଦେଶ ଏବେ ଚାଲୁ ନାହିଁ ବୋଲି ଆମର ଦୃଢ଼ ଧାରଣା । ଭବିଷ୍ୟତରେ ମଧ୍ୟ ସେମାନେ ଆମର ଆର୍ଥନୀତିକ ଦିଗକୁ ରୋକି ପାରିବେ ନାହିଁ ବୋଲି ଆମର ବିଶ୍ୱାସ । ତେଣୁ ଆମେ ଏଇ କଳକାରଖାନାର ଆଶ୍ରୟ ନେବୁ । ପ୍ରଶ୍ନ ହେଉଛି, କଳକାରଖାନାର ଉନ୍ନତି ଶୀଘ୍ର କାହିଁକି ସମ୍ଭବ ହୋଇ ପାରୁନାହିଁ ? ସରକାର ଭିନ୍ନଭିନ୍ନ କଳକାରଖାନା ବସାଉଛନ୍ତି । ସରକାରୀ ଉଦ୍ୟମରେ ଆମ ଦେଶରେ ଏହା ଭିତରେ ଅନେକ ନୂଆ ନୂଆ ଶିଳ୍ପ ମୁଣ୍ଡ ଟେକି ଉଠିଲାଣି । ଅନେକ ନଦୀ ଉପରେ ବନ୍ଧ ମଧ୍ୟ ତିଆରି ହେଲାଣି । ଆହୁରି ହେଉଛି । ଆମେ ମିଶ୍ରିତ ଅର୍ଥନୀତି ଗ୍ରହଣ କରିନେଇଛୁ । ତେଣୁ ସରକାରଙ୍କ ତରଫରୁ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଯେପରି ଉଦ୍ୟମ ହେଉଛି, ବେସରକାରୀ ଉଦ୍ୟମ ସେଇପରି ହେବାକଥା । କିନ୍ତୁ ଆମ-ଦେଶର ବେସରକାରି ଉଦ୍ୟମ ଆଦୌ ଆଗେଇ ପାରୁନାହିଁ । ସରକାରୀ ଉଦ୍ୟମ ମଧ୍ୟ ଯଥେଷ୍ଟ ନୁହେଁ । ଭବିଷ୍ୟତରେ ସରକାର ହୁଏତ ବେଶୀ କଳକାରଖାନା ବସାଇବେ । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏ ପ୍ରସ୍ତାବ ଅଛି । ତଥାପି ଆମ ଦେଶର ଆର୍ଥିକ ଅବସ୍ଥା ଏତେ ଖରାପ ଯେ, ସରକାରଙ୍କ ୪୮୦୦କୋଟି ଟଙ୍କା ଆର୍ଥିକ ଅବସ୍ଥାକୁ ବେଶୀ କିଛି ସ୍ୱଚ୍ଛଳ କରିପାରିବ ନାହିଁ । ସରକାର ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ସମୟରେ ଆମର ଆୟକୁ ଶତକରା ମୋଟେ ୨୫ଭାଗ ବଢ଼ାଇବା ପାଇଁ ମନସ୍ଥ କରିଛନ୍ତି । ସରକାରୀ ଓ ବେସରକାରୀ ଉଦ୍ୟମର ସହଯୋଗରେ ଏହା ସମ୍ଭବ ହୋଇପାରିବ ବୋଲି ଯୋଜନାକାରୀମାନଙ୍କର ମତ । ଆମଦେଶର ଉନ୍ନତି ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ଆମେ କହିବୁ । ତେବେ ଅଧିକା କଳକାରଖାନା ବସୁ ନାହିଁ କାହିଁକି ?

ଆଶାନୁରୂପ ଅଗ୍ରଗତି ନ ହେବାର ମୂଳରେ ଲୋକଙ୍କ ଦାରିଦ୍ର୍ୟ

ଏହାର ପ୍ରଥମ କାରଣ ହେଉଛି ଯେ ଆମ ଦେଶର ଲୋକମାନଙ୍କର କିଣିବା ଶକ୍ତି କମ୍-। ତେଣୁ ଚାହିଦା କମ୍ । ଯେପର୍ଯ୍ୟନ୍ତ ଦାମ କମ୍ ଅଛି, ସେପର୍ଯ୍ୟନ୍ତ ନୂଆ ନୂଆ ଶିଳ୍ପ ବସିବାର ସମ୍ଭାବନା ନାହିଁ । ସରକାର ବସାଇ ପାରନ୍ତି । କାରଣ ସରକାର ବ୍ୟବସାୟ କରୁ ନାହାନ୍ତି-। ଶିଳ୍ପପତିମାନେ ଲାଭପାଇଁ ବ୍ୟବସାୟ କରନ୍ତି । ସେମାନଙ୍କୁ ଯେଉଁଥିରେ ଲାଭ ମିଳିବ, ସେ କଥା ସେମାନେ କରିବେ ।

 

ସରକାରଙ୍କ ହାତରେ ଏତେ ଧନ ନାହିଁ ଯେ ସରକାର ସମସ୍ତ ପ୍ରକାର ଶିଳ୍ପ ଓ ବ୍ୟବସାୟକୁ ହାତରେ ନେବେ । ଚଳେଇବାର ଶକ୍ତି ବା ଅଭାବ । ତେଣୁ ଆମକୁ ଅନେକ ଦିନଯାଏ କେତେକ ବେସରକାରୀ ଉଦ୍ୟମ ଉପରେ ନିର୍ଭର କରିବାକୁ ପଡ଼ିବ । କିନ୍ତୁ ଖାଉଟିମାନଙ୍କର ଚାହିଦା ଅଭାବରୁ ବେସରକାରୀ ଉଦ୍ୟମ ମଧ୍ୟ ଆଗେଇ ପାରୁନାହିଁ । ଆମର ଖାଉଟିମାନଙ୍କର ଯେଉଁଧନ ଅଛି, ସେଥିରେ ସେମାନେ ଶାଗ ଭାତ ସିନା ଚାହିଁବେ; କଲମ,ଘଣ୍ଟା, ଯୋତା, ମୋଜା କିଣିବେ କିପରି ? କିନ୍ତୁ କଲମ ପାଇଁ ଯଥେଷ୍ଟ ଚାହିଦା ନ ହେଲେ, ଏକ କଲମ-ଶିଳ୍ପ ଆମ ଦେଶରେ ବସିବ କିପରି ?

 

ଆମଦେଶର ଅନେକ ରେଡ଼ିଓ କିଣା ହେଉଛି । କିନ୍ତୁ ଆମେ ସେସବୁ ବିଦେଶରୁ ଆମଦାନୀ କରୁଛେ । କାରଣ ଆମ ଦେଶରେ ରେଡ଼ିଓ–ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯେତିକି ଚାହିଦା ଦରକାର ସେତିକି ଚାହିଦା ନାହିଁ । ଚାହିଦା ଅଭାବରୁ ଶିଳ୍ପର ଉନ୍ନତି ହୋଇ ପାରୁନାହିଁ । ତେଣୁ ଆମର ଚାହିଦା ବଢ଼ାଇବାକୁ ହେବ । ଏଠି ଆଉ ଜୀବନକୁ ସହଜ କରିବାର ପ୍ରଶ୍ନ ଉଠୁନାହିଁ-। ଆମେ ରେଡ଼ିଓ କିଣିବା, ମଟର କିଣିବା, ସାଇକଲ କିଣିବା, ଟର୍ଚ୍ଚଲାଇଟ କିଣିବା–ତାହାହେଲେ ରେଡ଼ିଓ, ସାଇକଲ, ମଟର ଓ ଟର୍ଚ୍ଚଲାଇଟ ଶିଳ୍ପ ଆମ ଦେଶରେ ପ୍ରତିଷ୍ଠା ହେବ-। ଆମେ ଯେତେ ଅଧିକା ଜିନିଷ ଚାହିଁବା ସେତିକି ଅଧିକା ଜିନିଷ ଆମ ଦେଶରେ ଉତ୍ପାଦିତ ହେବ । ଆମର ଅର୍ଥନୀତି ଦୃଢ଼ ହେବ ।

 

ଚାହିଦା ବଢ଼ିଲେ ଆୟ ବଢ଼ନ୍ତା, ଆୟ ବଢ଼ିଲେ ଚାହିଦା ବଢ଼ନ୍ତା ।

 

କିନ୍ତୁ ଆମର ଆୟ କମ୍ । ଆମେ ଅଧିକା ଜିନିଷ ଚାହିଁବା କିପରି? ଆମର ଆୟ କମ୍‍ ଯୋଗୁଁ ଆମର ଚାହିଦା କମ୍ । ଆମର ଚାହିଦା କମ ଯୋଗୁଁ ଆମର ଆୟ ମଧ୍ୟ କମ୍ । କାରଣ ଆମର ଚାହିଦା ଅଧିକା ଥିଲେ, ନୂଆନୂଆ ଶିଳ୍ପ ବସନ୍ତା , ଅନେକ ଲୋକ କାମ ପା’ନ୍ତେ, ଲୋକଙ୍କର ଆୟ ବଢ଼ନ୍ତା, ଫଳରେ ଚାହିଦା ମଧ୍ୟ ବଢ଼ନ୍ତା । ତେଣୁ ଏହି ଚାହିଦା ବଢ଼ାଇବାକୁ ହେଲେ ଆମକୁ ଭିନ୍ନଭିନ୍ନ ଶିଳ୍ପ ପ୍ରତିଷ୍ଠା କରିବାକୁ ପଡ଼ିବ । ଆମେ ଯଦି ଏକକାଳୀନ ଅନେକ ପ୍ରକାର ଶିଳ୍ପ ପ୍ରତିଷ୍ଠା କରିପାରିବା, ତାହାହେଲେ ଆମେ ଚାହିଦାର ଉନ୍ନତି କରିପାରିବା । କାରଣ ଯେଉଁମାନେ ସାଇକଲ ଶିଳ୍ପରେ କାମ କରିବେ, ସେମାନେ ରେଡ଼ିଓ ଚାହିଁବେ, ଘଣ୍ଟା ଚାହିଁବେ, ଯୋତା ଚାହିଁବେ । ସେଇପରି ଯେଉଁମାନେ ରେଡ଼ିଓ ଶିଳ୍ପରେ କାମ କରିବେ, ସେମାନେ ମଧ୍ୟ ସାଇକଲ ଚାହିଁବେ, କଲମ ଚାହିଁବେ, କାମେରା ଖୋଜିବେ । ତେଣୁ ଗୋଟିଏ ଶିଳ୍ପ ଅନ୍ୟ ଶିଳ୍ପପାଇଁ ଚାହିଦା ସୃଷ୍ଟି କରିବ । ସେ ଦୃଷ୍ଟିରୁ ଭିନ୍ନଭିନ୍ନ ଶିଳ୍ପ ଭିତରେ ଏକ ଘନିଷ୍ଠ ସମ୍ପର୍କ ଅଛି । ଏକା ସମୟରେ ଭିନ୍ନଭିନ୍ନ ଶିଳ୍ପ ପ୍ରତିଷ୍ଠା ହୋଇପାରିଲେ, ଆମର ଆର୍ଥନୀତିକ ଦୁର୍ଗତି ଦୂର ହୋଇପାରନ୍ତା-। ତେଣୁ ଗୋଟିଏ ଗୋଟିଏ ଶିଳ୍ପପ୍ରତିଷ୍ଠା କରିବାକୁ ଉଦ୍ୟମ ନକରି, ଏକକାଳୀନ ଅନେକ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯୋଗାଡ଼ ହେବା ଉଚିତ । କିନ୍ତୁ ଏତେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆମର ଧନ ଆସିବ କୁଆଡ଼ୁ ? ଆମ ଦେଶର ବାର୍ଷିକ ଆୟ ପ୍ରାୟ ଏଗାର ହଜାର କୋଟି ଟଙ୍କା-। ଏହା ଭିତରୁ ଶତକରା ମୋଟେ ୭ ଭାଗ ଏବେ ଶିଳ୍ପ ଓ ବ୍ୟବସାୟରେ ବିନିଯୋଗ (invest) କରାଯାଉଛି । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏହାକୁ ବଢ଼ାଇ ଶତକରା ୧୧ଭାଗ କରାଯିବ ବୋଲି ଯୋଜନାକାରୀମାନେ ମତ ଦେଇଛନ୍ତି । କିନ୍ତୁ ଆମର ଅର୍ଥନୀତିକୁ ଦୃଢ଼ କରିବାକୁ ହେଲେ ଆମର ଇନଭେଷ୍ଟମେଣ୍ଟ ବଢ଼ିବା ଉଚିତ । ଯୁଦ୍ଧପରେ ଜାପାନରେ ଆୟର ଶତକରା ୨୩ଭାଗ ଇଭେଷ୍ଟମେଣ୍ଟ କରାଯାଇଛି । ଏବେ ଯୁଗୋସ୍ଲୋଭିଆରେ ଆୟର ଶତକରା ୨୫ ଭାଗ ଇନ୍‍ଭେଷ୍ଟମେଣ୍ଟ କରାଯାଉଛି । ରୁଷିଆରେ ମଧ୍ୟ ଯୋଜନା ଆରମ୍ଭରେ ଶତକରା ପ୍ରାୟ ୨୦ /୨୫ ଭାଗ ଇନଭେଷ୍ଟମେଣ୍ଟ କରାଯାଉଥିଲା । ଏଥିରୁ ଦେଖାଯିବ ଯେ ଆମ ଦେଶରେ ଏବେ ଯେତେ ଇନଭେଷ୍ଟମେଣ୍ଟ ହେଉଛି, ତା ଆମ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଯଥେଷ୍ଟ ନୁହେଁ । ଅନୁନ୍ନତ ରାଷ୍ଟ୍ରମାନଙ୍କରେ ଅର୍ଥନୀତିର କିପରି ଉନ୍ନତି ହେବ, ସେ ବିଷୟ ବିଚାର କରିବା ପାଇଁ ମିଳିତ ଜାତିସଂଘ ତରଫରୁ ଏକ କମିଟି ବସିଲା । ସେମାନେ ୧୯୫୧ ମସିହାରେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଏବର ଅବସ୍ଥା ସହିତ ତୁଳନା କରି ହିସାବ କଲେ ଦେଖାଯିବ ଯେ ସେମାନଙ୍କ ପ୍ରସ୍ତାବ ଅନୁଯାୟୀ ଆମର ଆୟର ଶତକରା ପ୍ରାୟ ୨୫ ଭାଗ ଇନଭେଷ୍ଟମେଣ୍ଟ ହେବା ଉଚିତ-। ଏକ ଅନୁନ୍ନତ ଗଣତାନ୍ତ୍ରିକ ଦେଶରେ ଆୟର ୨୫ ଭାଗ ଇନଭେଷ୍ଟମେଣ୍ଟ କରିବା ସହଜ କଥା ନୂହେଁ । ଆମର ଇନଭେଷ୍ଟମେଣ୍ଟ ସେଇ ଅନୁପାତରେ ବଢ଼େଇଲେ, ଆମେ ଆମ ଅବସ୍ଥାର ବେଶୀ କିଛି ଉନ୍ନତି କରିପାରିବା ନାହିଁ । ଏଥିପାଇଁ ହୁଏତ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରିବା ଦରକାର ପଡ଼ିବ ।

 

ଶିଳ୍ପର ଉନ୍ନତି ପାଇଁ ସଞ୍ଚୟ ବଢ଼ିବା ଓ ତାହା ବ୍ୟବସାୟରେ ଖଟିବା ଦରକାର

 

ଶିଳ୍ପର ଉନ୍ନତି ସଞ୍ଚୟ ଉପରେ ନିର୍ଭର କରେ । ଆମର ସଞ୍ଚୟ ବଢ଼ିଲେ, ଇନଭେଷ୍ଟମେଣ୍ଟ ବଢ଼ିବ । ତା’ ହେଲେ ଶିଳ୍ପ ଓ ବ୍ୟବସାୟର ଉନ୍ନତି ହେବ । କିନ୍ତୁ ଆମ ଦେଶର ମୋଟ ବାର୍ଷିକ ଆୟର ମୋଟେ ଶତକରା ୬ଭାଗ ଏବେ ସଞ୍ଚିତ ହେଉଛି । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ଭିତରେ ଏହାକୁ ବଢ଼ାଇ ଶତକରା ୧୦ ଭାଗ କରିବା ପାଇଁ ଉଦ୍ୟମ କରାଯାଉଛି । ଶତକରା ୧୦ଭାଗ ସଞ୍ଚୟ ଆମର ଅର୍ଥନୀତିକ ଉନ୍ନତି ପାଇଁ ଯଥେଷ୍ଟ ନୁହେଁ । ଅଷ୍ଟ୍ରେଲିଆର ବିଶିଷ୍ଟ ଅର୍ଥନୀତିଜ୍ଞ କଲନକ୍ଲାର୍କ (Colin Clark) ହିସାବ ଅନୁଯାୟୀ ଆମ ଦେଶର ଆଧୁନିକ ପ୍ରଗତିକୁ ଖାଲି ଚାଲୁ ରଖିବା ପାଇଁ ଆମେ ଆମ ଆୟର ଶତକରା ୧୨.୫ଭାଗ ସଞ୍ଚୟ କରିବା ଉଚିତ । ତାହା ଉପରେ ଆମେ ଆମର ଚାଲୁ ଅର୍ଥନୀତିର ଉନ୍ନତି କରିବା ପାଇଁ ଉଦ୍ୟମ କରୁଛେ । ତେଣୁ ଆମର ସଂଞ୍ଚୟ ଆହୁରି ବଢ଼ାଇବାକୁ ପଡ଼ିବ । ମଫସଲରେ ଅନେକ ଲୋକ କିଛି କିଛି ଜମା କରି ରଖନ୍ତି । କିନ୍ତୁ ତା ଗାତ ଭିତରେ ପୋତା ହୋଇରହୁଛି । ଅର୍ଥନୀତିର ଉନ୍ନତିରେ ଲାଗି ପାରୁନାହିଁ । ଏସବୁକୁ ଆମେ କାର୍ଯ୍ୟରେ ଲଗାଇବା ଦରକାର । ତାହା ହେଲେ ଆମର ସଂଞ୍ଚୟ ପରିମାଣ କିଛି ବଢ଼ିପାରିବ । ଏଥିପାଇଁ ଲୋକମାନଙ୍କୁ ଭିତରେ ଉପଯୁକ୍ତ ପ୍ରଚାର ଦରକାର । ମଫସଲ ଅଞ୍ଚଳରେ ବ୍ୟାଙ୍କ ଓ ସମବାୟ ଅନୁଷ୍ଠାନର ପ୍ରସାର ହେବା ଆବଶ୍ୟକ । ତାହାହେଲେ ମଫସଲରୁ ଆମେ ଅଧିକା କରି ସଞ୍ଚୟ ଆଦାୟ କରିପାରିବା ।

 

ଆମ ସମାଜରେ ଯେଉଁମାନେ ଭଲରେ ଅଛନ୍ତି, ସେମାନଙ୍କୁ ଖାଊଟି ଜିନିଷର ମଧ୍ୟ ନିୟନ୍ତ୍ରଣ କରି ସେମାନଙ୍କଠାରୁ ଅଧିକା ସଞ୍ଚୟ ଆଦାୟ କରିବା ଉଚିତ । ଆର୍ଥିକ ପ୍ରଗତି ଓ ସାମାଜିକ ନ୍ୟାୟ ଏକା ସଙ୍ଗରେ ହେବା ଉଚିତ । ତା’ ନ ହେଲେ ଆର୍ଥନୀତିକ ପ୍ରଗତି ପାଇଁ ସାଧାରଣ ଲୋକଙ୍କଠାରୁ ସହଯୋଗ ମିଳିପାରିବ ନାହିଁ । ସେମାନଙ୍କ ସହଯୋଗ ବିନା ଗଣତନ୍ତ୍ର ଶାସନ ଉଧେଇ ପାରିବ ନାହିଁ କି ଗଣତାନ୍ତ୍ରିକ ଯୋଜନା କାର୍ଯ୍ୟକାରି ହୋଇପାରିବ ନାହିଁ । ଏହା ବ୍ୟତୀତ ବିଦେଶ ଋଣ ଓ ସାହାଯ୍ୟ ଉପରେ ନିର୍ଭର କରାଯାଇପାରେ । ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ । ଭାରତ ଯେତେବେଳେ ସ୍ଵାଧୀନ ସେତେବେଳେ ବିଦେଶୀ ମୂଳଧନ ବା ସାହାଯ୍ୟ ସାମ୍ରାଜ୍ୟବାଦ ପ୍ରତିଷ୍ଠା କରିବାର କୌଣସି ସମ୍ଭାବନା ନାହିଁ । କିନ୍ତୁ ଏ ବାବଦରୁ କେତେ ମିଳିବ, ତାହା କେହି ଠିକ ଭାବରେ ହିସାବ କରିପାରିବେ ନାହିଁ ସେ ଯାହାହେଉ, ସବୁ ରକମ ଉଦ୍ୟମ କରି ଅଧିକ ପୁଞ୍ଜି ସଂଗ୍ରହ ନ କଲେ ଦରକାର ଅନୁଯାୟୀ ଆମର ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇପାରିବ ନାହିଁ ।

☆☆☆

 

ବିଦେଶ ପୁଞ୍ଜି

 

ଆର୍ଥନୀତିକ ପ୍ରଗତି ପାଇଁ ପୁଞ୍ଜି ଏକ ପ୍ରଧାନ ଉପାଦାନ । ଯେଉଁ ଅନୁପାତରେ ଆମେ ପୁଞ୍ଜି ସଂଗ୍ରହ କରିପାରିବା, ସେଇ ଅନୁପାତରେ ଆମର ଆର୍ଥିକ ଅବସ୍ଥାର ଉନ୍ନତି ସମ୍ଭବ ହୋଇପାରିବ । କିନ୍ତୁ ଏ କଥା ସମସ୍ତଙ୍କୁ ଜଣା ଯେ ଆମ ଦେଶରେ ଯଥେଷ୍ଟ ପୁଞ୍ଜି ନାହିଁ । ଆମର ଜାତୀୟ ଆୟର ମୋଟେ ଶତକରା ୬ଭାଗ ସଞ୍ଚୟ କରାଯାଏ । ଏହି ସଞ୍ଚୟକୁ ବୃଦ୍ଧି କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଯେତେ ଉଦ୍ୟମ କଲେ ମଧ୍ୟ ସଞ୍ଚୟର ମାତ୍ରା ଯଥେଷ୍ଟ ପରିମାଣରେ ବୃଦ୍ଧି କରାଯାଇ ପାରିବ ନାହିଁ । ସେଥିପାଇଁ ଆମକୁ କେତେକାଂଶରେ ବିଦେଶ ପୁଞ୍ଜି ଉପରେ ନିର୍ଭର କରିବାକୁ ପଡ଼ିବ । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ସରକାର ୪୮୦୦କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସିଦ୍ଧାନ୍ତ କରିଛନ୍ତି । ସେଥିମଧ୍ୟରୁ ପ୍ରାୟ ୮୦୦କୋଟି ଟଙ୍କା ବିଦେଶରୁ ସଂଗ୍ରହ କରାଯିବ ବୋଲି ମସୁଧା କରାଯାଉଛି । ବିଦେଶରୁ ପୁଞ୍ଜି ସଂଗ୍ରହ କରି ଦେଶର ଆର୍ଥନୀତିକ ପ୍ରଗତି ପାଇଁ ଉଦ୍ୟମ କରିବା କେତେଦୂର ଯୁକ୍ତି ସଙ୍ଗତ, ସେ ବିଷୟରେ ପ୍ରଶ୍ନ ଉଠେ । ବିଦେଶୀ ଶାସନ ଓ ଶୋଷଣକୁ ଯେଉଁମାନେ ମନେ ରଖିଛନ୍ତି, ସେମାନେ ମତ ପ୍ରକାଶ କରନ୍ତି ଯେ ବିଦେଶ ପୁଞ୍ଜି ଆଣି ଆମ ଦେଶର ଶିଳ୍ପ ଓ ବ୍ୟବସାୟରେ ଖଟାଇଲେ, ଆର୍ଥିକ ଶୋଷଣ ପୁନରାୟ ଆରମ୍ଭ ହେବ । ଦେଶର ଶିଳ୍ପବିକାଶ ଉପଯୁକ୍ତ ମାର୍ଗରେ ପରିଚାଳିତ ହୋଇ ପାରିବନାହିଁ । କିନ୍ତୁ ଆଜି ସେ ପ୍ରଶ୍ନ ଉଠିବାର କଥା ନୁହେଁ । ସ୍ଵାଧୀନ ସରକାର ନିଜର ଶକ୍ତି ପ୍ରୟୋଗ କରି ବିଦେଶ ପୁଞ୍ଜିର ଦୋଷ ଓ ଦୁର୍ବଳତା ଦୂର କରିପାରିବେ । ବରଂ ଆମେ କିପରି ଅଧିକା ବିଦେଶ ପୁଞ୍ଜି ପାଇପାରିବା, ସେଥିପାଇଁ ଯୋଗାଡ଼ କରାଯିବା ଉଚିତ । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ୮୦୦ କୋଟି ଟଙ୍କା ବିଦେଶ ପୁଞ୍ଜି ମିଳିବ ବୋଲି ହିସାବ କରାଯାଇଥିଲେ ମଧ୍ୟ, ଏତେ ଟଙ୍କା ମିଳିପାରିବ ନାହିଁ ବୋଲି ଯୋଜନା କମିଶନର ଅନେକ ସଭ୍ୟ ମତ ପ୍ରକାଶ କରିଛନ୍ତି । ତେଣୁ ବିଦେଶ ପୁଞ୍ଜି ବିରୁଦ୍ଧରେ ଆପତ୍ତି ଓ ଅଭିଯୋଗ ନ ଉଠାଇ, ଅଧିକ ବିଦେଶ ପୁଞ୍ଜି ଯେପରି ଆସିପାରିବ, ସେଥିପାଇଁ ବାୟୁମଣ୍ଡଳ ସୃଷ୍ଟି କରାଗଲେ, ଆମର ଆର୍ଥିନୀତିକ ପ୍ରଗତି ସହଜ ହୋଇପାରିବ ।

 

କିନ୍ତୁ ଏହା ବୋଲି ଯେ କୌଣସି ପ୍ରକାର ବିଦେଶ ପୁଞ୍ଜି ଆଣି ଆର୍ଥନୀତିକ ପ୍ରଗତିରେ ଖଟାଇବା ଉଚିତ ହେବନାହିଁ । ବେସରକାରୀ ବିଦେଶ ପୁଞ୍ଜି ଆମ ଦେଶ ପକ୍ଷରେ ହିତକର ନୁହେଁ-। କାରଣ ଶିଳ୍ପପତି ଓ ବ୍ୟବସାୟୀମାନେ ଆମ ଦେଶରେ ଯଦି ସେମାନଙ୍କର ପୁଞ୍ଜି ଖଟାଇବେ, ତା’ହେଲେ ସେମାନେ ଆମର ଆର୍ଥନୀତିକ ଉନ୍ନତି ପାଇଁ ଦୃଷ୍ଟି ଦେବେ ନାହିଁ । ଯେପରି ଆମ ଦେଶର ଶିଳ୍ପପତି ଓ ବ୍ୟବସାୟୀମାନେ ଲାଭ ଉଦ୍ଦେଶ୍ୟର ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠା କରୁଛନ୍ତି, ସେହପରି ସେମାନେ ଯେଉଁସବୁ ଶିଳ୍ପ ପ୍ରତିଷ୍ଠାନରୁ ବେଶୀ ଲାଭ ପାଇବେ ବୋଲି ଆଶା କରିବେ, ସେ ସବୁ ଶିଳ୍ପପ୍ରତିଷ୍ଠା କରିବାକୁ ଉଦ୍ୟମ କରିବେ । ଅତୀତରେ ମଧ୍ୟ ବିଦେଶୀ ବେସରକାରୀ ପୁଞ୍ଜି ଅନୁନ୍ନତ ଅର୍ଥନୀତିରେ ବେଶୀ ପରିମାଣରେ ବିନିଯୋଗ କରାଯାଇ ନାହିଁ । ବରଂ ଉନ୍ନତ ଅର୍ଥନୀତିରେ ବିନିଯୋଗ କରାଯାଇଛି । ଆମେରିକା ପୁଞ୍ଜି କାନାଡ଼ାକୁ ପଛେ ଯାଇଛି–ଆଫ୍ରିକା ବା ଭାରତକୁ ଆସିନାହିଁ । ତା’ର କାରଣ ଏହି ଯେ ଆମେରିକା ବ୍ୟବସାୟୀମାନେ କାନାଡ଼ାରୁ ବେଶୀ ଲାଭ ଆଶା କରିଛନ୍ତି । ଅନୁନ୍ନତ ଅର୍ଥନୀତିରେ ଅଭାବ ବେଶୀଥିବାରୁ ଚାହିଦା କମ୍‍ ହେଉଛି-। ଚାହିଦା କମ୍‍ ଯୋଗୁ ଶିଳ୍ପ ବା ବ୍ୟବସାୟରୁ ବେଶୀ ଲାଭ ମିଳିବାର ସମ୍ଭାବନା ନାହିଁ-। ଉନ୍ନତ ଅର୍ଥନୀତିରୁ ଅନୁନ୍ନତ ଅର୍ଥନୀତିକୁ ଯେତେବେଳେ ବା ବିଦେଶ ପୁଞ୍ଜି ଅସିଛି, ସେତେବେଳେ ଏହିସବୁ ପୁଞ୍ଜି କଞ୍ଚାମାଲ ଉତ୍ପାଦନ କରିବାରେ ନିବିଷ୍ଟ ରହିଛି–କାରଣ କଞ୍ଚାମାଲର ଚାହିଦା କେବଳ ଅନୁନ୍ନତ ଅର୍ଥନୀତି ଭିତରେ ଆବଦ୍ଧ ନୁହେଁ । ଏଥିପାଇଁ ଉନ୍ନତ ଅର୍ଥନୀତିରେ ମଧ୍ୟ ବଜାର ଅଛି । ବ୍ରିଟେନ ପୁଞ୍ଜି ଆମଦେଶରୁ ଆସି ଆମଦେଶର ଚା’, ଝୋଟ ପ୍ରଭୃତି ବ୍ୟବସାୟରେ ଖଟାଯାଇଛି । ଶିଳ୍ପଜାତ ଦ୍ରବ୍ୟର ପ୍ରସାର ପାଇଁ ଉଦ୍ୟମ କରାଯାଇ ନାହିଁ । ଭବିଷ୍ୟତରେ ଶିଳ୍ପର ଉନ୍ନତିରେ ଏସବୁ ବେସରକାରୀ ବିଦେଶ ପୁଞ୍ଜି ଲାଗିପାରିବ ବୋଲି ଆଶାକଲେ ମଧ୍ୟ ଏ ଦିଗରେ ଆମେ କିଛି ଯୋଜନା କରିପାରିବା ନାହିଁ । ଆମେ ଯୋଜନା କରି ଆର୍ଥନୀତିକ ପ୍ରଗତି ପାଇଁ ଉଦ୍ୟମ କରୁଛେ । ଯୋଜନାନୀତି ଅନୁସାରେ ସରକାର ବା ଯୋଜନା-କମିଶନ ଉନ୍ନତିର ଦିଗ ଠିକ୍‍ କରିବେ । ଅର୍ଥାତ୍ ଆମର ଅର୍ଥନୀତିରେ କେଉଁ ଶିଳ୍ପ ପାଇଁ ଜୋର ଦିଆଯିବ, କେଉଁ ଜିନିଷ ଅଧିକ ଉତ୍ପାଦନ ହେବ, କେଉଁଥିରେ କେତେ ଅର୍ଥ ବିନିଯୋଗ କରାଯିବ ଇତ୍ୟାଦି ସମସ୍ୟା ଯୋଜନା କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ ପରିଚାଳିତ ହେବ । ବେସରକାରୀ ବିଦେଶ ପୁଞ୍ଜି ଏସବୁ ଯୋଜନା ନୀତି ମାନି ଚଳିବା ସହଜ କଥା ନୁହେଁ । ପ୍ରଥମତଃ ଯୋଜନା ନାଁ ଶୁଣିଲେ ସେମାନେ ମୁହଁ ମୋଡ଼ିବେ । ଯଦି ବା କେହି ଯୋଜନା ବା ସରକାରୀ ହସ୍ତକ୍ଷେପକୁ ଭୟ ନ କରି ଆମ ଦେଶରେ ଅର୍ଥ ବିନିଯୋଗ କରିବା ପାଇଁ ଉଦ୍ୟତ ହେବେ, ସେମାନେ ଆମର ଯୋଜନା ନୀତି ଅନୁସାରେ ଗତିକରିବେ ନାହିଁ । ଫଳରେ ଆମର ଯୋଜନାରେ ଅସୁବିଧା ସୃଷ୍ଟିହେବ । ସେଥିପାଇଁ ଜଣେ ଅର୍ଥନୀତିଜ୍ଞ ମତପ୍ରକାଶ କରିଛନ୍ତି ଯେ– The very nature of private foreign investments makes it impossible to plan their volume, their timing, their regional distribution, or their functional distribution, ie, the types of development they should stimulate and promote.' ତେଣୁ ଏଠାରେ ଏକ କୁହାଯାଇପାରେ ଯେ ଯୋଜନା ଅର୍ଥନୀତିପାଇଁ ବେସରକାରୀ ବିଦେଶ ପୁଞ୍ଜି ଉପଯୁକ୍ତ ପନ୍ଥା ନୁହେଁ ।

 

ପୁଣି ଆମେ ସମାଜବାଦୀ ରାଷ୍ଟ୍ର ପ୍ରତିଷ୍ଠା କରିବା ବୋଲି ନୀତି ଗ୍ରହଣ କରିଛେ । ସମାଜବାଦ ଅନୁସାରେ ବେସରକାରୀ ଆର୍ଥନୀତିକ କର୍ତ୍ତୃତ୍ୱ ଲୋପ ବା ନିୟନ୍ତ୍ରଣ ହେବା ଉଚିତ । ଆମେ ଯଦି ବେସରକାରୀ ବିଦେଶ ପୁଞ୍ଜିକୁ ପ୍ରଶ୍ରୟ ଦେଉ, ତାହାହେଲେ ବେସରକାରୀ ଦେଶୀ ଶିଳ୍ପ ଅନୁଷ୍ଠାନକୁ ମଧ୍ୟ ପ୍ରଶ୍ରୟ ଦେବାକୁ ବାଧ୍ୟ ହେବୁ । କାରଣ ଆଜିକାଲି ବିଦେଶୀ ଶିଳ୍ପପତିମାନେ ଦେଶୀ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ସାହାଯ୍ୟରେ ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି । ଏହା ଫଳରେ ଆମର ଶିଳ୍ପରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ । ତେଣୁ ବେସରକାରୀ ବିଦେଶପୁଞ୍ଜି ଆଣିବା ଯଦି ନିତାନ୍ତ ଦରକାର ପଡ଼େ, ତାହାହେଲେ ତାହା ସରକାରୀ ସୂତ୍ରରେ ଆସିବା ଉଚିତ । ଅର୍ଥାତ୍, ବିଦେଶ ଶିଳ୍ପପତି ଓ ବ୍ୟବସାୟୀମାନେ ଆମ ଦେଶର ସରକାର ସହିତ ମିଶି ଶିଳ୍ପ ପ୍ରତିଷ୍ଠା କରନ୍ତୁ । ତାହାହେଲେ ସରକାର ଏହାର ଦୋଷ ଓ ଦୁର୍ବଳତା ଦୁର କରି ଉପଯୁକ୍ତ ମାର୍ଗରେ ଆର୍ଥନୀତିକ ପ୍ରଗତିକୁ ପରିଚାଳିତ କରିପାରିବେ ।

 

ସରକାରୀ ସୂତ୍ରରେ ଆମେ ମଧ୍ୟ ସାହାଯ୍ୟ, ସହଯୋଗ ଓ ଋଣ ପାଇପାରୁ । ଆମେରିକା, ଇଂଲଣ୍ଡ, ରୁଷିଆ, କାନାଡ଼ା ପ୍ରଭୃତି ସରକାରମାନଙ୍କଠାରୁ ଅମ ସରକାର ଋଣ, ସାହାଯ୍ୟ ଓ ସହଯୋଗ ପାଉଛନ୍ତି । ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଆମେ ଏ ବାବଦରୁ ଅଧିକ ବିଦେଶୀ ମୁଦ୍ରା ପାଇପାରିବୁ ବୋଲି କଳ୍ପନା କରାଯାଉଛି । ଏ ବାବଦରେ ଯେତେ ଅଧିକ ଋଣ ବା ସାହାଯ୍ୟ ମିଳେ, ସେତେ ଭଲ । ଅନ୍ୟ ସରକାରମାନଙ୍କର ସହଯୋଗରେ ଆମର ଆର୍ଥନୀତିକ ପ୍ରଗତି ସହଜ ହୋଇପାରିବ । ଅଧିକ କଳକାରଖାନା ବସିବ, ଯାନ୍ତ୍ରିକ ଜ୍ଞାନ ବଢ଼ିବ ଓ ଭିନ୍ନ ଭିନ୍ନ ଦେଶର ସହଯୋଗ ଫଳରେ ଆନ୍ତର୍ଜାତିକ ସହଯୋଗ ସମ୍ଭବ ହୋଇପାରିବ । କିନ୍ତୁ ଏଥିରେ ଏତିକି ବିପଦ ଯେ ଏହି ସହଯୋଗ ରାଜନୀତିକ ଅଭିସନ୍ଧିରୁ ଦୂରରେ ରହିପାରିବ ନାହିଁ । ଆମେରିକା ସରକାରଙ୍କଠାରୁ ବେଶୀ ସାହାଯ୍ୟ ବା ସହଯୋଗ ଚାହିଁଲେ, ରାଜନୀତି କ୍ଷେତ୍ରରେ ଅମେରିକା ଆମର ସମର୍ଥନ ଲୋଡ଼ିବ । ଏହି ସମର୍ଥନ ନ ମିଳିଲେ, ଅମେରିକା ସାହାଯ୍ୟ ବା ସହଯୋଗ ମିଳିବାରେ ବାଧା ସୃଷ୍ଟି ହେବ । ସେହିପରି ରୁଷିଆରୁ ସାହାଯ୍ୟ ଆଣିଲେ, ରୁଷିଆ ଓ ରୁଷିଆପ୍ରେମୀମାନେ ଆମ ନୀତିକୁ ରୁଷିଆ ନୀତି ସହିତ ସମକକ୍ଷ କରିବାକୁ ଚେଷ୍ଟା କରିବେ । ଆମେ ସ୍ଵାଧୀନ ମତ ଅନୁସରଣ କରିବାକୁ ଚେଷ୍ଟା କଲେ ହୁଏତ କେଉଁଆଡ଼ୁ କିଛି ପାଇବା ନାହିଁ ଯଦି ବା କିଛି ପାଇବା, ତା ଆମର ପ୍ରଗତି ପାଇଁ ହୁଏତ ଯଥେଷ୍ଟ ହେବନାହିଁ । ତେବେ ଦୁଇଦଳର ରାଜନୀତିକ ସଂଘର୍ଷରୁ ଦୂରରେ ରହି ଆମେ ଯେତେ ଅଧିକ ବିଦେଶୀପୁଞ୍ଜି ସରକାରୀ ସୂତ୍ରରେ ସଂଗ୍ରହ କରିପାରୁ, ସେତେ ଭଲ । ଏଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ଉଚିତ ।

 

ଆନ୍ତର୍ଜାତିକ ଅନୁଷ୍ଠାନ ଜରିଆରେ ଅନୁନ୍ନତ ଅର୍ଥନୀତିର ଆର୍ଥିକ ଉନ୍ନତି କରିବା ସର୍ବଥା ବିଧେୟ । କୌଣସି ଗୋଟିଏ ଦେଶ ଅନୁନ୍ନତ ଅବସ୍ଥାରେ ରହିଲେ, ଏହା ଯେ କେବଳ ସେ ଦେଶ ପକ୍ଷରେ କ୍ଷତି, ତା’ ନୁହେଁ, ସବୁଦେଶ ପକ୍ଷରେ କ୍ଷତି । ସେଥିପାଇଁ ଆନ୍ତର୍ଜାତିକ ଶ୍ରମିକ ଅନୁଷ୍ଠାନ କହିଛନ୍ତି, poverty anywhere is a danger to peace everywhere' ନୈତିକତା ଦୃଷ୍ଟିରୁ ବିଚାର କଲେ ଉନ୍ନତ ଅର୍ଥନୀତି ଅନୁନ୍ନତ ଅର୍ଥନୀତିର ବିକାଶରେ ସାହାଯ୍ୟ କରିବା ଉଚିତ । କିନ୍ତୁ ନୈତିକତା କଥା ଛାଡ଼ିଲେ ବି ଅର୍ଥନୀତି ଦୃଷ୍ଟିରୁ ଏହା ଆବଶ୍ୟକ । ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ ଦୃଷ୍ଟିରୁ ସମୁଦାୟ ପୃଥିବୀ ଏକୀବଦ୍ଧ । କୌଣସି ଗୋଟିଏ ଦେଶରେ ଶିଳ୍ପ ବା ବାଣିଜ୍ୟ ସଂକଟ ସୃଷ୍ଠି ହେଲେ, ସମୁଦାୟ ପୃଥିବୀରେ ତା’ର ପ୍ରଭାବ ପଡ଼େ । ୧୯୨୯ମସିହାରେ ଆମେରିକାରେ ଯେଉଁ ଅର୍ଥ ସଂକଟ ସୃଷ୍ଟି ହେଲା, ତା’ର ପ୍ରଭାବରୁ କେହି ମୁକ୍ତିପାଇ ପାରିଲେ ନାହିଁ-। ସେହିପରି କୌଣସି ଦେଶରେ ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟର ଉନ୍ନତି ହେଲେ, ଅନ୍ୟ ଦେଶମାନେ ମଧ୍ୟ ସେହି ଉପରେ ଭାଗପାନ୍ତି । ଏବେ ଯେତେସବୁ ଦରିଦ୍ର ଓ ଅନୁନ୍ନତ ଦେଶ ଅଛି, ସେସବୁ ଦେଶର ଯଦି ଉନ୍ନତି ହୁଅନ୍ତା, ତାହାହେଲେ ସେଥିରେ ବାସ କରୁଥିବା ଲୋକମାନଙ୍କରଋ ଚାହିଦା ବଢ଼ନ୍ତା । ଚାହିଦା ବଢ଼ିଲେ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠା କରାଯାନ୍ତା । ଦେଶ ଓ ଦେଶ ମଧ୍ୟରେ କାରବାର ବଢ଼ନ୍ତା । ଉନ୍ନତ ଓ ଅନୁନ୍ନତ ଅର୍ଥନୀତି ଉଭୟର ଲାଭ ହୁଅନ୍ତା । ସେହି ଦୃଷ୍ଟିରୁ ମିଳିତ ଜାତିସଂଘ ଏ ଦିଗରେ ବେଶୀ ଧ୍ୟାନ ଦେବା ଉଚିତ । । ମିଳିତ ଜାତିସଂଘ ଯେତେବେଳେ ଶାନ୍ତିପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ଭିନ୍ନଭିନ୍ନ ଦେଶ ମଧ୍ୟରେ ଏହି ଆର୍ଥନୀତିକ ସାମଞ୍ଜସ୍ୟ ଆଣିବା ପାଇଁ ଉଦ୍ୟମ କରିବା ଉଚିତ । ସେ ଦିଗରେ ଏପର୍ଯ୍ୟନ୍ତ କିଛି ହୋଇନାହଁ ବୋଲି କହିଲେ ଚଳେ ।

 

ମିଳିତଜାତିସଂଘ ତରଫରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (International Monetary Fund) ଓ ଆନ୍ତର୍ଜାତିକ ବ୍ୟାଙ୍କ (International Bank) ନାମକ ଦୁଇଟି ଅନୁଷ୍ଠାନ ଖୋଲାଯାଇଛି । ମୁଦ୍ରାପାଣ୍ଠି ରେ ଯେତେ ପାଣ୍ଠି ଅଛି ତାହା ଆର୍ଥନୀତିକ ପ୍ରଗତି ପାଇଁ ଖଟା ଯାଉ ନାହିଁ । ଦେଶ ଓ ଦେଶ ଭିତରେ ବ୍ୟବସାୟ ଗତ ସଂକଟ ସୃଷ୍ଟି ହେଲେ ମୁଦ୍ରାପାଣ୍ଠି ଏହି ସଂକଟକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି । ଆନ୍ତର୍ଜାତିକ ବ୍ୟାଙ୍କରେ ଯେଉଁ ମୁଦ୍ରା ଅଛି, ତାହା ଆର୍ଥନୀତିକ ପ୍ରଗତି ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏଥିରେ ଯଥେଷ୍ଟ ପାଣ୍ଠି ନାହିଁ । ଯାହାଅଛି, ତା’ ଉନ୍ନତ ଓ ଅନୁନ୍ନତ–ଉଭୟ ଆର୍ଥନୀତିର ଉନ୍ନତି ପାଇଁ ରଖାଯାଇଛି । ତେଣୁ ଏ ଅନୁଷ୍ଠାନ ଜରିଆରେ ଅନୁନ୍ନତ ଅର୍ଥନୀତିର ବେଶୀ କିଛି ଉନ୍ନତି ହୋଇପାରିବ ବୋଲି ଆଶାକରିବା ବୃଥା । ତେଣୁ ଅନୁନ୍ନତ ଅର୍ଥନୀତିରେ ଉନ୍ନତି ପାଇଁ ମିଳିତ ଜାତିସଂଘ ତରଫରୁ ଆଉ ଏକ ଅନୁଷ୍ଠାନ ଖୋଲା ଯିବା ଉଚିତ । ଆର୍ଥନୀତିକ ପ୍ରଗତି କେବଳ ଯାନ୍ତ୍ରିକ ଜ୍ଞାନର ସମ୍ଭବ ହୋଇ ପାରିବନାହିଁ । ଯାନ୍ତ୍ରିକ ଜ୍ଞାନ ଯୋଗାଇବାପାଇଁ ଆନ୍ତର୍ଜାତିକ ଅନୁଷ୍ଠାନ ତରଫରୁ ଯେପରି ଉଦ୍ୟମ କରାଯାଉଛି, ପୁଞ୍ଜି ଯୋଗାଇବା ପାଇଁ ସେହିପରି ବା ତାହାଠାରୁ ଅଧିକ ଉଦ୍ୟମ କରାଯିବା ଉଚିତ । ଏହି ନୂତନ ଅନୁଷ୍ଠାନ ଆନ୍ତର୍ଜାତିକ ବ୍ୟାଙ୍କ ସହିତ ମିଶି କାମ କରିବ । କିନ୍ତୁ ଅନୁନ୍ନତ ଅର୍ଥନୀତିର ଉନ୍ନତି କରିବା ଏହାର ପ୍ରଧାନ କାମ ହେବ । ଏପରି ଏକ ଆନ୍ତର୍ଜାତିକ ଅନୁଷ୍ଠାନ ଜରିଆରେ ବିଦେଶ ପୁଞ୍ଜି ସଂଗ୍ରହ କଲେ, ବିଦେଶ ପୁଞ୍ଜି ଭିତରେ ଥିବା ରାଜନୀତିକ ଅଭିସନ୍ଧି ଓ ଆର୍ଥନୀତିକ ଶୋଷଣ ସହଜରେ ଲୋପ କରାଯାଇପାରିବ । ବିଦେଶ ସରକାର ଓ ବିଦେଶୀ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ନ୍ୟସ୍ତସ୍ଵାର୍ଥ ଅନ୍ତର୍ନିହିତ ଆର୍ଥନୀତିକ କ୍ଷେତ୍ରରେ ପ୍ରଭାବ ପକାଇ ପାରିବ ନାହିଁ । ଅନୁନ୍ନତ ଦେଶର ଆର୍ଥନୀତିକ ଯୋଜନା ଅନୁଯାୟୀ ଆମ ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇପାରିବ । ମୋଟ ଉପରେ ବିଦେଶ ପୁଞ୍ଜି ବିରୁଦ୍ଧରେ ଏବେ ଯେଉଁ ସବୁ ସନ୍ଦେହ ଓ ଅଭିଯୋଗ ଅଛି, ତାହା ଅଚିରେ ଦୂର ହୋଇପାରିବ । ମିଳିତଜାତିସଂଘ ଏ ଦିଗରେ ସହଯୋଗ କରି ନିଜର ଶକ୍ତିବୃଦ୍ଧି କରିବେ ଓ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବେ ।

☆☆☆

 

ଆମର ଯୋଜନା

 

୧୯୫୧ ମସିହାଠାରୁ ଭାରତରେ ଧାରବାହିକ ଭାବରେ ଆର୍ଥନୀତିକ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି କୁହାଯିବ । ଆଗରୁ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ନ ଥିଲା । ୧୯୩୪ ମସିହାରେ ଶ୍ରୀ ଏସ. ବିଶ୍ଵେସରିଆ ଭାରତର ଆର୍ଥନୀତିକ ସଂଗଠନ ପାଇଁ ଏକ ସୁଚିନ୍ତିତ ଯୋଜନା ବାଢ଼ିଲେ । ଏହା ବୋଧହୁଏ ଭାରତର ଆର୍ଥିନୀତିକ ପ୍ରଗତି ପାଇଁ ପ୍ରଥମ ଯୋଜନା ! ୧୯୩୮ ମସିହାରେ ଜାତୀୟ କଂଗ୍ରେସ ତରଫରୁ ଏକ ଜାତୀୟ ଯୋଜନା କମିଟି ଗଠନ କରାଗଲା । ଏଥିରେ ପଣ୍ଡିତ ଜବାହାରଲାଲ ନେହେରୁ ସଭାପତି ଥିଲେ । ଏହି କମିଟି ଭାରତର ଅର୍ଥନୀତିର ବିଭିନ୍ନ ଦିଗ ଆଲୋଚନା କରି ନିଜର ମତ ଉପସ୍ଥାପିତ କରିଥିଲେ । କମିଟି ତରଫରୁ ଅନେକ ଗବେଷଣାମୂଳକ କାର୍ଯ୍ୟ କରାଯାଇଥିଲା । ଯୁଦ୍ଧ ଭିତରେ ବମ୍ବେ ଯୋଜନା, ଜନ ଯୋଜନା ଓ ଗାନ୍ଧି ଯୋଜନା ପ୍ରଭୃତି ଭିନ୍ନ ଧରଣର ଯୋଜନା ପ୍ରକାଶ ପାଇଲା । ଏହା ଫଳରେ ଦେଶରେ ଆର୍ଥନୀତିକ ଯୋଜନା ପାଇଁ ଏକ ବାୟୁମଣ୍ଡଳ ସୃଷ୍ଟି ହେଲା । ଯୋଜନା ଅନୁଯାୟୀ ଦେଶର ଅର୍ଥନୀତିକୁ ନିୟନ୍ତ୍ରିତ ଓ ପରିଚାଳିତ କରିବା ପାଇଁ ଦୃଢ଼ ଜନମତ ମୁଣ୍ଡ ଟେକି ଉଠିଲା । ସ୍ଵାଧୀନ ସରକାର ସ୍ୱାଧୀନତା ପରେ ଆର୍ଥନୀତିକ ଯୋଜନାର ଗୁରୁତ୍ଵ ଉପଲବଧି କରି ୧୯୫୦ ମସିହାରେ ଯୋଜନା କମିଶନ ଗଠନ କଲେ । ୧୯୫୧ ମସିହାଠାରୁ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ କରାଗଲା ।

 

ପ୍ରଥମ ପଞ୍ଚବାର୍ଷିକ ଯୋଜନାକୁ ଅନେକ ଯୋଜନାରୂପେ ଗ୍ରହଣ କରନ୍ତି ନାହିଁ । କାରଣ ୧୯୫୦–୫୧ର ଜରୁରୀ ଅବସ୍ଥାକୁ ସମ୍ଭାଳିବା ପାଇଁ କେତେଗୁଡ଼ିଏ ସ୍କିମ୍‍କୁ ଏକାଠି କରି ଯୋଜନାର ନାମ ଦିଆଯାଇଥିଲା । ଯୁଦ୍ଧ ଓ ଭାରତ-ବିଭକ୍ତ ଫଳରେ ଭାରତର ଆର୍ଥନୀତିକ ସଂଗଠନ ଉପରେ ଏକ ବିରାଟ ଧକା ଲାଗିଥିଲା । ଦେଶରେ ଖାଦ୍ୟ, ଝୋଟ, ତୁଳା ଓ ଅନ୍ୟାନ୍ୟ କଞ୍ଚାମାଲର ବିଶେଷ ଅଭାବ ପଡ଼ିଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ବିଦେଶରୁ ଖାଦ୍ୟ ଓ କଞ୍ଚାମାଲ ଆମଦାନୀ କରିବାକୁ ଚେଷ୍ଟାକଲୁ । ତେଣୁ ଆମର ବୈଦେଶିକ ମୁଦ୍ରା ଅଭାବ ପଡ଼ିଲା । ଜିନିଷ ପତ୍ରର ଅଭାବ ଫଳରେ ଦରଦାମ ମଧ୍ୟ ହୁ ହୁ ହୋଇ ବଢ଼ିବାକୁ ଲାଗିଲା । ଏଣେ ଯାନବାହନର ଅଭାବ ଓ ରାସ୍ତାଘାଟ ର ଅସୁବିଧା ଫଳରେ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଜିନିଷ ପତ୍ରର ନିଆଆଣ କରିବା ସମ୍ଭବ ହେଲା ନାହିଁ । ତେଣୁ ଆଞ୍ଚଳିକ ଆର୍ଥିନୀତିକ ସଙ୍କଟ ସୃଷ୍ଟ ହେଲା । ଏହିସବୁ ଅଭାବ ଓ ଅସୁବିଧା ଦୂରକରି ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ନୂଆ ଓ ପୁରୁଣା ସ୍କିମ୍‍କୁ ଏକାଠି କରି ଏକ ଯୋଜନା ବାଢ଼ିଲେ । ଏହି ଯୋଜନାରେ କୃଷି ଉପରେ ବିଶେଷ ଜୋର ଦିଆଯାଇଥିଲା । ମୋଟ ଖର୍ଚ୍ଚ ୨୩୦୦କୋଟି ଟଙ୍କାର ପ୍ରାୟ ଶତକରା ୩୩ ଭାଗ କୃଷି, ଗ୍ରାମଗୋଷ୍ଠୀ ଓ ଜାତୀୟ ସଂପ୍ରସାରଣ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ନିର୍ଦ୍ଦିଷ୍ଟ ଥିଲା । ତେଣୁ ପ୍ରଥମ ଯୋଜନାକୁ କୃଷି ଯୋଜନା ବୋଲି କୁହାଯାଉଛି । ସୁଖର କଥା ସେ ପ୍ରଥମ ଯୋଜନାର ଉଦ୍ଦେଶ୍ୟ ସଫଳ ହୋଇଛି । କୃଷି ଓ ଶିଳ୍ପର ଉତ୍ପାଦନ ବଢ଼ିଛି । ପ୍ରଥମ ଯୋଜନା ଭିତରେ ଜାତୀୟ ଆୟ ଶତକରା ୧୧ଭାଗ ବଢ଼ିବ ବୋଲି ଅନୁମାନ କରାଯାଇଅଛି । ଏହା ୧୮ ଭାଗ ବଢ଼ିଛି । ଦରଦାମ୍‍ ବଢ଼ିଛି । ମୋଟ ଉପରେ ଆମର ଆର୍ଥନୀତିକ ଭିତ୍ତି ସୁଦୃଢ଼ ହୋଇଛି । ତେଣୁ ଉପଯୁକ୍ତ ମାର୍ଗରେ ଯୋଜନାକୁ ପରିଚାଳିତ କରି ଆମର ଆର୍ଥନୀତିକ ସମସ୍ୟା ସମାଧାନ କରିବା ଏକ ସହଜ ଓ ସୁଗମ ହେବ ।

 

ଆମ ଆଗରେ ତିନୋଟି ବଡ଼ ଆର୍ଥନୀତିକ ସମସ୍ୟା ଅଛି । ପ୍ରଥମରେ ଆମ ଦେଶରେ ଏବେ ଯେଉଁମାନେ ବେକାର ଅଛନ୍ତି, ସେମାନଙ୍କ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା କରିବା ଓ ଭବିଷ୍ୟତରେ ଯେପରି ବେକାର ସମସ୍ୟା ଗୁରୁତର ନ ହୁଏ, ସେଥିପାଇଁ ଉଦ୍ୟମ କରିବା । ଦ୍ଵିତୀୟରେ ଆମ ଦେଶର ଜନସାଧାରଣଙ୍କର ବଞ୍ଚିବା ମାନଦଣ୍ଡ ବୃଦ୍ଧି କରିବା । ଏଥିପାଇଁ କ୍ରମାଗତ ଉଦ୍ୟମ ଦରକାର । ଆମର ବଞ୍ଚିବା ମାନଦଣ୍ଡ ଏତେ କମ ଯେ କ୍ରମାଗତ ଭାବରେ ଏଥିପାଇଁ ଉଦ୍ୟମ ନ କଲେ, ଏ ଦିଗରେ ଆଖି ଦିଶିଲା ଭଳି ଉନ୍ନତି ହୋଇପାରିବ ନାହିଁ । ତୃତୀୟରେ ଆମ ଦେଶରେ ଧନୀ ଓ ଦରିଦ୍ର ଭିତରେ ଯେଉଁ ବିରାଟ ବ୍ୟବଧାନ ଅଛି, ତାକୁ ଦୂର କରିବା ଉଚିତ । ସମାଜବାଦୀ ରାଷ୍ଟ୍ରନୀତି ଆମର ଉଦ୍ଦେଶ୍ୟ ବୋଲି ଏବେ ଘୋଷଣା କରାଯାଇଛି । ସେ ନୀତି ଅନୁଯାୟୀ ସମାଜର ପ୍ରତ୍ୟେକ ଲୋକଙ୍କୁ ସମାନ ସୁବିଧା ଓ ସୁଯୋଗ ମିଳବା ଚାହିଁ । ଏହି ତିନୋଟି ସମସ୍ୟା ପରସ୍ପର ସହିତ ଘନିଷ୍ଟ ଭାବରେ ସଂପୃକ୍ତ । କର୍ମସଂସ୍ଥାନର ସୁବିଧା ହେଲେ ଆୟ ବଢ଼ିବ, ଆୟ ବଢ଼ିଲେ ବଞ୍ଚିବା ମାନଦଣ୍ଡର ବୃଦ୍ଧି ହେବ ଓ ଗରିବ ଜନସାଧାରଙ୍କର ବଞ୍ଚିବା ମାନଦଣ୍ଡର ଅଧିକ ବୃଦ୍ଧି ହେଲେ ଧନୀ ଓ ଦରିଦ୍ର ଭିତରେ ଥିବା ବ୍ୟବଧାନ କେତେକାଂଶରେ କମିବ ।

 

ବଞ୍ଚିବା ମାନଦଣ୍ଡ ବଢ଼ାଇବା ଅର୍ଥ ଲୋକମାନଙ୍କ ପାଇଁ ବେଶୀ ଖାଦ୍ୟ, ଲୁଗା, ଘର, ସ୍କୁଲ, କଲେଜ ଓ ଡାକ୍ତରଖାନା ପ୍ରଭୃତିର ବ୍ୟବସ୍ଥା କରିବା । ଆଜି ଅଧିକାଂଶ ଲୋକ ପେଟପୂରେଇ ଖାଇବାକୁ ପାଉନାହାନ୍ତି ; ଭଲଲୁଗା ଖଣ୍ଡେ ପିନ୍ଧି ପାରୁନାହାନ୍ତି ; ମୁଣ୍ଡଗୁଞ୍ଜିବାକୁ ଚାଳ ଖଣ୍ଡେ ଡେରି ପାରୁ ନାହାନ୍ତି । ପାଠ ପଢ଼େଇବାକୁ ହାତରେ ଧନ ନାହିଁ : ଚିକିତ୍ସା ପାଇଁ ଡାକ୍ତରଖାନାରେ ଔଷଧ ନାହିଁ । ଏସବୁ ଅଭାବ ଦୂର କରିବାକୁ ହେଲେ ଆମକୁ ବେଶି ଖାଉଟି ଜିନିଷ ଉତ୍ପାଦନ କରିବାକୁ ହେବ । କିନ୍ତୁ ଏହା ଖାଉଟି ଜିନିଷ ଉତ୍ପାଦନ କରିବା ପାଇଁ ଆମ ଦେଶରେ ଯନ୍ତ୍ରପାତି ଥିବା ଦରକାର । ଆମ ଦେଶରେ ଏବେ ଯେତିକି କଳକାରଖାନା ଯନ୍ତ୍ରପାତି ଅଛି, ତାକୁ ଅଧିକ ବ୍ୟବହାର କରି ଆମେ ଆଉ କିଛି ଅଧିକା ଖାଉଟି ଜିନିଷ ହୁଏତ ଉତ୍ପାଦନ କରିପାରିବା । କିନ୍ତୁ ସେଥିରେ ଆମର ଆର୍ଥନୀତିକ ଦୁର୍ଗତି ଦୂର ହୋଇପାରିବ ନାହିଁ । ତେଣୁ ଆମକୁ ଅଧିକ ଯନ୍ତ୍ରପାତି ସଂଗ୍ରହ କରିବାକୁ ପଡ଼ିବ । ତାହା ହେଲେ ଭବିଷ୍ୟତରେ ବେଶୀ କଳକାରଖାନା ବସିବ–ଅଧିକ ଖାଉଟି ଜିନିଷ ଉତ୍ପାଦିତ ହେବ । ଆମେ ଆଗରୁ କହିଛେ ଯେ ବଞ୍ଚିବା ମାନଦଣ୍ଡ ବୃଦ୍ଧି ପାଇଁ କ୍ରମାଗତ ଉଦ୍ୟମ ଦରକାର । ତେଣୁ ଆମର ମୁଖ୍ୟ ଶିଳ୍ପର ବିକାଶ ହେବା ଚାହି । ଲୁହା, ଇସ୍ପାତ, ସିମେଣ୍ଟ, ରାସାୟନିକ ଦ୍ରବ୍ୟ, କୋଇଲା, ବିଦ୍ୟୁତ ଶକ୍ତି ପ୍ରଭୃତି ମୁଖ୍ୟ ଶିଳ୍ପର ଉନ୍ନତି ନ ହେଲେ, ଯାନବାହନ ଓ ରାସ୍ତାଘାଟର ପ୍ରସାର ନ ହେଲେ ଓ ଯନ୍ତ୍ରପାତି ଶିଳ୍ପ ମୁଣ୍ଡ ଟେକି ନ ଉଠିଲେ, ଆମର ଆର୍ଥିନୀତିକ ପ୍ରଗତି ତ ସମ୍ଭବ ହୋଇପାରିବ ନାହିଁ । ଆମେ ବିଦେଶରୁ ଏସବୁ ଜିନିଷ ଆମଦାନୀ କରିପାରିବାନାହିଁ । ଆମ ହାତରେ ସେଥିପାଇଁ ଯଥେଷ୍ଟ ବିଦେଶୀ ମୁଦ୍ରା ନାହିଁ । ଆମେ ସିନା ଅନ୍ୟ ଦେଶକୁ କିଛି ଜିନିଷ ବିକ୍ରୀ କରି ପାରିଲେ, ଦରକାର ଅନୁଯାୟୀ ସେମାନଙ୍କ ଠାରୁ ଜିନିଷ କିଣି ଆଣି ପାରିବା । ସେଥିପାଇଁ ଯଥେଷ୍ଟ ବଳକା ଜିନିଷ ଆମ ଦେଶରେ ଥିବା ଦରକାର । କିନ୍ତୁ ଆମର କ୍ରୟ କରିବା ପାଇଁ ଯେତିକି ଜିନିଷ ଦରକାର, ବିକ୍ରୟ କରିବା ପାଇଁ ସେଇ ଅନୁପାତରେ ଜିନିଷ ନାହିଁ । ତେଣୁ ଆମକୁ ଆମ ଦେଶରେ ଏଇସବୁ ମୁଖ୍ୟ ଶିଳ୍ପ ପ୍ରତିଷ୍ଠା କରିବାକୁ ହେବ । ଅର୍ଥନୀତିର ପ୍ରଗତି ପାଇଁ ଇସ୍ପାତର ଆବଶ୍ୟକତା ସମସ୍ତେ ଜାଣନ୍ତି । ଯେତିକି ଅଧିକା ଇସ୍ପାତ ହେବ, ସେତିକି ଅଧିକା ଯନ୍ତ୍ରପାତି ତିଆର ହେବ । ଆମେରିକାରେ ଯେତିକି ଲୁହା ଅଛି ଆମ ଦେଶରେ ତାର ତିନି ଗୁଣ ଲୁହା ମାଟି ଭିତରେ ଗଚ୍ଛିତ ଅଛି ବୋଲି ହିସାବ କରାଯାଉଛି । କିନ୍ତୁ ଆମ ଦେଶରେ ଜଣପିଛା ଯେତିକି ଇସ୍ପାତ, ଆମେରିକାରେ ଜଣପିଛା ତା’ର ଦୁଇଶହଗୁଣ ଅଧିକା ଇସ୍ପାତ ଅଛି ବୋଲି ହିସାବ କରାଯାଉଛି। ଫଳରେ ଆମେରିକାରେ ବେଶୀ ଶିଳ୍ପ ଅଛି, ତାଙ୍କର ବଞ୍ଚିବା ମାନଦଣ୍ଡ ଆମଠାରୁ ଅତ୍ୟଧିକ ଭାବରେ ଅଧିକା ହେଉଛି । ତେଣୁ ଆମର ବଞ୍ଚିବା ମାନଦଣ୍ଡକୁ ବୃଦ୍ଧି କରିବାକୁ ହେଲେ ଏହି ମୁଖ୍ୟ ଶିଳ୍ପ ପ୍ରତିଷ୍ଠା କରି ଆର୍ଥନୀତିକ ଭିତ୍ତିକୁ ସୁଦୃଢ଼ କରିବା ଦରକାର । ସେଥିପାଇଁ ଦ୍ଵିତୀୟ ଯୋଜନାରେ ମୁଖ୍ୟ ଶିଳ୍ପର ପ୍ରସାର ପାଇଁ ଉଦ୍ୟମ କରାଯାଉଛି ।

 

ବ୍ୟକ୍ତିଗତ ଉଦ୍ୟୋଗ ବା ପ୍ରଚେଷ୍ଟାରେ ମୁଖ୍ୟ ଶିଳ୍ପ ପ୍ରତିଷ୍ଠା ହେବାର କୌଣସି ସମ୍ଭାବନା ନାହିଁ । ଏଥିପାଇଁ ଯେତିକି ପୁଞ୍ଜି ଦରକାର ତାହା ବେସରକାରୀ ଉଦ୍ୟମରେ ସଂଗ୍ରହ ହୋଇପାରିବ ନାହିଁ । ପୁଣି ସମାଜବାଦୀ ରାଷ୍ଟ୍ରନୀତି ଅନୁଯାୟୀ ଏହିସବୁ ଶିଳ୍ପ ସରକାରୀ ଉଦ୍ୟମରେ ପରିଚାଳିତ ହେବା ଉଚିତ । ତେଣୁ ସରକାର ଅଧିକ ଶିଳ୍ପ ପ୍ରତିଷ୍ଠା କରିବେ, ଯାନବାହନ ଓ ରାସ୍ତାଘାଟର ପ୍ରସାର ପାଇଁ ଉଦ୍ୟମ କରିବେ ଏବଂ ଶିକ୍ଷା ଓ ସ୍ଵାସ୍ଥ୍ୟପ୍ରତି ଜନମଙ୍ଗଳ କାର୍ଯ୍ୟ ପ୍ରତି ଅଧିକ ଦୃଷ୍ଟି ଦେବେ । ଫଳରେ ଦେଶର ଆୟ ବଢ଼ିବ ଓ ଧନୀ ଓ ନିର୍ଦ୍ଧନ ଭିତରେ ଥିବା ବ୍ୟବଧାନ କମିବାକୁ ଲାଗିବ । କିନ୍ତୁ ଏହା ଫଳରେ ଯେଉଁ ଆୟ ବଢ଼ିବ, ସେଥିରେ ଖାଉଟି ଜିନିଷ ପ୍ରତି ଚାହିଦା ଅଧିକା ହେବ । ସେଇ ଅନୁପାତରେ ଖାଦ୍ୟ ଓ ଅନ୍ୟାନ୍ୟ ଖାଉଟି ଜିନିଷର ଉତ୍ପାଦନ ନ ବଢ଼ିଲେ ମୁଦ୍ରାସ୍ପୀତି ହେବ । ମୁଦ୍ରାସ୍ପୀତି ହେଲେ ଆର୍ଥନୀତିକ ପ୍ରଗତି ଅଧିକ ହେବ । ତେଣୁ ଆୟ ବୃଦ୍ଧି ସଙ୍ଗେସଙ୍ଗେ ଖାଦ୍ୟ ଓ ଅନ୍ୟାନ୍ୟ ଖାଉଟି ଜିନିଷର ବୃଦ୍ଧି ପାଇଁ ସବୁ ରକମ ଉଦ୍ୟମ ହେବା ଦରକାର ।

 

ଉନ୍ନତ ଅର୍ଥନୀତିରେ କୃଷି ଉତ୍ପାଦନ ବୈଜ୍ଞାନିକ ଉପାୟରେ ପରିଚାଳିତ ହେଉଛି । ଉନ୍ନତ ଧରଣର ଯନ୍ତ୍ରପାତି ଚାଷ ପ୍ରଣାଳୀରେ ପ୍ରୟୋଗ କରାଯାଉଛି । କିନ୍ତୁ ଆମ ଦେଶରେ କୃଷି ଏକ ଘରୋଇ ଛୋଟ କାଟିଆ ବ୍ୟବସାୟ ରୂପେ ରହିଛି । ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିବ । ଅଧିକା ଖର୍ଚ୍ଚକରି କୃଷିର ଉତ୍ପାଦିକା ଶକ୍ତି ଆମେ ହୁଏତ ବଢ଼ାଇବା । କିନ୍ତୁ ଯନ୍ତ୍ରପାତି ସାହାଯ୍ୟରେ ଚାଷ କରିବାର ସମ୍ଭାବନା ନିକଟ ଭବିଷ୍ୟତରେ ନାହିଁ । ତେଣୁ ଖାଦ୍ୟ ସାମଗ୍ରୀ ଏହି କ୍ଷୁଦ୍ର କୃଷି ସଙ୍ଗଠନର ଉତ୍ପାଦନ କରାଯିବ । ଅନ୍ୟାନ୍ୟ ଖାଉଟି ଜିନିଷ ଆମେ ବୃହତ ଶିଳ୍ପ କିମ୍ବା କ୍ଷୁଦ୍ର ଶିଳ୍ପ ସାହାଯ୍ୟରେ ଉତ୍ପାଦନ କରିପାରିବା । ଉନ୍ନତ ଦେଶମାନଙ୍କରେ ଅଧିକାଂଶ ଖାଉଟି ଜିନିଷ ବଡ଼ବଡ଼ ଧରଣର କଳ କାରଖାନାମାନଙ୍କରେ ଉତ୍ପାଦନ କରାଯାଉଛି । ଆମ ଦେଶରେ ଅଧିକାଂଶ ଖାଉଟି ଜିନିଷ କ୍ଷୁଦ୍ର, ଗ୍ରାମ୍ୟ ବା କୁଟୀର ଶିଳ୍ପ ସାହାଯ୍ୟରେ ଉତ୍ପାଦନ କରାଯାଉଛି । ଜାତୀୟ ଆୟ କମିଟିର ଶେଷ ରିପୋର୍ଟ ଅନୁସାରେ ୧୯୫୨-୫୧ ମସିହାରେ କ୍ଷୁଦ୍ରଶିଳ୍ପରେ ୧୧୫ ଲକ୍ଷ ଓ ବୃହତ ଶିଳ୍ପରେ ୩୦ ଲକ୍ଷ ଲୋକ କାମ କରିଥିଲେ ଓ ଜାତୀୟ ଆୟର ଶତକରା ୯.୬ ଭାଗ କ୍ଷୁଦ୍ରଶିଳ୍ପରୁ ଓ ୫.୮ଭାଗ ବୃହତ ଶିଳ୍ପରୁ ଆଦାୟ ହେଉଥିଲା । ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଆମେ ଯେତେବେଳେ ଯୋଜନା କରି ଦେଶର ଅର୍ଥନୈତିକ ପ୍ରଗତିର ଦିଗ ନିର୍ଣ୍ଣୟ କରିବାକୁ ଯାଉଛେ, ସେତେବେଳେ ଗ୍ରାମ୍ୟ କୁଟୀର ବା କ୍ଷୁଦ୍ରଶିଳ୍ପର ପ୍ରସାର କରି ଖାଉଟି ଜିନିଷ ଉତ୍ପାଦନ କରିବା ନା ଅନ୍ୟାନ୍ୟ ଉନ୍ନତ ଦେଶପରି ବୃହତ ଶିଳ୍ପର ପ୍ରସାର କରି ଖାଉଟି ଜିନିଷ ଉତ୍ପାଦନ କରିବା ? ଏ ଏକ ଜଟିଳ ପ୍ରଶ୍ନ । ଏଥିରେ ମତଭେଦ ହେବା ସ୍ଵାଭାବିକ । ଯୋଜନା କମିଶନଙ୍କ ମତ ଅନୁଯାୟୀ ଖାଉଟି ଜିନିଷ ଉତ୍ପାଦନ ପାଇଁ ବେଶୀ ପରିମାଣରେ କ୍ଷୁଦ୍ର ବା ଗ୍ରାମ୍ୟ ଶିଳ୍ପର ପ୍ରତିଷ୍ଠା ହେବା ଉଚିତ-। ଖାଉଟି ଜିନିଷ ଉତ୍ପାଦନ ପାଇଁ ବୃହତ ଶିଳ୍ପ ରହିବ । କେତେକ ଖାଉଟି ଜିନିଷ ଉତ୍ପାଦନ ପାଇଁ ବୃହତ ଶିଳ୍ପର ପ୍ରସାର ମଧ୍ୟ ହେବ । ଉଦାହରଣ ସ୍ଵରୂପ ଚିନି,ସାଇକେଲ, ସିଲେଇକଳ, ଇଲେକଟ୍ରିକ ଜିନିଷ ଓ ଔଷଧ ପ୍ରଭୃତି କେତେକ ଖାଉଟି ଜିନିଷର ଉତ୍ପାଦନ ବୃହତ ଶିଳ୍ପ ସାହାଯ୍ୟରେ ବୃଦ୍ଧି କରାଯିବ । ଯେଉଁସବୁ ଶିଳ୍ପର ଜିନିଷ ବିଦେଶକୁ ରପ୍ତାନି କରାଯାଉଛି, ସେସବୁ ବୃହତ ଶିଳ୍ପର ଉତ୍ପାଦନ ବୃଦ୍ଧି କରାଯିବ । କିନ୍ତୁ ଅନ୍ୟାନ୍ୟ ଖାଉଟି ଜିନିଷ ଉତ୍ପାଦନ କରିବା ପାଇଁ ଗ୍ରାମ୍ୟ ବା କ୍ଷୁଦ୍ରଶିଳ୍ପ ଉପରେ ବିଶେଷ ପରିମାଣରେ ନିର୍ଭର କରିବାକୁ ହେବ । ଏଥିପାଇଁ ନୂଆନୂଆ ବୃହତ୍‍ ଶିଳ୍ପ ପ୍ରତିଷ୍ଠା କରାଯିବ ନାହିଁ । ବରଂ ଏସବୁ ପ୍ରକାର ଖାଉଟି ଜିନିଷ ଉତ୍ପାଦନ କରିବା ପାଇଁ ଏବେ ଯେଉଁ ସବୁ ବୃହତ୍‍ ଶିଳ୍ପ ଅଛି , ସେସବୁ ଶିଳ୍ପର ଉତ୍ପାଦନ ନିୟନ୍ତ୍ରଣ କରି, କୁଟୀର, ଗ୍ରାମ୍ୟ ବା କ୍ଷୁଦ୍ର ଶିଳ୍ପର ପ୍ରସାର ପାଇଁ ଚେଷ୍ଟା କରାଯିବ । କ୍ଷୁଦ୍ର ଓ ଗ୍ରାମ୍ୟ ଶିଳ୍ପର ବିକାଶ ପାଇଁ ସରକାର ସମବାୟ ଅନୁଷ୍ଠାନ ଗଠନ କରି ପୁଞ୍ଜି, କଞ୍ଚାମାଲ ବଜାରର ସୁବିଧା କରିବାକୁ ଚେଷ୍ଟା କରିବେ ।

ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ କ୍ଷୁଦ୍ର ଓ ଗ୍ରାମ୍ୟ ଶିଳ୍ପର ଉନ୍ନତି ଉପରେ ଏ ଯେଉଁ ଗୁରୁତ୍ଵ ଦିଆଯାଇଛି, ଏହାକୁ ଅନେକ ସମାଲୋଚନା କରୁଛନ୍ତି । କାରଣ ଏହା ଫଳରେ ମୁଖ୍ୟ ଶିଳ୍ପ ଦ୍ଵାରା ଉତ୍ପାଦନ କରାଯାଉଥିବା ଯନ୍ତ୍ରପାତି ଉତ୍ପାଦନ ପ୍ରଣାଳୀରେ ବ୍ୟବହାର କରାଯାଇ ପାରିବ ନାହିଁ । କ୍ଷୁଦ୍ର ଓ ଗ୍ରାମ୍ୟ ଶିଳ୍ପର ଉତ୍ପାଦନ ପ୍ରଣାଳୀ ପୁରୁଣାକାଳିଆ ଢଙ୍ଗରେ ପରିଚାଳିତ ହେବ, ଅନୁପଯୁକ୍ତ ଯନ୍ତ୍ରପାତି ବ୍ୟବହୃତ ହେବ । ତେଣୁ ଖାଉଟି ଜିନିଷର ଦର ବଢ଼ିବା ଓ ଖାଉଟିମାନେ କଳ ତିଆର ଶସ୍ତା ଜିନିଷରୁ ବଞ୍ଚିତ ହେବେ । ପୁଣି ଗ୍ରାମ୍ୟ ଓ କ୍ଷୁଦ୍ର ଶିଳ୍ପ ଦ୍ଵାରା ଯଥେଷ୍ଟ ଖାଉଟି ଜିନିଷର ଉତ୍ପନ୍ନ ହୋଇ ପାରିବ କି ନାହିଁ ସନ୍ଦେହ । ହେଲେ ବି ଚାହିଦା ଅନୁରୂପ ଖାଉଟି ଜିନିଷର ଉତ୍ପାଦନ ନ ହୋଇପାରେ । ତେଣୁ ମୁଦ୍ରାସ୍ଫୀତି ହେବାର ସମ୍ଭାବନା । ଏହା ବ୍ୟତୀତ ଗ୍ରାମ୍ୟ ଓ କ୍ଷୁଦ୍ର ଶିଳ୍ପର ପ୍ରତିଷ୍ଠା ଓ ପୁନରୁଦ୍ଧାର କରିବା ପାଇଁ ଯେଉଁ ଉଦ୍ୟମ ଦରକାର, ତା’ ଆମ ଦେଶରେ ହୋଇପାରିବ ନାହିଁ ବୋଲି ଅନେକେ ଧାରଣା କରୁଛନ୍ତି । ଆସନ୍ତା ପାଞ୍ଚବର୍ଷ ଭିତରେ ଗ୍ରାମ୍ୟ ଓ କ୍ଷୁଦ୍ର ଶିଳ୍ପରେ ବେଶୀ କିଛି ପ୍ରଗତି ହୋଇଯିବ ବୋଲି ଆଶା କରାଯାଇ ନ ପାରେ । ଅତୀତର କାର୍ଯ୍ୟକଳାପ ଏହି ସତ୍ୟ ପ୍ରତିପାଦନ କରୁଛି । ଯଦି ଏହା ସତ୍ୟ ହୁଏ, ତାହାହେଲେ ନିକଟ ଭବିଷ୍ୟତରେ ବେକାର ସମସ୍ୟା ସମାଧାନ କରିବା ପାଇଁ ଗ୍ରାମ୍ୟ ଓ କ୍ଷୁଦ୍ର ଶିଳ୍ପ ଉପରେ ଯେଉଁ ଗୁରୁତ୍ଵ ଦିଆଯାଉଛି, ତାର କିଛି ମୂଲ୍ୟ ରହିବ ନାହଁ । ତେଣୁ ସମାଲୋଚକମାନଙ୍କ ମତରେ ବେକାର ସମସ୍ୟା ସମାଧାନ କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ନ କରି, ଆର୍ଥିନୀତିକ ପ୍ରଗତି ପାଇଁ ଉଦ୍ୟମ କରିବା ଉଚିତ । କଳକାରଖାନା ବସାଇ ଆର୍ଥିନୀତିକ ପ୍ରଗତି ପାଇଁ ଉଦ୍ୟମ କଲେ, ଅନ୍ୟାନ୍ୟ ଆନୁସଙ୍ଗିକ ଶିଳ୍ପ ମୁଣ୍ଡ ଟେକି ଉଠିବ ଓ ବେକାର ସମସ୍ୟାର ଆପେ ଆପେ ସମାଧାନ ହୋଇଯିବ । ବେକାରି ସମସ୍ୟାର ସମାଧାନ କରିବା ପାଇଁ ଏବେ ବୃହତ ଶିଳ୍ପକୁ ନିୟନ୍ତ୍ରଣ କରି ଗ୍ରାମ୍ୟ ଶିଳ୍ପର ପ୍ରସାର କଲେ, ବେକାର ସମସ୍ୟାର ସମାଧାନ ହେଲାପରେ ପୁଣି ବୃହତ ଶିଳ୍ପକୁ ବୃଦ୍ଧି କରିବାକୁ ଚେଷ୍ଟା କରିବାରେ ଖର୍ଚ୍ଚ ଯେ ଅଧିକ ହେବ ତା ନୁହେଁ, ବୃହତ୍ ଶିଳ୍ପ ବିକାଶ କରିବା ମଧ୍ୟ କଷ୍ଟକର ହେବ । ତେଣୁ ଆର୍ଥନୀତିକ ପ୍ରଗତିକୁ ଲକ୍ଷ୍ୟ ରଖି ଆମର ଇନଭେଷ୍ଟମେଣ୍ଟ ପରିଚାଳିତ ହେବା ଉଚିତ । ପ୍ରଥମେ ଅନୁପଯୁକ୍ତ ଉତ୍ପାଦନ ପନ୍ଥା ଗ୍ରହଣ କରି ପରେ ପୁଣି ଉପଯୁକ୍ତ ଉତ୍ପାଦନ ପ୍ରଣାଳୀ ପ୍ରୟୋଗ କରିବା ନୀତି ଓ ବ୍ୟବସାୟ ଦୃଷ୍ଟିରୁ ଅବିବେଚନାର ଲକ୍ଷଣ । ସମାଲୋଚକମାନଙ୍କର ଏ ଯୁକ୍ତିରେ ଯେ ଯଥେଷ୍ଟ ସତ୍ୟ ନିହିତ ଅଛି, ଏଥିରେ କୌଣସି ସନ୍ଦେହ ନାହିଁ । ତଥାପି ଯୋଜନା କମିଶନ କାର୍ଯ୍ୟକାରିତା ଦୃଷ୍ଟିରୁ କ୍ଷୁଦ ଓ ଗ୍ରାମ୍ୟ ଶିଳ୍ପର ପ୍ରସାର ପାଇଁ ଉଦ୍ୟମ କରୁ ଅଛନ୍ତି ।

ଯୋଜନା କମିଶନଙ୍କ ମତରେ ବେକାର ସମସ୍ୟା ସମାଧାନ କରିବା ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ଏକ ପ୍ରଧାନ ଲକ୍ଷ୍ୟ । ଏଥିପାଇଁ ତୁରନ୍ତ ବିହିତ ବ୍ୟବସ୍ଥା ହେବା ଉଚିତ । କିନ୍ତୁ ବୃହତ୍ ଶିଳ୍ପ ପ୍ରତିଷ୍ଠା କରି ଆର୍ଥନୀତିକ ଉନ୍ନତି ପାଇଁ ଚେଷ୍ଟାକଲେ, ନିକଟ ଭବିଷ୍ୟତରେ ବେକାରି ସମସ୍ୟା ସମାଧାନ ହେବାର କୌଣସି ସମ୍ଭାବନା ନାହିଁ । ପୁଣି ଆମ ଦେଶରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ରହୁଛନ୍ତି । ଏମାନଙ୍କ ଭିତରୁ ଅଧିକାଂଶ ଅର୍ଦ୍ଧ କିମ୍ବା ଆଂଶିକ ବେକାର । ଗାଁ ଛାଡ଼ି ସହରକୁ ଯିବାପାଇଁ ଏମାନଙ୍କର ସେତେ ଇଚ୍ଛା ନାହିଁ । ଗାଁ ପାଖରେ ଏମାନଙ୍କୁ କାମ ଯୋଗାଇବାକୁ ହେବ । ତାହା ହେଲେ କୃଷିରେ ଥାଇ ମଧ୍ୟ ଏମାନେ ଅନ୍ୟାନ୍ୟ ବ୍ୟବସାୟ ଧରି ଅଧିକା ରୋଜଗାର କରିବେ ଓ ନିଜର ବଞ୍ଚିବା ମାନଦଣ୍ଡ ବୃଦ୍ଧି କରି ପାରିବେ । ଦ୍ଵିତୀୟରେ ଅଳ୍ପ ପୁଞ୍ଜିରେ ଗ୍ରାମ୍ୟ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିହେବ । ଆମ ଦେଶରେ ଯଥେଷ୍ଟ ପୁଞ୍ଜି ନାହିଁ । ଆମ ଜାତୀୟ ଆୟର ମୋଟେ ଶତକରା ୨ଭାଗ ଏବେ ସଞ୍ଚୟ କରାଯାଉଛି । ପୁଣି ଆମେ ମୁଖ୍ୟଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସିଦ୍ଧାନ୍ତ କରୁଛେ । ମୁଖ୍ୟ ଶିଳ୍ପପ୍ରତିଷ୍ଠା କରିବାରେ ଅଧିକା ପୁଞ୍ଜି ଦରକାର । ଯେତେବେଳେ ଦେଶରେ ପୁଞ୍ଜିର ଅଭାବ, ସେତେବେଳେ କ୍ଷୁଦ୍ର ଓ ଗ୍ରାମ୍ୟ ଶିଳ୍ପ ପ୍ରତିଷ୍ଠା କରି ଅଧିକା ଖାଉଟି ଜିନିଷ ଉତ୍ପନ୍ନ କରିବା ଓ କର୍ମସଂସ୍ଥାନର ବ୍ୟବସ୍ଥା କରିବା ନିହାତି ଜରୁରୀ । ଅଧ୍ୟାପକ ମହଲନବିସଙ୍କ ହିସାବ ଅନୁଯାୟୀ ଜଣେ ଲୋକ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା କରିବା ସକାଶେ ମୁଖ୍ୟ ଶିଳ୍ପରେ ୨୫ହଜାର, ବୃହତ୍ ଖାଉଟି ଶିଳ୍ପରେ ୧୨ ହଜାର ଓ ଗ୍ରାମ୍ୟକୁଟୀର ଶିଳ୍ପରେ ୭ ଶହ ଟଙ୍କା ଦରକାର । ଏଥିରୁ ଦେଖାଯିବ ଯେ କ୍ଷୁଦ୍ର ଓ ଗ୍ରାମ୍ୟ ଶିଳ୍ପର ପ୍ରତିଷ୍ଠା କରି ବେକାର ସମସ୍ୟା ସମାଧାନ କରିବାକୁ ଉଦ୍ୟମ କଲେ, ଅଳ୍ପ ଖର୍ଚ୍ଚରେ ବେଶୀ ବେକାର ଲୋକ କାମ ପାଇ ପାରିବେ । ଯେତେବେଳେ ଆମ ଦେଶରେ ପୁଞ୍ଜିର ଅଭାବ ଓ ବେକାର ଲୋକଙ୍କ ସଂଖ୍ୟା ଅଧିକ, ସେତେବେଳେ ଏହି କ୍ଷୁଦ୍ର ଓ କୁଟୀର ଶିଳ୍ପର ପ୍ରସାର କରି ବେକାର ସମସ୍ୟା ସମାଧାନ କରିବା ଏକମାତ୍ର ଉପାୟ ।

ଏହା ଫଳରେ ଅନ୍ୟାନ୍ୟ ଅନେକ ସୁବିଧା ମିଳିବାର ସମ୍ଭାବନା ପ୍ରଥମରେ କୁଟୀର ଓ ଗ୍ରାମ୍ୟ ଶିଳ୍ପର ଉତ୍ପାଦନ ବୃହତ ଶିଳ୍ପର ଉତ୍ପାଦନ ପରି ସମୟ ସାପେକ୍ଷ ନୁହେଁ । ତେଣୁ 'ସହଜରେ, ସୁବିଧାରେ ଓ ଅଳ୍ପ ସମୟ ଭିତରେ ଖାଉଟି ଜିନିଷ ଉତ୍ପାଦନ କରାଯାଇପାରିବ । ଦ୍ଵିତୀୟରେ ଗ୍ରାମ୍ୟ ଓ କୁଟୀର ଶିଳ୍ପ ଭାରତର ଚାରିଆଡ଼େ ପ୍ରସାର ଲାଭ କରିବ । ଫଳରେ ସବୁ ଅଞ୍ଚଳର ଲୋକେ ସୁବିଧା ପାଇବେ । ବିଶେଷତଃ ମଫସଲକୁ ବେଶୀ ଲାଭ ମିଳିବ । ବଣ୍ଟନ ପ୍ରକ୍ରିୟା ନୀତିଦୃଷ୍ଟିରୁ ଏହା ଶ୍ରେୟସ୍କର । ଏଥିରେ ସ୍ଥାନୀୟ ଉଦ୍ୟୋଗ ମଧ୍ୟ ଉତ୍ସାହିତ ହେବ । ତୃତୀୟରେ ବୃହତ୍ ଖାଉଟି ଶିଳ୍ପ ପ୍ରତିଷ୍ଠା କଲେ, ଶ୍ରମିକମାନଙ୍କ ପାଇଁ ବାସଗୃହ ନିର୍ମାଣ କରିବା ଓ ଅନ୍ୟାନ୍ୟ ସାମାଜିକ ମଙ୍ଗଳ କାର୍ଯ୍ୟ କରିବା ଓ ରାସ୍ତାଘାଟ ଓ ଯାନବାହାନର ପରିସର ବୃଦ୍ଧି କରିବାରେ ଯେତିକି ଖର୍ଚ୍ଚ ହୁଅନ୍ତା, ଗ୍ରାମ୍ୟ ବା କୁଟୀର ଶିଳ୍ପରେ ସେତେ ଖର୍ଚ୍ଚ ହେବ ନାହିଁ । ଏସବୁ ସୁବିଧା ସହିତ ବେକାର ସମସ୍ୟା ସମାଧାନକୁ ଯଦି ଯୋଗକରାଯାଏ, ତାହା ହେଲେ ଗ୍ରାମ୍ୟ ଓ କୁଟୀର ଶିଳ୍ପର ପ୍ରସାର କରିବା ପାଇଁ ଦ୍ଵିତୀୟ ଯୋଜନାରେ ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ଯୁକ୍ତି ସଙ୍ଗତ ବୋଲି କୁହାଯାଇପାରେ ।

ଯୋଜନାକୁ କେବଳ ଅର୍ଥନୀତି ଦୃଷ୍ଟିରୁ ବିଚାର କରାଯିବା ଉଚିତ ନୁହେଁ । ଅର୍ଥନୀତି ଦୃଷ୍ଟିକୋଣରୁ ବିଚାର କଲେ ଏକଥା ନିଃସନ୍ଦେହରେ କୁହାଯିବ ଯେ ବୃହତ ଧରଣର ଖାଉଟି ଶିଳ୍ପ ପ୍ରତିଷ୍ଠା କରି ଭାରତର ଆର୍ଥନୀତିକ ପ୍ରଗତି ପାଇଁ ଉଦ୍ୟମ କରାଯିବା ଉଚିତ । ଆର୍ଥିକ ପ୍ରଗତି ହେଲେ ଭିନ୍ନ ଭିନ୍ନ କର୍ମସଂସ୍ଥାନ ଆପେ ମୁଣ୍ଡ ଟେକି ଉଠିବ । ଲୋକେ ଶସ୍ତାରେ ଜିନିଷ ପାଇବେ ଓ ସେମାନଙ୍କର ବଞ୍ଚିବା ମାନଦଣ୍ଡ ବୃଦ୍ଧି ହେବ । ଏଥିପାଇଁ ପୁଞ୍ଜିର ଅଭାବ ହେଲେ, ପୁଞ୍ଜି ଅନୁପାତରେ ଆର୍ଥନୀତିକ ପ୍ରଗତିକୁ ନିୟନ୍ତ୍ରଣ କରିବାକୁ ହେବ– ଅର୍ଥାତ୍ ୧୦ବର୍ଷ ଜାଗାରେ ୧୫ ବା ୨୧ବର୍ଷ ନେଇ ଆମର ଉଦ୍ଦେଶ୍ୟ ହାସଲ କରିବାକୁ ହେବ । କିନ୍ତୁ ଆର୍ଥିନୀତିକ ଯୋଜନା ରାଜନୀତି ଓ ସାମାଜିକ ବେଷ୍ଟନୀ ନେଇ ପରିଚାଳିତ । ରାଜନୀତି ଓ ସାମାଜିକ ବେଷ୍ଟନୀ ଦୃଷ୍ଟିରୁ ଆଲୋଚନା କଲେ, ତୁରନ୍ତ କର୍ମସଂସ୍ଥାନର ବ୍ୟବସ୍ଥା କରିବା ନିହାତ ଆବଶ୍ୟକ । ପୁଣି ଏହି କର୍ମସଂସ୍ଥାନର ବ୍ୟବସ୍ଥା ସର୍ବତ୍ର ସମାନ ଭାବରେ ବଣ୍ଟନ ହେବା ଚାହି । ତେଣୁ କ୍ଷୁଦ୍ର, ଗ୍ରାମ୍ୟ ବା କୁଟୀର ଶିଳ୍ପର ବିକାଶ ପାଇଁ ଉଦ୍ୟମ କରିବା ଏକାନ୍ତ ଆବଶ୍ୟକ ।

 

କିନ୍ତୁ ମୁଖ୍ୟଶିଳ୍ପ ଓ କ୍ଷୁଦ୍ର ଓ କୁଟୀର ଶିଳ୍ପ ଭିତରେ ସମନ୍ଵୟ ଆଣିବା ପାଇଁ କ୍ଷୁଦ୍ର ଓ କୁଟୀର ଶିଳ୍ପକୁ ବୈଜ୍ଞାନିକ ଉପାୟରେ ପରିଚାଳିତ କରିବା ଉଚିତ । ଛୋଟ ଛୋଟ ଧରଣର ଆଧୁନିକ ଯନ୍ତ୍ରପାତି ଉତ୍ପନ୍ନ କରି, କ୍ଷୁଦ୍ର ଓ କୁଟୀର ଶିଳ୍ପରେ ପ୍ରୟୋଗ କରିବା ଉଚିତ ଓ ବିଦ୍ୟୁତ ତ୍ସାହାଯ୍ୟରେ ଏହି ଯନ୍ତ୍ରକୁ ପରିଚାଳିତ କରି ଏହି ସବୁ ଶିଳ୍ପର ଉତ୍ପାଦକ ଶକ୍ତି ବୃଦ୍ଧି କରିବା ଚାହି । ତାହେଲେ ଅର୍ଥନୀତି, ରାଜନୀତି ଓ ସାମାଜିକବେଷ୍ଟନୀ ଭିତରେ ଥିବା ସଂଘର୍ଷ ଭିତରେ ସମନ୍ଵୟ ଅଣାଯାଇ ପାରିବ ।

Image